Unknown

 

 

 

 

 

 

 

 

 

 

ଅଲିଭା ଶିଖା

[ସ୍ୱର୍ଗତ ପ୍ରାଣନାଥ ପଟ୍ଟନାୟକଙ୍କ ଜୀବନକାହାଣୀ]

ଶ୍ରୀ ଅମୂଲ୍ୟକୃଷ୍ଣ ମିଶ୍ର

 

ପଦେଅଧେ

 

ପ୍ରାଣନାଥଙ୍କ ଜୀବନୀ ଲେଖିଲି କାହିଁକି ?

 

ସ୍ୱର୍ଗତ ପ୍ରାଣନାଥ ପଟ୍ଟନାୟକ ଜଣେ ସଚ୍ଚୋଟ ସାମ୍ୟବାଦୀ ନେତା ଥିଲେ ବୋଲି କେବଳ ମୁଁ ଜାଣିଥିଲି; କିନ୍ତୁ ତାଙ୍କ ସଂସ୍ପର୍ଶରେ ମୁଁ କେବେ ଆସିନାହିଁ । ପ୍ରାଣନାଥଙ୍କ ମୃତ୍ୟୁର ପ୍ରାୟ ଚାରିବର୍ଷ ପରେ ମୁଁ ପ୍ରାଣନାଥ କଲେଜରେ ଅଧ୍ୟକ୍ଷ ହିସାବରେ ଯୋଗଦେଲି ୧୯୭୫ର ନବବର୍ଷ ଦିନ । ଯାହା ଦେଖିଲି ଓ ଶୁଣିଲି, ମୁଁ ପ୍ରାଣନାଥଙ୍କ ପ୍ରତି ଦିନକୁଦିନ ବେଶୀ ଆକୃଷ୍ଟ ହେଲି । ଖୋର୍ଦ୍ଧା ଅଞ୍ଚଳର ମଳିମୁଣ୍ଡିଆମାନଙ୍କଠାରୁ ପ୍ରାଣନାଥଙ୍କ ସ୍ୱାର୍ଥତ୍ୟାଗ ଓ ସମାଜସେବାର କାହାଣୀ ଅନେକ ଶୁଣିଛି ଏବଂ ତାଙ୍କ ଦୁଃଖକଷ୍ଟ ବର୍ଣ୍ଣନା କଲାବେଳେ ଅନେକ ସହକର୍ମୀ ଓ କୃଷକଙ୍କ ଆଖିରେ ଲୁହ ଆସିଥିବା ଦେଖିଚି । ମୋର ପ୍ରାୟ ପାଞ୍ଚବର୍ଷ ରହଣି କାଳରେ ଖୋର୍ଦ୍ଧା କଲେଜର ଗୁଣାତ୍ମକ ଅଭିବୃଦ୍ଧି ପାଇଁ ମୁଁ ପ୍ରାଣନାଥବାବୁଙ୍କ ପଦାଙ୍କ ଅନୁସରଣ କରିବାକୁ ଚେଷ୍ଟା କରିଛି । ତାଙ୍କ ସଂଗ୍ରାମୀ ଜୀବନ କାହାଣୀ ବିଭିନ୍ନ ଲୋକଙ୍କଠାରୁ ଶୁଣି ଏବଂ ବିଭିନ୍ନ ପତ୍ରପତ୍ରିକାରୁ ପଢ଼ି ମୁଁ ଅଭିଭୂତ ହୋଇଛି ।

 

ସ୍ୱାଧୀନତା ସଂଗ୍ରାମ ଓ ବିପ୍ଳବ କାହିଁକି ଯେ ମୋତେ ବହୁତ ଭଲ ଲାଗେ ! ୧୯୨୧ରେ ମୋର ପିତାଙ୍କର ଅସହଯୋଗ ଆନ୍ଦୋଳନରେ ଯୋଗଦାନ, ସରକାରୀ ଚାକିରିରୁ ଇସ୍ତଫା ଏବଂ କାରାବରଣ ମୋତେ ନିର୍ଭୀକ ହେବାର ପ୍ରେରଣା ଯୋଗାଇଛି । ଭାରତ–ଛାଡ଼ ଆନ୍ଦୋଳନ ବେଳର ନିଜର ଅନୁଭୂତି କଥା ଏବେ ବି ମନେପଡ଼େ । ମୁଁ ଜର୍ଜ ହାଇସ୍କୁଲ ବରଗଡ଼ରେ ଷଷ୍ଠ ଶ୍ରେଣୀରେ ପଢ଼ୁଥାଏ । ଅଗଷ୍ଟ ନ ତାରିଖ ଦିନ, ହାତରେ ତ୍ରିରଙ୍ଗା ଝଣ୍ଡା ଧରି ‘ଭାରତ ମାତା କି ଜୟ’, ‘ଇନ୍ କିଲାବ୍ ଜିନ୍ଦାବାଦ’ ଧ୍ୱନି ଦେଇ ମୁଁ ବରଗଡ଼ରେ ଶୋଭାଯାତ୍ରାରେ ଆଗରେ ମାର୍ଚ୍ଚ କରୁଥାଏ । ପୋଲିସ ଷ୍ଟେସନ ସାମନାରେ ବିରାଟ ଶୋଭାଯାତ୍ରାର ପଥ ରୋଧ କଲା ବ୍ରିଟିଶ ଶାସନାଧୀନ ପୁଲିସ ଫଉଜ । ବରଗଡ଼ର ତତ୍କାଳୀନ ଏସ୍. ଡି. ଓ. ଶ୍ରୀଯୁକ୍ତ ଏସ୍. ଜେ. ମଜୁମଜାର, ଆଇ. ସି. ଏସ୍., ଦୟାଳୁ ପ୍ରକୃତିର ଲୋକ ହୋଇଥିବାରୁ ଶୋଭାଯାତ୍ରାକାରୀମାନଙ୍କ ଉପରେ ଗୁଳି ବା ଲାଠି ଚାଳନା ହେଲାନାହିଁ । କେବଳ କେତେ ଜଣ ନେତା ତଥା ସାମନାରେ ଥାଇ ଉଚ୍ଚସ୍ୱରରେ ସ୍ଲୋଗାନ୍ ଦେଉଥିବା କେତେଜଣ ବାଳକଙ୍କୁ ଥାନା ଭିତରକୁ ନିଆହେଲା । କାହାକୁ ଗିରଫ କରାଗଲା ଏବଂ କାହାକୁ ଛାଡ଼ି ଦିଆଗଲା ମୋର ସ୍ପଷ୍ଟ ଖିଆଲ ନାହିଁ; କିନ୍ତୁ ଆମ ପିଲାମାନଙ୍କୁ କିଛି ସମୟ ଗୋଟିଏ କୋଠରୀ ଭିତରେ ରଖାଯିବାର ମୋର ମନେଅଛି । ଜଣେ ପୋଲିସ ଅଫିସର, ବୋଧହୁଏ ସବ୍‍ଇନ୍‍ସପେକ୍ଟର ହେବେ ଏବଂ ସ୍ୱାଧୀନତା ପ୍ରାପ୍ତି ପରେ ଉଚ୍ଚପାହ୍ୟାକୁ ଉନ୍ନୀତ ହୋଇଥିବେ ନିଶ୍ଚୟ, ମଝିରେ ମଝିରେ ଆମମାନଙ୍କୁ କଦର୍ଯ୍ୟ ଭାଷାରେ ଗାଳିଦେବା ମୋର କିଛି କିଛି ମନେଅଛି । ‘ତୁମର ବୁଆମାନେ କେନ୍ ଜାଗାନ ଲୁକିଛନ୍ ଜେ ତୁମେ ସବ୍ ଆସିଛ ବେ ଶଲେ’ ବୋଲି ଗାଳି ଶୁଣି ଶୁଣି ଆମ ଭିତରୁ କିଏ ‘ବୁଆ ଫୁଆ ନାଇଁ କହୁଁନ୍’ ବୋଲି ପ୍ରତିବାଦ କରିବାରୁ ଆମ ସମସ୍ତଙ୍କ ପଛପଟେ ଜମାଦାରର ବୁଟ୍ ମାଡ଼ କଥା ବି ମନେଅଛି । ତା’ପରେ ବଡ଼ମାନଙ୍କୁ ହାଜତରେ ରଖି ଆମ ପିଲାମାନଙ୍କୁ ଧକ୍କାଦେଇ ଥାନା ବରଣ୍ଡାରୁ ତଳକୁ ଠେଲିଦେବାର ମଧ୍ୟ ମନେଅଛି ।

 

ବାପାଙ୍କୁ ଆମ ଘରେ ସମସ୍ତେ ଡରନ୍ତି । ସେଦିନ ମୁଁ ଡରି ଡରି ଘର ଭିତରକୁ ଗଲି । ଜମାଦାରର ବୁଟ୍ ମାଡ଼ ଅବଶ୍ୟ କାଟୁଥାଏ; କିନ୍ତୁ ବାପାଙ୍କ ଭୟରେ ସେ କଷ୍ଟ ବି ଜଣାପଡ଼ୁନଥାଏ । ମୋର ଯେତେଦୂର ମନେପଡ଼ୁଛି କେଉଁ ଏକ ବିରାଟ ଦୋଷରେ ଅଭିଯୁକ୍ତ ଆସାମୀ ଭଳିଆ ମୁଁ ଘର ଭିତରକୁ ପଶିଲି । ପିତା ମୋତେ ଦେଖି ଧାଇଁଆସିଲେ ମୋ ପାଖକୁ । ରାଗୀ ହେଲେ ମଧ୍ୟ ପିତା ପ୍ରହାର କରିବାର ଘୋର ବିରୋଧୀ–ତାଙ୍କ ‘ହୁଁ’ ପଦକ ଶୁଣିଲେ ଆମେ ଡରିଯାଉଥିଲୁ । ସେଦିନ କିନ୍ତୁ ମୋ ଉପରେ ପ୍ରଚଣ୍ଡ ପ୍ରହାର ପଡ଼ିବ ବୋଲି ମୋ ଦେହସାରା ଥରିଉଠୁଥାଏ । ଭୟରେ ଆପେ ଆପେ ଆଖି ବୁଜିହୋଇଗଲା । କିନ୍ତୁ ପ୍ରହାର ପରିବର୍ତ୍ତରେ ପିତା ମୋତେ ସସ୍ନେହରେ କୋଳ କରିନେଲେ ଏବଂ କହିଲେ, ‘ସାବାସ୍, ତୁ ପ୍ରକୃତରେ ବାପ୍ କା ବେଟା’ । ପୋଲିସ ଧକ୍କାରେ ଥାନା ବରଣ୍ଡାରୁ ତଳେ ପଡ଼ିଯାଇ ଯେଉଁ ଖଣ୍ଡିଆଖାବରା ହୋଇଯାଇଥିଲି ଏବଂ ଜମାଦାରର ବୁଟ୍ ମାଡ଼ରେ ପଛପଟ ଯେଉଁ ଫୁଲିଯାଇଥିଲା, ମୋର ମାତାମହୀ ସେ ସବୁରେ ମଲମ ଓ ଚନ୍ଦନ ଦେଇ ମୋତେ ଗେଲ କରିବାର ମୋର ମନେପଡ଼ୁଛି ।

 

ସ୍କୁଲ ଫିଟିବା ଦିନ ସ୍କୁଲରେ ପହଞ୍ଚୁ ପହଞ୍ଚୁ ହେଡ଼ମାଷ୍ଟରଙ୍କ ଡାକରା । ହେଡ଼ମାଷ୍ଟର ଥାନ୍ତି ଶ୍ରୀ ହାରାଚାନ୍ଦ ନାୟକ । ପିଲାମାନେ ତାଙ୍କୁ ବହୁତ ଡରନ୍ତି । ଅତି ଧୀର ଅଥଚ ଗମ୍ଭୀର ସ୍ୱରରେ ମତେ କହିଲେ, ‘‘ତୁମେ ଶୋଭାଯାତ୍ରାରେ ଭାଗ ନେଇଥିବାର ମୁଁ ଖବର ପାଇଛି । ବହୁ ପରିମାଣରେ ସ୍ଲୋଗାନ ଦେଇଥିବାରୁ ତୁମର ତଣ୍ଟି ବସିଯାଇଛି । ତୁମେ ଆମ ସ୍କୁଲର ପୂର୍ବତନ ଶିକ୍ଷକ ତଥା ସେକ୍ରେଟେରୀ ଦୟାନିଧିବାବୁଙ୍କ ପୁଅ ବୋଲି ଏଥର ଛାଡ଼ିଦେଲି । ଆଉ ଏପରି କାମ କଲେ ସ୍କୁଲରୁ ରଷ୍ଟିକେଟ୍ କରିଦେବି ।”

 

ମୋର ନିଜ ଜୀବନର ଏମିତି କେତେଗୁଡ଼ିଏ ଘଟଣା ବୋଧହୁଏ ପ୍ରାଣନାଥଙ୍କ ଜୀବନୀ ପ୍ରତି ମୋତେ ଆପେ ଆପେ ଆକୃଷ୍ଟ କରିଛି ଏବଂ ଏପରି ଏକ ନିଃସ୍ୱାର୍ଥପର, ନିରଳସ ସଂଗ୍ରାମୀଙ୍କ ଜୀବନୀ ଲେଖବାପାଇଁ ମୁଁ ସ୍ୱତଃ ପ୍ରେରଣା ପାଇଛି ।

 

ପ୍ରାଣନାଥଙ୍କ ଜୀବନ କାହାଣୀ ଲେଖିବା ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା ଖୋର୍ଦ୍ଧାରେ ଅକ୍ଟୋବର ୫, ୧୯୭୯ ମସିହାରେ, ପ୍ରାଣନାଥ ମହାବିଦ୍ୟାଳୟରେ ପ୍ରାଣନାଥ ଶ୍ରାଦ୍ଧୋତ୍ସବ ପାଳନ କରିବା ସମୟରେ । ସେତେବେଳେ ମୋର ଖୋର୍ଦ୍ଧା କଲେଜରୁ ପ୍ରଥମ ଦଫାର ବଦଳି ହୋଇଯାଇଥାଏ; କିନ୍ତୁ ମୁଁ ସେହି ଶ୍ରାଦ୍ଧୋତ୍ସବରେ ପୁରୋଧା ଭାବରେ ଯୋଗଦାନ କରିଥାଏ । ପ୍ରାଣନାଥଙ୍କ ସହପାଠୀ ଓ ବାଲ୍ୟବନ୍ଧୁ ଶ୍ରୀ ମୁରଲୀଧର ପଟ୍ଟନାୟକ ପ୍ରଥମେ ଏ ବିଷୟ ଉଠାଇଥିଲେ ଏବଂ ସମସ୍ତେ, ଏ ପ୍ରସ୍ତାବରେ ଏକମତ ହେଲେ । ସେଦିନରୁ ବର୍ଷାଧିକ କାଳ ବିଭିନ୍ନ ସୂତ୍ରରୁ ବିଷୟବସ୍ତୁ ସଂଗ୍ରହ କରିଛି । ଗତବର୍ଷ ପ୍ରାଣନାଥ ଜୟନ୍ତୀ (୧୬ । ୧୧ । ୮୦) ଦିନ ଜୀବନୀ ଲେଖିବାର ଅୟମାରମ୍ଭ ହେଲା ଏବଂ ଏ ବର୍ଷ କୁମାରପୂର୍ଣ୍ଣିମା (୧୭ । ୧୦ । ୮୧)ରେ ପାଣ୍ଡୁଲିପି ସମ୍ପୂର୍ଣ୍ଣ ହେଲା ।

 

ଏ ପୁସ୍ତକରେ ପ୍ରାଣନାଥଙ୍କ ଜୀବନର ରୋମାଞ୍ଚକର ଘଟଣାବଳୀ ତାରିଖକ୍ରମରେ ଲେଖିବାରୁ ମୁଁ ବିରତ ହୋଇଛି; କାରଣ ତାହା କରିଥିଲେ ତାଙ୍କ ସଂଗ୍ରାମମୟ କରୁଣ–ଜୀବନର ରସଭଙ୍ଗ ହୋଇଥାନ୍ତା ବୋଲି ମୋର ଆଶଙ୍କା । ମୁଁ ଚେଷ୍ଟା କରିଛି ତାଙ୍କ ଜୀବନକାହାଣୀକୁ କାହାଣୀ ଭଳିଆ ସୁଖପାଠ୍ୟ କରିବାପାଇଁ ମୁଁ ଜାଣେନା, ସେ ଦିଗରେ କେତେଦୂର ସଫଳତା ଲାଭ କରିଛି ।

 

ଜୀବନୀ ସଂକଳନ ସମୟରେ ବ୍ୟକ୍ତିବିଶେଷଙ୍କ ସାହାଯ୍ୟ :

 

ପ୍ରାଣନାଥଙ୍କ ଜୀବନୀର ବିଷୟବସ୍ତୁ ସଂଗ୍ରହ କରିବାପାଇଁ ମୋତେ ମୁଖ୍ୟତଃ ନିମ୍ନଲିଖିତ ବ୍ୟକ୍ତିବିଶେଷଙ୍କର ଲେଖା କିମ୍ବା ବିବୃତ୍ତିର ସାହାଯ୍ୟ ନେବାକୁ ପଡ଼ିଛି, ଅଥବା ସେମାନଙ୍କ ସହିତ ବାର୍ତ୍ତାଳାପ କରି ବିଷୟବସ୍ତୁ ସଂଗ୍ରହ କରିଛି । ସେମାନେ ମୋର ଧନ୍ୟବାଦାର୍ହ ।

 

ଡକ୍ଟର ହରେକୃଷ୍ଣ ମହତାବ, ଡକ୍ଟର ରାଧାନାଥ ରଥ, ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ, ସ୍ୱର୍ଗତ ରାଜେନ୍ଦ୍ରନାରାୟଣ ସିଂହଦେଓ, ସ୍ୱର୍ଗତା ମଞ୍ଜରୀ ପଟ୍ଟନାୟକ, ଶ୍ରୀ ପ୍ରଦୋଷ ପଟ୍ଟନାୟକ, ଶ୍ରୀ ହୀରେନ୍ଦ୍ରନାଥ ମୁଖାର୍ଜି, ଶ୍ରୀ କାଳିନ୍ଦୀଚରଣ ପାଣିଗ୍ରାହୀ, ଡାକ୍ତର ପ୍ରାଣକୃଷ୍ଣ ମହାପାତ୍ର, ଶ୍ରୀ ମୂରଲୀଧର ପଟ୍ଟନାୟକ, ଶ୍ରୀ ବିନୋଦ ପଟ୍ଟନାୟକ, ଶ୍ରୀ ସୁରେନ୍ଦ୍ରନାଥ ପଟ୍ଟନାୟକ, ଶ୍ରୀ ଶ୍ରୀଚରଣ ବରାଳ, ଶ୍ରୀ ନନ୍ଦକିଶୋର ରାମ, ଶ୍ରୀ ଗଙ୍ଗାଧର ପାଇକରାୟ, ଶ୍ରୀ ଅନନ୍ତ ପଟ୍ଟନାୟକ, ଶ୍ରୀ ପୀତାମ୍ବର ପଣ୍ଡା, ଡକ୍ଟର ସଦାଶିବ ମିଶ୍ର, ଶ୍ରୀ ସଦାନନ୍ଦ ମହାନ୍ତି, ଶ୍ରୀ ଗୁରୁଚରଣ ପଟ୍ଟନାୟକ, ଶ୍ରୀ ଶ୍ୟାମସୁନ୍ଦର ମିଶ୍ର, ଶ୍ରୀ ସୁରେନ୍ଦ୍ରନାଥ ଦ୍ୱିବେଦୀ, ଶ୍ରୀ ମାଧବପ୍ରସାଦ ମିଶ୍ର, ଶ୍ରୀ ବୈଦ୍ୟନାଥ ରଥ, ଶ୍ରୀ ଅଖିଳମୋହନ ପଟ୍ଟନାୟକ, ଡକ୍ଟର ଗୋପୀନାଥ ମହାନ୍ତି, ଶ୍ରୀ ଚିନ୍ତାମଣି ପାଣିଗ୍ରାହୀ, ଶ୍ରୀ ରାମଚନ୍ଦ୍ର କର ।

 

କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ :

 

ସ୍ୱର୍ଗୀୟା ମଞ୍ଜରୀ ପଟ୍ଟନାୟକ ନିଜର ବୈବାହିକ ଜୀବନର ଅନେକ ଘଟଣା ନିଖୁଣ ଭାବରେ ବର୍ଣ୍ଣନା କରି ମୋତେ କେବଳ ବିଷୟବସ୍ତୁ ଯୋଗାଇ ନାହାନ୍ତି–ପ୍ରେରଣା ଦେଇଛନ୍ତି ମଧ୍ୟ-। ଏ ପୁସ୍ତକର କେତେଗୋଟି ଅଧ୍ୟାୟର ପାଣ୍ଡୁଲିପି ସେ ଦେଖିଛନ୍ତି–ମାତ୍ର ପାଣ୍ଡୁଲିପି ସମ୍ପୂର୍ଣ୍ଣ ହେବା ପୂର୍ବରୁ ତାଙ୍କର ଦେହାବସାନ ଘଟିଛି । ତାଙ୍କ ସ୍ୱର୍ଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ପ୍ରାଣନାଥବାବୁଙ୍କ ସୁଯୋଗ୍ୟ ସନ୍ତାନ ଶ୍ରୀ ପ୍ରଦୋଷ ପଟ୍ଟନାୟକଙ୍କଠାରୁ ଅନେକ ବିଷୟବସ୍ତୁ ସଂଗ୍ରହ କରିଛି । ସେଥିପାଇଁ ତାଙ୍କୁ ମୋର ଅନ୍ତରର ନିଭୃତ କୋଣରୁ ଧନ୍ୟବାଦ ଅର୍ପଣ କରୁଛି । ସେ ଓ ତାଙ୍କ ସ୍ତ୍ରୀ ଏହି ପୁସ୍ତକର ପାଣ୍ଡୁଲିପି ଉତାରିବାରେ ସାହାଯ୍ୟ କରିଥିବାରୁ ସେମାନେ ମୋର ଧନ୍ୟବାଦର ପାତ୍ର । ବିଷୟବସ୍ତୁ ସଂଗ୍ରହ କରିବା ପରେ ଆଲୋଚନା ମାଧ୍ୟମରେ ମୋ ସ୍ତ୍ରୀ ମୀନା ମୋତେ ଅନେକ ଆବଶ୍ୟକୀୟ ପରାମର୍ଶ ଦେଇଥିବାରୁ ସେ ଧନ୍ୟବାଦାର୍ହ । ପୁସ୍ତକଟି ପ୍ରକାଶ କରିବାପାଇଁ ଆଗ୍ରହ ପ୍ରଦର୍ଶନ କରିଥିବାରୁ ମୋର ଅନ୍ତରଙ୍ଗ ବନ୍ଧୁ ଗ୍ରନ୍ଥମନ୍ଦିରର ଶ୍ରୀ ଅଭିରାମ ମହାପାତ୍ର ମୋର ଧନ୍ୟବାଦାର୍ହ ।

 

ବିପ୍ଲବୀ ପ୍ରାଣନାଥଙ୍କ ନିଃସ୍ୱାର୍ଥପର ନିରଳସ ଜୀବନ କାହାଣୀ ପାଠକରି ସୁଧୀ ପାଠକ ପାଠିକା ଉପକୃତ ହେବେ ବୋଲି ମୋର ଆଶା ।

 

ଅଁଳାନବମୀ

ଅମୂଲ୍ୟକୃଷ୍ଣ ମିଶ୍ର

୬–୧୧–୮୧

 

Image

 

ଉତ୍ସର୍ଗ

 

ମୋତେ ଛୋଟ ବେଳେ ବୁଢ଼ୀ ଅସୁରଣୀ ଗପରୁ ଆରମ୍ଭ କରି ତଦାନୀନ୍ତନ ସୋନପୁର, ଢେଙ୍କାନାଳ ତଥା ଅନ୍ୟାନ୍ୟ ରାଜାଙ୍କ ଅତ୍ୟାଚାର ବିଷୟରେ ଅନେକ ଗପ କହିଛନ୍ତି ମୋର ସ୍ନେହମୟୀ ମାତାମହୀ ସ୍ୱର୍ଗୀୟା ବୈଦେହୀ ଦେବୀ ।

 

ଢେଙ୍କାନାଳ ରାଜାଙ୍କ ନିଶ ଉପୁଡ଼ା କାହାଣୀ ଆଉ ସୋନପୁର ରାଜାଙ୍କର ପକ୍‍କା ଘରଗୁଡ଼ିକର ଖାନତଲାସ କାହାଣୀ ଏବେବି ମନେଅଛି ।

 

ତାଙ୍କର ସେହି ଚମତ୍କାର ଲେବିଡ଼ି (ପୋଡ଼) ପିଠା ଏବେବି ମୋର ମନେପଡ଼ିଲେ ପାଟି ଲାଳେଇଯାଏ ।

 

ଆମେ ସ୍ନେହରେ ତାଙ୍କୁ ଡାକୁଥିଲୁ ‘ମାମା’ ବୋଲି । ପିତାଙ୍କର ସ୍ୱାଧୀନତା ସଂଗ୍ରାମର କାହାଣୀ କହି ମୋ ମନରେ ସଂଗ୍ରାମୀ ହେବାର ପ୍ରବୃତ୍ତି ସୃଷ୍ଟି କରିଥିଲେ ମୋର ସେହି ନମସ୍ୟ ମାତାମହୀ । ତାଙ୍କ ସ୍ମୃତିରେ ଏହି ସଂଗ୍ରାମୀ ମଣିଷର ଜୀବନ-କାହାଣୀ ଉତ୍ସର୍ଗ କରୁଛି ।

 

ଅମୂଲ୍ୟ

Image

 

ସୂଚୀପତ୍ର

 

୧.

ଜୀବନ-ପ୍ରଭାତ

 

 

୨.

ଅଧ୍ୟୟନ ଓ ଆନ୍ଦୋଳନ :

 

ଗୋପବନ୍ଧୁଙ୍କ ସଂସ୍ପର୍ଶ

 

ପଶ୍ଚିମ ଛାତ୍ରାବାସର ଅଭିଜ୍ଞତା

 

ଆନ୍ଦୋଳନର ପ୍ରଥମ ପରଶ

 

ପଲ୍ଲୀ ପ୍ରତ୍ୟାବର୍ତ୍ତନ

 

ଜାତୀୟ ଆନ୍ଦୋଳନରେ ଲମ୍ଫପ୍ରଦାନ

 

 

୩.

ଦୁର୍ଗମ ପଥର ପଥିକ :

 

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ

 

ଲବଣ-ସତ୍ୟାଗ୍ରହ

 

ମଦଦୋକାନ ଆଗରେ ପିକେଟିଂ ଓ ଜେଲ ବରଣ

 

ସଂଗ୍ରାମର ଶିକ୍ଷାକ୍ଷେତ୍ର ପୁରୀ

 

ସାମ୍ୟବାଦର ଦୀକ୍ଷା

 

ଜୀବନସାଥୀ

 

ସୁଖୀ ପରିବାର

 

 

୪.

ସାମ୍ୟବାଦର ବାହକ :

 

କଂଗ୍ରେସ ସୋସାଲିଷ୍ଟ ଦଳ

 

ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟିର ମୂଳଦୁଆ ସ୍ଥାପନ

 

କମ୍ୟୁନିଷ୍ଟ ବିଭାଜନ

 

ସଚ୍ଚା କମ୍ୟୁନିଷ୍ଟ

 

 

୫.

ଜନନାୟକ :

 

କୃଷକସମାଜ ଓ ପ୍ରାଣନାଥ

 

ନଙ୍ଗଳଚୋର ପ୍ରାଣନାଥ

 

ଯୁବକ ସମ୍ମିଳନୀ

 

ବ୍ୟବସ୍ଥାପକ ପ୍ରାଣନାଥ

 

ସ୍ପଷ୍ଟବାଦିତା

 

ଗଡ଼ଜାତ ଆନ୍ଦୋଳନ

 

ରଣପୁରରେ ରଣଦୁନ୍ଦୁଭି

 

ଜେଲ୍ ଜୀବନର କେତୋଟି ଅବିସ୍ମରଣୀୟ ଘଟଣା

 

ଦୀର୍ଘଦିନ ଅନଶନ

 

ଦରିଦ୍ରର ପ୍ରତିନିଧି

 

ମଣିଷପରି ମଣିଷ

 

 

୬.

ସାହିତ୍ୟସେବୀ ପ୍ରାଣନାଥ :

 

ନୂଆ ଦୁନିଆର ସମ୍ପାଦନା

 

ପ୍ରାଣନାଥଙ୍କ ସାହିତ୍ୟ-ଚିନ୍ତା

 

କୃଷ୍ଣମୋହନ ଗ୍ରନ୍ଥାବଳୀ ପ୍ରକାଶନ

 

ସାହିତ୍ୟ ପ୍ରତି ଅନୁରାଗ

 

 

୭.

ଶିକ୍ଷାବିତ୍‍ର ସ୍ୱପ୍ନ :

 

କାଶୀ ବିଦ୍ୟାପୀଠରେ ଅଧ୍ୟୟନ ସମୟର ସ୍ୱପ୍ନ

 

ଶିକ୍ଷାପ୍ରତି ଅନୁରାଗ

 

ଖୋର୍ଦ୍ଧା କଲେଜ ସ୍ଥାପନ

 

ମୋତିଲାଲ ବିଶ୍ୱବିଦ୍ୟାଳୟ ସ୍ଥାପନର ପରିକଳ୍ପନା

 

 

୮.

କାଳଜୟୀ ପ୍ରାଣନାଥ :

 

ମହାପ୍ରୟାଣ

 

ଜୀବନ ସଙ୍ଗିନୀଙ୍କ ମହାପାତ୍ର

 

ମରଣୋତ୍ତର ପ୍ରତିଭାପୂଜା

Image

 

ଜୀବନ-ପ୍ରଭାତ

 

କଲିକତା-ମାନ୍ଦ୍ରାଜ ଜାତୀୟ–ରାଜପଥରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଠାରୁ ପ୍ରାୟ ତିରିଶ କିଲୋମିଟର ଦୂରରେ ଖୋର୍ଦ୍ଧା ଏକ ଛୋଟ ସହର । ସେଇଠି ବରୁଣେଇ ପାହାଡ଼ କେଉଁ ଅନାଦି ଅନନ୍ତକାଳରୁ ମୁଣ୍ଡଟେକି ଠିଆହୋଇଛି । ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶକ ମଧ୍ୟରେ ସେହି ପାହାଡ଼ ତଳେ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ତାପଙ୍ଗ ଦଳବେହେରାଙ୍କ ଭଳି ଅଗଣିତ ଦେଶପ୍ରେମୀ ଯୋଦ୍ଧା ବ୍ରିଟିଶ ସାମ୍ରାଜ୍ୟବାଦ ନିକଟରେ ମଥା ନତ ନ କରି ମାତୃଭୂମିର ସ୍ୱାଧୀନତା ରକ୍ଷାକରିବାପାଇଁ ପ୍ରାଣପାତ ସଂଗ୍ରାମ କରିଥିଲେ । ଚଳିତ ଶତାବ୍ଦୀର ତୃତୀୟ ଦଶକରେ ସେହି ପାହାଡ଼ ତଳେ ଠିଆହେଲେ ଆଉଜଣେ ଯୁବକ, ଯେ କି ରାଜଗୁରୁ, ବକ୍ସିଙ୍କ ପଦାଙ୍କ ଅନୁସରଣ କରି ଜନ୍ମଭୂମିର ମୁକ୍ତି ତଥା ଜନଗଣଙ୍କ କଲ୍ୟାଣ ପାଇଁ ନିଜ ଜୀବନକୁ ତିଳ ତିଳ କରି ଉତ୍ସର୍ଗ କରିଥିଲେ । ସଶସ୍ତ୍ର ବ୍ରିଟିଶ ସରକାର ଖୋର୍ଦ୍ଧାର ବିପ୍ଲବୀ ପାଇକଜାତିର ପରାକ୍ରମକୁ ପାଇକବିଦ୍ରୋହ ପରେ ପୂରାପୂରି ଧ୍ୱଂସ କରିଦେଇଥିଲା–ସେମାନଙ୍କ ହାତରୁ ଖଣ୍ଡା ତରୁଆଲ ଛଡ଼େଇ ନେଇ ଧରାଇ ଦେଇଥିଲା ଲଙ୍ଗଳ । ବିଂଶ ଶତାବ୍ଦୀର ତୃତୀୟ ଦଶକରେ ଯୌବନରେ ପାଦ ଦେଇଥିବା ସେହି ମଣିଷଟି ବୀରଭୂମି ଖୋର୍ଦ୍ଧାର କଙ୍କାଳମାନଙ୍କୁ ଜୀବନ୍ୟାସ ଦେଇଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ସୁପ୍ତ ପାଇକମାନଙ୍କର ନିଦ୍ରାଭଙ୍ଗ କରି ସେମାନଙ୍କ ହୁତ ଗୌରବକୁ ଫେରାଇ ଆଣିବା ଥିଲା ତାଙ୍କର ପ୍ରଧାନ ଉଦ୍ଦେଶ୍ୟ । ପାଇକମାନେ ବ୍ରିଟିଶ ଅତ୍ୟାଚାର ଭୟରେ ଲୁଚାଇ ରଖିଥିବା ଢାଲ ତରବାରି ହାତରେ ଧରି ଖୋର୍ଦ୍ଧା ଦାଣ୍ଡରେ ପୁଣି ଥରେ ନିର୍ଭୀକ ଭାବରେ ସମର ନୃତ୍ୟ କରି ଚାଲିଲେ କେବଳ ସେହି ଲୋକଟିର ନିଷ୍ଠାପର ଉଦ୍ୟମ ଯୋଗୁଁ ।

 

ସରଳ ସାଦାସିଧା ମଣିଷଟିଏ । ଦେଖିଲେ ଜାଣିହୁଏନା ତାଙ୍କ ହୃଦୟର ଗଭୀରତା, ମନର ଦୃଢ଼ତା ତଥା ବ୍ୟକ୍ତିତ୍ୱର ବିଶାଳତା । ସେତେବେଳେ ଅନେକଙ୍କ ପକ୍ଷରେ ଅଜ୍ଞାତ ରହିଯାଏ ଲୋକଟିର ଅଦମ୍ୟ କର୍ମପ୍ରବଣତା, ସୁଦୀର୍ଘ ସାଧନା ଓ ଦୀନ ଦୁଃଖୀ ମଣିଷର ସେବାପାଇଁ ପ୍ରାଣର ବ୍ୟାକୁଳତା । ଶିକ୍ଷା, ସଂସ୍କୃତି ଓ ଜାତୀୟତାର ବିକାଶଠାରୁ ଆରମ୍ଭକରି ଏକ ଶ୍ରେଣୀହୀନ ଶୋଷଣହୀନ ସମାଜବାଦୀ ସମାଜ ପ୍ରତିଷ୍ଠା ନିମନ୍ତେ ସେ ତାଙ୍କର ଶେଷ ରକ୍ତବିନ୍ଦୁ ଏ ମାଟି ପାଇଁ ତଥା ଏ ଜାତି ପାଇଁ ଦେଇଯାଇଛନ୍ତି ।

 

ଯେଉଁ ଲୋକଟି ଦିନେ ପ୍ରବଳ ପ୍ରତାପୀ ଶାସନକୁ ଖୋର୍ଦ୍ଧାମାଟିରେ ଥରାଇ ଦେଇଥିଲେ, ଗଡ଼ଜାତର ଅନ୍ଧାରୀ ମୂଲକରେ ରାଜତନ୍ତ୍ର ବିରୁଦ୍ଧରେ ସଂଗ୍ରାମର ମଶାଲ ଜାଳିଥିଲେ, କୃଷକସଭା ଗଠନକରି ମହନ୍ତ, ମହାଜନ, ସାହୁକାରଙ୍କ ଅନ୍ୟାୟ, ଅନୀତି, ଶୋଷଣ, ଅତ୍ୟାଚାର ଆଉ ବେଠି ବେଗାରି ପରି ପ୍ରତିକ୍ରିୟାଶୀଳ ସାମାଜିକ ବିଧିବିଧାନ ବିରୁଦ୍ଧରେ ଲଢ଼େଇ କରିଥିଲେ, ଆପଣାର ମୁଷ୍ଟିମେୟ ସହକର୍ମୀଙ୍କୁ ନେଇ ଓଡ଼ିଶାରେ ପ୍ରଗତିଶୀଳ ବାମପନ୍ଥୀ ଚିନ୍ତାଧାରାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ, ମଣିଷ–ତିଆରି ଶିକ୍ଷାର ପ୍ରଚଳନ ପାଇଁ ଏକାଧିକ ଶିକ୍ଷାନୁଷ୍ଠାନ ଗଢ଼ି ଶିକ୍ଷାକ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଲାଗି ନିଷ୍ଠାର ସହ ଉଦ୍ୟମ ଚଳାଇଥିଲେ, ଆସନ୍ତାକାଲିର ସାହିତ୍ୟରେ ଗାଁଆ ଚେତନାର ବିକାଶ ପାଇଁ ଏ ଦେଶର ଲେଖକ–ସମାଜକୁ ଉଦ୍‍ବୋଧନ ଦେଇଥିଲେ, ଐଶ୍ୱର୍ଯ୍ୟର ପ୍ରଲୋଭନ ଆଦି ଦେଇ ଯେ ଆଜୀବନ ନିଜର ଖାଦ୍ୟସାମଗ୍ରୀକୁ ଭାତ–ଡାଲମା ମଧ୍ୟରେ ସୀମାବଦ୍ଧ କରିପାରିଥିଲେ, ସେହି କ୍ଷଣଜନ୍ମା ମଣିଷ ପରି ମଣିଷ ହେଉଛନ୍ତି ‘ପ୍ରାଣନାଥ ପଟ୍ଟନାୟକ’ । ତାଙ୍କର ଭୀତିହୀନ କର୍ମକୁଶଳତା ଏବଂ ଅସାଧାରଣ ତ୍ୟାଗ ଆମ ରାଜ୍ୟରେ ଅର୍ଦ୍ଧଶତାବ୍ଦୀ ବ୍ୟାପୀ ସୃଷ୍ଟି କରିଥିଲା ପ୍ରଗତିଶୀଳ ଆନ୍ଦୋଳନର ଏକ ରୋମାଞ୍ଚକର ଅଧ୍ୟାୟ ।

 

ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଥାନାର କଣାସ ନିକଟରେ ଗୋଟିଏ ଛୋଟ ପଲ୍ଲୀ ଡିମିରି-। ସେଇଠି ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ପ୍ରାଣନାଥ । ସେଦିନ ଥିଲା ୧୯୦୫ ମସିହା ନଭେମ୍ବର ୧୬ ତାରିଖ । ତାଙ୍କର ପିତା ମଦନମୋହନ ପଟ୍ଟନାୟକ ଜଣେ ପରିଶ୍ରମୀ ଏବଂ ଲୋକପ୍ରିୟ ବ୍ୟକ୍ତି ଥିଲେ । ତାଙ୍କ ପରିବାରର ସେତେବେଳକୁ ପ୍ରାୟ ପନ୍ଦର ଏକର ଚାଷଜମି ଥିଲା ଏବଂ ପିତାଙ୍କ ପରିଶ୍ରମ ଯୋଗୁଁ ସାଧାରଣ ସମୟରେ ବର୍ଷକ ପାଇଁ ଚାଲିଯିବା ମୋଟାମୋଟି ଭାବରେ ସମ୍ଭବ ହେଉଥିଲା । ସେ ପ୍ରତିବର୍ଷ ୪ ମାସରୁ ୫ ମାସ ପର୍ଯ୍ୟନ୍ତ ଜମି ଚାଷ ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟ କରି ପରିବାରର ଅଭାବ ପୂରଣ କରୁଥିଲେ । ସେ ସମୟରେ ଟଙ୍କାରେ ୧୬ ସେର ଚାଉଳ, ୧୬ ସେର ମୁଗ, ୨୪ ସେର କୋଳଥ, ୧୨ ସେର ହରଡ଼ ମିଳୁଥିଲା । ଟଙ୍କା ପଇସାର ପ୍ରଚଳନ ଖୁବ୍ କମ୍ ଥିଲା ।

 

ପ୍ରାଣନାଥ କଣାସ ସ୍କୁଲରେ ପ୍ରାଇମେରୀ ପଢ଼ୁଥିବା ସମୟରେ ପ୍ରତିଦିନ ୨ମାଇଲ ଚାଲି ଚାଲି ଯାଉଥିଲେ । ସେତେବେଳେ ଜଳଖିଆ ପାଇଁ ତାଙ୍କୁ ଘରୁ ପଇସାଟିଏ ମିଳୁଥିଲା । ଛୋଟବେଳୁ ସେ ଥିଲେ ସନ୍ତୋଷମନା, ଅଳ୍ପକରେ ସନ୍ତୁଷ୍ଟ ହୋଇଯାଉଥିଲେ । ସେହି ପଇସାଟିକର ମୁଢ଼ି ଉଖୁଡ଼ାରେ ତାଙ୍କର ମନବୋଧ ହୋଇଯାଉଥିଲା । ଛୋଟବେଳୁ ତାଙ୍କର ପରଦୁଃଖରେ ଦୁଃଖୀ ହେବାର ଗୁଣ ଦେଖାଯାଇଥିଲା । ଅନେକ ସମୟରେ ନିଜ ମୁଢ଼ି ଉଖୁଡ଼ାରୁ କିଛି କିଛି ଜଳଖିଆ ଖାଉନଥିବା ପିଲାଙ୍କୁ ସେ ଦେଉଥିଲେ ।

 

ତାଙ୍କର ମା’ ଚିତ୍ରାଦେବୀ ଆଖପାଖ ଜଣେ ଖୁବ୍ ଦୟାଶୀଳା ନାରୀରୂପେ ପରିଚିତା ଥିଲେ । ସାହିପଡ଼ିଶା ଲୋକଙ୍କୁ ସ୍ନେହ କରିବା ଏବଂ ଗରିବଙ୍କୁ ଦୟା ପ୍ରଦର୍ଶନ କରିବା ତାଙ୍କର ଅନ୍ୟତମ ଗୁଣ । ପ୍ରାଣନାଥଙ୍କୁ ଅଢ଼େଇ ବର୍ଷ ବୟସ ହୋଇଥିବାବେଳେ ମା’ ଚିତ୍ରାଦେବୀ ପାଞ୍ଚପୁଅ ଓ ଗୋଟିଏ ଝିଅକୁ ଛାଡ଼ି ଚିରଦିନ ପାଇଁ ଆଖିବୁଜିଲେ । ସବା ବଡ଼ଭାଇ ବନବିହାରୀ, ଦ୍ଵିତୀୟ ବ୍ରଜବନ୍ଧୁ, ତୃତୀୟ ଉଦୟନାଥ, ଚତୁର୍ଥ ଶ୍ରୀନାଥ ଏବଂ ଗୋଟିଏ ଭଉଣୀ ଧନମଣି । ମା’ଙ୍କ ମୃତ୍ୟୁ ପରେ ସେହି ଭଉଣୀ ତାଙ୍କର ସମସ୍ତ ଯତ୍ନ ନେଇ ତାଙ୍କୁ ବଢ଼ାଇଥିଲେ । ମାତୃ–ସୁଖରୁ ବଞ୍ଚିତ ହୋଇ ମଧ୍ୟ ଭଉଣୀଙ୍କ ସ୍ନେହ ଆଦରରେ ସେ ବଢ଼ିବାକୁ ଲାଗିଲେ । ଅଳ୍ପଦିନ ପରେ ତାଙ୍କ ସବା ବଡ଼ଭାଇଙ୍କର ଅକାଳ ବିୟୋଗ ଘଟିଲା । ତେଣୁ ଅନ୍ୟ ତିନିଭାଇ ତାଙ୍କର ପାଠପଢ଼ା ଓ ରକ୍ଷଣାବେକ୍ଷଣର ସମସ୍ତ ଦାୟିତ୍ୱ ଗ୍ରହଣ କରିଥିଲେ । ସେହି ସମୟର ଘଟଣା ବର୍ଣ୍ଣନା କରି ପ୍ରାଣନାଥ କହନ୍ତି–

 

"ମୋର ଭାଇମାନେ ମୁଁ ପାଠ ପଢ଼ିବାବେଳ ପର୍ଯ୍ୟନ୍ତ ମୋତେ ଖୁବ୍ ଭଲପାଉଥିଲେ ଏବଂ ଆଶା କରିଥିଲେ ଯେ ମୁଁ ଗୋଟିଏ ଭଲ ଚାକିରି କରିବି, ସେମାନଙ୍କୁ ସାହାଯ୍ୟ କରିବି, ତାହା ସଙ୍ଗେ ସଙ୍ଗେ ଘରର ନାମ ରଖିବି, ଯାହାକି ସାମନ୍ତବାଦୀ ଓ ପୁଞ୍ଜିବାଦୀ ସମାଜରେ ସାଧାରଣ ପରିବାର ସେମାନଙ୍କ ପିଲାଙ୍କଠାରୁ ଆଶା କରିଥାଆନ୍ତି । ମାତ୍ର କାଳକ୍ରମେ ମୁଁ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇ ବାରମ୍ବାର ଜେଲ୍ ଯିବାଦ୍ୱାରା ସେମାନଙ୍କର ସେ ଆଶା ମିଳେଇ ଯାଇଥିଲା । ତେଣୁ ସେମାନେ ମୋ ପ୍ରତି ଟିକେ ଅସନ୍ତୁଷ୍ଟ ହେବା ସ୍ୱାଭାବିକ । କେବେ କେବେ ଦେଖାହେଲେ ଏହି କଥା କହିବାର ମୁଁ ଶୁଣିଛି ।

 

ଗାଁ ଚାହାଳିରେ ପଢ଼ିସାରି କଣାସ ସ୍କୁଲରେ ମାଇନର ପାଶ୍ କରି ପ୍ରାଣନାଥ ପୁରୀ ଜିଲ୍ଲାସ୍କୁଲରେ ନାମ ଲେଖାଇଲେ । ପୂର୍ବରୁ ଇଂରାଜୀ ପଢ଼ିନଥିବାରୁ ସପ୍ତମ ‘କ’ ଶ୍ରେଣୀରେ ନାଁ ଲେଖାଇଲେ । ସେତେବେଳକୁ ତାଙ୍କର ବଡ଼ଭାଇ ଉଦୟନାଥ ପୁରୀ ଜିଲ୍ଲାସ୍କୁଲରେ ମେଟ୍ରିକ୍ୟୁଲେସନ୍ ଶେଷ ଶ୍ରେଣୀରେ ପଢ଼ୁଥିଲେ । ଶ୍ରୀ କାଳିନ୍ଦୀଚରଣ ପାଣିଗ୍ରାହୀ ମଧ୍ୟ ତାଙ୍କ ବଡ଼ଭାଇଙ୍କ ସାଙ୍ଗରେ ପଢ଼ୁଥାଆନ୍ତି । କାଳିନ୍ଦୀଙ୍କ ସାନଭାଇ ଭଗବତୀ ଚରଣ ପାଣିଗ୍ରାହୀ ସେହି ପୁରୀ ଜିଲ୍ଲାସ୍କୁଲରେ ସେତେବେଳେ ଷଷ୍ଠ ଶ୍ରେଣୀରେ ପଢ଼ୁଥାଆନ୍ତି । ପ୍ରାଣନାଥ ମଫସଲରୁ ଯାଇ ପ୍ରଥମ କରି ସହର ସ୍କୁଲରେ ପାଠ ପଢ଼ିବାବେଳେ ସେଠାରେ ତାଙ୍କର କେହି ପରିଚିତ ବନ୍ଧୁ ନଥିଲେ । ଉଦୟନାଥ ପ୍ରଥମଦିନ ସାନଭାଇକୁ ନେଇ କାଳିନ୍ଦୀଚରଣ ଓ ଭଗବତୀଙ୍କ ସହିତ ପରିଚୟ କରାଇଦେଲେ । ସେହିଦିନଠାରୁ ଭଗବତୀ ଓ ପ୍ରାଣନାଥଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଲା; ଯାହା କି ପରେ ରାଜନୈତିକ ବନ୍ଧୁତାରେ ପରିଣତ ହେଲା । କାଳିନ୍ଦୀଚରଣଙ୍କ ବଡ଼ଭାଇ ଦିବ୍ୟସିଂହ ପାଣିଗ୍ରାହୀ ଅସହଯୋଗ ଆନ୍ଦୋଳନ ଯୋଗୁଁ ଓକିଲାତି ଛାଡ଼ିଦେଇ ଘରେ ରହୁଥାନ୍ତି । ତାଙ୍କ ଘରେ ଗୋଟିଏ ଛୋଟ ପାଠାଗାର ଥାଏ । ପ୍ରାଣନାଥ ମଝିରେ ମଝିରେ ସେହି ପାଠାଗାରରୁ ବହି ଆଣିବାପାଇଁ ତାଙ୍କ ଘରକୁ ଯାଉଥାନ୍ତି । ସେତେବେଳେ ଦେଶପାଇଁ ନିଜକୁ ନିୟୋଜିତ କରିବାର ପ୍ରଥମ ପ୍ରେରଣା ପାଇଥିଲେ ପ୍ରାଣନାଥ । ୧୯୨୦ ମସିହାରେ ଅସହଯୋଗ ଆନ୍ଦୋଳନବେଳେ ପୁରୀ ଜିଲ୍ଲାସ୍କୁଲର ଛାତ୍ରମାନେ ଦିନେ ଧର୍ମଘଟ କରି ସ୍କୁଲ ଛାଡ଼ି ପୁରୀର ସାମନ୍ତ ଚନ୍ଦ୍ରଶେଖର ହଲ୍ (ବ୍ରାହ୍ମଣ ସମିତି ହଲ୍)ରେ ଗୋଟିଏ ସଭା କଲେ । କାଳିନ୍ଦୀବାବୁ ସେ ସଭାରେ ଭାଷଣ ଦେଇଥିଲେ-। ଶ୍ରୀ ଲୋକନାଥ ମିଶ୍ର (ପଙ୍କବାବୁ), ଶ୍ରୀ ଶ୍ରୀଧର ଦାସ ପ୍ରମୁଖ ସେହି ସଭାର ନେତୃତ୍ୱ ନେଇ ସ୍କୁଲ ବାସନ୍ଦ କରିବାପାଇଁ ଭାଷଣ ଦେଇଥିଲେ । ତାହା ପରେ ପରେ ଶ୍ରୀଧର ବାବୁ, ଲୋକନାଥ ବାବୁ ପ୍ରମୁଖ ସ୍କୁଲ ଛାଡ଼ି ଘରେ କେତେମାସ ବସିବା ପରେ ପୁଣି ସ୍କୁଲକୁ ଫେରିଆସିଲେ । ଭଗବତୀ ସ୍କୁଲ ଛାଡ଼ି ବର୍ଷେକାଳ ଘରେ ବସିବାପରେ ତହିଁ ଆରବର୍ଷ ସତ୍ୟବାଦୀ ଜାତୀୟ ବିଦ୍ୟାଳୟରେ ପଢ଼ିବା ପାଇଁ ସାକ୍ଷୀଗୋପାଳ ଗଲେ । ପ୍ରାଣନାଥ ମଧ୍ୟ ସେହି ସଭା ପରେ ସ୍କୁଲ ପଢ଼ା ଛାଡ଼ି କେତେଦିନ ଘରକୁ ଚାଲିଆସିଲେ । ଘରେ ଭାଇମାନେ ମୁରବି । ସେମାନଙ୍କଠାରୁ ଗାଳିଖାଇ ପୁଣି ଜିଲ୍ଲାସ୍କୁଲକୁ ଫେରିଆସିଲେ । ଆଉ କେତେକ ଛାତ୍ର ପାଠପଢ଼ା ଛାଡ଼ିଦେଇ ଏକାବେଳକେ ଘରକୁ ଚାଲିଗଲେ ଯେ ଆଉ ଫେରିଲେନାହିଁ ।

 

୧୯୨୦ ମସିହାରେ ନାଗପୁର କଂଗ୍ରେସରେ ଅସହଯୋଗ ଆନ୍ଦୋଳନରେ ସୂତ୍ରପାତ ରୂପେ ଯେଉଁ ଚାରୋଟି ବୟକଟ ବା ବର୍ଜନ ପାଇଁ ଡାକରା ଦିଆଯାଇଥିଲା ସେଗୁଡ଼ିକ ହେଲା–(୧) ସ୍କୁଲ କଲେଜ ବର୍ଜନ, (୨) କୋର୍ଟ କଚେରୀ ବର୍ଜନ, (୩) ବିଦେଶୀ ଜିନିଷପତ୍ର ବର୍ଜନ, (୪) ଆସେମ୍ବ୍ଲି କାଉନ୍‍ସିଲ ବର୍ଜନ । ସେହି ସମୟର ଅବସ୍ଥା ବର୍ଣ୍ଣନା କରି ପ୍ରାଣନାଥ କହନ୍ତି–

 

‘‘ଆଜିର ଛାତ୍ରଛାତ୍ରୀମାନେ କଥାକଥାକେ ସ୍କୁଲ କଲେଜରେ ଧର୍ମଘଟ କରୁଛନ୍ତି; ମାତ୍ର ସେତେବେଳେ ଏହି ଧର୍ମଘଟ କରିବା ଅତୀବ କଷ୍ଟକର ଥିଲା । ବିଶେଷତଃ ଛୋଟ ଛୋଟ ଛାତ୍ର ଯେଉଁମାନେ ନିଜର ଭରଣପୋଷଣ ଓ ପାଠପଢ଼ା ପାଇଁ ପିତା ମାତା ବା ଅନ୍ୟ ଅଭିଭାବକମାନଙ୍କ ଉପରେ ନିର୍ଭର କରନ୍ତି, ସେମାନଙ୍କ ପକ୍ଷରେ ତାହା ଭୀଷଣ କଷ୍ଟକରଥିଲା । ଘରେ ପିତା ମାତା ଅଭିଭାବକମାନଙ୍କର ତାଡ଼ନା ଏବଂ ନାଲିଆଖି, ସ୍କୁଲରେ ଶିକ୍ଷକମାନଙ୍କ ତାଡ଼ନା ଓ ନାଲିଆଖିରେ ଛୋଟ ପିଲାମାନେ ପାଣି ହୋଇଯାଉଥିଲେ ।

 

ସେହି ସମୟରୁ ପ୍ରାଣନାଥଙ୍କ ଭିତରେ ଜାତୀୟତା ଓ ଦେଶପ୍ରେମର ପ୍ରଥମ ବୀଜ ବପନ ହୋଇଥିଲା ।

 

ପ୍ରାଣନାଥଙ୍କ ଜନ୍ମସ୍ଥାନ ଡିମିରି ଗୋଟିଏ ଛୋଟ ଗ୍ରାମ ହେଲେ ମଧ୍ୟ ବ୍ରାହ୍ମଣ, କରଣଙ୍କଠାରୁ ଆରମ୍ଭକରି ସବୁ ସଂପ୍ରଦାୟର ଲୋକ ବସବାସ କରୁଥିଲେ । ସେ ପିଲାଦିନେ ଗ୍ରାମକୁ ଖୁବ୍ ଭଲପାଉଥିଲେ । ପରିଣତ ବୟସରେ ମଧ୍ୟ ଗ୍ରାମ୍ୟଜୀବନ କେବଳ ତାଙ୍କର ପ୍ରିୟ ନଥିଲା, ଥିଲା ତାଙ୍କର ମୁଖ୍ୟ କର୍ମକ୍ଷେତ୍ର । ସାଙ୍ଗସାଥିମାନଙ୍କ ସହିତ ପିଲାଦିନେ ସେ ହାଡ଼ୁଡ଼ୁ, ବୋହୂଚୋରୀ ଆଦି ଖେଳ ଖେଳିବାକୁ ଭଲ ପାଉଥିଲେ । ସେତେବେଳେ ଗାଁଗହଳରେ ଆଜିକାଲି ଭଳି ଫୁଟ୍ ବଲ୍, ଭଲିବଲ ଖେଳ ପ୍ରବେଶ କରିନଥିଲା । ହାଡୁଡୁ, ବୋହୁଚୋରୀ, ଲବଣ ଚୋରି ଆଦି ଖେଳ ପ୍ରାଧାନ୍ୟ ବିସ୍ତାର କରିଥିଲା । ସେତେବେଳେ ବିଭିନ୍ନ ପ୍ରକାର କୁସ୍ତି, କସରତ ମଧ୍ୟ ପ୍ରଚଳିତ ଥିଲା । ପ୍ରତ୍ୟକ୍ଷଭାବରେ ଭାଗନିଅନ୍ତୁ ବା ନ ନିଅନ୍ତୁ ପ୍ରାଣନାଥଙ୍କୁ ଏ ସବୁ ଭାରି ଭଲ ଲାଗୁଥିଲା । ଏ ସବୁ ଖେଳ ମାଧ୍ୟମରେ ନିଜର ଶୋଚନୀୟ ଅବସ୍ଥାକୁ ମଧ୍ୟ ଗ୍ରାମବାସୀମାନେ ଯେ ଭୁଲିଯାଇ ପାରୁଥିଲେ, ତାହା ପ୍ରାଣନାଥଙ୍କୁ ଅଭିଭୂତ କରିଥିଲା । ସେଦିନରୁ ସେ ଗ୍ରାମାଞ୍ଚଳର ଉନ୍ନତି ବିଧାନ ସକାଶେ ଏବଂ ଏକ ଶୋଷଣବିହୀନ ସମାଜ ଗଠନ ସକାଶେ ନିଜକୁ ନିୟୋଜିତ କରିବେ ବୋଲି ପଣ ନେଇଥିଲେ ।

 

ତୁଳସୀ ଦୁଇ ପତ୍ରରୁ ବାସିଲାପରି ପ୍ରାଣନାଥଙ୍କଠାରେ ପିଲାଦିନରୁ ସେବାଭାବ ପ୍ରକାଶ ପାଇଥିଲା । ଗାଁର ଗରିବ ଲୋକଙ୍କ ଦୁଃଖ ସେ ସହିପାରୁନଥିଲେ । ଅନେକ ସମୟରେ ଘରୁ ଲୁଚାଇ ନେଇ ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟସାମଗ୍ରୀ ସେମାନଙ୍କୁ ଦେଇଦେଉଥିଲେ । ଏପରିକି ବେଳେବେଳେ ନିଜେ ନ ଖାଇ ଅନ୍ୟ ଭୋକିଲା ଲୋକଙ୍କୁ ଖୁଆଇବାରେ ସେ ଆନନ୍ଦଲାଭ କରୁଥିଲେ । ପୁରୀ ଜିଲ୍ଲାସ୍କୁଲରେ ପଢ଼ିବା ସମୟରେ ଛୁଟିରେ ଗାଁକୁ ଗଲେ ସାଧାରଣ ଲୋକଙ୍କ ସହିତ ମିଳିମିଶି ସୁଖ ଦୁଃଖ ଆଲୋଚନା କରୁଥିଲେ, ସାଧାରଣ ଗରିବଲୋକ ବିଶେଷକରି ହରିଜନ ଶ୍ରେଣୀର ଲୋକେ ତାଙ୍କୁ ଖୁବ୍ ଭଲପାଉଥିଲେ । ବୋଧହୁଏ ସେମାନେ ଗ୍ରାମର ଅନ୍ୟ ଶିକ୍ଷିତ ଲୋକଙ୍କଠାରୁ ସେଭଳି ଭଲ ବ୍ୟବହାର ପାଉନଥିଲେ; ତେଣୁ ପ୍ରାଣନାଥଙ୍କଠାରୁ ଆଶା ଆଶ୍ୱାସନା ପାଇ ସେମାନେ ତାଙ୍କ ପ୍ରତି ବିଶେଷ ଆକୃଷ୍ଟ ହେଉଥିଲେ । ହରିଜନମାନଙ୍କ ଉନ୍ନୟନକଳ୍ପେ ହରିଜନ ସାହିତ୍ୟରେ ଅନେକ ସମୟ ଅତିବାହିତ କରୁଥିବାରୁ ତାଙ୍କୁ ରକ୍ଷଣଶୀଳ ସମାଜର ସମାଲୋଚନାର ପାତ୍ର ହେବାକୁ ପଡ଼ିଥିଲା; କିନ୍ତୁ ସେ ଏ ସବୁ ପ୍ରତି ଭ୍ରୂକ୍ଷେପ ନ କରି ସମାଜର ଦଳିତ ଲୋକମାନଙ୍କ ଭଲମନ୍ଦ ବୁଝିବାରେ ସମୟ ଅତିବାହିତ କରୁଥିଲେ ।

 

ଗ୍ରାମର ସାଧାରଣ ବ୍ରାହ୍ମଣ, କାରଣ ଲୋକଙ୍କର ହାମ୍ ବଡ଼ା ମନୋଭାବ ଉକ୍ତ ଗରିବଲୋକ ଓ ତଳ ଶ୍ରେଣୀର ଲୋକଙ୍କୁ ସୁଖ ଲାଗୁନଥିଲା; କିନ୍ତୁ ସେମାନଙ୍କର ଅନ୍ୟ ଉପାୟନଥିଲା । ଗାଁରେ ଘରକରି ରହିଛନ୍ତି ଯେତେବେଳେ, ଗାଁର ପରମ୍ପରା ଅନୁସାରେ ଉଚ୍ଚବର୍ଣ୍ଣର ବଡ଼ଲୋକୀପଣକୁ ନୀରବରେ ସହ୍ୟ କରିବାକୁ ପଡ଼ୁଥିଲା । ପ୍ରାଣନାଥ ଏହି ତଳଶ୍ରେଣୀର ଲୋକମାନଙ୍କ ମଧ୍ୟରେ ନିର୍ଭୟରେ ବିବେକା–ଅନୁମୋଦିତ କାମ କରିବାର ବୀଜ ବପନ କରିଥିଲେ-। ମ୍ୟାଟ୍ରିକୁଲେସନ ପରୀକ୍ଷା ଦେଇ ପରୀକ୍ଷାଫଳ ବାହାରିବା ପର୍ଯ୍ୟନ୍ତ ସେ ଏକକାଳୀନ କେତେମାସ ଗ୍ରାମରେ ରହିଗଲେ ସେହି ସମୟ ମଧ୍ୟରେ ସାଧାରଣ ଲୋକଙ୍କ ସଙ୍ଗେ ତାଙ୍କର ଘନିଷ୍ଠତା ଖୁବ୍ ବଢ଼ିଗଲା । ଗ୍ରାମ୍ୟ ପୁଷ୍କରିଣୀର ପଙ୍କୋଦ୍ଧାର, ଗ୍ରାମ୍ୟ ସ୍କୁଲର ମରାମତି, ହରିଜନ ବସ୍ତିର ସଫେଇ ପ୍ରଭୃତି କାର୍ଯ୍ୟ ସମ୍ପାଦାନ କରି ଦେଶସେବାର ପ୍ରଥମ ଫଳ ଆସ୍ୱାଦନ କରିଥିଲେ-। ସେହି ଅବସରରେ କେବଳ ନିଜ ଗ୍ରାମରେ ନୁହେ, ଆଖପାଖ ଗାଁଗଣ୍ଡାରେ ମଧ୍ୟ ତାଙ୍କୁ ଲୋକମାନେ ଭଲପାଇବାକୁ ଲାଗିଲେ ।

Image

 

ଅଧ୍ୟୟନ ଓ ଆନ୍ଦୋଳନ

 

ମ୍ୟାଟ୍ରିକ୍ୟୁଲେସନ ପାଶ୍ କଲା ପରେ ପ୍ରାଣନାଥ ରେଭେନ୍‍ସା କଲେଜରେ ନାମ ଲେଖାଇଲେ । ସେତେବେଳେ ତାଙ୍କର ଦୃଷ୍ଟିକୋଣ ଓ ଚିନ୍ତାଧାରା ଅଧିକ ପ୍ରଶସ୍ତ ହୋଇଆସିଲା । ଦେଶପ୍ରେମ ଓ ପରୋପକାର ଏହି ଦୁଇଟି କାର୍ଯ୍ୟ ପ୍ରତି ତାଙ୍କର ସ୍ୱାଭାବିକ ଇଚ୍ଛା ଏବଂ ଆଗ୍ରହ ଅଧିକ ପ୍ରସାରିତ ହେଲା । ସେ ରେଭେନ୍‍ସା କଲେଜରେ ପଢ଼ିବା ସମୟରେ ସ୍ୱର୍ଗତ ସୁରେନ୍ଦ୍ରନାଥ ବାନାର୍ଜୀ, ଲାଲା ଲଜ୍‍ପତ ରାୟ, ବାଳଗଙ୍ଗାଧର ତିଳକ, ବିପିନ ଚନ୍ଦ୍ର ପାଲ ଓ ଗାନ୍ଧିଜୀଙ୍କ ବକ୍ତୃତାମାଳା ପଢ଼ିବାକୁ ଆରମ୍ଭ କଲେ । ତାହାହିଁ ସେତେବେଳେ ସବୁଠାରୁ ବଡ଼ ରାଜନୀତି ପୁସ୍ତକ ଥିଲା । ସେ କେବଳ ବହି ପଢ଼ୁନଥିଲେ, ସେଥିପାଇଁ ଦୁଃଖ କଷ୍ଟ ସହିବା ଓ ସାଧନା ଆରମ୍ଭ କରିଦେଲେ । ସେହି ସମୟରେ ଦେଶସେବା ଓ ଦେଶପ୍ରେମ କ୍ଷେତ୍ରରେ ଛାତ୍ରମାନଙ୍କର କର୍ତ୍ତବ୍ୟ କ’ଣ ସେ ସମ୍ପର୍କରେ ପ୍ରାଣନାଥ ଗାନ୍ଧିଜୀଙ୍କ ନିକଟକୁ ଖଣ୍ଡିଏ ପତ୍ର ଲେଖିଥିଲେ । ତା’ର ଉତ୍ତରରେ ଗାନ୍ଧିଜୀ ଲେଖିଥିଲେ :‘‘ଦେଶ ସେବାପାଇଁ ନିଜକୁ ପ୍ରସ୍ତୁତ କରିବାହିଁ ପ୍ରତ୍ୟେକ ଛାତ୍ରର କର୍ତ୍ତବ୍ୟ ।”

 

ଗୋପବଂଧୁଙ୍କ ସଂସ୍ପର୍ଶ :

 

ଏହି ପତ୍ର ପାଇବା ପରେ ସେହିଆଡ଼କୁ ତାଙ୍କର ମନ ଧୀରେ ଧୀରେ ଆକୃଷ୍ଟ ହେଲା । ପୁରୀ ଜିଲ୍ଲାସ୍କୁଲରେ ପଢ଼ିବା ବେଳେ ପଥୁରିଆ ସାହିରେ ଗୋଲାଘର କୋଠାରେ ପଣ୍ଡିତ ଗୋପବନ୍ଧୁ ଦାସ ରହୁଥାନ୍ତି । ସାପ୍ତାହିକ ‘ସମାଜ’ ସେହିଠାରୁ ପ୍ରକାଶ ପାଉଥାଏ । ଉପରଓଳି ସ୍କୁଲ ଛୁଟି ହେବା ପରେ ପ୍ରାଣନାଥ ଦଳେ ଛାତ୍ରଙ୍କ ସହ ସେଠାରେ ପହଞ୍ଚି ଗୋପବନ୍ଧୁଙ୍କ ପାଖରେ ବସନ୍ତି ଏବଂ ତାଙ୍କଠାରୁ ନାନା କଥା ଶୁଣନ୍ତି । ସେ ମଧ୍ୟ ଛାତ୍ରମାନଙ୍କୁ ଦେଖି ଖୁବ୍ ଖୁସି ହୁଅନ୍ତି । ପ୍ରାଣନାଥଙ୍କ ଭାଷାରେ :”ଦାସେଆପଣେଙ୍କ ପାଖରେ ବସି ତାଙ୍କଠାରୁ ନାନା କଥା ଶୁଣିବାକୁ ଖୁବ୍ ଭଲଲାଗେ । ଲୋକଙ୍କୁ ଭଲପାଇବା ଓ ଦେଶକୁ ଭଲପାଇବାର ପ୍ରଥମ ପ୍ରେରଣା ସେହିଠାରୁ ମିଳିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।”

 

ପୁରୀ ଜିଲ୍ଲାସ୍କୁଲରେ ପଢ଼ିବାବେଳେ ‘ଦାସେଆପଣେ’ଙ୍କ ସଂସ୍ପର୍ଶ ପରନାଥଙ୍କ ପାଇଁ ଯଥେଷ୍ଟ ଆନନ୍ଦଦାୟକ ଓ ପ୍ରେରଣାଦାୟକ ଥିଲା । ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ନିଜର ଭବିଷ୍ୟତ ଜୀବନ ଜନସେବାରେ ନିୟୋଜିତ କରିବାପାଇଁ ସ୍ଥିରକଲେ । ସେତେବେଳକୁ ସରକାରୀ ଚାକିରି କରିବାର ମୋହ ତାଙ୍କ ମନରୁ ଉଭେଇଯାଇଥିଲା ।

 

ପଶ୍ଚିମ ଛାତ୍ରାବାସର ଅଭିଜ୍ଞତା :

 

ରେଭେନ୍‍ସା କଲେଜର ପଶ୍ଚିମ ଛାତ୍ରାବାସରେ ରହି ପଢ଼ିବାବେଳେ ଆନ୍ଧ୍ରର ଜଣେ ଛାତ୍ର ହନୁମନ୍ତ ରାଓଙ୍କ ସଂସ୍ପର୍ଶ ମଧ୍ୟ ପ୍ରାଣନାଥଙ୍କ ପ୍ରତି ଶିକ୍ଷାଦାୟକ ଥିଲା । ସେ ୧୯୨୦ ମସିହା ଅସହଯୋଗ ଆନ୍ଦୋଳନରେ କାମ କରି ସାତବର୍ଷ ପରେ ପୁଣି ରେଭେନ୍‍ସା କଲେଜକୁ ଆଇନ ପଢ଼ିବା ପାଇଁ ଆସିଥାନ୍ତି । ଭବିଷ୍ୟତରେ ଅଧିକ ଭଲଭାବରେ ଦେଶସେବା କରିବାପାଇଁ ପାଠପଢ଼ା ମାଧ୍ୟମରେ ସେ ନିଜକୁ ପ୍ରସ୍ତୁତ କରୁଥାନ୍ତି । ପ୍ରତ୍ୟହ ବ୍ୟାୟାମ କରିବା, ରାତି ଥାଉ ଥାଉ କେନାଲ୍‍ରେ ଗାଧୋଇବା, ଛୋଟ ଛୋଟ କଥାରେ ନିଜକୁ ସାମିଲ ନକରିବା ତାଙ୍କର ଦୈନନ୍ଦିନ କାର୍ଯ୍ୟ ଥିଲା । ଭୋର୍ ଚାରିଟାରୁ ରାତି ୯ଟା ପର୍ଯ୍ୟନ୍ତ ସାରାଦିନ ସେ ନିଜକୁ ଭଲ କାର୍ଯ୍ୟରେ ନିୟୋଜିତ କରି ରଖୁଥିଲେ । ତାଙ୍କ କାର୍ଯ୍ୟର ପରୋକ୍ଷ ପ୍ରଭାବ ମଧ୍ୟ ପ୍ରାଣନାଥଙ୍କ ଉପରେ ପଡ଼ିଥିଲା । ଏହିପରି ଭାବରେ ଦେଶସେବା ପାଇଁ ଯାହାଠାରେ ଯେଉଁ ସଦ୍‍ଗୁଣ ଦେଖିଲେ ତାକୁ ସଂଗ୍ରହ କରିବାରେ ପ୍ରାଣନାଥ ଲାଗିପଡ଼ିଲେ । ସେହି ସମୟରେ ପଶ୍ଚିମ ଛାତ୍ରାବାସରେ ତାଙ୍କର ଅନେକଙ୍କ ସାଙ୍ଗରେ ଘନିଷ୍ଠ ବନ୍ଧୁତା ସୃଷ୍ଟି ହୋଇଥିଲା । ଅବସରପ୍ରାପ୍ତ ରେଭିନ୍ୟୁ ଡିଭିଜନାଲ୍ କମିସନର୍ ତଥା ସୁଲେଖକ ସ୍ୱର୍ଗତ ଜଗତବନ୍ଧୁ ମହାପାତ୍ର, ବିଶିଷ୍ଟ ଆଇନଜ୍ଞ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦୀନବନ୍ଧୁ ସାହୁ, ଅବସରପ୍ରାପ୍ତ ରେଭିନ୍ୟୁ ଡିଭିଜନାଲ୍ କମିସନର୍ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦୀନବନ୍ଧୁ ସାହୁ, ଅବସରପ୍ରାପ୍ତ ରେଭିନ୍ୟୁ ଡିଭିଜନାଲ୍ କମିସନର୍ ତଥା ଶିକ୍ଷାବିତ୍ ଶ୍ରୀ ରତ୍ନାକର ଷଡ଼ଙ୍ଗୀ, ବିଶିଷ୍ଟ ଶିକ୍ଷାବିତ୍ ତଥା ଅର୍ଥନୀତିଜ୍ଞ ଡକ୍ଟର ସଦାଶିବ ମିଶ୍ର, ଅବସରପ୍ରାପ୍ତ ଚିଫ୍ ଇଂଜିନିୟର ସ୍ୱର୍ଗତ ଲିଙ୍ଗରାଜ ଦାଶ, ଡାକ୍ତର ରଘୁନାଥ ସାହୁ, ଡାକ୍ତର ମହେନ୍ଦ୍ରଚନ୍ଦ୍ର ମିଶ୍ର ପ୍ରମୁଖ ତାଙ୍କର ଘନିଷ୍ଠ ବନ୍ଧୁ ଓ ସହାଧ୍ୟାୟୀ ଥିଲେ । ସ୍ୱର୍ଗତ ଭଗବତୀ ଚରଣ ପାଣିଗ୍ରାହୀ ମଧ୍ୟ ଏହି ସମୟରେ ପଶ୍ଚିମ ଛାତ୍ରାବାସରେ ରହି ପଢ଼ୁଥାନ୍ତି । ସେତେବେଳେ ରେଭେନ୍‍ସା କଲେଜ ଓଡ଼ିଶାର ଏକମାତ୍ର ଉଚ୍ଚଶିକ୍ଷାନୁଷ୍ଠାନ ଥିବାରୁ ଓଡ଼ିଶାର ଅଧିକାଂଶ ଉଚ୍ଚଶିକ୍ଷିତ ତଥା ପ୍ରତିଷ୍ଠିତ ବ୍ୟକ୍ତି ସେଠାରେ ଅଧ୍ୟୟନ କରୁଥିଲେ ।

 

ଆନ୍ଦୋଳନର ପ୍ରଥମ ପରଶ :

 

୧୯୨୮ ମସିହାରେ ଭାରତକୁ ଔପନିବେଶିକ ଶାସନ ଅଧିକାର ଦେବା ସଂକ୍ରାନ୍ତରେ ଅନୁସନ୍ଧାନ କରି ରିପୋର୍ଟ ଦେବାପାଇଁ ଇଂଲଣ୍ଡରୁ ସାଇମନ୍ କମିଶନ୍ ଆସିଥିଲା । ତାହା ଭାରତର ସ୍ୱାଧୀନତା ହାସଲର ଲକ୍ଷ୍ୟ ପୂରଣ କରିପାରିବ ନାହିଁ ଜାଣି ଭାରତର ଲାହୋରରୁ ଆରମ୍ଭ କରି ସମସ୍ତ ଛୋଟ ବଡ଼ ସହରରେ ସାଇମନ୍ କମିସନକୁ କଳାପତାକା ପ୍ରଦର୍ଶନ କରାଯାଇଥିଲା । ଏଥିପାଇଁ ଲାହୋରରେ ଲାଲା ଲାଜପତ ରାୟ ଗୋରା ସୈନ୍ୟଙ୍କ ଲାଠିମାଡ଼ରେ ଗୁରୁତର ଭାବରେ ଆହତ ହେଲେ । ସେହି ମାଡ଼ରେ ଲାଲାଜୀଙ୍କର ମୃତ୍ୟୁ ଘଟିବାରୁ ସମଗ୍ର ଭାରତବର୍ଷରେ ଗଭୀର କ୍ଷୋଭ ଓ ଉତ୍ତେଜନା ପ୍ରକାଶ ପାଇଥିଲା । ଲାଲାଜୀଙ୍କ ଦଶାହ ଶ୍ରାଦ୍ଧ ଦିବସରେ ରେଭେନ୍‍ସା କଲେଜର ଛାତ୍ରମାନେ ଗୋଟିଏ ଦିନପାଇଁ କଲେଜ ବର୍ଜନ କରିଥିଲେ ଏବଂ ଛାତ୍ରାବାସରେ ନଖାଇ ସେହି ପଇସା ଲାଲାଜୀଙ୍କ ସ୍ମୃତିରକ୍ଷା ନିମନ୍ତେ ପଠାଇଥିଲେ । ତାହା ହିଁ ରେଭେନ୍‍ସା କଲେଜ ଛାତ୍ରମାନଙ୍କ ପକ୍ଷରେ ଏକ ବିରାଟ ବିଜୟ ରୂପେ ଗଣ୍ୟ ହୋଇଥାଏ । ରେଭେନ୍‍ସା କଲେଜର ଗୋରା ପ୍ରିନ୍‍ସିପାଲ୍ ଛାତ୍ରାବାସକୁ ଆସି ଦ୍ୱାରଦ୍ୱାର ବୁଲି କିଏ କିଏ ଏଥିରେ ଯୋଗ ଦେଇଛନ୍ତି ତାହାର ତଦନ୍ତ କରୁଥାନ୍ତି । ଯାହାଫଳରେ କେତେକ ଛାତ୍ର ବିଚଳିତ ହୋଇପଡ଼ିଥିଲେ ମଧ୍ୟ ପ୍ରାଣନାଥଙ୍କ ମନରେ ଜାତୀୟତାବୋଧ ଅଧିକ ଦୃଢ଼ ହୋଇଥିଲା ।

 

ସେହି ସମୟରେ ବଙ୍ଗଳାର ମାନସିକ ବ୍ୟାଧିଗ୍ରସ୍ତ କ୍ଲାନ୍ତ ଶ୍ରାନ୍ତ ସିଂହ ବିପିନ୍ ଚନ୍ଦ୍ର ପାଲ୍ କଟକ ଆସି ଟାଉନ୍ ହଲରେ ଏକ ସାଧାରଣ ସଭାରେ ଭାଷଣ ଦେଉଥାନ୍ତି । ସେତେବେଳେ ରେଭେନ୍‍ସା କଲେଜ ଛାତ୍ରାବାସର ଅନ୍ତେବାସୀମାନେ ଏଭଳି ରାଜନୈତିକ ସଭାରେ ଯୋଗଦେବା ଏକପ୍ରକାର ନିଷିଦ୍ଧ ଥିଲା । ତେବେ ସୁଦ୍ଧା ପ୍ରାଣନାଥ ଛାତ୍ରାବାସରୁ ଲୁଚିଛପି ଯାଇ ସେହି ସଭାରେ ପାଲ୍‍ଙ୍କ ବକ୍ତୃତା ଶୁଣିଥିଲେ । ସେତେବେଳକୁ ବିପ୍ଲବୀ ପାଲ୍‍ଙ୍କର ରାଜନୈତିକ ବାର୍ଦ୍ଧକ୍ୟ ଆସିଯାଇଥିଲା । ସେ ୧୯୨୦ ମସିହାରେ କଂଗ୍ରେସ ଛାଡ଼ିଦେଇ ରାଜନୀତିରୁ ଏକପ୍ରକାର ବିଦାୟ ନେଇସାରିଥିଲେ । ତେଣୁ ତାଙ୍କ ବକ୍ତୃତା ଚରମପନ୍ଥୀ ଚିନ୍ତାଧାରାଦ୍ୱାରା ପ୍ରଭାବିତ ପ୍ରାଣନାଥଙ୍କୁ ଭଲଲାଗିଲା ନାହିଁ ।

 

ପଲ୍ଲୀ ପ୍ରତ୍ୟାବର୍ତ୍ତନ :

 

୧୯୩୦ ମସିହାରେ ପ୍ରାଣନାଥ ଗ୍ରାମକୁ ଫେରିଯାଇ କିଛି ଦିନ ପଲ୍ଲୀଜୀବନ କଟାଇଲେ । ପୂର୍ବରୁ ଛାତ୍ରାବସ୍ଥାରେ ଗ୍ରାମକୁ ଆସିଲେ ଗ୍ରାମରେ କିଛି ନା କିଛି ଭଲକାମ କରିବାପାଇଁ ତାଙ୍କ ନେତୃତ୍ୱରେ ୨୦-୨୫ ଜଣ ଯୁବକ ସମିତି ଗଢ଼ି ପୋଖରୀରୁ ଦଳ କାଢ଼ିବା, ଗ୍ରାମକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ସଡ଼କରେ ଶଙ୍ଖ ତିଆରି କରିବା ଆଦି କଲ୍ୟାଣମୂଳକ କାର୍ଯ୍ୟ କରୁଥିଲେ । ଏଥର ପରୀକ୍ଷା ପରେ ଏକାଦିକ୍ରମେ ବହୁଦିନ ଛୁଟି ମିଳିବାଯୋଗୁଁ ଏଭଳି କଲ୍ୟାଣମୂଳକ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଲା । ଏହି ସବୁ କାର୍ଯ୍ୟ ଯୋଗୁଁ ସେମାନେ ଗ୍ରାମର ସାଧାରଣ ଲୋକଙ୍କର ଯେତିକି ପ୍ରିୟଭାଜନ ଓ ବିଶ୍ଵାସଭାଜନ ହୋଇଥିଲେ, ନ୍ୟସ୍ତସ୍ୱାର୍ଥ ଲୋକଙ୍କର ସେତିକି ଚକ୍ଷୁଶୁଳ ହେବାକୁ ପଡ଼ିଥିଲା । କାରଣ ଯୁବକ ସମିତିର କାର୍ଯ୍ୟ ଯୋଗୁଁ ସେମାନଙ୍କର ସ୍ୱାର୍ଥ ଓ ସମ୍ମାନରେ ଆଞ୍ଚ ଆସିଥିଲା । ସେମାନେ ଭୁଲ୍‍ କଲେ ସଭାରେ ସର୍ବସାଧାରଣଙ୍କ ସାମନାରେ ଭୁଲ୍ ସ୍ୱୀକାର କରିବା ସେମାନଙ୍କ ପକ୍ଷରେ ଅସହ୍ୟ ହୋଇପଡ଼ିଲା । ତେଣୁ ଉକ୍ତ ଯୁବକ ସମିତିକୁ ଭାଙ୍ଗିବା ପାଇଁ ସେମାନେ ଭିତରେ ଭିତରେ ଚକ୍ରାନ୍ତ କଲେ । ଏଭଳି କେତେକ ଘଟଣା ପରେ ଯୁବକମାନଙ୍କ ମନରେ ଦମ୍ଭ ଓ ସାହସ ଆଣିବା ପାଇଁ ଏବଂ ନ୍ୟସ୍ତସ୍ୱାର୍ଥ ଲୋକଙ୍କ ଦୁର୍ଗୁଣ ପାଦରେ ପକାଇବା ପାଇଁ ପ୍ରାଣନାଥ ଗ୍ରାମରେ ଏକାଧିକବାର ଅନଶନ କରିଥିଲେ । ସେହି ସମୟର ଅବସ୍ଥା ବର୍ଣ୍ଣନା କରି ପ୍ରାଣନାଥ କହନ୍ତି–

 

‘‘ଦାଣ୍ଡିଯାତ୍ରା ସମ୍ବାଦରେ ପୁରପଲ୍ଲୀ ଉଛୁଳୁଥାଏ । ପ୍ରତ୍ୟେକ ଲୋକ ଫଳକୁ ଅପେକ୍ଷା କରି ଉଦ୍‍ବିଗ୍ନ ରହିଥାନ୍ତି । ମୁଁ ମଧ୍ୟ ସେହି ସମୟରେ ଖୁବ୍ ଉଦ୍‍ବିଗ୍ନ ହୋଇ ଘଟଣାବଳୀକୁ ଅଧ୍ୟୟନ କରୁଥାଏ । ଏଠାରେ ଗୋଟିଏ କଥା ଦର୍ଶାଇଲେ ଅବାନ୍ତର ହେବନାହିଁ । ପ୍ରଥମେ ପ୍ରଥମେ ଗାନ୍ଧିଜୀଙ୍କ ପ୍ରଭାବ କେତେକ ପରିମାଣରେ ମୋ ଉପରେ ପଡ଼ିଥିଲା । ମୁଁ ନିଜେ ନିଜକୁ ଶୁଦ୍ଧ କରି ଗଢ଼ିବା, ଉପଯୁକ୍ତ ଦେଶସେବା ପାଇଁ ନିଜକୁ ତିଆରି କରିବା, ନିଜର ଦୋଷଗୁଣ ନିଜ ଭିତରେ ଆଲୋଚନା ଓ ବେଶ୍ଳେଷଣ କରିବା, ଦୋଷକୁ ଦୂରକରି ଗୁଣକୁ ବଢ଼ାଇବା ଏବଂ ଶରୀର ଓ ମନକୁ ଦୃଢ଼ ଓ ଟାଣ କରିବାପାଇଁ ଛାତ୍ର ଜୀବନରେ ମଝିରେ ମଝିରେ ମୌନବ୍ରତ ଓ ଉପବାସ କରୁଥିଲି । ମୁଁ ଅବଶ୍ୟ ସେତେବେଳେ ଦୂରରୁ ଯେତିକି ଦେଖୁଥିଲି ବା ଶୁଣିବାକୁ ପାଉଥିଲି, ତାହା ହିଁ ମୋର ପ୍ରଧାନ ମାପକାଠି ଥିଲା । ମୁଁ ମୋର କାର୍ଯ୍ୟକ୍ଷେତ୍ରକୁ ଅଧିକ ବ୍ୟାପକ ଓ ଅଧିକ ଗଭୀର କରିବାପାଇଁ, ଲବଣ ସତ୍ୟାଗ୍ରହରେ ଯୋଗଦେବା ପାଇଁ ମନେ ମନେ ସ୍ଥିର କଲି, ଯଦ୍ଦ୍ଵାରା ଅଧିକ ଲୋକସେବା କରିବାର ସୁଯୋଗ ଓ ବ୍ୟାପକ କ୍ଷେତ୍ର ମିଳିପାରିବ ।”

 

ରେଭେନ୍ସା କଲେଜରେ ପ୍ରାଣନାଥ ବିଜ୍ଞାନ ଶ୍ରେଣୀର ଛାତ୍ର ଥିଲେ ମଧ୍ୟ ସେ ରାଜନୀତି, ରାଜନୈତିକ ଇତିହାସ ଏବଂ ଅର୍ଥନୀତି ପ୍ରତି ଆକୃଷ୍ଟ ହୋଇଥିଲେ । ୧୯୩୦ର ଜାତୀୟ ଆନ୍ଦୋଳନରେ ଅଂଶଗ୍ରହଣ କରି ସେ ଦୁଇଥର ଜେଲ୍ ବରଣ କରିଥିଲେ । ୧୯୩୧ ମସିହା ମାର୍ଚ୍ଚ ୫ ତାରିଖରେ ଗାନ୍ଧୀ ଇରଉଇନ ଚୁକ୍ତି ସ୍ୱାକ୍ଷରିତ ହେଲା ଏବଂ ସେ ଜେଲ୍‍ରୁ ମୁକ୍ତିଲାଭ କରିଥିଲେ ।

 

ଜାତୀୟ ଆନ୍ଦୋଳନରେ ଲମ୍ଫ ପ୍ରଦାନ :

 

ଜାତୀୟ ଆନ୍ଦୋଳନର ମୁଖ୍ୟ ସ୍ରୋତରେ ନିଜକୁ ସାମିଲ କରିବାପାଇଁ ସେତେବେଳେ ପ୍ରାଣନାଥ ବନାରସକୁ ଯାଇ ଜାତୀୟ ବିଶ୍ୱବିଦ୍ୟାଳୟ କାଶୀ ବିଦ୍ୟାପୀଠରେ ଯୋଗଦାନ କଲେ । ଶ୍ରୀ ପ୍ରକାଶ, ନରେନ୍ଦ୍ର ଦେବ ପ୍ରଭୃତି ସ୍ୱାଧୀନଚେତା ବ୍ୟକ୍ତି ଏହି ବିଶ୍ୱବିଦ୍ୟାଳୟର ପରିଚାଳନାଭାର ଗ୍ରହଣ କରିଥିଲେ । ମୁଖ୍ୟତଃ ୧୯୨୧ ଆନ୍ଦୋଳନରେ ଅଂଶଗ୍ରହଣ କରି ଅଧ୍ୟୟନ ତ୍ୟାଗ କରିଥିବା ଛାତ୍ରମାନଙ୍କ ପାଇଁ ଗାନ୍ଧିଜୀ ଏବଂ ମୋତିଲାଲ ନେହେରୁଙ୍କ ସାହାଯ୍ୟରେ ଏହି ବିଶ୍ୱବିଦ୍ୟାଳୟ ୧୯୨୧ରେ ଆରମ୍ଭ ହୋଇଥିଲା ।

 

ପ୍ରାଣନାଥ ଏହିଠାରେ ଅଧ୍ୟୟନ କରୁଥିବା ସମୟରେ ସେଠାରେ ଶରତ ପଟ୍ଟନାୟକ ନାମକ ଜଣେ ଓଡ଼ିଆ ସହପାଠୀ ଥିଲେ । ସେଠାରେ ପ୍ରାଣନାଥ ଇତିହାସ, ଅର୍ଥନୀତି ଓ ରାଜନୀତି ଅଧ୍ୟୟନ କଲେ ।

 

ଏ ସମୟରେ ଗାନ୍ଧି–ଇରଉଇନ୍ ଚୁକ୍ତି ଅଚଳ ହୋଇପଡ଼ିଥିଲା । ତତ୍‍ ସଙ୍ଗେ ସଙ୍ଗେ ଅସଫଳ ହେଲା ଗୋଲଟେବୁଲ୍ ବୈଠକ ଏବଂ ଆରମ୍ଭ ହେଲା ୧୯୩୨ର ଜାତୀୟ ଆନ୍ଦୋଳନ । ଜାତୀୟ ବିଶ୍ୱବିଦ୍ୟାଳୟକୁ ବନ୍ଦ କରିଦିଆଗଲା । ଗାନ୍ଧିଜୀଙ୍କ ଗିରଫ ଦାବି ପରେ ଭାରତର ବିଭିନ୍ନ ଅଞ୍ଚଳରୁ ଆସିଥିବା ଜାତୀୟ ବିଶ୍ୱବିଦ୍ୟାଳୟର ଛାତ୍ରବୃନ୍ଦ ଆନ୍ଦୋଳନରେ ଯୋଗଦାନ କରିବାକୁ ସ୍ଥିର କଲେ । ୧୯୩୨ ପ୍ରାରମ୍ଭରେ ପ୍ରାଣନାଥ ଆସିଲେ ଓଡ଼ିଶାକୁ । ତାଙ୍କୁ ଦୁଇଥର ଗିରଫ କରାଗଲା । ଏହି ବର୍ଷସାରା ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରି ପ୍ରାଣନାଥ ଥରେ ମଧ୍ୟ ଘରକୁ ଯାଇନଥିଲେ ।

 

୧୯୩୩ ଜୁନ୍ ପର୍ଯ୍ୟନ୍ତ ତାଙ୍କୁ ବନ୍ଦୀ ଜୀବନଯାପନ କରିବାକୁ ପଡ଼ିଲା । ଧୀରେ ଧୀରେ ଆନ୍ଦୋଳନ ଧିମେଇ ଆସିଲା ଏବଂ ପ୍ରାଣନାଥ ଅନୁଭବ କଲେ ଯେ, ଆଉ ଏକ ବଳିଷ୍ଠ ଆନ୍ଦୋଳନର ସୂତ୍ରପାତ କରିବାକୁ ହେବ । ତେଣୁ ସେ ବନାରସକୁ ପ୍ରତ୍ୟାବର୍ତ୍ତନ କଲେ । ସେତେବେଳେ ଜାତୀୟ ଅନୁଷ୍ଠାନ ବନ୍ଦଥିଲା ଏବଂ ତା’ର ଅଧ୍ୟକ୍ଷ ଆଚାର୍ଯ୍ୟ ନରେନ୍ଦ୍ର ଦେବ ଓ ଅନ୍ୟାନ୍ୟ ଅଧ୍ୟାପକ ଅନୁଷ୍ଠାନର ହତା ବାହାରେ ଅବସ୍ଥାନ କରୁଥିଲେ । କିଛିଦିନ ଘରୋଇ ଭାବରେ ହତା ବାହାରେ କ୍ଲାସର ଆୟୋଜନ କରାହେଲା । ସେତେବେଳେ ସେମାନେ ଅନୁଭବ କଲେ ଯେ, ଆନ୍ଦୋଳନରେ ମୁଖ୍ୟତଃ ସହରର ବୁଦ୍ଧିଜୀବୀମାନେ ଅଂଶଗ୍ରହଣ କରୁଥାନ୍ତି; କିନ୍ତୁ ଶ୍ରମିକ ଓ ଗ୍ରାମବାସୀମାନେ ଆନ୍ଦୋଳନ ପ୍ରତି ଉଦାସୀନ ରହୁଥାନ୍ତି । ସେମାନେ ସିଦ୍ଧାନ୍ତ କଲେ ଯେ, ଆନ୍ଦୋଳନକୁ ଗ୍ରାମାଭିମୁଖୀ କରିବାକୁ ହେବ । ତେଣୁ ସେମାନେ ଗାଁ ବାହାରକୁ ଆସି ଚାଷୀମାନଙ୍କୁ ବୁଝାଇବାକୁ ସ୍ଥିରକଲେ ଯେ ସ୍ୱରାଜ ସେମାନଙ୍କ ପାଇଁ ହିତକାରକ ହେବ । ଏହାଥିଲା ଏକ କଷ୍ଟସାଧ୍ୟ ଉଦ୍ୟମ; କାରଣ ଚାଷୀମାନେ ସ୍ୱାଧୀନତାର ଉପାଦେୟତା ହୃଦୟଙ୍ଗମ ନ କଲେ କେବେହେଲେ ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରିବେ ନାହିଁ । ସେତେବେଳେ ଜମିଦାରମାନେ ବ୍ରିଟିଶ ଶାସକ ଗୋଷ୍ଠୀର ପ୍ରତିନିଧିତ୍ୱ କରୁଥିବାରୁ ଏବଂ ସେମାନଙ୍କ ବହୁଛାୟା ତଳେ ଗ୍ରାମବାସୀଙ୍କୁ ଶୋଷଣ କରୁଥିବାରୁ ଚାଷୀମାନଙ୍କ ମଧ୍ୟରେ ଜମିଦାରବିରୋଧୀ ଆନ୍ଦୋଳନର ସୂତ୍ରପାତ କରାଗଲା । ଏହି ଉପାୟରେ ଆରମ୍ଭହେଲା କିଷାନ ଆନ୍ଦୋଳନ ଓ କଂଗ୍ରେସ ମଧ୍ୟରେ ବପନ ହେଲା ସାମ୍ୟବାଦର ବୀଜ ।

Image

 

ଦୁର୍ଗମ ପଥର ପଥିକ

 

ଅନେକେ ଜୀବନରେ ସୁଖ-ସମ୍ଭୋଗ ଅନ୍ୱେଷଣରେ କାଳାତିପାତ କରିଥାନ୍ତି ଏବଂ ସେଇଥିପାଇଁ ନିଜର ସମସ୍ତ ଦଳ ଓ ବୁଦ୍ଧି ଖଟାଇଥାନ୍ତି । ପ୍ରାଣନାଥ ଥିଲେ ଭିନ୍ନ ଉପାଦାନରେ ଗଢ଼ା । ଏକ ଶୋଷଣବିହୀନ ସୁସ୍ଥ ସମାଜଗଠନ ଥିଲା ତାଙ୍କର କାମ୍ୟ ଏବଂ ସେଇଥିପାଇଁ ସେ ସବୁକିଛି ସୁଖ-ସମ୍ଭୋଗକୁ ଜଳାଞ୍ଜଳି ଦେଇ ବନ୍ଧୁର ପଥର ପଥିକ ହେବାପାଇଁ ସର୍ବଦା ପ୍ରସ୍ତୁତ ଥିଲେ । ଚେହେରା ଦେଖିବାକୁ ଖଣ୍ଡିଏ କାଠି; କିନ୍ତୁ ତା’ଭିତରେ ଥିଲା ଅସୀମ ସାହସ । ମନକୁ କିଣିନେବା ପାଇଁ ତାଙ୍କର ଥିଲା ଅପରିମିତ ଧୈର୍ଯ୍ୟ ଏବଂ ଚିରହାସ୍ୟମୟ ମୁଖ ।

 

ତାଙ୍କ ବଡ଼ଭାଇ ଚାହୁଁଥିଲେ ପ୍ରାଣନାଥ କିପରି ଉଚ୍ଚଶିକ୍ଷା ଲାଭକରି ସରକାରୀ ଚାକିରି କରିବେ । କାରଣ ସେ ସମୟରେ ସରକାରୀ ଚାକିରି ଥିଲା ସାମାଜିକ ପ୍ରତିପତ୍ତିର ପ୍ରତୀକ । କିନ୍ତୁ ସ୍କୁଲରେ ପଢ଼ିବା ଦିନଠୁଁ ଦେଶସେବା କରିବାପାଇଁ ତାଙ୍କର ଆଗ୍ରହ ଜାତ ହୋଇଯାଇଥିଲା । ଦେଶକୁ ପ୍ରବଳ–ପ୍ରତାପୀ ବ୍ରିଟିଶ ଶାସନରୁ ମୁକ୍ତ କରି ସ୍ୱାଧୀନ କରି ଗଢ଼ିବା ପାଇଁ ମହାତ୍ମା ଗାନ୍ଧୀଙ୍କ ଡାକରା ତାଙ୍କ ପ୍ରାଣକୁ ସ୍ପର୍ଶ କରିଥିଲା, କିଶୋର ମନକୁ ତାଙ୍କର ଉଦ୍‍ବେଳିତ କରିଥିଲା । ଚାକିରି ଜୀବନ ପରି ସହଜ ପନ୍ଥାଠାରୁ ଏହି ପଥ ଥିଲା ଅଧିକ ଦୁର୍ଗମ ଓ କଣ୍ଟକମୟ । ପ୍ରାଣନାଥ କିନ୍ତୁ ଏହି କଣ୍ଟକମୟ ପଥ ବାଛି ନେଇଥିଲେ । ଏଥିରେ ତାଙ୍କର ପରିବାରର ମୁରବିମାନଙ୍କ ମନରେ ଅନେକ କଷ୍ଟ ହୋଇଥିଲା ।

 

ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ :

 

ବାଲ୍ୟକାଳର ଅଭିଳାଷକୁ ଚରିତାର୍ଥ କରିବାର ସୁଯୋଗ ମିଳିଲା ରେଭେନ୍‍ସା କଲେଜରେ ଅଧ୍ୟୟନ କରିବା ସମୟରେ । ପୁରୀରେ ଗୋପବନ୍ଧୁଙ୍କ ସାନ୍ନିଧ୍ୟ ତାଙ୍କ ମଧ୍ୟରେ ଦେଶପ୍ରେମର ବୀଜ ବପନ କରିଥିଲା । ଭଗବତୀଚରଣ ପାଣିଗ୍ରାହୀଙ୍କ ବିପ୍ଲବୀ ମନୋଭାବ ସହିତ ପ୍ରାଣନାଥଙ୍କ ମନୋଭାବର ସମସ୍ତରତା ସୃଷ୍ଟି ହୋଇଥିଲା ସେମାନଙ୍କର ପୁରୀରେ ସହାବସ୍ଥାନ ଓ ସାହଚର୍ଯ୍ୟ ସମୟରେ । ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦାନ କରି ସେ ଗାନ୍ଧୀଜୀଙ୍କ ନେତୃତ୍ୱରେ ପରିଚାଳିତ ସ୍ୱାଧୀନତା ସଂଗ୍ରାମରେ ସାମିଲ ହେବାପାଇଁ ମନସ୍ଥ କଲେ । ୧୯୨୯ ଡିସେମ୍ବର ମାସରେ ଲାହୋରରେ କଂଗ୍ରେସ ଅଧିବେଶନ ବସିଥାଏ । ଡିସେମ୍ବର ୩୧ ତାରିଖ ଦିନ ନିଆହେଲା ଏକ ଯୁଗାନ୍ତକାରୀ ପଦକ୍ଷେପ–ଭାରତର ପୂର୍ଣ୍ଣ ସ୍ୱାଧୀନତା ଘୋଷଣା । ଏ ସମ୍ବାଦ ଭାରତର ପୁରପଲ୍ଲୀକୁ ବିଜୁଳି ବେଗରେ ବ୍ୟାପିଗଲା । ଅନେକ କଲେଜ ପାଠୁଆଙ୍କ ମନରେ ଏ ସମ୍ବାଦ ଆଶାର ସଞ୍ଚାର କଲା । ପ୍ରାଣନାଥ ଏ ସମ୍ବାଦରେ ଆତ୍ମବିଭୋର ହୋଇଗଲେ ଏବଂ ସମ୍ପୂର୍ଣ୍ଣ ସ୍ୱାଧୀନତା ହାସଲ ପାଇଁ ଚରମ ସ୍ୱାର୍ଥତ୍ୟାଗ କରିବାକୁ ମନେମନେ ପଣ କଲେ । ୧୯୩୦ ଜାନୁୟାରୀ ଦୁଇ ତାରିଖ ଦିନ କଂଗ୍ରେସ କାର୍ଯ୍ୟକାରୀ କମିଟି ବସି ଜାନୁୟାରୀ ୨୬ ତାରିଖକୁ ସମଗ୍ର ଦେଶରେ ‘ପୂର୍ଣ୍ଣ’ ସ୍ଵରାଜ୍ୟ ଦିବସ’ ରୂପେ ପାଳନ କରିବାକୁ ସ୍ଥିର କଲେ । ଦେଶସାରା ୧୯୩୦ ଜାନୁୟାରୀ ୨୬ ତାରିଖ ଦିନ ପ୍ରଥମ ସ୍ୱାଧୀନତା ଦିବସ ପାଳିତ ହେଲା । ପୋଲିସ ଆଇନର ୩୨ ଧାରା ଜାରି କରାଯାଇଥିବାରୁ କଟକରେ ଅଳ୍ପ କେତେକ କଂଗ୍ରେସ ନେତା ଓ କର୍ମୀ ଶ୍ରୀ ରାଜକୃଷ୍ଣ ବୋଷଙ୍କ କାଠଗଡ଼ା ସାହି ସ୍ଥିର ଲୋକସେବା ଛାପାଖାନା ଅଗଣାରେ ଜାତୀୟପତାକା ଉତ୍ତୋଳନ କରି ପୂର୍ଣ୍ଣ ସ୍ଵରାଜ୍ୟ ଦିବସ ପାଳନ କଲେ ଏବଂ ଗୋପବନ୍ଧୁ ଚୌଧୁରୀଙ୍କ ବାସଭବନ ହତା ସାମନାରେ ସାଧାରଣ ସଭା କରି ଘୋଷଣାପତ୍ର ପାଠ କରାଗଲା । ଏମାନଙ୍କ ମଧ୍ୟରେ ଯୁବକ ପ୍ରାଣନାଥ ଥିଲେ ଅନ୍ୟତମ । ସ୍ୱାଧୀନତାର ଘୋଷଣାପତ୍ର ତାଙ୍କ ମନରେ ସୃଷ୍ଟି କଲା ନିଜ ମାତୃଭୂମିକୁ ସ୍ୱାଧୀନ କରିବାର ଅସୀମ କ୍ଷୁଧା । ଘୋଷଣାପତ୍ରର ପ୍ରତ୍ୟେକଟି ଅକ୍ଷର ଯେପରି ତାଙ୍କର ଧମନୀରେ ବିସ୍ଫୋରଣ କଲା ବିପ୍ଲବର ବୋମା । ଘରର କୌଣସି ଶକ୍ତି ତାଙ୍କୁ ଆଉ ରୋକିପାରିଲା ନାହିଁ । ସେ ପୂର୍ଣ୍ଣପ୍ରାଣରେ ସ୍ୱାଧୀନତା ସଂଗ୍ରାମରେ ଲମ୍ଫ ପ୍ରଦାନ କଲେ ।

 

ଲବଣ ସତ୍ୟାଗ୍ରହ :

 

ସମ୍ପୂର୍ଣ୍ଣ ସ୍ୱାଧୀନତା ଘୋଷଣା ପରେ ଗାନ୍ଧିଜୀଙ୍କ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମ ତୀବ୍ରତର ହେଲା । ଲବଣ–କରକୁ ଅମାନ୍ୟ କରିବାପାଇଁ ଗାନ୍ଧିଜୀ ସ୍ଥିର କଲେ । ଭାରତର ଅଗଣିତ ଚାଷୀମୂଲିଆଙ୍କ ଦୈନନ୍ଦିନ ବ୍ୟବହାର୍ଯ୍ୟ ୧୫ ଲୁଣ ଉପରେ ବ୍ରିଟିଶ୍ ସରକାରଙ୍କ ଏକଚାଟିଆ ଅଧିକାରକୁ କ୍ଷୁଣ୍ଣ କରିବାପାଇଁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଲେ । କଂଗ୍ରେସ କାର୍ଯ୍ୟକାରୀ ସମିତି ୧୯୩୦ ଫେବୃଆରୀ ମାସ ୧୪, ୧୫, ୧୬ ତାରିଖରେ ସାବରମତୀ ଆଶ୍ରମରେ ବସି ଆଇନ୍ ଅମାନ୍ୟ କରିବାପାଇଁ ଗାନ୍ଧିଜୀଙ୍କୁ ପୂର୍ଣ୍ଣ କ୍ଷମତା ପ୍ରଦାନ କଲେ । ଗାନ୍ଧିଜୀ ପ୍ରଥମେ ବଡ଼ଲାଟଙ୍କ ପାଖକୁ ପତ୍ର ଲେଖି ଲବଣ–କର ପ୍ରତ୍ୟାହାର କରିବାପାଇଁ ଅନୁରୋଧ କଲେ । ବଡ଼ଲାଟଙ୍କଠାରୁ ନାସ୍ତିବାଣୀ ଶୁଣି ସେ ଲବଣ ସତ୍ୟାଗ୍ରହର ରୂପରେଖ ସ୍ଥିର କରିବାକୁ ଲାଗିଲେ । ମାର୍ଚ୍ଚ ୧୨ ତାରିଖ ଦିନ ସାବରମତୀର ୭୮ଜଣ ଆଶ୍ରମବାସୀଙ୍କୁ ନେଇ ଗାନ୍ଧିଜୀ ଗୁଜରାଟର ଦାଣ୍ଡି ଅଭିମୁଖେ ଯାତ୍ରା କଲେ । ଅପ୍ରେଲ୍ ୬ ତାରିଖରେ ଦାଣ୍ଡିରେ ପହଞ୍ଚି ସେଠାରେ ଲବଣ ସତ୍ୟାଗ୍ରହ ଆରମ୍ଭ କରିବାର ଯୋଜନା ହେଲା । ଗାନ୍ଧିଜୀ ଘୋଷଣା କଲେ–‘‘ମୁଁ ସ୍ୱରାଜ ହାସଲ କରି ଫେରିବି, ନଚେତ୍ ମୋର ମୃତଦେହ ସମୁଦ୍ରରେ ଭାସିବ ।”

 

ଏ ଘୋଷଣା ହିମାଳୟଠାରୁ କୁମାରିକା ପର୍ଯ୍ୟନ୍ତ ଏକ ଶିହରଣ ସୃଷ୍ଟି କଲା । ଏକ ଅହିଂସ ସେନାପତିଙ୍କର ଏହି ପାନ ରଣବାଜାଠାରୁ ବି ଆହୁରି ପ୍ରଭାବ ପକାଇଲା ଭାରତର ଦଳିତ ଜନତା ଉପରେ । ଭାରତର ସବୁ ପ୍ରାନ୍ତରୁ ଏହି ସତ୍ୟାଗ୍ରହର ପ୍ରସ୍ତୁତି ଚାଲିଲା । ମାର୍ଚ୍ଚ ୧୫ ତାରିଖରେ ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟିର ବୈଠକ ବସି ବାଲେଶ୍ୱର ଜିଲ୍ଲାର ଇଞ୍ଚୁଡ଼ିଠାରେ ଲବଣ ଆଇନ୍ ଅମାନ୍ୟ କରିବାର ସ୍ଥିର କରାଗଲା ।

 

ଓଡ଼ିଶାରୁ ଆଚାର୍ଯ୍ୟ ହରିହର ଦାସ, ଗୋପବନ୍ଧୁ ଚୌଧୁରୀ ପ୍ରଭୃତି କଟକରୁ ବାଲେଶ୍ୱରର ଇଞ୍ଚୁଡ଼ିକୁ ଲୁଣମରା ଆଇନ୍ ଅମାନ୍ୟ କରିବାକୁ ବାହାରିଲେ । ଏହି ଅବସରରେ ପ୍ରାଣନାଥ ପ୍ରତ୍ୟକ୍ଷ ଭାବରେ ପଦଯାତ୍ରାରେ ବାହାରିନଥିଲେ ମଧ୍ୟ ଲବଣ ସତ୍ୟାଗ୍ରହୀମାନଙ୍କୁ କଟକର ରାସ୍ତାକଡ଼ରେ ବିପୁଳ ସମ୍ବର୍ଦ୍ଧନା ଦେବାର ଆୟୋଜନ କରିଥିଲେ । ଗାନ୍ଧିଜୀଙ୍କ ପାନ ବିଷୟ ମନେପକାଇ ତାଙ୍କ ଦେହ ପୁଲକି ଉଠୁଥିଲା ।

 

ଲବଣ ସତ୍ୟାଗ୍ରହରେ ନିପାତ ମଫସଲି ଏବଂ ଅଶିକ୍ଷିତ ସ୍ତ୍ରୀ ପୁରୁଷ ବହୁ ସଂଖ୍ୟାରେ ଯୋଗଦେଲେ । ସେମାନେ ସମୁଦ୍ରରୁ ଲୁଣିପାଣି ଆଣି ହାଣ୍ଡିରେ ଗରମ କରି ଆଇନଅମାନ୍ୟ କରୁଥିଲେ । ସେହି ଗରମ ପାଣିକୁ ପୁଲିସ ଲୋକଙ୍କ ଉପରେ ଢାଳିଦେଉଥିଲା । ଲୋକଙ୍କୁ ଘଉଡ଼ାଇବା ପାଇଁ ଲାଠିରେ ପିଟିପିଟି ଚମଡ଼ା ଉତାରି ଦେଉଥାଏ ।

 

ପୁଲିସର ଏହି ଜଘନ୍ୟ ଦମନଲୀଳା ଏବଂ ଗିରଫଦାରୀ ଯୁବକ ପ୍ରାଣନାଥଙ୍କ ମନରେ ସୃଷ୍ଟି କରିଥିଲା ବ୍ରିଟିଶ୍ ବିରୁଦ୍ଧରେ ସଂଗ୍ରାମ କରିବାକୁ ଅଦମ୍ୟ ପ୍ରେରଣା । ବିଦେଶୀ ଶାସନରୁ ଦେଶକୁ ମୁକ୍ତ କରି ସାମ୍ୟବାଦର ମନ୍ତ୍ର ପ୍ରଚାର କରିବାପାଇଁ ସେ ଆଗଭର ହୋଇଆସିଲେ ।

 

ମଦଦୋକାନ ଆଗରେ ପିକେଟିଂ ଓ ଜେଲବରଣ :

 

୧୯୩୦ ମସିହାର ଦଶହରା । ବାଲେଶ୍ୱରରେ ମଦ ଅଫିମ ଦୋକାନ ଆଗରେ ପିକେଟିଂ ଚାଲିଥାଏ । ଏହି ପିକେଟିଂର ଡିରେକ୍ଟର ଥାନ୍ତି ପଣ୍ଡିତ ଲିଙ୍ଗରାଜ ମିଶ୍ର । ସ୍କୁଲ କଲେଜ ପିଲା ମୁଖ୍ୟତଃ ଏହି ପିକେଟିଂରେ ଭାଗ ନେଉଥିଲେ । କିଏ ଜଣେ ନୂଆ ଜୁଟିଲେ ପିକେଟିଂକାରୀଙ୍କୁ ଅମୂଲ୍ୟ ନିଧି ମିଳିଲା ପରି ଜଣାପଡ଼ୁଥାଏ । ଏମିତି ସମୟରେ କଟକରୁ ପହଞ୍ଚିଲେ ଜଣେ ନିରାଡ଼ମ୍ବର ଯୁବକ–ଲଣ୍ଡିତ ମୁଣ୍ଡ, ଆଣ୍ଠୁଲୁଚା ଖବଡ଼ ଲୁଗା ଓ କାମିଜପିନ୍ଧା ଯୁବକ ଖଣ୍ଡେ ବେଗ୍ ଧରି ଆସି ହାଜର ହେଲେ । ଅନ୍ୟ ବନ୍ଧୁମାନଙ୍କ ସହିତ ମୋତିଗଞ୍ଜ ଅଫିମ ଦୋକାନ ବେଶ୍ୟାପଡ଼ାରେ ପିକେଟିଂ କରି ଗିରଫ ହେଲେ । ଥାନାବାବୁ ହମିଦ୍ ନୂତନ ଯୁବକଙ୍କ ନାମ ପଚାରିଲେ । ସେ କିଛି ଉତ୍ତର ଦେଲେ ନାହିଁ । ଦାଗୀମାନଙ୍କ ଲିଷ୍ଟ ରଖିଲାଭଳି ସେ ନିଜ ଛୋଟ ଟିପାଖାତା ଓଲଟାଇ କହିଲେ–‘‘ତମ ନାଁ ପ୍ରାଣନାଥ ପଟ୍ଟନାୟକ ନୁହେଁ ?”

 

ସଂଗ୍ରାମର ଶିକ୍ଷାକ୍ଷେତ୍ର ପୁରୀ :

 

ବାଲେଶ୍ୱର ପିକେଟିଂ ପରେ ପ୍ରାଣନାଥ ପୁରୀରେ କାମ ଆରମ୍ଭ କଲେ । ପୁରୀ ରାମଚଣ୍ଡୀ ସାହିରେ, ଏବେ ଯେଉଁଠି ଲକ୍ଷ୍ମୀ ସିନେମା ହଲ୍ ଅବସ୍ଥିତ, ପୁରୀ ଜିଲା କଂଗ୍ରେସ ଅଫିସ୍ ସେଠାରେ ଥାଏ । ସେବେକାର ଅଫିସ୍ କୌଣସି ପକ୍‍କା କୋଠା ନୁହେଁ । ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଝାଟିମାଟିରେ ତିଆରି ଧାଡ଼ିଏ ଘର ଏବଂ ତା’ପାଖରେ ରାମଦାସ ବାବାଜିଙ୍କର ଗୋଟିଏ ଛୋଟ ପକ୍କା ଟୁଙ୍ଗି ଘର । ସେ ବାବାଜି ଥିଲେ ପୂର୍ଣ୍ଣମାତ୍ରାରେ ଜନସେବୀ ଏବଂ ସ୍ୱାଧୀନତା ସଂଗ୍ରାମର ସମସ୍ତ ଆଲୋଚନା ଓ ଆୟୋଜନ ତାଙ୍କ ଟୁଙ୍ଗି ଘରେ ହିଁ ହେଉଥିଲା । ଗତିକୃଷ୍ଣ ସ୍ୱାଇଁ, ଗଙ୍ଗାଧର ମିଶ୍ର, ଗୋକୁଳମୋହନ ରାଏଚୁଡ଼ାମଣି ପ୍ରଭୃତି ଥିଲେ ପ୍ରାଣନାଥଙ୍କର ସେ ସମୟରେ ସହକର୍ମୀ । ସତ୍ୟବାଦୀ ତ୍ରିପାଠୀ ଥିଲେ ଏ ଦଳର ପରିଚାଳକ । ସାଥୀ ସ୍ଵେଚ୍ଛାସେବୀମାନଙ୍କ ସାଙ୍ଗରେ ଲକ୍ଷ୍ମୀବଜାରରୁ ବାଇଗଣଟାଏ, ମୂଳାଟାଏ, ଶାଗ ମୁଠାଏ ଚାନ୍ଦାକରି ସେ ସବୁକୁ ବସ୍ତାରେ ପୂରାଇ କାନ୍ଧରେ ଲଦି ଅନେକଥର ଆଶ୍ରମକୁ ଆଣିବାକୁ ପଡ଼ୁଥିଲା । ତଥାପି ପ୍ରାଣନାଥଙ୍କ ମନରେ ଦ୍ଵିଧା ବା ଗ୍ଲାନି ନଥିଲା । ତା’ପରେ ଭିକ୍ଷାବୃତ୍ତି ନକରି ସ୍ୱେଚ୍ଛାସେବୀଗଣ ଆରମ୍ଭ କଲେ ଏକ ହୋଟେଲ୍–‘ନ୍ୟାସ୍‍ନାଲ୍ ହୋଟେଲ୍’ । ହୋଟେଲ୍‍ଟା ଚଳାଇ ପେଟକୁ ମୁଠେ ଜୁଟୁଥିଲା ଏବଂ ବାକି ସମୟତକ କଟୁଥିଲା ଲୋକଙ୍କ ପାଖରେ ସଂଗ୍ରାମର ବାର୍ତ୍ତା ପହଞ୍ଚାଇବାପାଇଁ ।

 

ପୁରୀ ରହଣି କାଳରେ ପୋଲିସ୍‍ଠୁ ବହୁ ନିର୍ଯ୍ୟାତନା ସହିବାକୁ ପଡ଼ିଥିଲା । ଆଶ୍ରମରୁ ଅନେକବାର ପୋଲିସ୍ ଦ୍ୱାରା ବିତାଡ଼ିତ ହୋଇ ୟା ବାରଣ୍ଡା ତା’ ପିଣ୍ଡାରେ ଶୋଇବାକୁ ପଡ଼ୁଥିଲା । ବେଳେବେଳେ ଏମାର ମଠ ଚକଡ଼ାରେ ସହକର୍ମୀମାନଙ୍କ ସାଙ୍ଗରେ ଖଲିପତର ପକାଇ କାଙ୍ଗାଳି ଭୋଜନରେ କ୍ଷୁଧା ନିବାରଣ କରିବାକୁ ପଡ଼ୁଥିଲା । ଏଥିରେ ତାଙ୍କର ତିଳେମାତ୍ର ଗ୍ଲାନି ନଥିଲା; ବରଂ ମନୋବଳ କ୍ରମଶଃ ଦୃଢ଼ୀଭୂତ ହେଲା । ବେଳେବେଳେ ପୋଲିସ୍ ମାଡ଼ରେ ପିଠି ଓ ପିଚାରୁ ଚମଡ଼ା ଉତୁରି ରକ୍ତ ବାହାରିଛି; କିନ୍ତୁ ସେଥିପ୍ରତି ତାଙ୍କର ଭ୍ରୂକ୍ଷେପ ନଥିଲା । ପ୍ରକୃତରେ ଏହା ଥିଲା ତାଙ୍କ ସଂଗ୍ରାମୀ ଜୀବନର ଶିକ୍ଷାକ୍ଷେତ୍ର ।

 

ସେ ସମୟରେ ଜବାହାରଲାଲ ନେହେରୁ ବ୍ରିଟିଶ୍ ବିରୁଦ୍ଧରେ ବକ୍ତୃତା ଦେଇ ଗିରଫ ହୁଅନ୍ତି । କଂଗ୍ରେସ ସ୍ୱେଚ୍ଛାସେବୀମାନେ ଏହି ବକ୍ତୃତା ଅନୁରୂପ ବକ୍ତୃତା ଦେଇ ବିଭିନ୍ନ ସ୍ଥାନରେ କାରାବରଣ କରନ୍ତି । ପ୍ରାଣନାଥ ଓ ତାଙ୍କର ସହକର୍ମୀବୃନ୍ଦ ସିଂହଦ୍ୱାରରେ ଏହି ବକ୍ତୃତା ଦେଇ ଜନମତ ଜାଗ୍ରତ କରନ୍ତି ଏବଂ କାରାବରଣ କରନ୍ତି । ପୁରୀ ଜେଲ୍‍ରେ ଅନେକ ଅଭାବ ଅସୁବିଧା ଥାଏ । ‘ଗ’ ଶ୍ରେଣୀର ‘‘ବନ୍ଦୀମାନଙ୍କୁ ସେତେବେଳେ ମନୁଷ୍ୟୋଚିତ ବ୍ୟବହାର ମିଳୁନଥାଏ । ପ୍ରାୟ ପାଞ୍ଚଫୁଟ ଲମ୍ବା ଓ ତିନିଫୁଟ ଓସାରର ଖଟ ଆକାରରେ ଗୋଟିଏ ମାଟି ପିଣ୍ଡି ଉପରେ ବନ୍ଦୀମାନଙ୍କୁ ଶୋଇବାକୁ ପଡ଼େ । ପ୍ରତ୍ୟେକ ବନ୍ଦୀକୁ ଖଣ୍ଡିଆ ଚଟ ଓ ଦୁଇଟି କମ୍ବଳ ମିଳୁଥାଏ । କମ୍ବଳଗୁଡ଼ିକ ଛାରପୋକ ଓ ଚମଉକୁଣି ପରିପୂର୍ଣ୍ଣ । ରାତିରେ ବନ୍ଦୀମାନଙ୍କୁ କୋଠରି ଭିତରେ ପୂରାଇ ବାହାରେ ତାଲା ବନ୍ଦ କରାଯାଏ । ଘର ଭିତରେ ଝାଡ଼ା ପରିସ୍ରା କରିବାର ବ୍ୟବସ୍ଥା କରାଯାଇଥାଏ । ନିତାନ୍ତ ଦୟନୀୟ ଅବସ୍ଥା । ଚୋର–ଚଣ୍ଡାଳଙ୍କଠାରୁ ବି ହୀନ ଅବସ୍ଥାରେ ରଖାଯାଇଥାଏ ସେମାନଙ୍କୁ । ବେଳେବେଳେ ସତ୍ୟାଗ୍ରହୀ ସଂଖ୍ୟା ବଢ଼ିଗଲେ ମେଣ୍ଢାପଲ ରଖିଲାଭଳି ଜୋର ଜବରଦସ୍ତି ବନ୍ଦୀମାନଙ୍କୁ ପ୍ରକୋଷ୍ଠ ଭିତରେ ପୂରାଇ ତାଲା ବନ୍ଦ କରାଯାଉଥାଏ ।

 

ରହିବା ଅବସ୍ଥାଠାରୁ ଖାଦ୍ୟପେୟର ଅବସ୍ଥା ଆହୁରି ଶୋଚନୀୟ । ଜେଲ୍‍ର ନିୟମ ଅନୁସାରେ ଯାହା ଖାଇବାକୁ ମିଳିବା କଥା, ସେଥିରୁ ଅଧିକାଂଶ ଚାଲିଯାଏ ଜେଲ୍‍ରଠାରୁ ଆରମ୍ଭ କରି ୱାର୍ଡ଼ର୍‍ଙ୍କ ଘରକୁ । ଗୋଡ଼ି ମିଶା ଭାତ, ପେଜମିଶା ଡାଲି, ସାରୁ ନାଡ଼, ପୁରୁଣି ଶାଗ ଓ ବେଳେବେଳେ କଅଁଳିଆ ଦୂବଘାସରେ ପ୍ରସ୍ତୁତ ତରକାରୀ ଥାଏ ବନ୍ଦୀମାନଙ୍କର ନିତିଦିନିଆ ଖାଦ୍ୟ-। ଏ ସବୁ ସତ୍ତ୍ୱେ ଜେଲ୍ ଜୀବନ ପ୍ରାଣନାଥଙ୍କୁ କେବେ ଦୁର୍ବିସହ ହୋଇନଥିଲା । ପୁରୀ ଜେଲ୍ ଭିତରେ ପ୍ରଥମେ ପଦାର୍ପଣ କରି ତାଙ୍କର ଶରୀର ଏକ ଅପୂର୍ବ ଶିହରଣରେ ପୁଲକି ଉଠିଥିଲା । ଯେଉଁ ଜେଲ୍‍ରେ ପଣ୍ଡିତ ଗୋପବନ୍ଧୁ ବନ୍ଦୀଭାବରେ ଥିଲେ, ସେହି ଜେଲରେ ରହିବାର ସୁଯୋଗ ପାଇଥିବାରୁ ସେ ନିଜକୁ ଭାଗ୍ୟବାନ ମଣିଲେ–ସତେଯେମିତି ସେହି କାରାଗାର ତାଙ୍କପାଇଁ ଥିଲା ତୀର୍ଥକ୍ଷେତ୍ର । ବନ୍ଦିଶାଳାର ମେଘନାଦ ପାଚେରି ଓ ଲୁହାର କବାଟ ତାଙ୍କର ଦେହସୁହା ହୋଇଗଲା-

 

ସାମ୍ୟବାଦର ଦୀକ୍ଷା :

 

କାଶୀ ବିଦ୍ୟାପୀଠ ରହଣିକାଳରେ ପ୍ରାଣନାଥ ଆଚାର୍ଯ୍ୟ ନରେନ୍ଦ୍ର ଦେବ, ଶ୍ରୀପ୍ରକାଶ, ପଣ୍ଡିତ ସମ୍ପୂର୍ଣ୍ଣାନନ୍ଦ, ଲାଲବାହାଦୁର ଶାସ୍ତ୍ରୀ ପ୍ରମୁଖ ନେତାଙ୍କ ସଂସର୍ଗରେ ଆସିଥିଲେ । ତତ୍ ସଙ୍ଗେ ସଙ୍ଗେ ଭାରତ ଭଳି ଏକ ଦରିଦ୍ର ଦେଶ ପାଇଁ ସମାଜବାଦ ଯେ ଏକମାତ୍ର ପନ୍ଥା ସେ ଦିଗରେ ତାଙ୍କର ଧାରଣା ଦୃଢ଼ୀଭୂତ ହୋଇଥିଲା । ଓଡ଼ିଶାରୁ ଗୁରୁଚରଣ ପଟ୍ଟନାୟକ ଏବଂ ଶରତ ପଟ୍ଟନାୟକ ମଧ୍ୟ ସେ ସମୟରେ ବାରାଣସୀରେ ସାମ୍ୟବାଦୀ ମତବାଦରେ ଉଦ୍‍ବୁଦ୍ଧ ହୋଇଥିଲେ-। ଏହି ସମୟରେ ପ୍ରାଣନାଥ ସାମ୍ୟବାଦୀ ସାହିତ୍ୟ ପାଠକରି ନିଜକୁ ଏକ ସଚ୍ଚା ସାମ୍ୟବାଦୀ କରିବାପାଇଁ ମନସ୍ଥ କରିଥିଲେ । କଂଗ୍ରେସ ଦଳର ଯୁବକ ସଦସ୍ୟମାନଙ୍କ ମଧ୍ୟରେ ସାମ୍ୟବାଦ ସମ୍ବନ୍ଧରେ ଅନେକ ସମୟରେ ଚର୍ଚ୍ଚା ଚାଲିଥିଲା । ନିଜକୁ ଭୋକ ଉପାସରେ ରଖିବା, କଠୋର ଶାରୀରିକ ପରିଶ୍ରମ କରିବା ଏବଂ ମଳିମୁଣ୍ଡିଆଙ୍କ ସହିତ ମିଶି ସେମାନଙ୍କ ଦୁଃଖ-ସୁଖରେ ଭାଗୀଦାର ହେବା ଥିଲା ଏ ଦିଗରେ ସେମାନଙ୍କର ପ୍ରାକ୍‍ଟିକାଲ ଟ୍ରେନିଂ । ଏ ସବୁ କଠୋର ପରୀକ୍ଷାରେ ଭଗବତୀ ଚରଣ ପାଣିଗ୍ରାହୀ ଓ ପ୍ରାଣନାଥ ପଟ୍ଟନାୟକ ଅନ୍ୟ ସାଥୀମାନଙ୍କଠାରୁ ଆଗୁଆ ଥିଲେ ।

 

ଗୋଲଟେବୁଲ୍ ବୈଠକର ବିଫଳତା ପରେ ଯେଉଁ ଗିରଫଦାରୀ ଚାଲିଲା, ସେଥିରୁ କୌଣସି ନେତୃସ୍ଥାନୀୟ ବ୍ୟକ୍ତି ବାଦ୍ ଗଲେନି । ଏ ସମୟରେ ପାଟଣା କ୍ୟାମ୍ପ ଜେଲରେ ପ୍ରାଣନାଥ ବନ୍ଦୀ ହୋଇଥିଲେ । ୧୯୩୪ ମେ ବେଳକୁ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଜେଲ୍ ଖଲାସ୍ କରାଯାଇଥିଲା । ସେ ସମୟରେ ଆନ୍ଦୋଳନର ତୀବ୍ରତା କମିଯାଇଥିଲା । ପ୍ରାଣନାଥ ପଟ୍ଟନାୟକ, ଗଙ୍ଗାଧର ମିଶ୍ର, ଗୋକୁଳମୋହନ ରାଏ ଚୂଡ଼ାମଣି ପ୍ରମୁଖ ସେ ସମୟରେ ଜେଲରୁ ମୁକ୍ତିଲାଭ କଲେ । ଜେଲରୁ ଖଲାସ ହେବା ପୂର୍ବରୁ ସେମାନେ ଏକ ସଂଗଠନ କଲେ । ଅନେକେ ଆଜୀବନ ଦେଶସେବାର ଶପଥ ନେଲେ–ପ୍ରାଣନାଥ ସେମାନଙ୍କ ମଧ୍ୟରେ ଅନ୍ୟତମ ।

 

ପୁରୀ ବଡ଼ଦାଣ୍ଡସ୍ଥିତ ନ୍ୟାସ୍‍ନ୍ୟାଲ୍ ହୋଟେଲରେ ପ୍ରାଣନାଥ, ଗୁରୁଚରଣ ଓ ଭଗବତୀ ସାମ୍ୟବାଦ ସମ୍ବନ୍ଧରେ ବକ୍ତୃତା ଦେଉଥିଲେ । ସେ ସମୟରେ ବଙ୍ଗଳାର ପ୍ରସିଦ୍ଧ ବିପ୍ଲବୀ ଓ କମ୍ୟୁନିଷ୍ଟ ବ୍ରଜେନ୍ ପାଲ୍ (ଫନି ପାଲ୍‍ଙ୍କ ବଡ଼ଭାଇ) ନ୍ୟାସ୍‍ନ୍ୟାଲ୍ ହୋଟେଲରେ କିଛିଦିନ ରହି ମାର୍କ୍ସ ଓ ଲେନିନ୍‍ଙ୍କ ବିଷୟରେ ବକ୍ତୃତା ଦେଇ ଯୁବକମାନଙ୍କୁ ଉଦ୍‌ବୁଦ୍ଧ କଲେ ।

 

ଆଶ୍ଚର୍ଯ୍ୟ ନରେନ୍ଦ୍ରଦେବ ଏ ସମୟରେ ଅସୁସ୍ଥ ହୋଇ ଜଳବାୟୁ ପରିବର୍ତ୍ତନ କରିବାପାଇଁ ପୁରୀରେ ପହଞ୍ଚିଲେ । ସେ ସମୁଦ୍ରକୂଳରେ ଗୋଟିଏ ଛୋଟିଆ ଘରେ ରହିଲେ । ଭଗବତୀ ବାବୁଙ୍କ ଘରେ ‘ପୃଥିବୀର ସମସାମୟିକ ଇତିହାସ’ ଉପରେ ଆଶ୍ଚର୍ଯ୍ୟ ନରେନ୍ଦ୍ର ଦେବ କେତେଗୁଡ଼ିଏ ବକ୍ତୃତା ଦେଲେ । ଏ ସମୟରେ ପ୍ରାଣନାଥ ବିଭିନ୍ନ ଯୁବକମାନଙ୍କୁ ତାଙ୍କ ଗୁରୁଦେବଙ୍କ ବକ୍ତୃତାରେ ଯୋଗଦେବା ପାଇଁ ସଂଗଠିତ କରୁଥିଲେ । ଏହି ବକ୍ତୃତାମାଳାର ଧାରା ପୃଥିବୀର ଗତାନୁଗତିକ ଧାରଣାଠାରୁ ଅଲଗା ଥିଲା ଏବଂ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା । ନରେନ୍ଦ୍ରଦେବଙ୍କ ବ୍ୟାଖ୍ୟା ଓ ଦୃଷ୍ଟିକୋଣର ନୂତନତ୍ୱ ଯୁବସମାଜକୁ ସେ ତାଙ୍କର ଶ୍ରୋତାମାନଙ୍କ ମନରେ ଏକ ଗଭୀର ରେଖାପାତ କରିପାରିଥିଲେ ।

 

ଜୀବନ–ସାଥୀ :

 

ବନ୍ଧୁ ବାନ୍ଧବଙ୍କ ଅନୁରୋଧକ୍ରମେ ୧୯୩୫ରେ ପ୍ରାଣନାଥ ଜଣେ ଜୀବନ ସଙ୍ଗିନୀକୁ ଗ୍ରହଣ କରିବାପାଇଁ ରାଜିହେଲେ । ଜୁନ ମାସ ୨୮ ତାରିଖ ଶନିବାର । ସେଦିନ ଜଗନ୍ନାଥଙ୍କ ନେତ୍ରୋତ୍ସବ । ଚଣାହଟାର ଜମିଦାର ବଂଶର ଦାଣ୍ଡ ଶଙ୍ଖ ସାହାନାଇ ଆଦି ବାଦ୍ୟରେ ଉତ୍ସବମୁଖର ହୋଇଉଠିଲା । ବିପ୍ଲବୀ କବି ଚଣାହଟାର ଜମିଦାର କୃଷ୍ଣମୋହନ ପଟ୍ଟନାୟକଙ୍କ ଅଲିଅଳୀ କନ୍ୟା ମଞ୍ଜରୀଙ୍କର ପାଣିଗ୍ରହଣ କରିବାପାଇଁ ଆସୁଛନ୍ତି ଦେଶସେବାର ମନ୍ତ୍ରରେ ଦୀକ୍ଷିତ ପ୍ରାଣନାଥ । ଜମିଦାର କୁଳର ସମ୍ମାନକୁ ତାଳ ଦେବାପାଇଁ ବରକୁ ଆଣିବା ଲାଗି ସୁସଜ୍ଜିତ ପାଲିଙ୍କି ପଠାଯାଇଛି-। ପ୍ରାଣନାଥ ବଡ଼ଭାଇଙ୍କ ଘରୁ ଖଲିକୋଟରୁ ବରଯାତ୍ରୀଙ୍କ ସଙ୍ଗରେ ଟ୍ରେନ୍‍ରେ ଭୁବନେଶ୍ୱରରେ ପହଞ୍ଚି ମଟରଗାଡ଼ିରେ ବାଲିପାଟଣାରେ ପହଞ୍ଚିଥାନ୍ତି । ସୁସଜ୍ଜିତ ପାଲିଙ୍କି ତାଙ୍କୁ ନେବା ଉଦ୍ଦେଶ୍ୟରେ ପାଖେଇଆସିଲା । ପ୍ରାଣନାଥଙ୍କ ସାରା ଶରୀରରେ ଖେଳିଗଲା ଗୋଟିଏ ଅଜଣା ଶିହରଣ । କ୍ଷୋଭ ଓ ଅନୁତାପରେ ରୋମ ତାଙ୍କର ଟାଙ୍କୁରିଉଠିଲା । ମଣିଷଦ୍ୱାରା ବୁହାହୋଇ ତାଙ୍କୁ ସମ୍ମାନର ସହିତ ଶ୍ୱଶୁର ଘରକୁ ନିଆଯିବ–ଏ କଥା ସହିତ ସେ ସାଲିସ କରିପାରିଲେ ନାହିଁ । ବନ୍ଧୁ ବାନ୍ଧବଙ୍କ ଅନୁରୋଧ ସତ୍ତ୍ୱେ, ବରଧରାର ଅନୁନୟ ସତ୍ତ୍ୱେ ସେ ପାଲିଙ୍କିରେ ବସିବାକୁ ରାଜି ହେଲେ ନାହିଁ । ତୁରନ୍ତ ପାଲିଙ୍କିକୁ ଚଣାହଟାକୁ ଫେରିଯିବାକୁ ନିର୍ଦ୍ଦେଶ ଦେଲେ । ଖାଲିପାଲିଙ୍କି ଗାଁକୁ ଫେରିଆସିବାର ଦେଖି ଅନେକଙ୍କ ମନକୁ ଛୁଇଁଲା । ଆଶଙ୍କାରେ ଅନେକଙ୍କ ମନ ଉଦ୍‍ବେଳିତ ହେଲା । ପ୍ରଜାପାଟକ ନିରାଶ ହେଲେ । ଗୋଡ଼ ଧୋଇବ ବୋଲି ପାଣି ଧରି ଠିଆ ହୋଇଥିବା ବାରିକର ଗୋଡ଼ ଘୋଳେଇବାକୁ ଲାଗିଲା । ଏତିକିବେଳେ ଜଣେ ବୃଦ୍ଧ ହଠାତ ପାଟିକରି ଉଠିଲେ,”ସେଆଡ଼େ କ’ଣ ଅନାଉଛ–ବର ପରା ଏଠାରେ !” ସେତେବେଳକୁ ବର ଚାଲି ଚାଲି ଆସି ଦଣ୍ଡ ଚାନ୍ଦିନୀ ଉପରେ ପହଞ୍ଚିଗଲେଣି । ମୁଣ୍ଡରେ ମୁକୁଟ ନାହିଁ, ବେକରେ ଫୁଲମାଳ ନାହିଁ । ଖଦଡ଼ି ଧୋତି ପଞ୍ଜାବି ପରିହିତ ଜଣେ ସରଳ ଅଥଚ ସୁଶ୍ରୀ ଯୁବକ ଦୀର୍ଘ ସମୟ ଅପେକ୍ଷମାଣ ବାରିକ ହାତରୁ ପାଣିଢାଳ ନେଇ ନିଜେ ଗୋଡ଼ ଧୋଇ ତା’ ହାତରୁ ଗାମୁଛା ନେଇ ନିଜେ ଗୋଡ଼ ପୋଛିହୋଇ ତାଙ୍କର ଚିରାଚରିତ ମୁରୁକି ମୁରୁକି ହସରେ ସମସ୍ତଙ୍କୁ ସମ୍ଭାଷଣ ଜଣାଇଲେ ।

 

ପ୍ରାଣନାଥ ସାମାଜିକ କୁସଂସ୍କାରର ଘୋର ବିରୋଧୀ ଥିଲେ । ନିଜ ବାହାଘର ସମୟରେ ହାତଗଣ୍ଠି ପଡ଼ିସାରିବା ପରେ ଉଭୟ ପକ୍ଷର ପୁରୋହିତଙ୍କ ମଧ୍ୟରେ କଳି ଓ ତର୍କ ଆରମ୍ଭ ହୋଇଗଲା । ବିବାହର ପରିବେଶକୁ ଏହା ନଷ୍ଟ କରୁଥିବାରୁ ବର ନିଜ ହାତରେ ଗଣ୍ଠି ଫିଟାଇଦେଇ ବିବାହର ଅନ୍ୟାନ୍ୟ କର୍ମକର୍ମାଣି ଆରମ୍ଭ କରିବାକୁ କହିଥିଲେ । ସାଧାରଣତଃ ପୁରୋହିତ ହାତଗଣ୍ଠି ଫିଟେଇବା କଥା । ତେଣୁ ରକ୍ଷଣଶୀଳ ବଡ଼ପଣ୍ଡାମାନେ ବରର ଏ କାର୍ଯ୍ୟରେ କ୍ଷୁବ୍‍ଧ ହେଲେ । ପ୍ରାଣନାଥ କିନ୍ତୁ ନିର୍ବିକାର ଭାବରେ ଯାହା ରଚିତ ବୋଲି ମନେକରୁଥିଲେ ତାହା କରିଯାଉଥିଲେ ।

 

ଶ୍ୱଶୁର ବିପ୍ଲବୀ କବି କୃଷ୍ଣମୋହନ ପଟ୍ଟନାୟକ ଜାମାତାଙ୍କ ସଂସ୍କାରମୁଖୀ ପ୍ରଗତିଶୀଳ ବିଦ୍ରୋହାତ୍ମକ ମନୋଭାବକୁ ଅନ୍ତରରେ ସମର୍ଥନ କରୁଥିଲେ । କନ୍ୟା ଜାମାତାଙ୍କୁ ଆଶୀର୍ବାଦ ଛଳରେ ସେ ଲେଖିଥିଲେ–

 

"କମଳେ କଠିନେ ଏ ଯେ ସମାବେଶ,

ସତ୍ୟ ପିନ୍ଧେ ମାତ୍ର ସ୍ୱପ୍ନର ସୁବେଶ

ହୋମାନଳେ ଦୁହେଁ ଇନ୍ଧନ ଆହୁତି

ସାର୍ଥକତା ଲୋଡ଼େ ଗୋଟିଯାକ ସୃଷ୍ଟି ।

ନାହିଁ ଆଡ଼ମ୍ବର ନାହିଁ ସମାରୋହ,

ନାହିଁ ସମାଜର ଅତିଷ୍ଠ ବିଦ୍ରୋହ

ରବିର ପ୍ରତିଭା ପଦ୍ମର ପ୍ରେରଣା

କର୍ମକ୍ଷେତ୍ରେ ଆଣୁ ବେନିଙ୍କ ଯୋଜନା

କର୍ମ ମାତ୍ର ଧର୍ମ କର୍ମ ହିଁ ଜୀବନ,

କର୍ମକୁ ନବାନ୍ଧେ ଜନ୍ମ ବା ମରଣ

ଫିଟିଯାଉ ପନ୍ଥା ଦିଶୁ ଲୋକସେବା

ସେବା ବିନା ନ ନୋହେ କାହାରିଟି କେ ବା ।

ସୁଖ ଦୁଃଖ ସିନା ବୁଦ୍ଧିର ବିକାର

ଆଲୋକର ମୂଲ୍ୟ ସମାନ ଛାୟାର

ହୀରାର ମୁକୁଟେ କଣ୍ଟକର ବ୍ୟଥା

କୁଟୀର ଭୁଞ୍ଜଇ ରାଜ–ପ୍ରଫୁଲ୍ଲତା ।

ବାୟୁ ଦେବ ଖାଦ୍ୟ ବ୍ୟୋମ ଦେବ ଆଶା

ମୁଖର ସାଗର ଶିଖାଇବ ଭାଷା

ଅକ୍ଷୟ ଅବାଧ ସେ ମହା କରୁଣା

ସାଧନାର ପଥେ ଝରେ କୋଟିଗୁଣା ।’’

 

ଏକ ବର୍ଷଣମୂଖର ସନ୍ଧ୍ୟାରେ ଜମିଦାରଙ୍କ ଅଲିଅଳୀ କନ୍ୟା ପ୍ରେମମଞ୍ଜରୀ କୁଳଦେବତା ରାଧାଗୋବିନ୍ଦଙ୍କ ଚରଣ ତୁଳସୀ ନେଇ ଜଣେ ବାସ୍ତବବାଦୀ ଦେଶ ସେବକଙ୍କ ସଙ୍ଗେ ଶ୍ୱଶୁରାଳୟକୁ ଗମନ କଲେ । ରଥଯାତ୍ରା ଉପଲକ୍ଷ୍ୟେ ବହୁତ ଭିଡ଼ ହୋଇଥିବାରୁ ବରକନ୍ୟା ତଥା ବରଯାତ୍ରୀ ବହୁକଷ୍ଟରେ ଭୁବନେଶ୍ୱରରେ ରେଳରେ ଚଢ଼ିଲେ ।

 

ଚଉଠି ପୂର୍ବରୁ ବରକନ୍ୟା ମଧ୍ୟରେ କଥାବାର୍ତ୍ତା ହେବା ଉପରେ ସେତେବେଳେ କଡ଼ା ନିଷେଧାଜ୍ଞ । ପ୍ରାଣନାଥ କିନ୍ତୁ ଏହାକୁ ଏକ କୁସଂସ୍କାର ବୋଲି ବିଚାର କରୁଥିଲେ । ଖଣ୍ଡେ ଗୋପବନ୍ଧୁ ଶ୍ରାଦ୍ଧସଂଖ୍ୟା ‘ସମାଜ’ ଧରି ଅବଗୁଣ୍ଠନବତୀ ନବବିବାହିତା ଅର୍ଦ୍ଧାଙ୍ଗିନୀ ଆଗରେ ଗୋପବନ୍ଧୁଙ୍କ ତ୍ୟାଗପୂତ ଜୀବନ ଉପରେ ନିଜର ଭାଷଣ ଆରମ୍ଭ କରିଦେଲେ । ଝିଅ ପାଖରେ ବସିଥିବା ଦାସୀଟି ସଙ୍କୋଚରେ ଦୂରେଇ ରହିଲା । ନବବଧୂରୂପରେ ସଜ୍ଜିତା ପ୍ରେମମଞ୍ଜରୀ ମଧ୍ୟ ବନାରସୀ ଶାଢ଼ିର ଓଢ଼ଣା ଭିତରେ ଲାଜରେ ସଢ଼ିଗଲେ; କିନ୍ତୁ ବାସ୍ତବବାଦୀ ପ୍ରାଣନାଥ ନିର୍ଲିପ୍ତ ଓ ନିର୍ବିକାର ଭାବରେ ନିଜର ଭାଷଣରେ ମଜ୍ଜି ଯାଇଥିଲେ । ସେ ସ୍ୱପ୍ନବିଳାସୀ ନ ଥିଲେ କର୍ମ–ବିଳାସୀ ଥିଲେ । ସେପରି ଏକ ମଧୁମୟ ମୁହୂର୍ତ୍ତରେ ଓଢ଼ଣା ଭିତରୁ ନବବଧୂର ମୁହଁ ଦେଖିବାପାଇଁ ଚୋରା ଚାହାଣି ହୁଏତ ଅତି ସ୍ୱାଭାବିକ ଘଟଣା ହୋଇପାରିଥାନ୍ତା; କିନ୍ତୁ ସେହି ସରସ ମୁହୂର୍ତ୍ତର ସେ ସଦ୍ ବ୍ୟବହାର କରିବାକୁ ଚାହିଁଥିଲେ ନିଜର ସ୍ୱଭାବ ସମ୍ୟକ୍‍ରୂପେ ପରିବେଷଣ କରିବାପାଇଁ । ତାଙ୍କର ଏହି ଖୋଲାମନର ନିରାଟ ସରଳତା ଓ ନିଷ୍କପଟତା ବୋଧହୁଏ ତାଙ୍କର ଭବିଷ୍ୟତ ବୈବାହିକ ଜୀବନର ସଫଳତା ପାଇଁ ମୁଖ୍ୟତଃ ଦାୟୀ ।

 

ଚଉଠି ରାତି । ନବ ଦମ୍ପତିଙ୍କ ଚିର–ଆକାଂକ୍ଷିତ ମୁହୂର୍ତ୍ତ ପହଞ୍ଚିଲା । ବର ସେହି ମଧୁମୁହୂର୍ତ୍ତରେ କନ୍ୟାର କାନରେ ଧୀରେ ଧୀରେ କହିଥିଲେ–‘‘ଆମର ମିଳନ ସେବାପାଇଁ, ସମ୍ଭୋଗ ପାଇଁ ନୁହେଁ–ଏତିକି କହି ସେ ଚାଲିଯାଇଥିଲେ । ବହୁ ରାତି ପର୍ଯ୍ୟନ୍ତ ତାଙ୍କୁ ଖୋଜାପଡ଼ିଥିଲା ।

 

ପ୍ରାଣନାଥଙ୍କ ବୈବାହିକ ଜୀବନ କାରାବରଣଜନିତ ବିଚ୍ଛେଦରେ ପରିପୂର୍ଣ୍ଣ ହେଲେ ମଧ୍ୟ ଏକ ସଫଳ ବୈବାହିକ ଜୀବନ ଥିଲା । ଶ୍ରୀମତୀ ମଞ୍ଜରୀ ପଟ୍ଟନାୟକଙ୍କୁ ବାହାବେଳେ ହୋଇଥିଲା ମାତ୍ର ସତର ବର୍ଷ । ବାସ୍ତବବାଦୀ ସ୍ୱାମୀଙ୍କ ମନୋଭାବ ବୁଝିବାପାଇଁ ତାଙ୍କର ଯଥେଷ୍ଟ ଅଭିଜ୍ଞତା ନଥିଲା; କିନ୍ତୁ ଚଉଠି ରାତିର ସେହି ପ୍ରଥମ ସମ୍ଭାଷଣ–‘‘ଆମର ମିଳନ ସେବାପାଇଁ, ସମ୍ଭୋଗପାଇଁ ନୁହେ’’–ତାଙ୍କ ଜୀବନର ମହାମନ୍ତ୍ର ହୋଇ ରହିଲା । ସ୍ୱାମୀଙ୍କୁ ପାରିବାରିକ ଦାୟିତ୍ୱରୁ ସମ୍ପୂର୍ଣ୍ଣରୂପେ ମୁକ୍ତକରି ସେ ଦେଶସେବା କରିବାରେ ସ୍ୱାମୀଙ୍କୁ ସକ୍ରିୟ ସାହାଯ୍ୟ କଲେ । ପିଲାମାନଙ୍କ ପାଠପଢ଼ାଠୁ ଆରମ୍ଭକରି ପାରିବାରିକ ଭଲମନ୍ଦ, ଏପରିକି ସ୍ୱପରିବାରର ଭରଣପୋଷଣ ସମ୍ବନ୍ଧରେ ପ୍ରାଣନାଥ ଅଜ୍ଞଥିଲେ ।

 

ସୁଖୀ ପରିବାର :

 

ନଭେମ୍ବର ୩, ୧୯୩୮ରେ ପଟ୍ଟନାୟକ ଦମ୍ପତିଙ୍କ ପ୍ରଥମ ପୁତ୍ର ଜନ୍ମଗ୍ରହଣ କରେ । ସ୍ନେହରେ ପୁଅର ଡାକନାମ ରଖନ୍ତି ‘ଟୁଲୁ’, ଅନ୍ୟନାମ ପ୍ରଭାସ । ବର୍ତ୍ତମାନ ସେ ପୁନାର ଫିଲିପ୍‍ସ କମ୍ପାନୀର ଜଣେ ଉଚ୍ଚପଦସ୍ଥ ଇଞ୍ଜିନିୟର । ଦ୍ଵିତୀୟ ପୁତ୍ର ପ୍ରକାଶ (ଡାକନାମ ଲୁଲୁ)ର ଜନ୍ମ ୨୩ ଜୁନ୍, ୧୯୪୦ । ସେତେବେଳେ ପ୍ରାଣନାଥ ଥାଆନ୍ତି ପୁରୀ ଜେଲରେ । ବର୍ତ୍ତମାନ ସେହି ଦ୍ୱିତୀୟ ପୁତ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ଜଣେ ଖ୍ୟାତନାମା ଇଞ୍ଜିନିୟର ଭାବରେ ଅବସ୍ଥାପିତ । ତୃତୀୟ ପୁତ୍ର ପ୍ରଭାତ (ଡାକନାମ ଭୁଲୁ)ର ଜନ୍ମ ୧୮ ସେପ୍ଟେମ୍ବର ୧୯୪୫ରେ । ସେ ପୃଥିବୀବିଖ୍ୟାତ ଅର୍ଥନୀତିଜ୍ଞ ଏବଂ କେମ୍ବ୍ରିଜ୍ ଓ ଅକ୍‍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଶିକ୍ଷକତା କଲା ପରେ ବର୍ତ୍ତମାନ ଦିଲ୍ଲୀସ୍ଥିତ ଯବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ଅଧ୍ୟାପକ ଭାବରେ ଅବସ୍ଥାପିତ । ଚତୁର୍ଥ ପୁତ୍ର ପ୍ରଦୋଷ (ଡାକନାମ କୁଲୁ)ର ଜନ୍ମ ଅକ୍ଟୋବର ୧୯୪୭ । ସେ ଉଚ୍ଚଶିକ୍ଷା ଲାଭକରି ମଧ୍ୟ ଦେଶସେବାରେ ନିଜର ସମସ୍ତ ସମୟ ବିନିଯୋଗ କରନ୍ତି । ସେ ଜଣେ ଉଚ୍ଚକୋଟୀର ସାମ୍ବାଦିକ ଏବଂ ଭୁବନେଶ୍ୱରର ବହୁ ସାଂସ୍କୃତିକ ଅନୁଷ୍ଠାନ ସହିତ ସଂପୃକ୍ତ । ପଞ୍ଚମ ପୁତ୍ର ପ୍ରଦ୍ୟୋତ (ଡାକନାମ ପୁପୁ)ର ଜନ୍ମ ସେପ୍ଟେମ୍ବର, ୧୯୪୯ରେ । ସେତେବେଳେ ପ୍ରାଣନାଥ ଥାଆନ୍ତି ଜେଲରେ । ପ୍ରଦ୍ୟୋତ ବର୍ତ୍ତମାନ ବମ୍ବେରେ ରସାୟନବିଜ୍ଞାନବିତ ଭାବରେ ଅବସ୍ଥାପିତ । ଷଷ୍ଠପୁତ୍ର ପ୍ରଦୀପ୍ତ (ଡାକନାମ ଦୀପୁ)ର ଜନ୍ମ ୨୩ ଜାନୁଆରୀ, ୧୯୫୨ରେ । ସେ ବର୍ତ୍ତମାନ ଉଚ୍ଚଶିକ୍ଷିତ ଡାକ୍ତର ଭାବରେ ଯୁକ୍ତରାଷ୍ଟ୍ର ଆମେରିକାରେ ଅବସ୍ଥାପିତ ।

 

ଘନଘନ ଜେଲବରଣ ହେତୁ ପ୍ରାଣନାଥଙ୍କ ପାରିବାରିକ ଜୀବନରେ ଘନଘନ ବିଚ୍ଛେଦ ସଂଘଟିତ ହୋଇଛି ସତ; କିନ୍ତୁ ସ୍ୱାମୀ–ସ୍ତ୍ରୀଙ୍କ ଉତ୍ତମ ବୁଝାମଣା ଯୋଗୁଁ ସେମାନଙ୍କ ବୈବାହିକ ଜୀବନ ଆଦର୍ଶ ହୋଇ ରହିଛି । ଶ୍ରୀମତୀ ପଟ୍ଟନାୟକ ସାଧାରଣ ପତ୍ନୀଭାବରେ ଅଭିମାନିନୀର ଭୂମିକା ନେଇ ସ୍ୱାମୀଙ୍କ ଦେଶସେବାରେ ବାଧାଦେବା ପାଇଁ ଚେଷ୍ଟା କରିନାହାନ୍ତି; ବରଂ ସେ ସ୍ୱାମୀଙ୍କୁ ଦେଶସେବା କରିବାରେ ସାହାଯ୍ୟ କରିଛନ୍ତି । ନିଜେ ସାହସର ସହିତ ପୁଅମାନଙ୍କ ପ୍ରତିପାଳନର ଦାୟିତ୍ୱ ନେଇଥିବାରୁ ପ୍ରାଣନାଥ ପୂର୍ଣ୍ଣପ୍ରାଣରେ ନିଜର କଣ୍ଟକମୟ ବିପ୍ଳବ ପଥରେ ଆଗେଇ ପାରିଛନ୍ତି । ସ୍ୱାମୀ ଜେଲରେ, ଘରେ ରୋଷେଇ କରିବାକୁ ପଇସା ନାହିଁ, ଛୋଟ ପୁଅର ଜ୍ୱର ବହୁତ ବେଶୀ, ଡାକ୍ତର ଡାକିବାକୁ ସମ୍ବଳ ନାହିଁ କି ଔଷଧ କିଣିବାକୁ ପଇସା ନାହିଁ–ଏମିତି ଅନେକ ମୁହୂର୍ତ୍ତ ଆସିଛି, କିନ୍ତୁ ଶ୍ରୀମତୀ ପଟ୍ଟନାୟକଙ୍କ ଧୈର୍ଯ୍ୟଚ୍ୟୁତି ଘଟିନାହିଁ; ବରଂ ଏ ସବୁ ଅଭାବ ଅସୁବିଧା ତାଙ୍କର ମନୋବଳକୁ ଆହୁରି ଦୃଢ଼ କରିଛି । ସେଇଥିପାଇଁ ପ୍ରାଣନାଥ ମୁକ୍ତକଣ୍ଠରେ କହୁଥିଲେ–‘‘ରାଜନୈତିକ ଜୀବନରେ ଯଦି ମୋର କିଛି ସଫଳତା ଆସିଛି, ତାହା ମୋର ସ୍ତ୍ରୀଙ୍କ ଯୋଗୁଁ ।”

 

୧୯୬୩ ସେପ୍ଟେମ୍ବର ମାସରେ ଦିଲ୍ଲୀର ରାମଲୀଳା ମଇଦାନରୁ ପାର୍ଲାମେଣ୍ଟ–ଭବନ ପର୍ଯ୍ୟନ୍ତ ଯେଉଁ ବିରାଟ ଗଣଶୋଭାଯାତ୍ରା (ଗ୍ରେଟ୍ ମାର୍ଚ୍ଚ) ସଂଘଟିତ ହୋଇଥିଲା, ପ୍ରାଣନାଥ ତାଙ୍କ ସହଧର୍ମିଣୀଙ୍କ ସହ ସେହି ଶୋଭାଯାତ୍ରାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପ୍ରକୃତରେ ଶୀମତୀ ପଟ୍ଟନାୟକ ରାଜନୈତିକ ଜୀବନରେ କେବଳ ଉତ୍ସାହ ପ୍ରଦାନ କରୁନଥିଲେ ସେ ସାଥୀ ମଧ୍ୟ ଥିଲେ-

 

କଣ୍ଟକିତ ପଥର ପଥିକ ହୋଇଥିଲେ ମଧ୍ୟ ପଟ୍ଟନାୟକ ଦମ୍ପତିଙ୍କ ବୈବାହିକ ଜୀବନ ମଧୁମୟ ହୋଇଉଠିଛି ।”

Image

 

Unknown

ସାମ୍ୟବାଦର ବାହକ

 

ଯେ ଥରେ ସାମ୍ୟବାଦର ନିଶା ଚାଖିଛି, ସେ କେବେ ଛାଡ଼ିପାରେନା । ସାମ୍ୟବାଦର ନିଶା ପିଇ ମଣିଷ ବିଳାସର ସ୍ୱପ୍ନ ଦେଖେନା; ସେ ଦେଖେ କ୍ଷୁଧାତୃଷାର ନିଷ୍ଠୁର ବାସ୍ତବତା । ଖିରି ଖେଚେଡ଼ି ପାଇଁ ସେ ତା’ର ସମୟ ବିନିଯୋଗ କରେନାହିଁ; ସମସ୍ତଙ୍କ ମୁହଁରେ ଦି’ ବକ୍ତର ପିଆଜ ପଖାଳ ଦେବାପାଇଁ ସେ ସଂଗ୍ରାମ କରେ । ଯେ ପକ୍କା ସାମ୍ୟବାଦୀ, ସେ କୌଣସି ଦଳ ବା ଗୋଷ୍ଠୀର ଛଳରେ କେବଳ ସାମ୍ୟବାଦ ମନ୍ତ୍ରର ପରିପ୍ରଚାର କରେନାହିଁ, ସେ ତା’ର ନିଜର ଜୀବନରେ ପ୍ରତିଟି କର୍ମକ୍ଷେତ୍ରରେ ସାମ୍ୟବାଦର ଆଭାସ କରେ, ନିଜକୁ ତିଳ ତିଳ କରି ନିଃଶେଷ କରି ପରର ମନରେ ହସର ଫୁଆରା ଫୁଟାଏ, ସୁଖସମ୍ଭୋଗର ସମସ୍ତ ସୁବିଧା ପାଇ ମଧ୍ୟ ସେ ସର୍ବହରାର ଜୀବନଯାପନ କରିବାକୁ ଶ୍ରେୟ ମଣେ । ପ୍ରାଣନାଥ ଥିଲେ ଏହି ଧରଣର ଏକ ସଚ୍ଚା ସାମ୍ୟବାଦୀ । ଭଗବାନ ଜନ୍ମରୁ ତାଙ୍କୁ ସତେଯେମିତି ସାମ୍ୟବାଦ ମନ୍ତ୍ରରେ ଦୀକ୍ଷିତ କରିଥିଲେ । ସମୟ ଓ ସୁଯୋଗ ଉଣ୍ଡି ସେହି ମନ୍ତ୍ରର ସେ ସଦୁପଯୋଗ କରିଛନ୍ତି ମାତ୍ର ।

 

କଂଗ୍ରେସ ସୋସାଲିଷ୍ଟ ଦଳ :

 

ଚଳିତ ଶତାବ୍ଦୀର ଦ୍ଵିତୀୟ ଦଶକରେ ମହାତ୍ମା ଗାନ୍ଧିଙ୍କ ନେତୃତ୍ୱରେ ଭାରତୀୟ ଜାତୀୟ କଂଗ୍ରେସ ପରିଚାଳିତ ହେବାପରେ ଏହା ଭାରତରେ ସର୍ବତ୍ର ପ୍ରସାରିତ ହେବାକୁ ଲାଗିଲା । ପଣ୍ଡିତ ଗୋପବନ୍ଧୁଙ୍କ ଉଦ୍ୟମରେ ଓଡ଼ିଶାରେ କଂଗ୍ରେସ ଦଳର ଏକ ଶାଖା ଖୋଲିଲା ଏବଂ ଓଡ଼ିଶା ଜାତୀୟ ଆନ୍ଦୋଳନ ସ୍ରୋତରେ ସାମିଲ ହେଲା । ୧୯୨୧ରେ ଗାନ୍ଧିଜୀଙ୍କ ଓଡ଼ିଶା ଆଗମନ କିଶୋର ପ୍ରାଣନାଥଙ୍କ ମନରେ ଶିହରଣ ସୃଷ୍ଟି କରିଥିଲା । ଗାନ୍ଧିଜୀ ଓ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଦେଶସେବା କରିବାକୁ ସଂକଳ୍ପ କଲେ ଏବଂ ୧୯୩୦ରେ କଂଗ୍ରେସ ଦଳରେ ସକ୍ରିୟ ଭାବରେ ଅଂଶଗ୍ରହଣ କଲେ । ଜାତୀୟ ଆନ୍ଦୋଳନରେ ଯୋଗ ଦେଇଥିବା ଯୁବଗୋଷ୍ଠୀ ମନ୍ଥରଭାବରେ ଗତି କରୁଥିବା ଅହିଂସା ଆନ୍ଦୋଳନରେ ବୀତସ୍ପୃହ ହୋଇ ବିପ୍ଳବାତ୍ମକ କର୍ମପନ୍ଥା ବାଛିନେବା ପାଇଁ ମନ ବଳେଇଲେ । ଏହା ସୃଷ୍ଟି କଲା କଂଗ୍ରେସ ଦଳ ଭିତରେ ଏକ ସମାଜବାଦୀ ଗୋଷ୍ଠୀ ।

 

୧୯୩୩ ମସିହାରେ ଓଡ଼ିଶାରେ ଯେଉଁ ସମାଜବାଦୀ ସଂଗଠନ ଗଢ଼ାଗଲା, ତା’ର ସୂତ୍ରଧର ଥିଲେ ଶ୍ରୀ ନବକୃଷ୍ଣ ଚୌଧୁରୀ । ଓଡ଼ିଶା କଂଗ୍ରେସ ସାମ୍ୟବାଦୀ କର୍ମୀ ସଂଘର ଭିତ୍ତିପ୍ରସ୍ତର ସ୍ଥାପନ ହେଲା । ଏହି ସଂଘର ସଦସ୍ୟମାନେ ଶପଥ ଗ୍ରହଣକଲେ ଯେ କେହି ନିଜର ବ୍ୟକ୍ତିଗତ ସମ୍ପତ୍ତି କରିବେ ନାହିଁ ଏବଂ ଯାହାର ଯାହା ଅଛି ତାହା ଏହି ସଂଘକୁ ଦାନ କରିବେ । ଶ୍ରୀ ନବକୃଷ୍ଣ ଚୌଧୁରୀ ତାଙ୍କର ଛୋଟ ଜମିଦାରୀ ଓ ଚାଷଜମି ଏବଂ ଶ୍ରୀମତୀ ମାଳତୀ ଚୌଧୁରୀ ତାଙ୍କର ସମସ୍ତ ଗହଣା ଏହି ସଂଘ ହାତରେ ସମର୍ପି ଦେଇଥିଲେ । ଏହି ଗହଣା ବିକି ଯେଉଁ ଧାନ ମିଳିଲା, ତାକୁ ପୁଞ୍ଜି କରି ପ୍ରଥମ ସମାଜବାଦୀ ସାପ୍ତାହିକ ‘ସାରଥୀ’ ପ୍ରକାଶ ପାଇଲା । ପାଟନାରୁ ଭଗବତୀଚରଣ ପାଣିଗ୍ରାହୀ, ବାରାଣସୀରୁ ପ୍ରାଣନାଥ ପଟ୍ଟନାୟକ ପ୍ରମୁଖ ତରୁଣ ଏହି ପତ୍ରିକାରେ ବିପ୍ଳବାତ୍ମକ ସାମ୍ୟବାଦୀ ଲେଖାମାନ ପ୍ରକାଶ କଲେ । ୧୯୩୪ରେ ପ୍ରାଣନାଥ କାଶୀ ବିଦ୍ୟାପୀଠରୁ ଶାସ୍ତ୍ରୀ ଉପାଧି ପାଇ ଫେରିଆସିଲେ । ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କଦ୍ୱାରା ଦୀକ୍ଷିତ ମାର୍କ୍ସବାଦର ମନ୍ତ୍ରରେ ସେ ଓଡ଼ିଶାର ସମାଜବାଦୀ ବନ୍ଧୁମାନଙ୍କୁ ଆପ୍ୟାୟିତ କଲେ । ଯୁବକ ପ୍ରାଣନାଥଙ୍କ ମାର୍କ୍ସ ଓ ଲେନିନ୍‍ବାଦ ଉପରେ ଗଭୀର ପାଣ୍ଡିତ୍ୟ ଓଡ଼ିଶାର ସମାଜବାଦୀ ବନ୍ଧୁମାନଙ୍କୁ ତାଙ୍କ ଆଡ଼କୁ ଟାଣିଆଣିଥିଲା ।

 

ଆଚାର୍ଯ୍ୟ ନରେନ୍ଦ୍ର ଦେବ, ସମ୍ପୂର୍ଣ୍ଣା ନନ୍ଦ ଓ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ୧୯୩୪ରେ ବିଧିବଦ୍ଧଭାବରେ ଭାରତରେ କଂଗ୍ରେସ ସୋସାଲିଷ୍ଟ ପାର୍ଟି ଜନ୍ମଲାଭ କଲା ଏବଂ ଓଡ଼ିଶାରେ ଏହା ଗଢ଼ାଗଲା ନବକୃଷ୍ଣ ଚୌଧୁରୀ, ପ୍ରାଣନାଥ ଓ ଭଗବତୀଚରଣ ପାଣିଗ୍ରାହୀ ପ୍ରମୁଖଙ୍କ ନେତୃତ୍ୱରେ । ଏ ଦଳର ପ୍ରଥମ ସଭାପତି ଥିଲେ ପ୍ରଣନାଥ ଏବଂ ସଂପାଦକ ଭାଗବତୀଚରଣ । ଏମାନଙ୍କ ବ୍ୟତୀତ ମାଳତୀ ଚୌଧୁରୀ, ମୋହନ ଦାସ, ଗତିକୃଷ୍ଣ ସ୍ୱାଇଁ, ଗୁରୁଚରଣ ପଟ୍ଟନାୟକ, ଗୋକୁଳ ମୋହନ ରାଏ ଚୂଡ଼ାମଣି, ପର୍ଶୁରାମ ପଦାତିକରାୟ, ସୁରେନ୍ଦ୍ରନାଥ ଦ୍ୱିବେଦୀ, ଗଙ୍ଗାଧର ମିଶ୍ର, ଗୌରାଙ୍ଗ ଚରଣ ଦାସ, ଫନି ପାଲ୍, ସୁଧୀର ଘୋଷ ପ୍ରମୁଖ ମଧ୍ୟ ଏହି ଦଳରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ମଇ ୨୮, ୧୯୩୪ରେ ଗୟାଠାରେ ନିଖିଳ ଭାରତ କଂଗ୍ରେସ ସୋସାଲିଷ୍ଟ ପାର୍ଟିର ପ୍ରଥମ ସମ୍ମିଳନୀ ଓ ଜୁନ ୫, ୧୯୩୪ରେ ଏହି ପାର୍ଟିର ପ୍ରଥମ ଅଧିବେଶନ ପ୍ରାଣନାଥଙ୍କ ଲିଖିତ ଅଭିଭାଷଣରେ ସମାଜବାଦ ଓ ଶ୍ରେଣୀ ସଂଘର୍ଷର ବିଶ୍ଳେଷଣ କରାଯାଇଥିଲା । ଏହା ‘ସାରଥି’ ପତ୍ରିକାରେ ପ୍ରକାଶ ପାଇଥିଲା ।

 

ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟିର ମୂଳଦୁଆ ସ୍ଥାପନ :

 

କଂଗ୍ରେସ ଦଳରେ ରହିଥିଲେ ମଧ୍ୟ ଅନେକ ଯୁବକ ସାମ୍ୟବାଦ ଆଡ଼କୁ ଆକୃଷ୍ଟ ହୋଇଥିଲେ । ବ୍ରିଟିଶ୍ ସରକାରକୁ ହଟାଇବାକୁ ହେଲେ ତାହାର ଏଜେଣ୍ଟ ରାଜା ଜମିଦାରମାନଙ୍କୁ ପ୍ରଥମେ ହଟାଇବାର ସଂକଳ୍ପ ନେଲେ ଏହି ସାମ୍ୟବାଦୀ ଯୁବଗୋଷ୍ଠୀ । ଶ୍ରେଣୀସଂଘର୍ଷ ଯେ ମାନବଜାତିର ଉନ୍ନତିବିଧାନ ପାଇଁ ଅପରିହାର୍ଯ୍ୟ–ଏହା ଥିଲା ସେମାନଙ୍କର ମୂଳମନ୍ତ୍ର । କୃଷକ ଓ ଶ୍ରମିକ ଶ୍ରେଣୀକୁ ସଜ୍ଜିତ ଓ ସଂଗଠିତ କରିବା ଥିଲା ସେମାନଙ୍କର ମୁଖ୍ୟ କାମ । ଏହି କମ୍ୟୁନିଷ୍ଟ ଆନ୍ଦୋଳନକୁ ବ୍ରିଟିଶ୍ ସରକାର କୋପଦୃଷ୍ଟିରେ ଦେଖୁଥିଲେ; ତେଣୁ ଏହା ଗୁପ୍ତରେ ପ୍ରସାରିତ ହେବାକୁ ଲାଗିଲା । ପାର୍ଟି ସମ୍ୱିଧାନ ବା ସାଙ୍ଗଠନିକ ପଦ୍ଧତି ଅନୁସାରେ ଅନ୍ୟୁନ ତିନିଜଣଙ୍କୁ ନେଇ ଗୋଟିଏ ସେଲ୍ ଗଠିତ ହୋଇଥିଲା ଗୁରୁଚରଣ ପଟ୍ଟନାୟକ, ପ୍ରାଣନାଥ ପଟ୍ଟନାୟକ ଓ ଭଗବତୀଚରଣ ପାଣିଗ୍ରାହୀଙ୍କ ଦ୍ୱାରା । ଭଗବତୀ ପାଟନାରୁ ଏବଂ ପ୍ରାଣନାଥ ଓ ଗୁରୁଚରଣ ବାରାଣସୀରୁ ମାର୍କ୍ସବାଦୀ ମନ୍ତ୍ରରେ ଦୀକ୍ଷିତ ହୋଇ ଓଡ଼ିଶାରେ ତା’ର ପ୍ରସାର କରିବାପାଇଁ ଚେଷ୍ଟିତ ହେଲେ ।

 

ପ୍ରାଣନାଥ ବାରାଣସୀରୁ ଓଡ଼ିଶା ଫେରିବା ବାଟରେ ୧୯୩୫ରେ ଖଡ଼ଗପୁରରେ ତିନିମାସ ରହି ରେଳବାଇ ଶ୍ରମିକ ସଂଗଠନ ସହିତ ସମ୍ପର୍କ ପ୍ରତିଷ୍ଠା କରିଥିଲେ । ଓଡ଼ିଶାକୁ ଫେରି ସେ କୃଷକ ଆନ୍ଦୋଳନରେ ନିଜକୁ ସାମିଲ କଲେ । ଓଡ଼ିଶାର ଚାଷୀମାନଙ୍କୁ ଏକତାବଦ୍ଧ କରିବାରେ ପ୍ରାଣନାଥଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ଅବସରରେ ଚିର ଅବହେଳିତ ତଥା ବ୍ରିଟିଶ ସରକାରଙ୍କ ନଗ୍ନ ଦମନଲୀଳାର ପ୍ରତୀକ ଖୋର୍ଦ୍ଧା ହସ୍ତମୁଦି ମାହାଲକୁ ନିଜର କର୍ମକ୍ଷେତ୍ର କରିବାପାଇଁ ପ୍ରାଣନାଥ ସ୍ଥିର କଲେ ।

 

ଗୁରୁଚରଣ କାଶୀ ବିଦ୍ୟାପୀଠରୁ ଫେରି ୧୯୩୬ରେ କଲିକତାରେ ରହି ବଙ୍ଗଳା କମ୍ୟୁନିଷ୍ଟ ପାର୍ଟି ସହିତ ସମ୍ପର୍କ ସ୍ଥାପନ କଲେ ଏବଂ ୧୯୩୬ ସେପ୍ଟେମ୍ବର ମାସରେ ବଙ୍ଗଳା କମ୍ୟୁନିଷ୍ଟ ପାର୍ଟିର ସଭ୍ୟ ହେଲେ । ୧୯୩୬ ଅକ୍ଟୋବର ୩୦ ତାରିଖରେ ପ୍ରାଣନାଥ କଲିକତା ଯାଇ ବଙ୍ଗଳା କମ୍ୟୁନିଷ୍ଟ ପାର୍ଟିର ସଭ୍ୟ ହେଲେ । ସେହି ବର୍ଷ ଡିସେମ୍ବର ମାସରେ ଭଗବତୀ କଲିକତାରେ ଥିବା ସମୟରେ କମ୍ୟୁନିଷ୍ଟ ପାର୍ଟିର ସଭ୍ୟଭୁକ୍ତ ହେଲେ । ପୂର୍ବୋକ୍ତ ତିନିଜଣିଆ ସେଲ୍ ଗଠିତ ହେଲା ଏବଂ ୧୯୩୬ ଡିସେମ୍ବର ମାସରୁ ଓଡ଼ିଶାରେ ଏକ ବିଧିବଦ୍ଧ କମ୍ୟୁନିଷ୍ଟ ପାର୍ଟି ଗଠିତ ହୋଇ କାମ ଚାଲିଲା । ସେତେବେଳକୁ ବ୍ରିଟିଶ୍ ସରକାର କମ୍ୟୁନିଷ୍ଟ ପାର୍ଟିକୁ ବେଆଇନ୍ ଘୋଷଣା କରି ରଖିଥିବାରୁ କମ୍ୟୁନିଷ୍ଟ ପାର୍ଟି ନାମରେ କୌଣସି ଖୋଲାଖୋଲି ଆନ୍ଦୋଳନ କରାଯାଇପାରୁନଥିଲା । ଗୁପ୍ତ କମ୍ୟୁନିଷ୍ଟ ପାର୍ଟିର ସଭ୍ୟ ହେବା ମଧ୍ୟ ସେତେବେଳେ କାଠିକର ପାଠ ଥିଲା । କାଶୀ ବିଦ୍ୟାପୀଠରେ ପ୍ରାଣନାଥ ଓ ଗୁରୁଚରଣ ଶ୍ରୀ କେ. ଏନ୍ ଯୋଗେଲ୍ କରଙ୍କ ସଂସ୍ପର୍ଶରେ ଆସିଥିଲେ । ଯୋଗେଲ୍ କର ମିରଟ୍ କମ୍ୟୁନିଷ୍ଟ ଷଡ଼ଯନ୍ତ୍ର ମାମଲାରେ ଅଭିଯୁକ୍ତ ହୋଇ ପରେ ଜେଲରୁ ମୁକ୍ତ ହୋଇଥିଲେ । ଏହାଙ୍କର ସୁପାରିସକ୍ରମେ ପ୍ରାଣନାଥ ଓ ଗୁରୁଚରଣଙ୍କୁ ବଙ୍ଗଳା କମ୍ୟୁନିଷ୍ଟ ପାର୍ଟିରେ ସଦସ୍ୟ ଭାବରେ ଗ୍ରହଣ କରାଯାଇଥିଲା ।

 

ଓଡ଼ିଶାରେ କଂଗ୍ରେସ ଦଳ ଭିତରେ ଥାଇ ସାମ୍ୟବାଦୀ କାର୍ଯ୍ୟରେ ପ୍ରାଣନାଥ ନିଜକୁ ନିୟୋଜିତ କରିଥିଲେ । ୧୯୪୨ ମଧ୍ୟଭାଗରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଆଇନ୍ ସଙ୍ଗତ ପାର୍ଟି ରୂପେ କାର୍ଯ୍ୟକଲା । ସେହି ବର୍ଷ ଗାନ୍ଧିଜୀଙ୍କ ନେତୃତ୍ୱରେ ‘ଭାରତ ଛାଡ଼’ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରି ପ୍ରାଣନାଥ ଦୀର୍ଘକାଳ ଜେଲ୍ ବରଣ କରିଥିଲେ । ଦ୍ଵିତୀୟ ମହାଯୁଦ୍ଧର ଶେଷଭାଗକୁ ଜାନୁଆରୀ, ୧୯୪୫ରେ ତାଙ୍କୁ ଜେଲ୍‍ରୁ ଖଲାସ କରାଗଲା । ସେତେବେଳେ ସେ ଖୋଲାଖୋଲି ଭାବରେ କମ୍ୟୁନିଷ୍ଟ ପାର୍ଟିରେ ଯୋଗଦେଲେ ଏବଂ କଂଗ୍ରେସ ଦଳରୁ ଇସ୍ତଫା ଦେଲେ ।

 

କମ୍ୟୁନିଷ୍ଟ ବିଭାଜନ :

 

୧୯୩୦ରେ କଂଗ୍ରେସ ଦଳରେ ଯୋଗଦେବା ଦିନଠାରୁ ପ୍ରାଣନାଥ ସାମ୍ୟବାଦୀ ଦର୍ଶନ ପ୍ରତି ଆକୃଷ୍ଟ ହୋଇଥିଲେ । କଂଗ୍ରେସରୁ ଇସ୍ତଫା ଦେବା ପର୍ଯ୍ୟନ୍ତ ସେ କଂଗ୍ରେସ ଦଳରେ ସାମ୍ୟବାଦୀ ମନୋଭାବର ନେତୃତ୍ୱ ନେଉଥିଲେ । ୧୯୩୭ରେ କଂଗ୍ରେସ ଟିକଟରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ସେ ମୁଖ୍ୟତଃ ମଳିମୁଣ୍ଡିଆଙ୍କ ନେତୃତ୍ୱ ନେଇଥିଲେ ଏବଂ ସେମାନଙ୍କ ଉନ୍ନତିବିଧାନ ପାଇଁ ଚେଷ୍ଟିତ ଥିଲେ । ୧୯୩୦ ରୁ ୧୯୪୫ ଭିତରେ ଜାତୀୟ ଆନ୍ଦୋଳନରେ ଭାଗନେଇ ସେ ଦଶଥର ଜେଲ୍ ବରଣ କରିଥିଲେ । ତା’ ପରେ ସେ ଖୋଲାଖୋଲି ଭାବରେ କମ୍ୟୁନିଷ୍ଟ ପାର୍ଟିର ନେତୃତ୍ୱ ନେବାପାଇଁ ମନସ୍ଥ କରି କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ । ତାଙ୍କ ନେତୃତ୍ୱରେ ଓଡ଼ିଶାରେ କୃଷକ ସଭା ସ୍ଥାପିତ ହେଲା । ୧୯୫୭ରେ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ ଭାବରେ ସେ ଖୋର୍ଦ୍ଧାରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ବିଧାୟକଦଳର ଦଳପତି ହୋଇଥିଲେ । ଓଡ଼ିଶାରେ କମ୍ୟୁନିଷ୍ଟ ଆନ୍ଦୋଳନର ସେ ଥିଲେ ଅଗ୍ରଣୀ । ଭାରତ–ଚୀନ୍ ମୈତ୍ରୀର ସେ ଥିଲେ ଏକ ପ୍ରଧାନ ପୃଷ୍ଠପୋଷକ । ଅକ୍ଟୋବର, ୧୯୬୨ରେ ଭାରତ ଉପରେ ଚୀନ୍‍ର ଅଚାନକ ଆକ୍ରମଣରେ ସେ ସ୍ତମ୍ଭୀଭୂତ ହୋଇପଡ଼ିଥିଲେ । ତାଙ୍କର ଅନେକ କମ୍ୟୁନିଷ୍ଟ ବନ୍ଧୁ ସାମ୍ୟବାଦୀ ଚୀନ୍‍ର ଏହି ଆକ୍ରମଣକୁ ଏକ ମୁକ୍ତିସଙ୍ଗ୍ରାମ ବୋଲି ଆଖ୍ୟା ଦେଇ ଚୀନ୍ ଆକ୍ରମଣକୁ ସେମାନଙ୍କର ସମର୍ଥନ ଜଣାଇଲେ । ପ୍ରାଣନାଥ ମୁଖ୍ୟତଃ ଥିଲେ ଜଣେ ଜାତୀୟବାଦୀ । ଅନ୍ୟ ରାଷ୍ଟ୍ର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବାର ସେ ଘୋର ବିରୋଧୀ ଥିଲେ । ତେଣୁ, ଚୀନ୍ ଏକ କମ୍ୟୁନିଷ୍ଟ ଦେଶ ହେଲେ ମଧ୍ୟ ସେ ଚୀନ୍‍ର ଭାରତ ଆକ୍ରମଣର ତୀବ୍ର ସମାଲୋଚନା କରିଥିଲେ । ନେହେରୁ–ଚାଓ–ଏନ୍–ଲାଇଙ୍କ ଅନୁସୃତ ପଞ୍ଚଶୀଳ ନୀତିର ପଶ୍ଚାତ୍ ଭାଗରେ ଚୀନ୍ ଯେ ଛୁରିକାଘାତ କରିଛି, ସେଥିରେ ତାଙ୍କର ତିଳେମାତ୍ର ସନ୍ଦେହ ରହିଲାନାହିଁ । କମ୍ୟୁନିଷ୍ଟ ପାର୍ଟିରେ ଦେଖାଦେଲା ତୁମୁଳ ମତଭେଦ । ୧୯୬୩ରେ ଏହି ଆଦର୍ଶକୁ ନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଦୁଇଭାଗ ହୋଇଗଲା । ନିମ୍ବୁଦ୍ରି ପଦ୍, ଜ୍ୟୋତି ବସୁ, ପ୍ରମୋଦ ଦାସଗୁପ୍ତା ପ୍ରମୁଖଙ୍କ ନେତୃତ୍ୱରେ ଗଢ଼ାହେଲା ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟି । ଡାଙ୍ଗେ, ରାଜେଶ୍ୱର ରାଓ, ଭୂପେଶ ଗୁପ୍ତା, ପ୍ରାଣନାଥ ପ୍ରମୁଖ ଚୀନ୍‍ର ନୀତିକୁ ତୀବ୍ର ସମାଲୋଚନା କରି ଦେଶୀୟ ଭାବଧାରାରେ ଉଦ୍‍ବୁଦ୍ଧ ହେଲେ ଏବଂ ଭାରତୀୟ ମୂଳ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ହୋଇ ରହିଲେ-। ପ୍ରାଣନାଥଙ୍କ ନେତୃତ୍ୱରେ ପରିଚାଳିତ ଓଡ଼ିଶାର କମ୍ୟୁନିଷ୍ଟ ପାର୍ଟି ମୁଖ୍ୟତଃ ମୂଳ କମ୍ୟୁନିଷ୍ଟ ପାର୍ଟି ଭାବରେ ରହିଲା । ରାଜ୍ୟ ନେତୃତ୍ୱ ଭିତରୁ ବନମାଳୀ ଦାସ, ଶିବାଜୀ ପଟ୍ଟନାୟକ ପ୍ରମୁଖ କେତେକେ ବ୍ୟକ୍ତିଙ୍କୁ ଛାଡ଼ିଦେଲେ ଅନ୍ୟମାନେ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିକୁ ବିରୋଧ କଲେ । ଓଡ଼ିଶାରେ କମ୍ୟୁନିଷ୍ଟ ଆନ୍ଦୋଳନର ପୀଠସ୍ଥଳୀ ଖୋର୍ଦ୍ଧାରେ ସେତେବେଳେ ଏକ ଚହଳ ଖେଳିଗଲା-। ଚୀନକୁ ଏକ ମୁକ୍ତିବାହିନୀର ପ୍ରତୀକ ବୋଲି ବିଚାରୁଥିବା ଦଳେ ଯୁବକ ଆନ୍ତର୍ଜାତିକ କ୍ଷେତ୍ରରେ କମ୍ୟୁନିଷ୍ଟ ଆନ୍ଦୋଳନକୁ ତୀବ୍ରତର କରିବାପାଇଁ ଚୀନର ପଦକ୍ଷେପକୁ ସମର୍ଥନ କରିବା ଲାଗି ପ୍ରାଣନାଥଙ୍କୁ ବାଧ୍ୟକଲେ । କିନ୍ତୁ ପ୍ରାଣନାଥ ଥିଲେ ଜଣେ ସଚ୍ଚା ଦେଶପ୍ରେମୀ । ତାଙ୍କର ମନୋଭାବ ଅଟଳ ରହିଲା । ସେ ପୂର୍ବୋକ୍ତ ଯୁବଗୋଷ୍ଠୀଦ୍ୱାରା ଭର୍ତ୍ସିତ ହେଲେ ମଧ୍ୟ ନିଜର ମନୋଭାବ ପରିବର୍ତ୍ତନ କଲେନାହିଁ । ସେ ବିଚାରୁଥିଲେ ଯେ ଆମେ ପ୍ରଥମେ ଭାରତୀୟ, ତା’ ପରେ ଯେ କୌଣସି ଦଳୀୟ ସଦସ୍ୟ । ତେଣୁ ଜାତୀୟତାବିରୋଧୀ ସମସ୍ତ କାର୍ଯ୍ୟକଳାପକୁ ସେ ଘୋର ବିରୋଧ କରୁଥିଲେ ।

 

ସଚ୍ଚା କମ୍ୟୁନିଷ୍ଟ :

 

୧୯୩୪ରେ ପୁରୀ ଜେଲରୁ ଖଲାସ ହେବାପରେ ପ୍ରାଣନାଥ ପଣ କରିଥିଲେ ଯେ ଜୀବନ ସାରା ଦେଶସେବା କରିବେ । ତେଣୁ ସେ ଭବିଷ୍ୟତ ଜୀବନରେ ସୁଖ ସମ୍ଭୋଗ ଲାଭ କରିବାର ସୁଯୋଗ ପାଇଥିଲେ ମଧ୍ୟ ସବୁଥିରୁ ଦୂରେଇ ରହିଲେ । ଦେଶସେବା କରିବା ଉଦ୍ଦେଶ୍ୟରେ ସେ ସାମ୍ୟବାଦର ପନ୍ଥାକୁ ଉତ୍କୃଷ୍ଟ ପନ୍ଥା ବୋଲି ବାଛି ନେଇଥିଲେ । ସେ ଥିଲେ ଜଣେ ସଚ୍ଚା ସାମ୍ୟବାଦୀ । ସେ କେବେ ଦୁଗ୍ଧଫେନନିଭ ଶଯ୍ୟାରେ ଶୋଇବା ପାଇଁ କିମ୍ବା ପ୍ରକାଣ୍ଡ ପ୍ରାସାଦରେ ରହିବାପାଇଁ ପସନ୍ଦ କରୁନଥିଲେ । ଏ ସବୁର ସୁଯୋଗ ପାଇ ମଧ୍ୟ ସେ ଗୋଟିଏ ଛୋଟ ପ୍ରକୋଷ୍ଠରେ ରହି ଖଣ୍ଡେ ମଶିଣା ବା କାନ୍ଥରେ ଶୋଇ ନିଜର ସାମ୍ୟବାଦୀ ଦର୍ଶନକୁ ଚରିତାର୍ଥ କରୁଥିଲେ । ତାଙ୍କର ଖାଇବା ଅଭ୍ୟାସ ମଧ୍ୟ ଅତି ସରଳ ଥିଲା । ବଗଡ଼ା ଚାଉଳର ଭାତ ଏବଂ ଡାଲମା ଥିଲା ତାଙ୍କର ନିତିଦିନିଆ ଖାଦ୍ୟ ସାମଗ୍ରୀ । ତାହା ପୁଣି ସାଧାରଣ ଆଲୁମିନିୟମ ଥାଳି ଗିନାରେ କିମ୍ବା ଖଲିଦନାରେ ତାଙ୍କ ପାଇଁ ବଢ଼ାଯାଉଥିଲା । ମଣିଷଟଣା ବାହନ ଅର୍ଥାତ୍ ରିକ୍ସାରେ ଚଢ଼ିବାର ସେ ଘୋର ବିରୋଧୀ ଥିଲେ । ଭୁବନେଶ୍ୱରରେ ଗୋଟିଏ ଜାଗାରୁ ଅନ୍ୟ ଜାଗା ବହୁତ ବାଟ । ସେ କିନ୍ତୁ କେବେ ରିକ୍ସା ବ୍ୟବହାର କରିନାହାନ୍ତି । କାଖରେ ଖଣ୍ଡେ ଛିଣ୍ଡା ଛତା ଜାକି ସେ ପଦବ୍ରଜରେ ଯିବାଆସିବା କରୁଥିଲେ । ଖୋର୍ଦ୍ଧା ଅଞ୍ଚଳର ପ୍ରତ୍ୟେକ ଗାଁକୁ ସେ ଚାଲି ଚାଲି ଏକାଧିକବାର ଯାଇଛନ୍ତି । ଦେଖିବାକୁ ପ୍ରାଣନାଥ ଥିଲେ ଗୌରବର୍ଣ୍ଣର ଏକ ସୁଶ୍ରୀ ସୁକୁମାର ମଣିଷ-। ମୁହଁରେ ଥିଲା ତାଙ୍କର ସର୍ବଦା ମୁରୁକିହସ; କିନ୍ତୁ ସେ ଥିଲେ ପ୍ରକୃତରେ ମଳିମୁଣ୍ଡିଆଙ୍କର ଏକ ସଚ୍ଚା ପ୍ରତିନିଧି । ଭବିଷ୍ୟତ ଜୀବନରେ ତାଙ୍କର ସନ୍ତାନଗଣ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ହୋଇସାରିବା ପରେ ତାଙ୍କୁ ସୁସ୍ଥ ଜୀବନଯାପନ କରିବାପାଇଁ ବହୁବାର ଅନୁରୋଧ କରିଥିଲେ; କିନ୍ତୁ ତାଙ୍କ ଆଦ୍ୟ ଜୀବନର ପଣ ଥିଲା ଭୀଷ୍ମଙ୍କ ପଣପରି ଅଟଳ ଓ ପବିତ୍ର । ତାଙ୍କର ଅନେକ ସହକର୍ମୀ ରାଜନୈତିକ ପ୍ରଭାବ ପକାଇ ଭବିଷ୍ୟତ ଜୀବନରେ ବିପୁଳ ଅର୍ଥର ଅଧିକାରୀ ହୋଇଛନ୍ତି, ସାମ୍ୟବାଦୀ ମନ୍ତ୍ରରେ ଦୀକ୍ଷିତ ହୋଇ ମଧ୍ୟ ବ୍ୟକ୍ତିଗତ ଭାବରେ ବିଳାସବ୍ୟସନରେ ଲିପ୍ତ ରହିଛନ୍ତି ଅଥବା ଅର୍ଥକରୀ ବିଭିନ୍ନ ବ୍ୟବସାୟରେ ପ୍ରତ୍ୟକ୍ଷ ବା ପରୋକ୍ଷରେ ଜଡ଼ିତ ରହିଛନ୍ତି–କିନ୍ତୁ ସବୁ କିଛିର ସୁବିଧା ଥାଇ ମଧ୍ୟ ପ୍ରାଣନାଥ ଜଣେ ଦରିଦ୍ର ନାଗରିକର ଜୀବନଯାପନ କରିଛନ୍ତି ତାଙ୍କର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ । ମହାତ୍ମା ଗାନ୍ଧିଙ୍କ ସରଳ ଜୀବନ-ଯାପନ ପ୍ରଣାଳୀ ପ୍ରାଣନାଥଙ୍କୁ ଛାତ୍ରାବସ୍ଥାରୁ ପ୍ରଭାବିତ କରିଥିଲା । ସେ ଥିଲେ ପ୍ରକୃତରେ ଜଣେ ସଚ୍ଚା ସାମ୍ୟବାଦୀ ।

Image

 

ଜନନାୟକ

 

ଯେଉଁ କେତେକ ମହନୀୟ ବ୍ୟକ୍ତି ନେତୃତ୍ୱର ଅପ୍ରତିଦ୍ୱନ୍ଦୀ ପାହାଚରେ ଉପନୀତ ହୋଇ ମଧ୍ୟ ନିଜକୁ ସମାଜର ଦରିଦ୍ରତମ ମଣିଷ ସହିତ ଅବିରତ ସଂଶ୍ଳିଷ୍ଟ ରଖିଥିଲେ ପ୍ରାଣନାଥ ସେମାନଙ୍କ ମଧ୍ୟରେ ଅନ୍ୟତମ । ‘କର୍ମ ହିଁ ଧର୍ମ’ ଥିଲା ତାଙ୍କର ଜୀବନର ଦର୍ଶା । ଦୁଃଖ ଓ ସୁଖର ବିଭିନ୍ନ ପ୍ରଭାବ ତାଙ୍କର ହୃଦୟରେ ହୁଏତ ବିଭିନ୍ନ ପ୍ରତିକ୍ରିୟା ସୃଷ୍ଟି କରୁଥିଲା; କିନ୍ତୁ ସବୁ ସମୟରେ ତାଙ୍କ ମୁଖମଣ୍ଡଳରେ ଉଦ୍‍ଭାସିତ ହେଉଥିଲା ଏକ ନିର୍ଲିପ୍ତ ହସ । ଆଉ ଏହି ହସଟିକକ ପ୍ରପୀଡ଼ିତ ଏବଂ ନିର୍ଯ୍ୟାତିତ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଥିଲା ସହାନୁଭୂତିର ଶୀତଳ ଚନ୍ଦନ–ଯେଉଁଥିପାଇଁ ସେମାନେ ପ୍ରାଣନାଥଙ୍କ ପ୍ରତି ସ୍ୱତଃ ଆକୃଷ୍ଟ ହୋଇଆସୁଥିଲେ ।

 

କୃଷକ ସମାଜ ଓ ପ୍ରାଣନାଥ :

 

କୃଷକମାନଙ୍କୁ ଏକଜୁଟ୍ କରି ଜମିଦାରଙ୍କ କବଳରୁ ସେମାନଙ୍କୁ ରକ୍ଷା କରିବାପାଇଁ ପ୍ରାଣନାଥ ମନୋନିବେଶ କଲେ । ବିଦେଶୀ ସରକାର ବିରୁଦ୍ଧରେ ଚାଷୀମାନଙ୍କୁ ଏକଜୁଟ୍ କରିବାକୁ ହେଲେ ସେମାନଙ୍କ ସ୍ୱାର୍ଥୂ ରକ୍ଷାକରି ସେମାନଙ୍କୁ ଯେ ଆକୃଷ୍ଟ କରିବା ନିତାନ୍ତ ଦରକାର ତାହା ସେ ହୃଦୟଙ୍ଗମ କରିପାରିଥିଲେ । ଲକ୍ଷ୍ନୌ କଂଗ୍ରେସ ଅଧିବେଶନରେ ତୁମୂଳ ସଂଘର୍ଷ ଭିତରେ ନିଖିଳ ଭାରତ କୃଷକ ସଭା ଗଠିତ ହେଲା । ସ୍ୱାମୀ ସହଜାନନ୍ଦ ସରସ୍ୱତୀ ଏହାର ସଭାପତି ହେଲେ । ତା’ପରେ ଭିନ୍ନ ପ୍ରଦେଶରେ କୃଷକ ସଭାଗୁଡ଼ିକ ଗଠିତ ହେଲା । ୧୯୩୬ ମସିହାର ପ୍ରଥମ ଭାଗରେ କଟକଠାରେ ଶ୍ରୀ ମୋହନଲାଲ ଗୌତମଙ୍କ ସଭାପତିତ୍ୱରେ ଓଡ଼ିଶାର ପ୍ରଥମ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ଗୋଦାବରୀଶ ମିଶ୍ର ଏହି ଅଭ୍ୟର୍ଥନା ସମିତିର ସଭାପତି ଥିଲେ । ଏହି ସମ୍ମିଳନୀ ପରେ ଓଡ଼ିଶାର ବିଭିନ୍ନ ସ୍ଥାନରେ କୃଷକ ସମାବେଶ ହୋଇ କୃଷକମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରାଯାଇଥିଲା ଏବଂ ଏହିସବୁ ସମ୍ମିଳନୀରେ ହଜାର ହଜାର କୃଷକ ଯୋଗଦେଇଥିଲେ । ପ୍ରାଣନାଥ ଏହି ଆନ୍ଦୋଳନରେ ମୁରବି ଥିଲେ ।” ଜମିଦାରୀ ପ୍ରଥା ଧ୍ୱଂସ ହେଉ, ‘‘ପ୍ରକୃତ ଚାଷୀ ଜମି ପାଉ", ‘‘ବେଠି ବେଗାରି ଉଠିଯାଉ’’, ‘‘ଜମି ସେସ୍ ଛାଡ଼ ହେଉ’’, ‘‘ଗଛ ମାଛରେ ଚାଷୀର ଅଧିକାର ରହୁ’’, ‘‘ମଠଧନ କୋଠ ହେଉ’’ ଆଦି ସ୍ଲୋଗାନରେ ଓଡ଼ିଶାର ଗଗନ ପବନ ପ୍ରକମ୍ପିତ ହୋଇଉଠିଲା । ଏହି ସଭାସମିତି ଯୋଗୁଁ ଚାଷୀମାନଙ୍କ ପ୍ରାଣରେ ଅଶାର ଉଦ୍ରେକ ହୋଇଥିଲା । ଓଡ଼ିଶାରେ ଗଠିତ କୃଷକସଭାର ପ୍ରଥମ ସଭାପତି ହେଲେ ତତ୍‍କାଳୀନ ଯୁବନେତା ଶ୍ରୀଯୁକ୍ତ ହରେକୃଷ୍ଣ ମହତାବ ।

 

ଓଡ଼ିଶାରେ କୃଷକସଭା ଗଠିତ ହେବା ପରେ ପ୍ରାଣନାଥଙ୍କ ନେତୃତ୍ୱରେ ପୁରୀ ଜିଲାର ନୂଆହାଟଠାରେ ପ୍ରଥମ କୃଷକ ସମ୍ମିଳନୀ ଡକାହେଲା । ସେଦିନ ମୁଷଳଧାରାରେ ବର୍ଷା ହେଉଥାଏ-। ତଥାପି ହଜାର ହଜାର କୃଷକ ସମବେତ ହୋଇଥାନ୍ତି । ଘୋର ବର୍ଷା ସତ୍ତ୍ୱେ ଏହି ସମ୍ମିଳନୀରେ ଯୋଗଦାନ କରିବାପାଇଁ ଶ୍ରୀ ନବକୃଷ୍ଣ ଚୌଧୁରୀ ଓ ଶ୍ରୀମତୀ ମାଳତୀ ଚୌଧୁରୀ ଓଦା ସରସର ହୋଇ ପହଞ୍ଚିଥିଲେ । ଏହାପରେ ପୁରୀ ଜିଲାର ପିପିଲି, ଖୋର୍ଦ୍ଧା ଓ କଟକ ଜିଲାର ଅଣଖିଆ ଓ କଥକ ସହରରେ କୃଷକ ସମାବେଶମାନ ଅନୁଷ୍ଠିତ ହୋଇଥିଲା ।

 

ଖୋର୍ଦ୍ଧା ଥିଲା ସରକାରଙ୍କ ଖାସମାହାଲ ଏବଂ ନଗ୍ନ ସାମ୍ରାଜ୍ୟବାଦୀ ଶାସନର ପ୍ରତୀକ । କଂଗ୍ରେସ ଆନ୍ଦୋଳନ ବି ସେଠି ଉଧେଇପାରୁନଥାଏ । ଏହି ସମୟରେ ଏକ ବିରାଟ କୃଷକ ସମାବେଶର ଆୟୋଜନ କରିଥିଲେ ପ୍ରାଣନାଥ । ତାଙ୍କର ଏହି ଉଦ୍ୟମକୁ ଅନେକ ପ୍ରତିଷ୍ଠିତ ନେତା ଉପହାସ କରିଥିଲେ ଏବଂ ବୃଥାରେ ସମୟ ଶକ୍ତି ଅପଚୟ ନକରିବାପାଇଁ ଉପଦେଶ ଦେଇଥିଲେ-। ତା’ ସାଙ୍ଗକୁ ଥିଲା ସରକାରୀ ଭୟ । ଏ ସବୁ ସତ୍ତ୍ୱେ ଦୂରଦୂରାନ୍ତରୁ ଚୂଡ଼ା ଚାଉଳ ବାନ୍ଧି ଅନେକ କୃଷକ ଖୋର୍ଦ୍ଧାରେ ଆସି ପହଞ୍ଚିଲେ । ଖୋର୍ଦ୍ଧାର ଚାନ୍ଦମାରି ପଡ଼ିଆ କୃଷକମାନଙ୍କ ପ୍ରାଣସ୍ପର୍ଶୀ ସ୍ଲୋଗାନରେ ମୁଖରିତ ହୋଇଉଠିଲା । ଏହି ସମ୍ମିଳନୀରେ ଦଶହଜାରରୁ ଅଧିକ ଚାଷୀ ଯୋଗଦାନ କରିଥିଲେ । ସମ୍ମିଳନୀରେ ସଭାପତିତ୍ୱ କରିଥିଲେ ଶ୍ରୀ ନବକୃଷ୍ଣ ଚୌଧୁରୀ । ଶ୍ରୀ ଯଦୁମଣି ମଙ୍ଗରାଜ, ଶ୍ରୀ ମୋହନ ଦାସ, ଶ୍ରୀ ରାଜକୃଷ୍ଣ ବୋଷ ପ୍ରମୁଖ ନେତା ଏହି ସମ୍ମିଳନୀରେ ଉଦ୍‍ବୋଧନ ଦେଇଥିଲେ । ଏହି ଅବସରରେ ଯୁବକ ପ୍ରାଣନାଥଙ୍କର ପ୍ରାଣସ୍ପର୍ଶୀ ଭାଷଣ ଏବେ ମଧ୍ୟ ଖୋର୍ଦ୍ଧା ଲୋକମାନଙ୍କର ମନେଅଛି । ବିରାଟ ଜନସମୁଦ୍ରକୁ ତାଙ୍କର ଉଦ୍‌ବୋଧନ ସୃଷ୍ଟି କରିଥିଲା ଏକ ଅପୂର୍ବ ଜାଗରଣ, ଯୁଗଯୁଗର ସାମନ୍ତବାଦୀ ଅତ୍ୟାଚାର ଓ ଶୋଷଣ ବିରୁଦ୍ଧରେ ସେ ଥିଲା ରଣହୁଙ୍କାର । ସରକାରଙ୍କ ମନରେ ଏହାପରେ ଜାଗରିତ ହୋଇଥିଲା ଆତଙ୍କ ।

 

କଟକର କୃଷକ ସମ୍ମିଳନୀ ମଧ୍ୟ ଉଲ୍ଲେଖଯୋଗ୍ୟ । କଣିକା ରାଜାଙ୍କ ଅତ୍ୟାଚାରରେ ପଟିଆର ଚାଷୀମାନେ ସର୍ବସ୍ୱାନ୍ତପ୍ରାୟ ହୋଇଗଲେ । ଏହି କୃଷକ ସଭା ସେମାନଙ୍କ ମନରେ ଦେଇଥିଲା ଅଭୟ କବଚ । କଣିକା ରାଜାଙ୍କ ବିରୁଦ୍ଧରେ ସେମାନେ ମେଳିକଲେ । ଏକ ବିରାଟ ପଟୁଆରରେ ସେମାନେ କଟକ ସମ୍ମିଳନୀରେ ଯୋଗଦେଲେ ।

 

କୃଷକ ଆନ୍ଦୋଳନର ନେତୃତ୍ୱ ନେଇ ପ୍ରାଣନାଥ ଓଡ଼ିଶାର ସର୍ବତ୍ର ଜଣେ ଏକନିଷ୍ଠ କର୍ମୀଭାବରେ ପରିଚିତ ହେଲେ । ପରାଧୀନ ତଥା ସ୍ୱାଧୀନ ଭାରତର ପ୍ରାୟ ସମସ୍ତ କୃଷକ ଆନ୍ଦୋଳନ ସହିତ ସେ ସଂପୃକ୍ତ ଥିଲେ । ଉତ୍କଳ ରାଜ୍ୟ କୃଷକ ସଭାର ଅନେକ ବର୍ଷ ଧରି ସେ ଥିଲେ ସଭାପତି । ସେ ଥିଲେ ପ୍ରକୃତରେ ଶୋଷିତ ଅବହେଳିତ କୃଷକମାନଙ୍କର ବନ୍ଧୁ ଓ ସେମାନଙ୍କ ଆନ୍ଦୋଳନର କର୍ଣ୍ଣଧାର ।

 

ପ୍ରାଦେଶିକ କଂଗ୍ରେସ କମିଟିର ସଭ୍ୟ ଭାବରେ ଏବଂ ଓଡ଼ିଶାର ପ୍ରଥମ ବିଧାନସଭାର ସଦସ୍ୟ ଭାବରେ ସେ କୃଷକମାନଙ୍କୁ ଶୋଷଣରୁ ରକ୍ଷା କରାଇବାପାଇଁ ଓ ସେମାନଙ୍କୁ ଅଧିକ ସୁବିଧା ସୁଯୋଗ ଦେବାଲାଗି ଅନବରତ ଉଦ୍ୟମ ଚଳାଇଥିଲେ । ତାଙ୍କ ଉଦ୍ୟମରେ ରୋସମ୍ * ଛାଡ଼, ଗଛମାଛ–ଉପରେ ପ୍ରଜାର ଅଧିକାର ଓ ଋଣ ସମ୍ପର୍କୀୟ ବିଭିନ୍ନ ସଂସ୍କାର ** ଆଇନରେ ପରିଣତ ହୋଇଥିଲା ।

 

ଓଡ଼ିଶା କୃଷକ ସଭା ତରଫରୁ ସାରସ୍ୱତ ପ୍ରେସ୍‍ରୁ ସ୍ୱର୍ଗତ ବାଳକୃଷ୍ଣ କରଙ୍କ ସହାୟତାରେ ‘କୃଷକ’ ନାମକ ଏକ ପତ୍ରିକା ବାହାରୁଥିଲା । ଭଗବତୀ, ପ୍ରାଣନାଥ, ଗୁରୁଚରଣ, ଅନନ୍ତ ପଟ୍ଟନାୟକ ପ୍ରମୁଖଙ୍କ ଉଦ୍ୟମରେ ଏହି ପତ୍ରିକାର ପ୍ରଚାର ଓ ପ୍ରସାର ହେଉଥିଲା । କୃଷକ ଆନ୍ଦୋଳନର ଏହା ଥିଲା ଏକ ଅମୋଘ ଅସ୍ତ୍ର । ଚାଷୀମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟିକରି ଏହା ସେମାନଙ୍କୁ ଏକତାବଦ୍ଧ କରିବାରେ ସହାୟତା କରିଥିଲା ।

 

* ଜମି ବିକ୍ରୀ କର୍ତ୍ତା ଜମିଦାରଙ୍କୁ ଶତକଡ଼ା ୨୫ ଭାଗ ଦେଉଥିଲା ।

 

** ଋଣକର୍ତ୍ତାର ଦଖଲବନ୍ଧକ ୧୫ ବର୍ଷ ପରେ ମୁକୁଳିବା ଓ ସାଧାରଣ ସୁଦ୍ଧ ଶତକଡ଼ା ୯ ଭାଗ ହେବା ।

 

୧୯୪୨ ବେଳକୁ କୃଷକ ଆନ୍ଦୋଳନ ଓଡ଼ିଶା ସାରା ବ୍ୟାପି ଯାଇଥିଲା । ବ୍ରିଟିଶ୍ ବିରୁଦ୍ଧରେ ସ୍ୱାଧୀନତା ଆନ୍ଦୋଳନ ମଧ୍ୟ ଘନେଇ ଆସିଥାଏ । ଦ୍ଵିତୀୟ ମହାଯୁଦ୍ଧ ମଧ୍ୟ ତୀବ୍ରତର ହୋଇଥାଏ । କୁଜଙ୍ଗ ନିକଟସ୍ଥ ସମୁଦ୍ରରେ ବ୍ରିଟିଶ୍ ଜାହାଜକୁ ଆକ୍ରମଣ କରି ୫ - ୬ ଘଣ୍ଟା କାଳ ସଂଘର୍ଷ ପରେ ଜାପାନୀ ନୌ–ସୈନ୍ୟ ବ୍ରିଟିଶ୍ ଜାହାଜକୁ ଧ୍ୱଂସ କରି ଫେରିଯାଇଥାନ୍ତି । କମାଣ ଓ ତୋପର ଗର୍ଜନରେ ଉପକୂଳ ଅଧିବାସୀ ଭୀତତ୍ରସ୍ତ ହୋଇପଡ଼ିଥାନ୍ତି । ସେତେବେଳେ ଆସିଲା ୧୯୪୨ ଅଗଷ୍ଟ ୯ ତାରିଖରେ ଭାରତଛାଡ଼ ଆନ୍ଦୋଳନର ଡାକରା । ଓଡ଼ିଶାର ଚାଷୀମାନଙ୍କ ମନୋବଳ ଶକ୍ତ କରିବାପାଇଁ ସେହିଦିନ ଏକ ବିରାଟ କୃଷକ ମେଳାର ଆୟୋଜନ କରାଯାଇଥାଏ-। ସ୍ୱାମୀ ସହଜାନନ୍ଦ ସରସ୍ୱତୀଙ୍କୁ ଏଥିରେ ପୌରୋହିତ୍ୟ କରିବା ଲାଗି ଆମନ୍ତ୍ରଣ କରାଯାଇଥାଏ-। ଓଡ଼ିଶାର ସବୁ ଅଞ୍ଚଳରୁ ଚାଷୀମାନଙ୍କୁ ସଂଗଠିତ କରି କଟକ ଆଣିବାର ଯୋଜନା କରାଯାଇଥିଲା-। କଂଗ୍ରେସ–ସୋସାଲିଷ୍ଟ ପାର୍ଟିର ନେତୃତ୍ୱରେ ଏହା କରାଯାଉଥିଲା । ସମ୍ବଲପୁର, ଗଂଜାମ, ବାଲେଶ୍ୱର ପ୍ରଭୃତି ଜିଲାମାନଙ୍କରୁ ବହୁସଂଖ୍ୟାରେ କୃଷକମାନଙ୍କ ଆଗମନର ବ୍ୟବସ୍ଥା କରାଯାଇଥାଏ । ବୋଲଗଡ଼, ବେଗୁନିଆ, ଖୋର୍ଦ୍ଧା ଅଞ୍ଚଳର ଚାଷୀମାନଙ୍କୁ ଏକତ୍ର କରି କଟକକୁ ଆଣିବାର ଭାର ପ୍ରାଣନାଥ ଓ ତାଙ୍କ ସହକର୍ମୀ ଶ୍ରୀ ପର୍ଶୁରାମ ପଦାତିକରାୟ, ଶ୍ରୀ ଗୋକୁଳ ମୋହନ ରାୟ ଚୂଡ଼ାମଣି, ଶ୍ରୀ ଦିଗମ୍ବର ହରିଚନ୍ଦନ ପ୍ରମୁଖଙ୍କ ଉପରେ ପଡ଼ିଥାଏ । ଦଳଦଳ କୃଷକ ନାଚି ମଉଜ ମଜଲିସ କରି କଥକ ଆଡ଼କୁ ଆଗେଇ ଚାଲିଥାନ୍ତି । ବାଟରେ ଗାଁମାନଙ୍କରେ ସେମାନଙ୍କୁ ଅଭୂତପୂର୍ବ ଅଭ୍ୟର୍ଥନା ମିଳୁଥାଏ । ଗ୍ରାମବାସୀମାନେ କୀର୍ତ୍ତନ କରି, ବାଜା ବଜାଇ ପାଛୋଟି ନେଉଥାନ୍ତି । ସ୍ତ୍ରୀଲୋକମାନେ ହୁଳହୁଳି ଦେଇ, ଶଙ୍ଖ ବଜାଇ ବନ୍ଦାପନା କରୁଥାନ୍ତି । ଚାଲି ଚାଲି ସମସ୍ତଙ୍କ ଗୋଡ଼ରେ ଫୋଟକା ପଡ଼ିଯାଇଥାଏ, କିନ୍ତୁ ଧାଁ–ଧପଡ଼ ଚାଲିଥାଏ, ନାଚଗୀତ ଚାଲିଥାଏ–ମନରେ ଥାଏ ସମସ୍ତଙ୍କର ଅଦମ୍ୟ ଉତ୍ସାହ । ଗୀତବାଦ୍ୟର ମଝିରେ ମଝିରେ ବକ୍ତୃତା ମଧ୍ୟ ଚାଲିଥାଏ ।

 

ଅଗଷ୍ଟ ୯ ତାରିଖ ସକାଳେ କାଠଯୋଡ଼ି ନଦୀ କୂଳରେ ପହଞ୍ଚି କୃଷକମାନେ ଚଢ଼ିଲେ ଆଗରୁ ଠିକ୍ କରାଯାଇଥିବା ଅନେକ ଡଙ୍ଗାରେ । ସମସ୍ତଙ୍କ ମନରେ ମହୋଲ୍ଲାସ । ଡଙ୍ଗାଗୁଡ଼ିକ କାଠଯୋଡ଼ି ପଥର ବନ୍ଧ ନିକଟ ହୋଇ ଆସିଲାବେଳେ ଦେଖାଗଲା ବନ୍ଧୁକଧାରୀ ପୋଲିସ ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ଲମ୍ବି ଯାଇଛନ୍ତି–କୃଷକମାନଙ୍କୁ ସ୍ୱାଗତ କରିବାପାଇଁ ନୁହେଁ, କଟକ ଭିତରେ ପଶିବାକୁ ବରଣ କରିବାପାଇଁ । ଭାରତର ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କୁ ଅଗଷ୍ଟ ୮ ତାରିଖ ରାତି ବାରଟାରୁ ଗିରଫଦାର କରିବା ଆରମ୍ଭ ହୋଇଥିଲା । ଅଗଷ୍ଟ ୯ ତାରିଖ ସକାଳେ ପ୍ରାଣନାଥଙ୍କୁ ଅଟକବନ୍ଦୀ କରାଗଲା । ବନ୍ଦୀଶାଳାର ଲୌହ କବାଟ ଆରପଟେ ପୁଣି ଅଢ଼େଇ ବର୍ଷ ନିର୍ଜନବାସ !

 

ନଙ୍ଗଳ ଚୋର ପ୍ରାଣନାଥ :

 

‘‘ନଙ୍ଗଳ ଯା’ର ଜମି ତାର’’ ସ୍ଲୋଗାନ୍ ଖଟିଖିଆ ଛୋଟ ଚାଷୀଙ୍କ କାନରେ ପ୍ରଥମେ ଶୁଣାଇଥିଲେ ପ୍ରାଣନାଥ । ଭାଗଚାଷ ଜରିଆରେ କିଛି ପରିଶ୍ରମ ନକରି ଜମିମାଲିକ ଫସଲର ଅର୍ଦ୍ଧେକରୁ ଅଧିକ ନେଇଯାଉଥିବାରୁ ଏବଂ ଜମିହୀନ ଭାଗଚାଷୀମାନଙ୍କୁ ବେଠି ରୂପେ ଖଟାଉଥିବାରୁ ପ୍ରାଣନାଥଙ୍କ ନେତୃତ୍ୱରେ ଏହା ବିରୁଦ୍ଧରେ ଏକ ଅଭିଯାନ ଆରମ୍ଭ ହେଲା । ୧୯୪୫ରେ ପ୍ରଥମେ ଏହି ଆନ୍ଦୋଳନର ସୂତ୍ରପାତ ହେଲା ଖୋର୍ଦ୍ଧା ନିକଟବର୍ତ୍ତୀ ଓଳସିଂହଠାରେ । ପ୍ରାଣନାଥ ଭାଗଚାଷୀ ପ୍ରକୃତ ଚାଷୀକୁ ଫସଲ ସ୍ୱତ୍ୱ ଦେବାପାଇଁ ଆଇନରେ ଆବଶ୍ୟକ ପରିବର୍ତ୍ତନ ଆଣିବାକୁ ବ୍ୟବସ୍ଥାପକ ସଭାରେ ଦାବି କଲେ ଏବଂ ସଭାସମିତିରେ ଚାଷୀମାନଙ୍କୁ ପ୍ରଚଳିତ ପ୍ରଥାର ବିରୋଧ କରି ନିଜର ଉତ୍ପାଦିତ ଶସ୍ୟକୁ ନିଜ ଘରକୁ ନେଇଯିବା ପାଇଁ ଆହ୍ୱାନ ଦେଲେ ।

 

ସଂଘବଦ୍ଧ ହୋଇ ପରସ୍ପରକୁ ସାହାଯ୍ୟ କରି ଚାଷୀମାନେ ଧାନ କାଟିଲେ ଏବଂ ଗୋଟିଏ କୋଠଖଳା କରି ସମସ୍ତେ ଜଗିଲେ । ରାୟପୁର, କୃଷ୍ଣପୁର, ମଳିପଡ଼ା, ଗୋଡ଼ିପଡ଼ା ପ୍ରଭୃତି ଅଞ୍ଚଳରେ ମଶାଲ ପଟୁଆର କରି ରାତି ଅଧରେ ଧାନ ସବୁ କାଟି ଅଣାହେଲା । ପ୍ରାଣନାଥଙ୍କ ନେତୃତ୍ୱରେ ଶ୍ରୀ ରାମକୃଷ୍ଣ ପତି, ଶ୍ରୀ ପର୍ଶୁରାମ ପଦାତିକରାୟ, ଶ୍ରୀ ଗଙ୍ଗାଧର ମିଶ୍ର ପ୍ରମୁଖ ଯୁବକମାନେ ଏହି ଆନ୍ଦୋଳନକୁ ସୁଚାରୁରୂପେ ଚଳାଇଥିଲେ । ସେ ଅଞ୍ଚଳରେ ଚାଷୀମେଳି ଓ ପ୍ରାଣନାଥଙ୍କ ନାମ ଶୁଣିଲେ ଧନୀ ଜମିଦାରମାନେ ଭୀତତ୍ରସ୍ତ ହୋଇ ପୋଲିସର ସାହାଯ୍ୟ ଲୋଡ଼ୁଥିଲେ ।

 

ଦିନକର ଘଟଣା ମଳିପଡ଼ା ଗାଁରେ ସୂର୍ଯ୍ୟ ଆକାଶରେ ଉଇଁ ଆସୁଛନ୍ତି । ଚାଷୀମାନେ ସଂଘବଦ୍ଧ ହୋଇ ବାହାରିଛନ୍ତି ଜମି ହଳ କରିବାପାଇଁ । ଜମି ମାଲିକମାନେ ଗୁଣ୍ଡାଶ୍ରେଣୀର ଲୋକମାନଙ୍କୁ ଲଗାଇ ଚାଷୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବାକୁ ଚେଷ୍ଟା କରୁଥାନ୍ତି । ଆଇନଭଙ୍ଗ ଆଶଙ୍କାରେ ସଶସ୍ତ୍ର ପୋଲିସ୍ ଜଗୁଆଳ ସଦାସର୍ବଦା ଜାଗ୍ରତ ଥାଏ । ସେଦିନର ଚାଷୀମେଳିରେ ଥିଲେ ଶତ ଶତ ଚାଷୀ । ସେମାନଙ୍କୁ ମୁକାବିଲା କରିବାପାଇଁ ଗୁଣ୍ଡାମାନେ ଜମି ଉପରେ ଠିଆହେଲେ । ଚାଷୀମାନଙ୍କୁ ନେତୃତ୍ୱ ଦେଉଥାନ୍ତି ପ୍ରାଣନାଥ । ପ୍ରଥମେ ପ୍ରତିରୋଧ କରିବାରେ ବିଫଳ ମନୋରଥ ହୋଇ ବହୁସଂଖ୍ୟାରେ ଚାଷୀମାନଙ୍କୁ ଦେଖି ଗୁଣ୍ଡାବାହିନୀ ପୃଷ୍ଠଭଙ୍ଗ ଦେଲେ ଏବଂ ‘ମା ଲୋ ବୋଉଲୋ’ ବୋଲି ଚିତ୍କାର କରି ସଶସ୍ତ୍ର ପୋଲିସର ଶରଣ ଭିକ୍ଷା କଲେ ।

 

ଶାନ୍ତିଭଙ୍ଗ ହୋଇଥିବା ଆଶଙ୍କା କରି ପୋଲିସ ଫୌଜ ଆସିଲେ । ସଙ୍ଗେ ସଙ୍ଗେ ପ୍ରାଣନାଥଙ୍କୁ ଗିରଫ କରାଗଲା । ମଳିପଡ଼ା ମହନ୍ତଙ୍କ ଲୋଟା ଓ ନଙ୍ଗଳ ଚୋରି କରିଥିବା ଅପରାଧରେ ତାଙ୍କ ନାମରେ ମୋକଦ୍ଦମା ରୁଜୁ କରାଗଲା ଏବଂ ବିଚାର ଚାଲିଲା । କଟକ, ସମ୍ବଲପୁର, ବ୍ରହ୍ମପୁର ପ୍ରଭୃତି ଅଞ୍ଚଳର ବୁଦ୍ଧିଜୀବୀମାନେ ଏ ଘଟଣାର ନିନ୍ଦାବାଦ କଲେ । ନଙ୍ଗଳ ଚୋରିରେ ପ୍ରାଣନାଥଙ୍କୁ ଅଭିଯୁକ୍ତ କରାଯିବା ଆକ୍ରୋଶମୂଳକ ବୋଲି ଓଡ଼ିଶା ସାରା ଜନମତ ସୃଷ୍ଟି ହେଲା । ସେତେବେଳେ ବ୍ରିଟିଶ ରାଜୁତି ଚାଲିଥାଏ; କିନ୍ତୁ ମୁଖ୍ୟମନ୍ତ୍ରୀ ଥାନ୍ତି ଶ୍ରୀଯୁକ୍ତ ହରେକୃଷ୍ଣ ମହତାବ । ତାଙ୍କ ହସ୍ତକ୍ଷେପ ଫଳରେ ଏହି ମୋକଦ୍ଦମାକୁ ସ୍ୱାଧୀନତା ଦିବସ ପୂର୍ବରୁ ଉଠାଇ ନିଆଗଲା ।

 

ଯୁବକ ସମ୍ମିଳନୀ :

 

ପ୍ରାଣନାଥ ଦେଖିବାକୁ ଥିଲେ ଅତ୍ୟନ୍ତ ଶାନ୍ତ, କିନ୍ତୁ ବିପ୍ଲବର ଶିଖା ତାଙ୍କ ଭିତରେ ଜଳି ଉଠୁଥିଲା । ସେ ବିଚାର କରୁଥିଲେ ଯେ, ଯୁବଶକ୍ତି ହିଁ ପ୍ରକୃତ ଶକ୍ତି ଯାହା ଶୋଷଣ ବିରୁଦ୍ଧରେ ସଂଗ୍ରାମ କରିପାରିବ । ୧୯୩୭ ଦଶହରାରେ ଶ୍ରୀ ଗୋକୁଳ ମୋହନ ରାୟ ଚୂଡ଼ାମଣି, ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ ସହକର୍ମୀଙ୍କ ସାହାଯ୍ୟରେ ପ୍ରାଣନାଥ ଖୋର୍ଦ୍ଧାରେ ଏକ ଯୁବ ସମ୍ମିଳନୀ ଡାକିବା ପାଇଁ ସ୍ଥିର କଲେ । ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ ବିଦ୍ୟାଧର, କୃତ୍ତିବାସ ପାଟଶାଣୀ ପ୍ରମୁଖ ବୀରମାନଙ୍କ ପତନ ପରେ ଊନବିଂଶ ଶତାବ୍ଦୀର ମଧ୍ୟଭାଗରୁ ଖୋର୍ଦ୍ଧାର ପାଇକ ପୁଅମାନଙ୍କ ହାତରୁ ଧନୁ, ବର୍ଚ୍ଛା, ଖଣ୍ଡା, ତରୁଆଲ୍ ଛଡ଼େଇ ନାଁ ହୋଇଥିଲା । ବ୍ରିଟିଶ୍ ଆକ୍ରୋଶର ଫଳସ୍ୱରୂପ ଏକ ବୀର ଜାତିକୁ ଯୁଦ୍ଧ କ୍ଷେତ୍ରରୁ ତଡ଼ି ନିଆଯାଇଥିଲା ଶସ୍ୟ କ୍ଷେତ୍ରକୁ । ଶହେ ବର୍ଷରୁ ଊର୍ଦ୍ଧ୍ୱକାଳ ପାଇକ ପୁଅମାନେ ନିଜ ନିଜ ଶାଣିତ ଅସ୍ତ୍ର ସବୁ ଘର ଭିତରେ ଲୁଚାଇ ରଖିଲେ ଏବଂ ଜମିଦାର ଗୋଷ୍ଠୀର ଶୋଷଣରେ ପାଲଟି ଯାଇଥିଲେ ଗୋଟାଏ ଗୋଟାଏ ଜାନୁଆର୍ । ପ୍ରଥମେ କୃଷକ ସଭା ଜରିଆରେ ସେମାନଙ୍କର ସୁପ୍ତ ବୀରତ୍ୱକୁ ପୁନର୍ଜୀବିତ କରାଯାଇଥିଲା । ଯୁବକ ସମ୍ମିଳନୀ ଜରିଆରେ ଯୁବଶକ୍ତିକୁ ପ୍ରଖର କରିବାର ପ୍ରାୟ ହେଲା । ଅନେକେ ପ୍ରାଣନାଥଙ୍କୁ ଏ ଦିଗରେ ହତୋତ୍ସାହ କଲେ ଏବଂ ଏପରି ଏକ ସମ୍ମିଳନୀରେ ପଚାଶ ଶହେରୁ ବେଶି ଲୋକ ହେବେ ନାହିଁ ବୋଲି ତାଗିଦ୍ କଲେ । କିନ୍ତୁ ପ୍ରାଣନାଥ ନଛୋଡ଼ବନ୍ଧା ଥିଲେ । ଦିନେ ବୀରତ୍ଵରେ ଉଦ୍‍ବେଳିତ ଏକ ଜାତି ଯେ ଆଜି ନାରୀସୁଲଭ ଶାନ୍ତିପ୍ରିୟତା ପ୍ରଦର୍ଶନ କରୁଛି ତାହା ତାଙ୍କୁ ବ୍ୟଥିତ କଲା ଏବଂ ଆଉ ଥରେ ଉପଯୁକ୍ତ ବାତାବରଣରେ ସେହି ସୁପ୍ତ ସିଂହକୁ ଜାଗ୍ରତ କରିହେବ ବୋଲି ତାଙ୍କର ଧାରଣା ଦୃଢ଼ ହେଲା ।

 

ଗୁରୁଜଙ୍ଗ ପଲଟଣ ପଡ଼ିଆରେ ସମ୍ମିଳନୀର ଆୟୋଜନ କରାହୋଇଥିଲା । ଏଥିରେ ପୌରୋହିତ୍ୟ କରିଥିଲେ ଶ୍ରୀ ଶରତ ପଟ୍ଟନାୟକ ଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ବମ୍ବେର ଶ୍ରୀ ସୋଲି ବଟ୍‍ଲିବାଲା । ସମାଲୋଚକମାନଙ୍କର ଆଶଙ୍କାକୁ ମିଥ୍ୟା ପ୍ରମାଣିତ କରି ସହସ୍ରାଧିକ ଆବାଳବୃଦ୍ଧ ଘରେ ସାଇତି ରଖିଥିବା ଶହେ ବର୍ଷ ତଳର ପାରମ୍ପରିକ ପୋଷାକ ପିନ୍ଧି ଖୋର୍ଦ୍ଧା ଏବଂ ଅଖପାଖ ଅଞ୍ଚଳରୁ ବାହାରି ଯେତେବେଳେ ଖଣ୍ଡା ତରୁଆଲ୍ ବୁଲାଇ ବୁଲାଇ ସଭାସ୍ଥଳକୁ ଅଗ୍ରସର ହେଲେ ସେତେବେଳେ ଦର୍ଶକମାନଙ୍କର ଆଖି ଝଲସିଗଲା ଓ ବ୍ରିଟିଶ୍ ଶାସକ ଗୋଷ୍ଠୀର ମନରେ ପ୍ରବେଶ କଲା କୋକୁଆ ଭୟ । ରାଜପଥ ଉପରେ ବିରାଟ ଶୋଭାଯାତ୍ରା, ଓଡ଼ିଆ ପାଇକ ପୁଅର ଜୟଜୟକାର ଧ୍ୱନି ।

 

ଶତ୍ରୁ ରକ୍ତ–ପିପାସୁ ଲୁକ୍‍କାୟିତ ଅସିର ପୁନଃଉତ୍ତୋଳନରେ ପାଇକ ବୀର ପୁଣି ଥରେ ପାଇଲା ବୀର ଜାତିର ଉନ୍ମାଦନା, ଧମନୀରେ ତା’ର ଆଉ ଥରେ ପ୍ରବାହିତ ହେଲା ତତଲା ଲହୁ । ଏହି ଯୁବକ ସମ୍ମିଳନୀରେ ସାତ ହଜାରରୁ ଅଧିକ ଲୋକ ଯୋଗଦେଇଥିଲେ । ନୂତନ ଯୁଗର ଡାକରାରେ ମାତୃଭୂମିକୁ ମୁକ୍ତ କରିବାପାଇଁ ସମସ୍ତେ ଶପଥ ନେଲେ ।

 

ଏହାପରେ କଟକରେ ଏକ ବିରାଟ ଯୁବ ସମ୍ମିଳନୀର ଆୟୋଜନ କରାଗଲା । ପ୍ରାଣନାଥ ଓ ଭଗବତୀଙ୍କ ନେତୃତ୍ୱରେ ତତ୍‍କାଳୀନ ଯୁବନେତା ଶ୍ରୀ ରାମକୃଷ୍ଣ ପାଟି, ଶ୍ରୀ ଗଙ୍ଗାଧର ମହାପାତ୍ର, ଶ୍ରୀ ଅନନ୍ତ ପଟ୍ଟନାୟକ, ଶ୍ରୀ ଗୁରୁଚରଣ ପଟ୍ଟନାୟକ ପ୍ରମୁଖ ଏହି ସମ୍ମିଳନୀର ଉଦ୍ୟୋକ୍ତା ଥିଲେ । ସ୍ୱର୍ଗତ ଜୟପ୍ରକାଶ ନାରାୟଣ ଏହି ସମ୍ମିଳନୀର ସଭାପତି ଥିଲେ । ଛାତ୍ର ଓ ଯୁବକମାନଙ୍କ ମନରେ ଏହି ସମ୍ମିଳନୀ ଅଦମ୍ୟ ପ୍ରେରଣା ସୃଷ୍ଟି କରିପାରିଥିଲା ।

 

ବ୍ୟବସ୍ଥାପକ ପ୍ରାଣନାଥ

 

ଭାରତର ପ୍ରଥମ ନିର୍ବାଚନ ଲଢ଼େଇ :

 

୧୯୩୫ ମସିହା ଭାରତ ଶାସନ ଆଇନ୍ ଅନୁସାରେ ପ୍ରଦେଶମାନଙ୍କୁ ଅନେକ କ୍ଷେତ୍ରରେ ସ୍ୱାତନ୍ତ୍ର୍ୟ ମିଳିଲା । ଅପ୍ରେଲ ୧, ୧୯୩୬ ମସିହାରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠିତ ହେଲା । ଭାରତ ଶାସନ ଆଇନ ବଳରେ ସ୍ୱାୟତ୍ତଶାସନ ପ୍ରଚଳନ କରିବାପାଇଁ ଭାରତ ସାରା ନିର୍ବାଚନର ଆୟୋଜନ ହେଲା । ଅନେକ ବାଦାନୁବାଦ ପରେ କଂଗ୍ରେସ ଏହି ନିର୍ବାଚନରେ ଭାଗନେବାକୁ ସ୍ଥିର କଲା ।

 

ଓଡ଼ିଶା ପ୍ରଦେଶରେ ଥିଲା ଷାଠିଏ ଗୋଟି ଆସେମ୍ବ୍ଲି ସିଟ୍ ସେତେବେଳେ ସାବାଳକ ଭୋଟଦାନ ପ୍ରଥା ନଥିଲା । ସବର୍ଣ୍ଣ ଲୋକେ ବାରଅଣା ଓ ଅସବର୍ଣ୍ଣ ଲୋକେ ଛଅଣା ଟିକସ ଦେଉଥିଲେ ଭୋଟର ହୋଇପାରୁଥିଲେ । ଯେ ମେଟ୍ରିକ୍ ପାଶ୍ କରିଛି ସେ ମଧ୍ୟ ଭୋଟଦାନର ଅଧିକାର ପାଇଥିଲା । ଓଡ଼ିଶାର ମୋଟ ଭୋଟର ସଂଖ୍ୟା ଥିଲା ୫ ଲକ୍ଷ ୨୦ ହଜାର ୫୮୪ ।

 

ଆସେମ୍ବ୍ଲିର ଷାଠିଏଟି ସିଟ୍‍ରୁ ଛପନ ଗୋଟି ନିର୍ବାଚିତ ସିଟ୍ ଏବଂ ଚାରୋଟି ଆଦିବାସୀମାନଙ୍କ ମଧ୍ୟରୁ ମନୋନୀତ ସିଟ୍ । ଛପନଟି ନିର୍ବାଚିତ ସିଟ୍‍ରୁ ୪୧ଟି ଥିଲା ସାଧାରଣ, ୬ଟି ଅନୁସୂଚିତ ଜାତି, ଦୁଇଟି ମହିଳା, ଦୁଇଟି ଜମିଦାର, ଚାରୋଟି ମୁସଲମାନ, ଗୋଟିଏ ଖ୍ରୀଷ୍ଟିଆନ୍ ସିଟ୍ ।

 

ବ୍ରହ୍ମପୁରଠାରେ ପ୍ରାଦେଶିକ କଂଗ୍ରେସ କମିଟି ବୈଠକ ବସି କିଏ କେଉଁଠି ପ୍ରାର୍ଥୀ ହେବେ ବିଚାର ପଡ଼ିଲା । ଖୋର୍ଦ୍ଧା ପାଇଁ କେତେକ ପୁରୁଖା ନେତା ସ୍ୱାମୀ ବିଚିତ୍ରାନନ୍ଦ ଦାସଙ୍କ ନାମ ପ୍ରସ୍ତାବ କଲେ । କିନ୍ତୁ ଅଧିକାଂଶ ସଭ୍ୟ, ବିଶେଷତଃ ଯୁବଗୋଷ୍ଠୀର ସଭ୍ୟମାନେ ଯୁବ–କୃଷକ ନେତା ପ୍ରାଣନାଥଙ୍କ ସପକ୍ଷରେ ମତଦେଲେ । ପ୍ରାଣନାଥ କଂଗ୍ରେସ ଟିକଟ ପାଇ ଖୋର୍ଦ୍ଧାରୁ ନିର୍ବାଚନ ଲଢ଼େଇ ପାଇଁ ପ୍ରସ୍ତୁତ ହେଲେ ।

 

ନିର୍ବାଚନ ଲଢ଼େଇରେ ଅବତୀର୍ଣ୍ଣ ହେବା ସମୟରେ ତାଙ୍କ ପାଖରେ ଥିଲା ମାତ୍ର ପାଞ୍ଚଅଣା ପଇସା ଏବଂ ଥିଲେ କେତେଜଣ ଉତ୍ସାହୀ ଯୁବବନ୍ଧୁ । ତାଙ୍କ ସହିତ ନିର୍ବାଚନ ଲଢ଼େଇ କରୁଥାନ୍ତି କନିକା ରାଜାଙ୍କ ପକ୍ଷରୁ ପୁରୀର ନାମଜାଦା ଓକିଲ ଶ୍ରୀ ବ୍ରହ୍ମାନନ୍ଦ ମହାନ୍ତି ଏବଂ ପାରଳା ମହାରାଜାଙ୍କ ପକ୍ଷରୁ ଶ୍ରୀ ମଧୁସୂଦନ ପଟ୍ଟନାୟକ । ଏତଦ୍‍ବ୍ୟତୀତ ଜଣେ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଛିଡ଼ାହୋଇଥାନ୍ତି । ଇଂରେଜ ସରକାର କଂଗ୍ରେସ ପ୍ରାର୍ଥୀମାନଙ୍କୁ ପରାସ୍ତ କରିବାପାଇଁ ଉପାୟ ପାଞ୍ଚିଥିବାରୁ ସେମାନଙ୍କ ବିପକ୍ଷ ପ୍ରାର୍ଥୀମାନଙ୍କୁ ପରୋକ୍ଷରେ ସାହାଯ୍ୟ କରିବାକୁ ପ୍ରଶାସନିକ କର୍ତ୍ତୃପକ୍ଷଙ୍କୁ ଭିତିରିଆ ସୂଚେଇ ଦିଆଯାଇଥିଲା । ପୁଣି ଖୋର୍ଦ୍ଧା ସରକାରଙ୍କ ହସ୍ତମୁଦିମାହାଲ ହୋଇଥିବାରୁ ପ୍ରଶାସନିକ ଅଫିସରଙ୍କର ବେଶି କ୍ଷମତା ଥିଲା । ତତ୍‍କାଳୀନ ଏସ୍. ଡ଼ି. ଓ. ଶ୍ରୀ ରାଧାଚରଣ ଦାସଙ୍କୁ ସେତେବେଳେ ଖୋର୍ଦ୍ଧାର ଲୋକେ ବହୁତ ଡରୁଥିଲେ । ନିର୍ବାଚନ ପ୍ରଚାର ପାଇଁ ଖୋର୍ଦ୍ଧା ଛନ୍ଦମାରୀ ପଡ଼ିଆରେ ଗୋଟିଏ ସଭା କରିବାକୁ ଅନୁମତି ଦେବାପାଇଁ ପ୍ରାଣନାଥ ଓ ତାଙ୍କ ଯୁବବନ୍ଧୁମାନେ ଏସ୍.ଡ଼ି.ଓଙ୍କ ପାଖରେ ପହଞ୍ଚିଲେ । ଏସ୍.ଡ଼ି.ଓ.ଙ୍କ ଦେଖାମିଳିବା ଅନେକ କଷ୍ଟ । ବହୁ ସମୟ ଅପେକ୍ଷା କରି ସେମାନେ ସାହେବଙ୍କ ସାକ୍ଷାତ ନପାଇ ଫେରିଆସିଲେ । ଏହା ସଭା ନକରାଇ ଦେବାର ଉଦ୍ଦେଶ୍ୟ ବୋଲି ସେମାନେ ବୁଝିପାରିଲେ । ତଥାପି ସଭାର ଆୟୋଜନ ଜୋର୍‍ସୋର୍‍ରେ ଚାଲିଲା । ଲୋକେ ଖୋଲାଭାବରେ ସମର୍ଥନ ନକଲେ ମଧ୍ୟ ଲୁଚିଛପି ପ୍ରାଣନାଥଙ୍କୁ ସମର୍ଥନ କରୁଥିଲେ ଏବଂ ଆର୍ଥିକ ସାହାଯ୍ୟ ଦେଉଥିଲେ । ଖୋର୍ଦ୍ଧା, ଚନ୍ଦକା, ଜଟଣୀ ଓ ଭୁବନେଶ୍ୱରକୁ ନେଇ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଗଢ଼ାହୋଇଥିଲା । ପ୍ରାଣନାଥ ଏବଂ ତାଙ୍କର ସହକର୍ମୀମାନେ ଚାଲି ଚାଲି ନିର୍ବାଚନ ପ୍ରଚାରପାଇଁ ବାହାରିଲେ । ଅଢ଼େଇ ଟଙ୍କା ଦେଇ ହଜାରେ ପ୍ରଚାରପତ୍ର ଛପା ହେଲା ।

 

ସଭାର ଦିନ ପାଖେଇ ଆସିଲା । ହଠାତ୍ ଦିନେ ଏସ୍.ଡ଼ି.ଓ.ଙ୍କ ପାଖରୁ ପ୍ରାଣନାଥଙ୍କ ନିକଟକୁ ଡାକରା ଆସିଲା । ସେ ଓ ତାଙ୍କ ଯୁବବନ୍ଧୁଙ୍କ ମଧ୍ୟରୁ କେତେଜଣ ସାହେବଙ୍କ ସାକ୍ଷାତ କରିବାପାଇଁ ଗଲେ । ସାହେବ ବସିବାକୁ କହିବା ତ ଦୂରେ ଥାଉ ତାଙ୍କର ଅଭ୍ୟାସ ମୁତାବକ ନାଲିଆଖିରେ ପ୍ରାଣନାଥ ଓ ତାଙ୍କ ବନ୍ଧୁମାନଙ୍କ ଆଡ଼କୁ ଅନେଇଁ ରହିଲେ । ପ୍ରାଣନାଥଙ୍କ ଯୁବକ–ସୁଲଭ ମନ ମଧ୍ୟରେ ଏପରି ଅଭଦ୍ରାମି ନିଶ୍ଚୟ ଗଭୀର ରେଖାପାତ କରିଥିବ; କିନ୍ତୁ ସେ ତାଙ୍କର ଗତାନୁଗତିକ ହସହସ ମୁହଁରେ ଏସ୍.ଡ଼ି.ଓ.ଙ୍କୁ ସମ୍ବର୍ଦ୍ଧନା ଜଣାଇଲେ । ସାହେବ ବହୁତ ରାଗିଗଲେ–ତାଙ୍କର ମନେହେଲା ପ୍ରାଣନାଥ ତାଙ୍କୁ ଥଟ୍ଟା କରୁଛନ୍ତି । ସେ ଧମକଦେଇ କହିଲେ ଯେ, ତାଙ୍କର ବିନା ଅନୁମତିରେ ଚାନ୍ଦମାରୀ ପଡ଼ିଆରେ ସଭା ହୋଇପାରିବ ନାହିଁ ଏବଂ ସଭାକୁ ଗଲେ ସମସ୍ତେ ଗିରଫ ହେବେ । ପ୍ରାଣନାଥଙ୍କ ଜନୈକ ବନ୍ଧୁ ରାଗରେ ସାହେବଙ୍କୁ ଦି’ପଦ ଶୁଣାଇ ଦେଲେ; କିନ୍ତୁ ପ୍ରାଣନାଥ ସହାସ୍ୟ ବଦନରେ ନମସ୍କାର ଜଣାଇ ଫେରିଆସିଲେ ।

 

ସେଦିନ ଆକାଶ ମେଘାଚ୍ଛନ୍ନ । ଅସରା ପରେ ଅସରା ବର୍ଷା ହେଉଥାଏ ଗଳିକନ୍ଦିରେ ପୋଲିସ ପଇଁତରା ମାରି ଲୋକଙ୍କୁ ସଭାକୁ ନ ଯିବାକୁ ଭୟଭୀତ କରାଉଥାନ୍ତି । ଚାନ୍ଦମାରୀ ପଡ଼ିଆରେ ପଣ୍ଡିତ ନୀଳକଣ୍ଠ ଦାସ, ଶ୍ରୀ ନବକୃଷ୍ଣ ଚୌଧୁରୀ, ଶ୍ରୀ ମୋହନ ଦାସ, ଶ୍ରୀ ରାଜକୃଷ୍ଣ ବୋଷ, ଶ୍ରୀ ଯଦୁମଣି ମଙ୍ଗରାଜ ପ୍ରମୁଖ ନେତାମାନେ ପହଞ୍ଚିଯାଇଥାନ୍ତି । ଖାଲି ପଡ଼ିଆ ଦେଖି ସଭାର ଉଦ୍ୟୋକ୍ତାଙ୍କ ମନରେ ନିରାଶ ଭାବ ଖେଳିଯାଇଥାଏ । ହଠାତ୍ ଗଳିକନ୍ଦିରୁ ଭୁସ୍ ଭାସ୍ ହୋଇ ଲୋକମାନେ ବହୁ ସଂଖ୍ୟାରେ ବାହାରିବାକୁ ଲାଗିଲେ । କେଇ ମିନିଟ୍ ଭିତରେ ଚାନ୍ଦମାରୀ ପଡ଼ିଆ ଲୋକାରଣ୍ୟ ହୋଇଗଲା । ସଭାରେ ବକ୍ତାମାନେ ଖୁବ୍ ଉତ୍ତେଜନାମୂଳକ ବକ୍ତୃତାମାନ ଦେଲେ । କରତାଳି ଧ୍ୱନିରେ ଗଗନ ପବନକୁ ପ୍ରକମ୍ପିତ କରି ସମବେତ ଜନତା କଂଗ୍ରେସ ପ୍ରତି ସେମାନଙ୍କର ସମର୍ଥନ ଜଣାଇଲେ ।

 

କିଛିଦିନ ପରେ ପଣ୍ଡିତ ଜବାହାରଲାଲ ନେହେରୁ ନିର୍ବାଚନ ଗସ୍ତରେ ଓଡ଼ିଶା ଆସିଲେ । ନେହେରୁ ଭୁବନେଶ୍ୱରରେ ପହଞ୍ଚିବା ସମୟରେ ତାଙ୍କୁ ଯେଉଁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା, ଓଡ଼ିଶାରେ କଂଗ୍ରେସର ଲୋକପ୍ରିୟତାର ତାହା ଯଥେଷ୍ଟ ସୂଚନା ଦେଇଥିଲା । ସେଦିନର ଦୀପାବଳୀସମ ଆଲୋକ ସଜ୍ଜା, ଯାତ୍ରା, ମେଢ଼ ଓ ବାଣରେ ଭୁବନେଶ୍ୱର ଉତ୍ସବମୁଖର ହୋଇଉଠିଲା । ଏକ ବିରାଟ ସାଧାରଣ ସଭାରେ ଭାଷଣ ଦେଇ ନେହେରୁ ସେଦିନ ରାତିରେ ଭୁବନେଶ୍ୱରରେ ବିଶ୍ରାମ ନେଲେ । ପରେ ପୁରୀ, ସାକ୍ଷୀଗୋପାଳ, ପିପିଲି ଡେଲାଙ୍ଗ ଓ ଜଟଣୀରେ ସଭା ଶେଷକରି ନେହେରୁ ଆସିଲେ ଖୋର୍ଦ୍ଧାକୁ । ଖୋର୍ଦ୍ଧା ସଭାରେ ମାତ୍ର ଦଶମିନିଟ ବକ୍ତୃତାଦେବାର ସମୟ ନିର୍ଘଣ୍ଟ ପ୍ରସ୍ତୁତ ହୋଇଥିଲା । ବିଶାଳ ଜନସମାଗମରେ ପଲଟନ ପଡ଼ିଆରେ ସଭା ହେଲା ।

 

ସେଦିନର ଏକ ସ୍ମରଣୀୟ ଘଟଣା । ସେ କାଳର ସ୍କୁଲ ଛାତ୍ରମାନଙ୍କର ଏବେବି ମନେଅଛି । ନେହେରୁଙ୍କୁ ଦେଖିବାପାଇଁ ଜନଗହଳିରେ ଅନେକ ଛାତ୍ର ବି ଥିଲେ । ସେତେବେଳେ ଖୋର୍ଦ୍ଧା ହାଇସ୍କୁଲର ହେଡ଼ମାଷ୍ଟର ଥାନ୍ତି ପ୍ରବୀଣ ଶିକ୍ଷକ ଶ୍ରୀ ବାଙ୍କନିଧି ପଟ୍ଟନାୟକ । ବ୍ରିଟିଶ ଶାସନକାଳରେ ନେହେରୁଙ୍କ ସଭାରେ ଯୋଗଦେବା ଛାତ୍ରମାନଙ୍କୁ ମନାଥିଲା । ହଠାତ ହେଡ଼ମାଷ୍ଟରଙ୍କୁ ସଭାର ପଛପଟେ ଠିଆହେବାର ଦେଖି, ବାଘ ଦେଖିଲେ ଯେମିତି ଛେଳିମାନେ ପଳାୟନ କରନ୍ତି, ପିଲାମାନେ ଏଣେତେଣେ ପଳାଇଗଲେ ।

 

ଓଡ଼ିଶାରେ କଂଗ୍ରେସ ଚାଳିଶଟି ସିଟ୍ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି ଛତିଶଟି ସିଟରେ ଜୟଲାଭ କଲେ । ଖୋର୍ଦ୍ଧାରୁ ପ୍ରାଣନାଥ ବିପୁଳ ଭୋଟାଧିକ୍ୟରେ ଜୟଲାଭ କଲେ । ନେହେରୁଙ୍କ ନିର୍ବାଚନ ସଭା ପାଇଁ ସେ ଜୟଯୁକ୍ତ ହେଲେ ବୋଲି ପ୍ରାଣନାଥ ସ୍ୱୀକାର କରିଛନ୍ତି । ପ୍ରକୃତରେ ଚାଷୀ ଏବଂ ଯୁବକ ସଂଗଠନଗୁଡ଼ିକ ମଧ୍ୟରେ ପ୍ରାଣନାଥଙ୍କ ଲୋକପ୍ରିୟତା ତାଙ୍କୁ ବିପୁଳ ଭୋଟ ପାଇବାରେ ସାହାଯ୍ୟ କରିଥିଲା । ପ୍ରାୟ ପାଞ୍ଚହଜାର ଭୋଟରୁ ସେ ସାଢ଼େ ତିନି ହଜାର ଭୋଟ ପାଇ ଜୟଯୁକ୍ତ ହୋଇଥିଲେ । ଶ୍ରୀ ବ୍ରହ୍ମାନନ୍ଦ ମହାନ୍ତି ବାରଶହ ଭୋଟ ପାଇ ତାଙ୍କ ତଳକୁ ଥିଲେ ଏବଂ ଅନ୍ୟମାନଙ୍କର ଅମାନତ ବାଜ୍ୟାପ୍ତ ହୋଇଥିଲା ।

 

ସେତେବେଳେ ପଣ୍ଡିତ ନୀଳକଣ୍ଠ ଦାସ କେନ୍ଦ୍ର ବ୍ୟବସ୍ଥାପକ ସଭାର ସଦସ୍ୟ ଥିଲେ । ତାଙ୍କ ନେତୃତ୍ୱରେ ଏହି ବିଧାନସଭା ନିର୍ବାଚନ ପରିଚାଳିତ ହୋଇଥିବାରୁ ତାଙ୍କ ଦଳର ନେତା ବାଛିବାପାଇଁ ଅନେକେ ଏକମତ ଥିଲେ; କିନ୍ତୁ ନିର୍ବାଚିତ ସଦସ୍ୟମାନଙ୍କ ମଧ୍ୟରୁ ଦଳର ନେତା ବଛା ହେବାର ସିଦ୍ଧାନ୍ତ ନିଆଯିବାରୁ ନେତା ନିର୍ବାଚନ ହେଲା । ଶ୍ରୀ ବିଶ୍ୱନାଥ ଦାସ, ଶ୍ରୀ ନିତ୍ୟାନନ୍ଦ କାନୁନଗୋ, ପଣ୍ଡିତ ଗୋଦାବରୀଶ ମିଶ୍ର ଓ ସ୍ୱାମୀ ବିଚିତ୍ରାନନ୍ଦ ଦାସ ଦଳପତି ପଦ ପାଇଁ ପ୍ରାର୍ଥୀ ହେଲେ । ଶ୍ରୀ ବିଶ୍ୱନାଥ ଦାସ ଏକୋଇଶଟି ଭୋଟ୍ ପାଇ ଦଳପତି ହେଲେ । ଶ୍ରୀ କାନୁନଗୋ ସାତୋଟି ଭୋଟ ପାଇଲେ ଏବଂ ଅନ୍ୟ ଦୁଇଜଣ ଚାରିଗୋଟି ଲେଖାଏଁ ଭୋଟ ପାଇ ପରାଜିତ ହୋଇଥିଲେ । ମାର୍ଚ୍ଚ ୨୪, ୧୯୩୭ରେ କଂଗ୍ରେସ ଦଳର ନେତା ଶ୍ରୀ ବିଶ୍ୱନାଥ ଦାସଙ୍କୁ ମନ୍ତ୍ରିମଣ୍ଡଳ ଗଠନ କରିବାପାଇଁ ନିମନ୍ତ୍ରଣ କରାହେଲା ।

 

ମନ୍ତ୍ରିମଣ୍ଡଳ ଗଠନ :

 

ଭାରତର ଅଧିକାଂଶ ପ୍ରଦେଶରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ଲାଭକଲା । ପ୍ରାଦେଶିକ ଲାଟ୍ ମାନେ ସେମାନଙ୍କର ଅତିରିକ୍ତ କ୍ଷମତା ‘ଭିଟୋ’ ପ୍ରୟୋଗ କରିବେନାହିଁ–ଏହି ପ୍ରତିଶ୍ରୁତି ନପାଇଲେ କଂଗ୍ରେସ କୌଣସିଠାରେ ମନ୍ତ୍ରିମଣ୍ଡଳ ଗଠନ କରିବ ନାହିଁ ବୋଲି ସ୍ଥିର କଲା । ଫଳରେ ସବୁଠାରେ ଅଣକଂଗ୍ରେସ ମନ୍ତ୍ରିମଣ୍ଡଳ ଗଠିତ ହେଲା । ଓଡ଼ିଶାରେ ଅପ୍ରେଲ ୧, ୧୯୩୭ରେ ପାରଳା ମହାରାଜାଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ପ୍ରଥମ ମନ୍ତ୍ରିମଣ୍ଡଳ ଗଠିତ ହେଲା । ଏହି ମନ୍ତ୍ରିମଣ୍ଡଳରେ ସ୍ୱର୍ଗତ ମାନ୍ଧାତା ଗୋରାଚାନ୍ଦ ପଟ୍ଟନାୟକ ରାଜସ୍ୱମନ୍ତ୍ରୀ ଏବଂ ଲତିଫୁର ରହମାନ୍ ଶିକ୍ଷାମନ୍ତ୍ରୀ ରହିଲେ । ସଂଖ୍ୟାଗରିଷ୍ଠତା ଅଭାବରୁ ଏହି ମନ୍ତ୍ରିମଣ୍ଡଳ ଆସେମ୍ବ୍ଲିର ସମ୍ମୁଖୀନ ହେବାପାଇଁ ଭୟଭୀତ ହେଲେ । ପ୍ରାଦେଶିକ ଶାସନ ଅଚଳ ହେଲା । ଭାରତ ସରକାର ଶେଷରେ କଂଗ୍ରେସର ଦାବି ସମ୍ମୁଖରେ ମୁଣ୍ଡ ନୁଆଁଇଲେ । ପ୍ରାଦେଶିକ ଲାଟ୍‍ମାନଙ୍କ ନିକଟକୁ ନିର୍ଦ୍ଦେଶନାମା ଆସିଲା ଯେ, ବିଶେଷ ଜରୁରୀ ପରିସ୍ଥିତ ନ ଉପୁଜିଲେ ସେମାନେ ସେମାନଙ୍କ ଅତିରିକ୍ତ କ୍ଷମତା ‘ଭିଟୋ’ ପ୍ରୟୋଗ କରିବେ ନାହିଁ । ତା’ପରେ ପାରଳା ମହାରାଜାଙ୍କ ମନ୍ତ୍ରିମଣ୍ଡଳ ଇସ୍ତଫାଦେଲେ ଏବଂ ଜୁଲାଇ ୧୯, ୧୯୩୭ରେ ଶ୍ରୀ ବିଶ୍ୱନାଥ ଦାସଙ୍କ ନେତୃତ୍ୱରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠିତହେଲା । ଶ୍ରୀ ନିତ୍ୟାନନ୍ଦ କାନୁନଗୋ ଓ ଶ୍ରୀ ବୋଧରାମ ଦୁବେ ଏହି ମନ୍ତ୍ରିମଣ୍ଡଳର ଅନ୍ୟ ଦୁଇ ସଦସ୍ୟ ଥିଲେ । ଏତଦ୍‍ବ୍ୟତୀତ ବିତ୍ତ ଓ ପ୍ରଚାର ପାଇଁ ଶ୍ରୀ ଯଦୁମଣି ମଙ୍ଗରାଜ; ଘରୋଇ, ରାଜସ୍ୱ ଓ ପୂର୍ତ୍ତ ବିଭାଗପାଇଁ ଶ୍ରୀ ଜଗନ୍ନାଥ ମିଶ୍ର, ଶିକ୍ଷା ଓ ସ୍ୱାୟତ୍ତଶାସନ ପାଇଁ ଶ୍ରୀ ରାଜକୃଷ୍ଣ ବୋଷ, ଆଇନ ଓ ବାଣିଜ୍ୟ ପାଇଁ ଶ୍ରୀ ରାଧାକୃଷ୍ଣ ବିଶ୍ୱାସରାୟ ପାର୍ଲାମେଣ୍ଟାରୀ ସେକ୍ରେଟେରୀ (ସଂସଦୀୟ ସଚିବ) ଭାବରେ ନିଯୁକ୍ତି ପାଇଲେ । ଶ୍ରୀ ମୁକୁନ୍ଦ ପ୍ରସାଦ ଦାସ ଆସେମ୍ବ୍ଲିର ବାଚସ୍ପତି ଓ ଶ୍ରୀ ନନ୍ଦକିଶୋର ଦାସ ଉପବାଚସ୍ପତି ନିର୍ବାଚିତ ହେଲେ ।

 

ପ୍ରାଣନାଥ ଓ ଯୁବଗୋଷ୍ଠୀର ଅନ୍ୟାନ୍ୟ ନେତା ପ୍ରଦେଶରେ ସଂସ୍କାରମୂଳକ କାର୍ଯ୍ୟ କରିବାପାଇଁ ମନ୍ତ୍ରିମଣ୍ଡଳକୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ । ଅଳ୍ପଦିନ ମଧ୍ୟରେ ଏହି ମନ୍ତ୍ରିମଣ୍ଡଳ ଅତ୍ୟନ୍ତ ଲୋକପ୍ରିୟ ହୋଇଉଠିଲା । କଂଗ୍ରେସ ସମାଜବାଦୀ ଦଳର ପ୍ରଭାବରୁ ବିହାର-ଓଡ଼ିଶା ପ୍ରଜାସ୍ୱତ୍ୱ ଆଇନର ସଂଶୋଧନ କରାଯାଇ ପ୍ରଜାମାନଙ୍କୁ ସେମାନଙ୍କ ଗଛ ମାଛ ଉପରେ ଅଧିକାର ଦିଆଗଲା, ଦାଖଲ ଖାରଜ ରୋସମ୍ ଉଠିଲା, ଜଳକର କମାଇ ଦିଆଗଲା ଓ ଋଣଗ୍ରହୀତାମାନଙ୍କୁ ମହାଜନଙ୍କ କବଳରୁ ରକ୍ଷାକରିବାପାଇଁ ଆଇନ୍ ହେଲା । ମଠ ଓ ମନ୍ଦିରମାନଙ୍କୁ ନିୟନ୍ତ୍ରଣ କରିବାପାଇଁ ମଧ୍ୟ ଆଇନ ପ୍ରଣୟନ ହେଲା । ପ୍ରାଣନାଥ ଜଙ୍ଗଲ ଆଇନ ଓ ଶିକ୍ଷା ଆଇନରେ ମୌଳିକ ପରିବର୍ତ୍ତନ ଆଣି ଯେଉଁ ଚିଠା ପ୍ରସ୍ତାବ ଦେଇଥିଲେ, ସେଗୁଡ଼ିକ ଆଇନରେ ପରିଣତ ହେଲା । ଏହିସବୁ ଆଇନର ମୂଳ ତତ୍ତ୍ୱ ଥିଲା ଗରିବଙ୍କ କଲ୍ୟାଣ ।

 

ପ୍ରାଣନାଥଙ୍କ ନିମନ୍ତ୍ରଣକ୍ରମେ ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ଵନାଥ ଦାସ ଖୋର୍ଦ୍ଧାକୁ ଆସି ଏକ ସାଧାରଣ ସଭାରେ ଭାଷଣଦେଲେ । କିଛି ମାସ ପୂର୍ବରୁ କଂଗ୍ରେସ ସ୍ଵେଚ୍ଛାସେବୀମାନଙ୍କୁ ସାଧାରଣ ସଭା କରିବାକୁ ଯେଉଁ ଅଫିସର୍ ଗୋଷ୍ଠୀ ବାରଣ କରୁଥିଲେ, ସେମାନେ ଚାନ୍ଦମାରୀ ପଡ଼ିଆରେ ଏହି ସଭାର ଆୟୋଜନରେ ତତ୍ପରତା ଦେଖାଇଲେ । ବକ୍ତାମାନେ ପାଇକ ବିଦ୍ରୋହର ଇତିହାସ, ସ୍ୱାଧୀନତା ଆନ୍ଦୋଳନର ବିଜୟ ଉପରେ ତେଜସ୍ଵିନୀ ବକ୍ତୃତାମାନ ଦେଲେ । ମୁଖ୍ୟମମନ୍ତ୍ରୀ ବକ୍ତୃତା ଦେଲାବେଳେ ଘନଘନ କରତାଳି ଦିଆଯାଇ କଂଗ୍ରେସ ସରକାରର ସଂସ୍କାରମୂଳକ ନୀତିଗୁଡ଼ିକର ସମର୍ଥନ କରାଯାଇଥିଲା । ଶେଷରେ ସହାସ୍ୟ ବଦନରେ ପ୍ରାଣନାଥ ବକ୍ତା ଏବଂ ଶ୍ରୋତାମାନଙ୍କୁ ଧନ୍ୟବାଦ ଅର୍ପଣକାରୀ ସ୍ୱାଧୀନତା ସଂଗ୍ରାମରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

 

ବିଧାନସଭାର ଦ୍ୱିତୀୟବାର ସଦସ୍ୟତା :

 

୧୯୫୭ ମସିହାରେ ସ୍ୱାଧୀନ ଭାରତର ଦ୍ୱିତୀୟ ସାଧାରଣ ନିର୍ବାଚନରେ ପ୍ରାଣନାଥ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀରୁ ଦ୍ୱିତୀୟଥର ପାଇଁ ଓଡ଼ିଶା ବିଧାନସଭାକୁ ନିର୍ବାଚନ ହୋଇଥିଲେ । ଏଥର ସେ ଥିଲେ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ । ସେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ବନମାଳୀ ପଟ୍ଟନାୟକଙ୍କୁ ପରାସ୍ତ କରି ଏହି ନିର୍ବାଚନରେ ଜୟଲାଭ କରୁଥିଲେ । ସେତେବେଳେ ଖୋର୍ଦ୍ଧା ଅଞ୍ଚଳରେ ଗୋଟିଏ କଲେଜ ସ୍ଥାପନ କରିବାପାଇଁ ଜନମତ ସୃଷ୍ଟି ହୋଇଥାଏ । ନିଜ ନିର୍ବାଚନ ଇସ୍ତାହାରରେ ଚାଷୀମୂଲିଆଙ୍କ ଉନ୍ନତି ବିଧାନମୂଳକ ଗତାନୁଗତିକ କମ୍ୟୁନିଷ୍ଟ ପ୍ରୋଗ୍ରାମ ସହିତ ପ୍ରାଣନାଥ ସାମିଲ କରିଥାନ୍ତି ଖୋର୍ଦ୍ଧାରେ ଏକ କଲେଜ ପ୍ରତିଷ୍ଠା କରିବାର ଯୋଜନା ।

 

ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ପରେ ପ୍ରାଣନାଥ ନିର୍ବାଚନରେ ଜିଣିଲେ । ତା’ପରେ ଖୋର୍ଦ୍ଧାର ଜନସାଧାରଣଙ୍କୁ ସେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାକୁ କାର୍ଯ୍ୟକାରୀ କରିବାପାଇଁ ଆପ୍ରାଣ ଉଦ୍ୟମ କଲେ । ସେ ୧୯୭୫ ରୁ ୧୯୬୧ ପର୍ଯ୍ୟନ୍ତ ଥିଲେ କମ୍ୟୁନିଷ୍ଟ ଦଳର ଦଳପତି ଏବଂ ବିରୋଧୀଦଳମାନଙ୍କର ଏକ ପ୍ରଧାନ ନେତା ।

 

ସ୍ପଷ୍ଟବାଦିତା :

 

ସ୍ପଷ୍ଟବାଦିତା ଥିଲା ତାଙ୍କର ଗୁଣ ମଧ୍ୟରୁ ଅନ୍ୟତମ । ଫେବୃଆରୀ ୧୮, ୧୯୬୦ରେ ରାଜ୍ୟପାଳଙ୍କ ଭାଷଣ ଉପରେ ଆଲୋଚନା ପ୍ରସଙ୍ଗରେ ସେ ଷଢ଼େଇକଳା, ଖରସୁଆଁ ସମେତ ଅନ୍ୟାନ୍ୟ ବିଚ୍ଛିନ୍ନାଞ୍ଚଳଗୁଡ଼ିକର ଓଡ଼ିଶା ସହିତ ମିଶ୍ରଣ ନ ହୋଇପାରିବାରୁ ଦୁଃଖ ପ୍ରକାଶ କରିଥିଲେ ଏବଂ ସରକାର ଏ ଦିଗରେ ନିଷ୍କ୍ରିୟ ନହୋଇ ସକ୍ରିୟ ପଦକ୍ଷେପ ନେବାପାଇଁ ପରାମର୍ଶ ଦେଇଥିଲେ-। ସେ ରାଜ୍ୟର ଶିଳ୍ପନୀତିକୁ ସମାଲୋଚନା କରି କହିଥିଲେ ଯେ, ଶିଳ୍ପ ସଂପ୍ରସାରଣ ପାଇଁ ଯେଉଁ ପଦକ୍ଷେପ ନିଆଯାଇଛି, ତାହା ରାଜ୍ୟର ସ୍ୱାର୍ଥ ବିରୁଦ୍ଧରେ ଯାଉଛି । ତାଙ୍କ ଭାଷାରେ–‘‘ଶିଳ୍ପଗୁଡ଼ିକୁ ଆମେ କଞ୍ଚାମାଲ ଦେଉଛୁ, ଶସ୍ତା ଓ ସୁବିଧାରେ ବିଜୁଳି ଯୋଗାଇଦେଉଛୁ, ଅଥଚ କମ୍ପାନୀର ଅଫିସ୍ ଅଛି ଦିଲ୍ଲୀ, କଲିକତା ଓ ବମ୍ବେରେ । ବିକ୍ରି ଟିକସ ଏବଂ ଆୟକର ବାବଦରେ ଆମର ଟଙ୍କା କ୍ଷତି ହେଉଛି । ଓଡ଼ିଆ ଲୋକଙ୍କୁ କମ୍ପାନୀରେ କେମିତି ଚାକିରି ମିଳିବ ତା’ର କୌଣସି ଚୁକ୍ତି ନାହିଁ । ତେଣୁ ଆମ ରାଜ୍ୟ ଟଙ୍କା ପାଉନାହିଁ କି ଆମ ଲୋକ ଚାକିରି ପାଉନାହାନ୍ତି, ଅଥଚ କମ୍ପାନୀଗୁଡ଼ାକ ଅଜସ୍ର ଅର୍ଥ ଉପାର୍ଜନ କରୁଛନ୍ତି । ତେଣୁ ଆଳୁ, ପିଆଜ, ମୁଗ, ବିରି, ତେଲ, ଜାଳେଣି କାଠ ପ୍ରଭୃତି ଅତ୍ୟାବଶ୍ୟକ ଜିନିଷ ଉପରେ ଟିକସ ବୃଦ୍ଧି ଚାଲିଛି ଏବଂ ଖଟିଖିଆର ଦୁରବସ୍ଥା ବଢ଼ି ଚାଲିଛି ।”

 

ଏତଦ୍‍ବ୍ୟତୀତ ଓଡ଼ିଶାରେ ବନ୍ୟାର ସ୍ଥାୟୀ ନିରାକରଣ ପାଇଁ ମଧ୍ୟ ସେ ଅନେକବାର ଦାବି ଉପସ୍ଥାପନ କରିଥିଲେ ଏବଂ ଉଚ୍ଚଶିକ୍ଷାର ପ୍ରସାରପାଇଁ ସରକାର ସକ୍ରିୟ ଭୂମିକା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ ।

 

ମୃତ୍ୟୁର ଅବ୍ୟବହିତ ପୂର୍ବରୁ ଓଡ଼ିଶାରେ ଦ୍ୱିତୀୟ ଇସ୍ପାତ୍ କାରଖାନା ପ୍ରତିଷ୍ଠା ସମ୍ପର୍କରେ ସେ ଉଦ୍‍ବିଗ୍ନତା ପ୍ରକାଶ କରିଥିଲେ ।

 

ଗଡ଼ଜାତ ଆନ୍ଦୋଳନ :

 

ବ୍ରିଟିଶ୍ ସରକାରଙ୍କ ଦ୍ୱାରା ସିଧାସଳଖ ଶାସିତ ଅଞ୍ଚଳ ଅପେକ୍ଷା ଗଡ଼ଜାତ ଅଞ୍ଚଳରେ ସାଧାରଣ ଲୋକଙ୍କ ସାମାଜିକ ସୁଖସ୍ୱଚ୍ଛନ୍ଦ୍ୟ ଓ ଅର୍ଥନୈତିକ ଅବସ୍ଥା ଅପେକ୍ଷାକୃତ ଖରାପ ଥିଲା । କେତେକ ଗଡ଼ଜାତରେ ରାଜାମାନଙ୍କ ଅତ୍ୟାଚାର ଏତେ ଅମାନୁଷିକ ଥିଲା ଯେ, ନିରୀହ ପ୍ରଜାମାନଙ୍କୁ ରକ୍ଷାକରିବାପାଇଁ ଭାରତର ବିଭିନ୍ନ ଅଞ୍ଚଳରେ ଗଡ଼ଜାତ ଆନ୍ଦୋଳନର ସୂତ୍ରପାତ ହେଲା । ଜୁନ ୨୪, ୧୯୩୭ରେ ଓଡ଼ିଶାର ଗଡ଼ଜାତ ପ୍ରଜାମାନଙ୍କର ଏକ ସମ୍ମିଳନୀ କଟକଠାରେ ଡାକ୍ତର ପଟ୍ଟାଭି ସୀତାରାମେୟାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଦାବି କରାଗଲା । ଓଡ଼ିଶାର ଗଡ଼ଜାତମାନଙ୍କରେ ଚାଲିଥିବା ଅନ୍ଧାରୀ ଶାସନ ଓ ଅତ୍ୟାଚାରର ତଦନ୍ତ କରିବାପାଇଁ ଶ୍ରୀ ହରେକୃଷ୍ଣ ମହତାବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଢ଼ାଗଲା । ବିଭିନ୍ନ ଗଡ଼ଜାତର ପ୍ରଜାମାନଙ୍କ ସାକ୍ଷ୍ୟ ଉପରେ ଭିତ୍ତିକରି କମିଟି ତାଙ୍କର ରିପୋର୍ଟ ଦେଲେ । ଗଡ଼ଜାତମାନଙ୍କରେ ଚାଲିଥିବା ଅମାନୁଷିକ ଅତ୍ୟାଚାର ଓ ଅନ୍ଧାରୀ ଶାସନ ପଦାରେ ପଡ଼ିଲା । ଏହାର ପ୍ରତିକାର ଲାଗି ଗଡ଼ଜାତକ ଗୁଡ଼ିକରେ ଜନଜାଗରଣ ସୃଷ୍ଟିହେଲା । ଅନ୍ଧାରୀ ମୂଲକରେ ଦିହୁଡ଼ି ଜଳିଉଠିଲା ।

 

ପ୍ରାଣନାଥ ଗଡ଼ଜାତ ପ୍ରଜାଆନ୍ଦୋଳନ ସହିତ ମୂଳରୁ ସଂଶ୍ଲିଷ୍ଟ ଥିଲେ । ଢେଙ୍କାନାଳ, ତାଳଚେର ନୀଳଗିରି, ନୟାଗଡ଼, ଖଣ୍ଡପଡ଼ା, ଦଶପଲ୍ଲା, ରଣପୁର ପ୍ରଭୃତି ଦେଶୀୟ ରାଜ୍ୟର ଅତ୍ୟାଚାର ଓ ବ୍ୟଭିଚାର ବିରୁଦ୍ଧରେ ସେ ତାଙ୍କର ବିପ୍ଲବୀ ସ୍ଵର ଉତ୍ତୋଳନ କଲେ । ପୁରୀ ଜିଲା ସୀମାକୁ ଛୁଇଁ ରହିଥିବା ଗଡ଼ଜାତ ଅଞ୍ଚଳ ଯଥା–ନୟାଗଡ଼, ଦଶପଲ୍ଲା, ଖଣ୍ଡପଡ଼ା ଓ ରଣପୁରରେ ରାଜତନ୍ତ୍ର ବିରୁଦ୍ଧରେ ଯେଉଁ ସଂଗ୍ରାମ ଚାଲିଥିଲା ତହିଁରେ ସେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

 

ଢେଙ୍କାନାଳ ରାଜତନ୍ତ୍ରରେ ଅକଥନୀୟ ଅତ୍ୟାଚାରରେ ଢେଙ୍କାନାଳର ପ୍ରଜାମାନେ ଅତିଷ୍ଠ ହୋଇପଡ଼ିଲେ । ୧୯୩୮ ସେପ୍ଟେମ୍ବର ମାସରେ କଟକ ଜିଲାର ଜେନାପୁରଠାରେ ଏକ ବିରାଟ କୃଷକ–ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ପନ୍ଦର ହଜାରରୁ ଅଧିକ କୃଷକ ଯୋଗଦାନ କରିଥିଲେ । ଏମାନଙ୍କ ମଧ୍ୟରେ ବାର ହଜାରରୁ ଅଧିକ ଥିଲେ ପ୍ରବଳ ଅତ୍ୟାଚାରରେ ନିଷ୍ପେଷିତ ଢେଙ୍କାନାଳର ପ୍ରଜା । ଢେଙ୍କାନାଳରେ ଯେଉଁ କେତେଗୁଡ଼ିଏ ଅତ୍ୟାଚାରର ନମୁନା ଲୋକମୁଖରୁ ଶୁଣିବାକୁ ମିଳିଲା, ତାହା ହେଲା 'ରାଜାଦେଶରେ ନିରୀହ ପ୍ରଜାଙ୍କ ନିଶ ପୋଡ଼ିବା,' 'ରାଜାଦେଶରେ ବିରୁଦ୍ଧାଚରଣ କରୁଥିବାର ସନ୍ଦେହ ହେଲେ ମଳଦ୍ଵାରରେ କିଳା ଭର୍ତ୍ତି କରିବା,' 'ରାଜାଦେଶ ଅମାନ୍ୟ କଲେ କୁଳବଧୁମାନଙ୍କୁ ଉଲଗ୍ନ କରି ରାଜଦରବାରରେ ଏକାଧିକ ପୁରୁଷଦ୍ୱାରା ଗଣଧର୍ଷଣ କରାଇବା' ଆଦି ଜଘନ୍ୟ ଅତ୍ୟାଚାର । ଢେଙ୍କାନାଳରେ ବେଠି ବେଗାରିର ନଗ୍ନପ୍ରତୀକରୂପେ ଢେଙ୍କାନାଳ ଗଡ଼ର ଅନତି ଦୂରରେ ପାହାଡ଼ ଉପରେ ନିର୍ଜନ 'ଯତନ୍ ନଗର' ଏବେ ବି ସଭ୍ୟ ମଣିଷ ସମାଜକୁ ପରିହାସ କରୁଛି । କେତେ ଯେ ନିରୀହ ପ୍ରଜା ଏହି ଶତାଧିକ ପ୍ରକୋଷ୍ଠବିଶିଷ୍ଟ ପର୍ବତ ଶିଖରରେ ଅବସ୍ଥିତ ପ୍ରାସାଦ ନିର୍ମାଣରେ ଲହୁ ଓ ଲୁହ ଢାଳିଛନ୍ତି, ଇତିହାସ ତା’ର ହିସାବ ରଖିନାହିଁ । ମଣିଷ ତ ଛାର, ଶତାଧିକ ହସ୍ତୀ ଏହି ନିର୍ମାଣରେ ଶହୀଦ୍ ପାଲଟିଯାଇଛନ୍ତି ।

 

ଏହି ଅତ୍ୟାଚାର ବିରୁଦ୍ଧରେ ସତ୍ୟାଗ୍ରହ କରିବାପାଇଁ କଟକ ଟାଉନରେ ଏକ ସାଧାରଣ ସଭା ଡକାହେଲା । ପ୍ରାଣନାଥ ଏହି ସଭାରେ ସଭାପତିତ୍ୱ କରିଥିଲେ । ଏହି ସଭାରେ ପ୍ରଜା ଆନ୍ଦୋଳନ ସପକ୍ଷରେ ବିଭିନ୍ନ ବକ୍ତା ଓଜସ୍ୱିନୀ ବକ୍ତୃତା ଦେଲେ । ସଭା ପରେ ଶ୍ରୀ ନବକୃଷ୍ଣ ଚୌଧୁରୀ ଓ ଶ୍ରୀ ଭଗବତୀଚରଣ ପାଣିଗ୍ରାହୀଙ୍କ ନେତୃତ୍ୱରେ ଦୁଇଟି ସତ୍ୟାଗ୍ରହୀ ଦଳକୁ ଢେଙ୍କାନାଳର ଦୁଇ ସୀମାରୁ ଢେଙ୍କାନାଳରେ ପ୍ରବେଶ କରିବାପାଇଁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନାସହ ବିଦାୟ ଦିଆଗଲା । ଏହି ଅବକାଶରେ ପ୍ରାଣନାଥ ଏକ ପ୍ରାଣସ୍ପର୍ଶୀ ଭାଷଣ ଦେଇଥିଲେ । ସତ୍ୟାଗ୍ରହୀ ବୀରମାନଙ୍କୁ ବନ୍ଦୀକରି କଟକ ଫେରାଇ ଦିଆଗଲା । ତା’ପରେ ଶ୍ରୀ ଗୌରାଙ୍ଗଚରଣ ଦାସଙ୍କ ନେତୃତ୍ୱରେ ଢେଙ୍କାନାଳ ପ୍ରବେଶକାରୀ ସତ୍ୟାଗ୍ରହୀଙ୍କୁ ମରଣାନ୍ତକ ମାଡ଼ ଦେଇ ବିଦାୟ କରାଗଲା-। ଧୀରେ ଧୀରେ ଢେଙ୍କାନାଳରେ ଅତ୍ୟାଚାର ମାତ୍ରା ବଢ଼ିବାକୁ ଲାଗିଲା । ଏହି ଅତ୍ୟାଚାର ବିରୁଦ୍ଧରେ ଢେଙ୍କାନାଳ ଭିତରେ ଓ ବାହାରେ ଜନଜାଗରଣ ସୃଷ୍ଟି ହୋଇଥିଲା । ଯେଉଁମାନେ ଏହାର ନେତୃତ୍ୱ ନେଇଥିଲେ, ପ୍ରାଣନାଥ ସେମାନଙ୍କ ମଧ୍ୟରେ ଅନ୍ୟତମ ।

 

ଦିନକର ଘଟଣା ରାଜାଙ୍କର ଅମାନୁଷିକ ଅତ୍ୟାଚାରରେ ଜର୍ଜରିତ ହୋଇ ଢେଙ୍କାନାଳର ପଚାଶ ହଜାର ପ୍ରଜା ରାଜା ଓ ରାଜବଂଶର ଅତ୍ୟାଚାରର ପ୍ରତିଶୋଧ ନେବାପାଇଁ ରକ୍ତର ଶପଥ ନେଇ ରାଜବାଟୀ ଭାଙ୍ଗି ଖଣ୍ଡେ ଖଣ୍ଡେ ଇଟା ନେଇ ସେମାନଙ୍କର ପ୍ରତିଶୋଧ ପିପାସା ପୂରଣ କରିବାକୁ ରାଜବାଟୀ ଚାରିପଟେ ଘେରିଗଲେ । ପ୍ରାଣନାଥଙ୍କ ଭାଷାରେ ‘‘ସେଦିନର ଗୁଳି ଓ ବୁଲେଟ୍ ଦାଗ ଏ ପର୍ଯ୍ୟନ୍ତ ଢେଙ୍କାନାଳର ବହୁସ୍ଥାନରୁ ଲିଭିନାହିଁ ।”

 

ଢେଙ୍କାନାଳ ରାଜାର ବୁଲେଟ୍ ଚୁମ୍ବନ କରି ବାଜି ରାଉତ, ଲକ୍ଷ୍ମଣ, ନଟ, ଗୁରି, ହୁରୁଷୀ ପ୍ରଭୃତିଙ୍କ ଶବ କଟକ ଦାଣ୍ଡରେ ଯେତେବେଳେ ପଡ଼ିଥାଏ, କଟକରେ ବିଶାଦର ଛାୟା ଖେଳିଗଲା-। ଏହି ଅମାନୁଷିକ ହତ୍ୟାକାଣ୍ଡ ପରେ ପ୍ରାଣନାଥ କୃଷକ ଆନ୍ଦୋଳନ ଏବଂ ପ୍ରଜା ଆନ୍ଦୋଳନକୁ ତୀବ୍ରତର କରିବାପାଇଁ ଦୃଢ଼ପ୍ରତିଜ୍ଞ ହେଲେ ।

 

ଶ୍ରୀ ପବିତ୍ର ମୋହନ ପ୍ରଧାନଙ୍କ ନେତୃତ୍ୱରେ ପରିଚାଳିତ ତାଳଚେର ପ୍ରଜା ଆନ୍ଦୋଳନରେ ମଧ୍ୟ ପ୍ରାଣନାଥ ସକ୍ରିୟ ଅଂଶଗ୍ରହଣ କରିଥିଲେ । ତାଙ୍କ ଭାଷାରେ ‘‘ତାଳଚେର ରାଜାର ଅମାନୁଷିକ ଅତ୍ୟାଚାରରେ ଜର୍ଜରିତ ହୋଇ ତାଳଚେରର ହଜାର ହଜାର ପ୍ରଜା, ରାଜା ଓ ରାଜତନ୍ତ୍ରର ଅତ୍ୟାଚାରର ପ୍ରତିବାଦ କରି ଘରଦ୍ୱାର ଛାଡ଼ି ମୋଗଲ ବନ୍ଦୀ ସୀମା ଅନୁଗୁଳ ଆଖପାଖରେ ଶୀତ, ଖରା, କାକରରେ ପଡ଼ିଥିବା କଥା ଏବେ ମଧ୍ୟ ମନେପଡ଼େ । ସେଦିନର ସେହି ଅବର୍ଣ୍ଣନୀୟ ଯନ୍ତ୍ରଣା ମଧ୍ୟରେ ଗର୍ଭବତୀ ସ୍ତ୍ରୀ ଶିଶୁ ପ୍ରସବ କରିବା କଥା କଦାପି ମନରୁ ଭୁଲିହେବ ନାହିଁ ।” ଏହି ଶରଣାର୍ଥୀମାନଙ୍କୁ କ୍ୟାମ୍ପମାନଙ୍କରେ ରଖି ଖାଇବା ପିଇବାର ଯେଉଁ ବ୍ୟବସ୍ଥା କରାଯାଇଥିଲା ପ୍ରାଣନାଥ ତା’ର ନେତୃତ୍ୱ ନେଇଥିଲେ । ରାଜତନ୍ତ୍ର ବୁରୁଦ୍ଧରେ ଏପରି ଏକ ସଂଘବଦ୍ଧ ହିଜରାତ୍ (Exodus) ଦେଶୀୟ ରାଜ୍ୟ ଆନ୍ଦୋଳନରେ ଅନ୍ୟତ୍ର ଦେଖାଯାଇନଥିଲା । ନୟାଗଡ଼, ଖଣ୍ଡପଡ଼ା ଓ ଦଶପଲ୍ଲା ପ୍ରଜା ଆନ୍ଦୋଳନରେ ମଧ୍ୟ ପ୍ରାଣନାଥ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

 

ରଣପୁରରେ ରଣଦୁନ୍ଦୁଭି :

 

ତା’ପରେ ଆସିଲା ରଣପୁରରେ ରାଜତନ୍ତ୍ରର ଅତ୍ୟାଚାର ବିରୁଦ୍ଧରେ ପ୍ରଜାମଣ୍ଡଳ ଆନ୍ଦୋଳନର ଏକ ଗୌରବମୟ ଅଧ୍ୟାୟ । ରଣପୁର ରାଜତନ୍ତ୍ର ବିରୁଦ୍ଧରେ ଆନୁଷ୍ଠାନିକ ଭାବରେ ପ୍ରଜାମଣ୍ଡଳ ଗଠିତ ହେଲା ୧୯୩୬ ମସିହାରେ ସାନପଦରଠାରେ ଅନୁଷ୍ଠିତ ସଭାରେ । ଏ ସଭାରେ ଶ୍ରୀ ନବକୃଷ୍ଣ ଚୌଧୁରୀ, ଶ୍ରୀ ପବିତ୍ରମୋହନ ପ୍ରଧାନ ପ୍ରମୁଖ ନେତାଙ୍କ ପ୍ରାଣନାଥ ଉପସ୍ଥିତ ଥାଇ ରଣପୁରର ସଂଗ୍ରାମୀ ନେତାମାନଙ୍କୁ ଉଦ୍‍ବୋଧନ ଦେଇଥିଲେ । ରଣପୁରର ଶ୍ରୀ କୃପାସିନ୍ଧୁ ମିଶ୍ର, ଶ୍ରୀ ରଘୁନାଥ ମହାନ୍ତି, ଶ୍ରୀ ଦିବାକର ପରିଡା ପ୍ରମୁଖ ସଂଗ୍ରାମୀ ବ୍ୟକ୍ତି ରାଜତନ୍ତ୍ର ବିରୁଦ୍ଧରେ ଲଢ଼ିବା ପାଇଁ ଆଗ୍ନେୟ ଶପଥ ନେଲେ । ସେମାନେ ରଣପୁରକୁ ଫେରିଯାଇ ଲୁଚିଛପି ନିରୀହ ଶୋଷିତ ଜନସାଧାରଣଙ୍କୁ ଏକତାବଦ୍ଧ କଲେ । ଅତ୍ୟାଚାରୀ ଦେବାନ୍ ଶ୍ରୀ ଜଗନ୍ନାଥ ମହାନ୍ତିଙ୍କ ସୁପାରିଶକ୍ରମେ ମଦ୍ୟପ ରାଜା ପ୍ରଜାମଣ୍ଡଳର ନେତାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କଲେ । ଅତ୍ୟାଚାର ସତ୍ତ୍ୱେ ଆନ୍ଦୋଳନ ବନାଗ୍ନି ସଦୃଶ ବ୍ୟାପିବାରେ ଲାଗିଲା । ଜାନୁଆରୀ ୨, ୧୯୩୯ରେ ରଣପୁର ଦରବାର ତତଫରୁ ପ୍ରଜାମଣ୍ଡଳକୁ ବେଆଇନ୍ ଘୋଷଣା କରାଗଲା । ଶ୍ରୀ କୃପାସିନ୍ଧୁ ମିଶ୍ର ପ୍ରମୁଖ ବହୁସଂଖ୍ୟକ ପ୍ରଜାମଣ୍ଡଳ କର୍ମୀଙ୍କୁ ବନ୍ଦୀ କରାଗଲା । ରଣପୁରର ସାଧାରଣ ଜନତା ଏଥିରେ କ୍ଷୁବ୍ଧ ହୋଇ ଜେଲ୍ ଭାଙ୍ଗି ତାଙ୍କର ପ୍ରିୟ କର୍ମୀମାନଙ୍କୁ ମୁକ୍ତ କରିବାପାଇଁ ସଂଗଠିତ ହେଲେ । ଏ ଗଠନର ମୁଖ୍ୟନେତା ଥିଲେ ଶ୍ରୀ ରଘୁନାଥ ମହାନ୍ତି ଓ ଶ୍ରୀ ଦିବାକର ପରିଡା । ଜାନୁଆରୀ ୫, ୧୯୩୯ । ପୌଷ ପୂର୍ଣ୍ଣିମା । ଗାଁଗଣ୍ଡାରୁ ଲହଡ଼ି ଭାଙ୍ଗିଲା ଲୋକ ଆସି ସମବେତ ହେଉଥାନ୍ତି ରାଜନଅର ପ୍ରାଙ୍ଗଣରେ ସଭାକରି ବନ୍ଦୀମାନଙ୍କୁ ତୁରନ୍ତ ମୁକ୍ତକରିବାପାଇଁ ଦାବି କରିବାକୁ । ରଣପୁରରେ ସେହି ଜନସମାଗମ ଅଦ୍ଵିତୀୟ । ଆବାଳ ବୃଦ୍ଧ ବନୀତାଙ୍କ ଗୋଟିଏ ଦାବି–‘‘ବନ୍ଦୀମାନଙ୍କୁ ଖଲାସ କର ।” ଏଥିରେ ଭୀତତ୍ରସ୍ତ ହୋଇ ରାଜଦରବାର ପକ୍ଷ ପଲିଟିକାଲ୍ ଏଜେଣ୍ଟ ବେଜେଲ୍ ଗେଟ୍‌ଙ୍କ ଶରଣାପନ୍ନ ହେଲେ । ବେଜେଲ୍ ଗେଟ୍ ସେତେବେଳେ ଥାନ୍ତି ନୟାଗଡ଼ରେ । ରଣପୁର ରାଜାଙ୍କ କାତର ପ୍ରାର୍ଥନା ଶୁଣି ସେ ଧାଇଁଆସିଲେ ରଣପୁରକୁ ।

 

ଗଡ଼ଜାତମାନଙ୍କରେ ପ୍ରଜା ଆନ୍ଦୋଳନକୁ ଗୁଳି ବନ୍ଧୁକ ସାହାଯ୍ୟରେ ଦମନ କରିବାର ସୂତ୍ରଧର ଥିଲେ ବେଜେଲ୍ ଗେଟ୍ । ଢେଙ୍କାନାଳର ନରସଂହାର ପରେ ଅଗଣିତ ଜନସମାଗମକୁ ମୁକାବିଲା କରିବାର ଯଥେଷ୍ଟ ଆତ୍ମବିଶ୍ୱାସ ଆସିଥିଲା ତାଙ୍କ ମନରେ । ଚାଳିଶ ଜଣ ବନ୍ଧୁକଧାରୀ ପୋଲିସ ସାଙ୍ଗରେ ଧରି ବାହାରିପଡ଼ିଲେ ଦମନାକାଂକ୍ଷୀ ବେଜେଲ୍ ଗେଟ୍ ।

 

ବେଜେଲ୍ ଗେଟ୍ ଗାଡ଼ି ଲୋଧାଚୁଆ ଗ୍ରାମ ପରେ ଆଉ ଅଗ୍ରସର ହୋଇ ମନ୍ଦାକିନୀ ନାଳ ଉପରେ ଯାତାୟତ ପାଇଁ ଯେଉଁ ଚଡ଼ା ନିର୍ମିତ ତାର ଉଭୟ ପାର୍ଶ୍ଵରେ ରାସ୍ତା ବନ୍ଦ କରିବାକୁ ଆନ୍ଦୋଳନକାରୀମାନେ ବଡ଼ ବଡ଼ ଗଛ କାଟିପକାଇ ଦେଇଥାନ୍ତି । ସାହେବ ଏ ଦୃଶ୍ୟ ଦେଖି ରାଗରେ ପାଚିଗଲେ । ନିକଟସ୍ଥ ଗ୍ରାମରୁ ପ୍ରଜା ଆଣି ରାସ୍ତା ସଫା କରାଇବା ପାଇଁ ହୁକୁମ ହେଲା । ସିପାହିମାନେ ବିଭିନ୍ନ ଦିଗକୁ ଗଲେ । ପୁରୁଷଲୋକଙ୍କ ଚିହ୍ନ ବର୍ଣ୍ଣ ପାଇଲେ ନାହିଁ–ସମସ୍ତେ ଯାଇଥିଲେ ରଣପୁର ମେଳିକୁ । ଲୋଧାଚୁଆ ଗ୍ରାମର ବୃଦ୍ଧ ନାଥ ଭୋଳ ଶେଷକୁ ଆସିଲେ । ପ୍ରଶ୍ନହେଲା–‘‘କିଏ ରାସ୍ତା ଅବରୋଧ କରିବାକୁ ଗଛ କାଟିପକାଇଛି ?” ନିର୍ଭୀକ ଭାବରେ ବୃଦ୍ଧ ଭୋଳ କହିଲେ, ‘‘କହିବାକୁ ମନା ଅଛି ହଜୁର । ପ୍ରଜାମଣ୍ଡଳର ନିଷ୍ପତ୍ତି । ମୁଁ କିଛି କହିପାରିବି ନାହିଁ-।”

 

‘‘ଯାଅ, ଗାଁର ଲୋକଙ୍କୁ ଚଞ୍ଚଳ ଡାକିଦିଅ । ସେମାନେ ରାସ୍ତା ସଫାକରନ୍ତୁ, ନିର୍ଦ୍ଦେଶ ଦିଆଗଲା ।” ଆବେଗଭରା କଣ୍ଠରେ କହିଲେ ଭୋଳ, ‘‘ତାହା ମୋ ଦେଇ ହୋଇପାରିବନି ହଜୁର-। ଗାଁଗଣ୍ଡାରେ କେହି ପାରିବାର ମରଦ ନାହାନ୍ତି । ସମସ୍ତେ ଯାଇଛନ୍ତି ରଣପୁର । ଯିବାକୁ ଇଚ୍ଛାଥିଲେ ସିପାହିବାବୁମାନଙ୍କ ହାତରେ ରାସ୍ତା ସଫା କରନ୍ତୁ ।”

 

ବେଜେଲ୍ ଗେଟ୍‌ଙ୍କ ରାଗ ସୀମା ଲଙ୍ଘନ କଲା । ‘ବଦ୍‍ମାସ୍ * କହି ନିଜ ପିସ୍ତଲରୁ ଗୋଟିଏ ରାଉଣ୍ଡ ଗୁଳି ଫାୟର୍ କଲେ । ତା’ପରେ ଜୋତାରେ ଗୋଇଠାମାରି ଭୋଳକୁ ତଳେ ପକେଇଦେଲେ । ଭୋଳ ନିଶ୍ଚଳ ହୋଇ ତଳେ ପଡ଼ିରହିଲେ । ସିପାହିମାନେ ରାସ୍ତା ସଫାକରିବା ପରେ ସାହେବଙ୍କ ଗାଡ଼ି ରଣପୁର ଅଭିମୁଖେ ଆଗେଇ ଚାଲିଲା ।

 

ରଣପୁରର ସେ ଲୋକାରଣ୍ୟ ଦେଖି ବେଜେଲ୍ ଗେଟ୍ ନିଜର ଆଖିକୁ ବିଶ୍ୱାସ କରିପାରିଲେ ନାହଁ । ବିରାଟ ଜନସମୁଦ୍ର । ସୋରିଷ ବୁଣିବାକୁ ବି ସ୍ଥାନ ନାହିଁ । କ୍ରୁଦ୍ଧ ଜନତା ଧାଇଁଆସିଲା ସାହେବଙ୍କ ପାଖକୁ । ରଘୁ ଓ ଦିବାକର ପ୍ରମୁଖ ନେତା ଆନ୍ଦୋଳନକାରୀଙ୍କୁ ଦମ୍ଭ ଧରିବାକୁ ଅନୁରୋଧ କଲେ । ଶେଷରେ ସାହେବ ରଣପୁର ରାଜବାଟୀ ମଧ୍ୟରେ ପ୍ରବେଶକଲେ । ବେଜେଲ୍ ଗେଟ୍‍ଙ୍କୁ ଦେଖି ଅଙ୍କିତ ରାଜାଙ୍କ ପିଣ୍ଡରେ ପ୍ରାଣ ପଶିଲା । ଭୀତତ୍ରସ୍ତ ଦେବାନ୍‍ଙ୍କ ମୁହଁରେ ଗୋଟିଏ ହସର ରେଖା ଦେଖାଦେଲା ।

 

ବେଜେଲ୍ ଗେଟ୍ ଲୋକଙ୍କ ସହିତ ଆଲୋଚନା କରିବାପାଇଁ ଆଗଭର ହୋଇଆସିଲେ-। ରଘୁ ଦିବାକର ପ୍ରମୁଖ ସତ୍ୟାଗ୍ରହୀ ବନ୍ଦୀମାନଙ୍କୁ ମୁକ୍ତକରିବା ସଙ୍ଗେ ସଙ୍ଗେ ଦେବାନ୍‍ଙ୍କୁ ତୁରନ୍ତ କାର୍ଯ୍ୟରୁ ଅନ୍ତର କରିବାପାଇଁ ଦାବି ଜଣାଇଲେ ।

 

ଠିକ୍ ଏତିକିବେଳେ ନାଥ ଭୋଳକୁ ଶଗଡ଼ରେ ପକାଇ କେତେକ ଲୋକ ସଭାସ୍ଥଳରେ ଉପସ୍ଥିତ ହୋଇ ଜଣାଇଲେ ଯେ, ସାହେବ ନାଥ ଭୋଳକୁ ମାରିଦେଇଛି । ସମବେତ ଜନତା ଏହି ଖବରରେ କ୍ରୁଦ୍ଧ ହୋଇଉଠିଲେ । ସାହେବ ନାଥ ଭୋଳରେ ଡାକ୍ତରୀ ପରୀକ୍ଷାପାଇଁ ହୁକୁମ୍ ଦେଲେ-। କେତେଜଣ ସତ୍ୟାଗ୍ରହୀ ଶଗଡ଼କୁ ଚାନ୍ଦପୁର ଆଡ଼କୁ ମୁହାଁଇଁଛନ୍ତି, ବେଜେଲ୍ ଗେଟ୍ କ’ଣ ଭାବିଲେ କେଜାଣି ଗାଡ଼ି ପାଖକୁ ଦୌଡ଼ିଆସି ନାଥ ଭୋଳର ନାଡ଼ି ଦେଖିବାକୁ ଲାଗିଲେ । ଏହି ସମୟରେ 'ମାର ମାର, ନରହତ୍ୟାକାରୀକୁ ମାର' ବୋଲି କେତେଜଣ ଚିତ୍କାର କଲେ । ଅର୍ଜୁନ ରାଉତ ପ୍ରଚଣ୍ଡ କ୍ରୋଧରେ ଧାଇଁଆସି ବେଜେଲ୍ ଗେଟ୍‍କୁ ଚାପି ଧରିଲେ । ସାହେବ ପିସ୍ତଲ ଫୁଟାଇଲେ । ଅର୍ଜୁନ ରାଉତ ଟଳିପଡ଼ିଲେ ।

 

ଏହାପରେ ଅବସ୍ଥା ଅସମ୍ଭାଳ ହୋଇଗଲା । ଉଛୁଳା ନଈକୁ ରୋକିବ କିଏ ? ଲୋକେ ଉତ୍ତ୍ୟକ୍ତ ହୋଇ ଆଗେଇଆସିଲେ । ଫାୟାରିଂ ଅର୍ଡର ହେଲା । ସମ୍ମୁଖସ୍ଥ ଜନତା କିନ୍ତୁ ମାଡ଼ିଚାଲିଲା-। ସିପାହିମାନଙ୍କର ବନ୍ଧୁକଗୁଡ଼ିକ ଛଡ଼େଇ କ୍ରୁଦ୍ଧ–ଜନତା । କିଏ ଜଣେ ବାଉଁଶ ଠେଙ୍ଗାରେ ବେଜେଲ୍ ଗେଟ୍‌ଙ୍କ ସଜୋରେ ପ୍ରହାରକଲା । ପ୍ରାଣବିକଳରେ ସାହେବ ପଢ଼ିଆରୀ ଘରକୁ ପଳାଇଥିଲେ । ପଢ଼ିଆରୀ ଗୃହିଣୀ କବାଟ ବନ୍ଦ କରିଦେଲେ । ଅଣନିଃଶ୍ୱାସୀ ହୋଇ ପିଣ୍ଡାରେ ଥିବା ଶଗଡ଼ ଚକ ଭିତରେ ପଶି ଯାଉଁ ଯାଉଁ ବେଜେଲ୍ ଗେଟ୍‌ଙ୍କ ମୁଣ୍ଡ ଚକର ଅର ମଧ୍ୟରେ ରହିଗଲା । ତା'ପରେ ଚାଲିଲା କ୍ରୁଦ୍ଧ ଜନତାର ଅମାନୁଷିକ ପ୍ରହାର । ରଘୁ, ଦିବାକରଙ୍କ ବାରଣ ସତ୍ତ୍ୱେ ସମବେତ ଜନତା ପ୍ରତିହିଂସାପ୍ରିୟ ହୋଇଉଠିଥିଲେ । ଅଦା ଛେଚିଲାଭଳିଆ ସାହେବଙ୍କୁ ଛେଚିଗଲେ ଉପସ୍ଥିତ ଜନତା-। ସାହେବ ଚିରଦିନ ପାଇଁ ଟଳିପଡ଼ିଲେ ।

 

ଏହି ହତ୍ୟାକାଣ୍ଡ ପରେ ପ୍ରଜାମାନଙ୍କ ଉପରେ ନିର୍ମମ ଅତ୍ୟାଚାର କରାଗଲା । ଡକ୍ତର ହରେକୃଷ୍ଣ ମହତାବଙ୍କ ପରାମର୍ଶ କ୍ରମେ ରଣପୁରର ଆବାଳବୃଦ୍ଧବନିତା ରଣପୁର ପରିତ୍ୟାଗ କରି ମୋଗଲବନ୍ଦୀ ଅଞ୍ଚଳକୁ ଚାଲିଆସିଲେ । ରଣପୁର ପଟଣରେ ପୂରିରହିଲା.......କିନ୍ତୁ ଶୂନ୍‍ଶାନ୍........ଚାରିଆଡ଼େ ଶୂନ୍‍ଶାନ୍ ।

 

ନିଖିଳ ଭାରତ କୃଷକସଭାର ତତ୍‍କାଳୀନ ସଭାପତି ପ୍ରଫେସର୍ ରଙ୍ଗା, ନବକୃଷ୍ଣ ଚୌଧୁରୀ, ଶ୍ରୀ ସୁରେନ୍ଦ୍ର ନାଥ ଦ୍ୱିବେଦୀଙ୍କ ସହ ପ୍ରାଣନାଥ ଏହି ସମୟରେ ଅବସ୍ଥା ଅନୁଧ୍ୟାନ କରି ଲୋକଙ୍କୁ ସାହାଯ୍ୟ କରିବାପାଇଁ ରଣପୁର ଯାଇଥିଲେ । ଚାନ୍ଦପୁରଠାରୁ ରଣପୁର ପର୍ଯ୍ୟନ୍ତ ଯେତେ ଗ୍ରାମ ପଡ଼ିଲା, ସେମାନଙ୍କୁ କୌଣସି ଗ୍ରାମରେ ଗୋଟିଏ ହେଲେ ଲୋକ ଦେଖିବାକୁ ମିଳିଲା ନାହିଁ । ରଣପୁର ମଧ୍ୟ ଜନଶୂନ୍ୟ ଓ ଶ୍ରୀହୀନ ହୋଇଯାଇଥାଏ । ଅସ୍ଥାୟୀ ପଲିଟିକାଲ୍ ଏଜେଣ୍ଟ୍ ମିଷ୍ଟର ବୁଡ଼େନି ସେହି ସମୟରେ ରଣପୁରରେ ଅବସ୍ଥାନ କରି ବେଜେଲ୍ ଗେଟ୍‌ଙ୍କ ହତ୍ୟାର ପ୍ରତିଶୋଧ ନେବାପାଇଁ ସିପାହିମାନଙ୍କୁ ଆଦେଶ ଦେଇଥାନ୍ତି । ପ୍ରାଣନାଥଙ୍କ ଭାଷାରେ–"ଆମେ ଯାହା ଦେଖିଲୁ, ବୁଡ଼େନି ପ୍ରଜାବର୍ଗଙ୍କୁ ଭୟଭୀତ କରିବା କାର୍ଯ୍ୟରେ ବ୍ୟାପୃତ ଥିବା ସମୟରେ ନିଜେ ଅଧିକ ଭୟଗ୍ରସ୍ତ ଥିବାର ଜଣାପଡ଼ୁଥିଲା । ରଣପୁରର କୌଣସି ପ୍ରଜା ଲୁଚିଛପି କାଳେ ତାଙ୍କୁ ଆକ୍ରମଣ କରିବା ଭୟରେ ସେ ଶତାଧିକ ସୈନ୍ୟ ଓ ବହୁ ପେଟ୍ରୋମାକ୍‍ସ ଆଲୋକମାଳା ଘେର ଭିତରେ ରହୁଥିଲେ ।”

 

ରାଜତନ୍ତ୍ରର ମନୋଭାବ ଦେଖି ରଣପୁରବାସୀଙ୍କୁ ସାହାଯ୍ୟ କରିବାପାଇଁ ପ୍ରାଣନାଥଙ୍କ ଉଦ୍ୟମରେ ଏକ 'ଡିଫେନ୍ସ କମିଟି' ଗଢ଼ାଗଲା । ପ୍ରାଣନାଥ ନିଜେ ଏହାର ସେକ୍ରେଟେରୀ ଥିଲେ । ଡକ୍ଟର ହରେକୃଷ୍ଣ ମହତାବ, ଶ୍ରୀ ନବକୃଷ୍ଣ ଚୌଧୁରୀ, ସ୍ୱର୍ଗତ ସାରଙ୍ଗଧର ଦାସ ପ୍ରମୁଖ ଏହି କମିଟିର ସଭ୍ୟ ଥିଲେ । ଡିଫେନ୍ସ କମିଟି ତରଫରୁ କଟକରୁ ଆଡ଼ଭୋକେଟଦଳ ରଣପୁର ଆସି ମୋକଦ୍ଦମା ଲଢ଼ୁଥିଲେ । ପ୍ରାଣନାଥ ଏମାନଙ୍କ ସଙ୍ଗେ ରଣପୁର ଯାଇଥିଲେ । ତାଙ୍କ ଉପରେ କିନ୍ତୁ ରଣପୁର ରାଜତନ୍ତ୍ରର କଟକଣା ଥିଲା । ତାଙ୍କୁ ତତ୍‍କ୍ଷଣାତ୍ ଗିରଫ କରାଯାଇ ରାତାରାତି ଜଟଣୀରେ ଛାଡ଼ିଦିଆଗଲା । ତା'ପରେ ସିକୋ, ସାନପଦର ଅଞ୍ଚଳରୁ ଏମାନଙ୍କ ସାହାଯ୍ୟାର୍ଥେ ପ୍ରାଣନାଥ ନିଜ ସହକର୍ମୀମାନଙ୍କ ସହିତ ଆର୍ଥିକ ବ୍ୟବସ୍ଥା କରିଥିଲେ ଏବଂ ବିପଦସଙ୍କୁଳ ହୋଇଥିଲେ ମଧ୍ୟ ବରାବର ରଣପୁରର ଲୋକମାନଙ୍କ ସହିତ ସମ୍ପର୍କ ସ୍ଥାପନ କରୁଥିଲେ । ପ୍ରାଣନାଥଙ୍କ ଭାଷାରେ–"ରଣପୁର ପ୍ରଜାମାନଙ୍କର ଭାରତୀୟ ସ୍ୱାଧୀନତା ସଂଗ୍ରାମ ପାଇଁ ତ୍ୟାଗ, ଧୈର୍ଯ୍ୟ, ସାହସ ଓ ସାଧନା ଏକ ସୁକୋମଳ ଉତ୍ସରୂପେ ବିଦ୍ୟମାନ ରହିବ, ଏଥିରେ ସନ୍ଦେହ ନାହିଁ-।”

 

ଏ ଶତାବ୍ଦୀର ଚତୁର୍ଥ ଦଶକରେ ଓଡ଼ିଶାରେ ଯେତେଗୋଟି ଆନ୍ଦୋଳନର ସୂତ୍ରପାତ ହୋଇଛି, ସେ ସବୁ ସହିତ ପ୍ରାଣନାଥଙ୍କର ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ସମ୍ପର୍କ ଥିଲା । ସେ ଥିଲେ ପ୍ରକୃତ ମଳିମୁଣ୍ଡିଆଙ୍କ ନେତା । ଓଡ଼ିଶାର ଯେଉଁଠି ବି ଗରିବ ଉପରେ ଅତ୍ୟାଚାର ହେଲେ ସେ ଅଣ୍ଟାବାନ୍ଧି ସେଠାକୁ ଚାଲିଯାଉଥିଲେ ଦରିଦ୍ର ଜନସାଧାରଣଙ୍କୁ ସାହାଯ୍ୟ କରିବାପାଇଁ ।

 

ଜେଲ୍ ଜୀବନର କେତୋଟି ଅବିସ୍ମରଣୀୟ ଘଟଣା

 

ଜେଲ୍ ଜୀବନ ପ୍ରାଣନାଥଙ୍କ ଦେହସୁହା ହୋଇଯାଇଥିଲା । ୧୯୩୦ ରୁ ୧୯୪୫ ମଧ୍ୟରେ ସେ ଦଶଥର ଜେଲ୍ ବରଣ କରିଥିଲେ ଏବଂ ଅନେକ ବର୍ଷ ବନ୍ଦୀଜୀବନ ଅତିବାହିତ କରିଥିଲେ । ସ୍ୱାଧୀନତା ପରେ ମଧ୍ୟ ତାଙ୍କୁ କେତେଥର ଜେଲ୍ ବରଣ କରିବାକୁ ପଡ଼ିଥିଲା । ସେ ନିଜ ନୀତିରେ ଅଟଳ ଥିଲେ ଏବଂ ନିର୍ଭୀକ ଥିଲେ । ପରିବାରର ମୋହ ମଧ୍ୟ ତାଙ୍କ ବିପ୍ଳବାତ୍ମକ କାର୍ଯ୍ୟକଳାପରେ ବାଧା ଦେଇପାରିନଥିଲା । ପ୍ରାଣନାଥ ସ୍ୱୀକାର କରିଛନ୍ତି ଯେ, ତାଙ୍କ ସହଧର୍ମିଣୀଙ୍କ ସହଯୋଗ ହେତୁ ସେ ବିପ୍ଳବାତ୍ମକ କର୍ମପନ୍ଥାରେ ଅଗ୍ରସର ହେବାକୁ ସୁଯୋଗ ପାଇଛନ୍ତି । ଶ୍ରୀମତୀ ମଞ୍ଜରୀ ପଟ୍ଟନାୟକ ପ୍ରାଣନାଥଙ୍କ ଜେଲ୍‍ ଜୀବନର କେତେଗୋଟି ଅଭୁଲା ମୁହୂର୍ତ୍ତ ଜୀବନର ଶେଷ ପର୍ଯ୍ୟନ୍ତ ମନେରଖିଥିଲେ ।

 

ରାଜଦ୍ରୋହ–ଅପରାଧ ଓ କାରାବରଣ :

 

ସେପ୍ଟେମ୍ବର ୧, ୧୯୩୯ ଦିନ ଦ୍ୱିତୀୟ ମହାସମର ଆରମ୍ଭହେଲା । ଭାରତର ବିଭିନ୍ନ ପ୍ରଦେଶରେ ଲୋକପ୍ରତିନିଧିମୂଳକ ଶାସନ ଥିବା ସତ୍ତ୍ୱେ କାହାକୁ ନ ପଚାରି ବଡ଼ଲାଟ ଭାରତକୁ ଏହି ଯୁଦ୍ଧରେ ସାମିଲ କରିବାରୁ କଂଗ୍ରେସ ତରଫରୁ ଏହାର ପ୍ରତିବାଦ କରାଗଲା । ନଭେମ୍ବର ୪, ୧୯୩୯ରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଇସ୍ତଫା ଦେଲା ।

 

କଂଗ୍ରେସ ମନ୍ତ୍ରିମଣ୍ଡଳର ଇସ୍ତଫା ପରେ କଂଗ୍ରେସ କର୍ମୀମାନେ ଗାଁଗଣ୍ଡା ବୁଲି ଯୁଦ୍ଧ ବିରୁଦ୍ଧରେ ଜନମତ ସୃଷ୍ଟି କଲେ । ପ୍ରାଣନାଥଙ୍କ ନେତୃତ୍ୱରେ ତାଙ୍କର ସହକର୍ମୀମାନେ ଖୋର୍ଦ୍ଧା ଅଞ୍ଚଳର ଗାଁଗାଁରେ ପଦଯାତ୍ରା କରି ଯୁଦ୍ଧ ବିରୁଦ୍ଧରେ ପ୍ରଚାର କଲେ । ନଭେମ୍ବର ମାସ ଦୀପାବଳି ଅମାବାସ୍ୟା ରାତିରେ ଖୋର୍ଦ୍ଧା ଉତ୍ସବମୁଖର ହୋଇଥିଲା । ସେତେବେଳେ ପ୍ରାଣନାଥ ଓ ତାଙ୍କର ଚାରିଜଣ ସହକର୍ମୀଙ୍କୁ ରାଜଦ୍ରୋହ ଅପରାଧରେ ଗିରଫ କରାଗଲା । ଏମାନଙ୍କ ପାଇଁ ଡିଫେନ୍ସ କମିଟି ଗଢ଼ାହେଲା । କଟକର ତତ୍‍କାଳୀନ ବିଶିଷ୍ଟ ଆଡ଼ଭୋକେଟ ଶ୍ରୀ ରାଜକିଶୋର ଦାସ (ପରେ ହାଇକୋର୍ଟ ଜଜ୍), ପୂର୍ବତନ ରାଜସ୍ଵ ମନ୍ତ୍ରୀ ମାନ୍ଧାତା ଗୋରାଚାନ୍ଦ ପଟ୍ଟନାୟକ ଓ ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ନିରଞ୍ଜନ ପଟ୍ଟନାୟକ ଖୋର୍ଦ୍ଧା ଆସି ପ୍ରାଣନାଥ ଏବଂ ତାଙ୍କ ସହକର୍ମୀମାନଙ୍କ ପାଇଁ ମୋକଦ୍ଦମା ଲଢ଼ିଲେ । ଉପରୋକ୍ତ ଆଡ୍‍ଭୋକେଟମାନେ ସ୍ଵଇଚ୍ଛାରେ ଆସି ନିଜ ହାତରୁ ଖର୍ଚ୍ଚକରି ମୋକଦ୍ଦମା ଲଢ଼ୁଥିଲେ । ଶ୍ରୀ ରାଜକିଶୋର ଦାସଙ୍କ ଭାଷାରେ–‘‘ପ୍ରାଣନାଥବାବୁ ପ୍ରମୁଖ ଏତେ ଲୋକପ୍ରିୟଥିଲେ ଯେ, ଏ ମୋକଦ୍ଦମା ଖୋର୍ଦ୍ଧା କୋର୍ଟରେ ପଡ଼ିଲାବେଳେ ସହସ୍ର ସହସ୍ର ଲୋକ ଜମା ହୋଇଥାନ୍ତି ।”

 

ଏହି ମାମଲାରେ ପ୍ରାଣନାଥଙ୍କୁ ବର୍ଷାଧିକ କାଳ ଜେଲଦଣ୍ଡ ଭୋଗିବାକୁ ପଡ଼ିଲା । ରାଜଦ୍ରୋହ ଅପରାଧରେ ଦଣ୍ଡିତ ହୋଇଥିବାରୁ ତାଙ୍କୁ ଅନୁଗୁଳ ଜେଲ୍‍ର ସ୍ଵତନ୍ତ୍ର ସେଲରେ ରଖାଗଲା । ପରେ ପୁରୀ ଜେଲ୍‍କୁ ସ୍ଥାନାନ୍ତରିତ କରାଗଲା ।

 

କୃଷ୍ଣ ମୋହନଙ୍କ ମୃତ୍ୟୁ :

 

ପ୍ରାଣନାଥ ପୁରୀ ଜେଲରେ ଥିବା ସମୟରେ ତାଙ୍କର ଶ୍ଵଶୁର କବି କୃଷ୍ଣମୋହନ ପଟ୍ଟନାୟକ ବିଶେଷ ଭାବରେ ପୀଡ଼ିତ ହେଲେ । କୃଷ୍ଣ ମୋହନବାବୁ ନିଜେ ବିପ୍ଲବୀ ଥିଲେ ଏବଂ ଜାମାତାଙ୍କ ବିପ୍ଳବାତ୍ମକ ମନୋବୃତ୍ତିକୁ ପସନ୍ଦ କରୁଥିଲେ । ‘ବନ୍ଦେ ମାତରମ’ ଅନୁସରଣରେ ସେ ଏକ ସଙ୍ଗୀତ ରଚନା କରିଥିଲେ । ତାଙ୍କର ଅମର ଜାତୀୟ ସଙ୍ଗୀତ ‘‘ଆଜି ସାଗରେ ଭୂଧରେ ପ୍ରାନ୍ତରେ ଅମ୍ବରେ ଶୁଭୁ ଉତ୍କଳର ଜୟଗୀତି’’ରେ ଗଭୀର ଦେଶପ୍ରୀତିର ପରିଚୟ ମିଳେ । ୧୯୪୦ ମାର୍ଚ୍ଚ ମାସ । ପ୍ରାଣନାଥ ପୁରୀ ଜେଲରେ ଥାନ୍ତି । ଶ୍ରୀମତୀ ପଟ୍ଟନାୟକ ଜଟଣୀରେ ଏକାକିନୀ । ବଡ଼ ପୁଅ ଟୁଲୁକୁ ମାତ୍ର ଦେଢ଼ବର୍ଷ । ସେଥିରେ ପୁଣି ସେ ଥାନ୍ତି ଅନ୍ତଃସତ୍ତ୍ୱା । ଘର ଚଳାଇବାକୁ ହାତରେ ପଇସା ନଥାଏ । ପୁଅର ଘନ ଘନ ଦେହ ଖରାପ । ତାଙ୍କ ନିଜର ମଧ୍ୟ ସ୍ୱାସ୍ଥ୍ୟ ଭଲନଥାଏ-। ଔଷଧ ଦେବା ତ ଦୂରର କଥା, ପୁଅକୁ ବାର୍ଲିପାଣି ଦେବାକୁ ଶ୍ରୀମତୀ ପଟ୍ଟନାୟକଙ୍କର ସମ୍ବଳ ନଥାଏ । ତଥାପି ତାଙ୍କ ମନରେ ଥାଏ ଅକଳନୀୟ ଦମ୍ଭ । ମନ ଭାଙ୍ଗିଗଲାବେଳେ ତାଙ୍କର ମନେପଡ଼ିଯାଏ ଯେ, ସେ ବିପ୍ଲବୀ କୃଷ୍ଣ ମୋହନଙ୍କ କନ୍ୟା ଏବଂ ସଂଗ୍ରାମୀ ପ୍ରାଣନାଥଙ୍କ ସହଧର୍ମିଣୀ । ଏତିକିରେ ତାଙ୍କର ମନୋବଳ ଫେରିଆସେ ।

 

ବାପାଙ୍କ ଅସୁସ୍ଥତା ଖବର ପାଇ ଶ୍ରୀମତୀ ପଟ୍ଟନାୟକ ପୁରୀ ଗଲେ । ସେତେବେଳେ କୃଷ୍ଣମୋହନ ଥାନ୍ତି ତାଙ୍କ ସାନଭାଇ ପ୍ୟାରୀମୋହନଙ୍କ ପାଖରେ । କୃଷ୍ଣ ମୋହନଙ୍କ ଜିଦ୍–ପ୍ରାଣନାଥଙ୍କୁ ଦେଖିବେ । ପ୍ରାଣନାଥ ପୁରୀ ଜେଲରେ, କୃଷ୍ଣମୋହନ ପୁରୀରେ ରୋଗଶଯ୍ୟାରେ । ତଥାପି ଉଭୟଙ୍କର ସାକ୍ଷାତ ହୋଇପାରିଲା ନାହିଁ । ପ୍ରାଣନାଥ ସରକାରଙ୍କ ଅନୁମତି ଲୋଡ଼ିଲେ–ଅନୁମତି ମିଳିଲା ନାହିଁ । ରାଜଦ୍ରୋହୀ ପ୍ରାଣନାଥଙ୍କୁ ଅନୁମତି କେମିତି ବା ମିଳନ୍ତା !

 

ସେଦିନ ଦୋଳପୂର୍ଣ୍ଣିମା, ମାର୍ଚ୍ଚ ୨୩, ୧୯୪୦ । ପୁରୀ ସହର ଉତ୍ସବ ମୁଖରିତ ହୋଇଉଠିଥାଏ । ସେହି ପବିତ୍ର ତିଥିରେ କୃଷ୍ଣମୋହନଙ୍କ ଦେହାବସାନ ହେଲା । ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ପ୍ରାଣନାଥଙ୍କୁ ଦେଖିବାପାଇଁ ଉତ୍କଣ୍ଠା ପ୍ରକାଶ କରିଥିଲେ; କିନ୍ତୁ ଜୀବନଦୀପ ଲିଭିଗଲା ପଛକେ, ଜେଲ୍ ଘେରରୁ ଦଣ୍ଡକପାଇଁ ଆସି ଦେଖାକରିବାକୁ ପ୍ରାଣନାଥ ସମର୍ଥ ହେଲେ ନାହିଁ । ଗୋଟିଏ ବିପ୍ଲବୀ ନିଜର ଜୀବନ ଦୀପ ଲିଭିବା ପୂର୍ବରୁ ଆଉ ଜଣେ ବିପ୍ଳବୀଙ୍କୁ କ’ଣ କହିବାକୁ ଚାହୁଁଥିଲେ ବୋଧହୁଏ । ଏକ ନିର୍ବାପନମୁଖୀ ଦୀପ ତେଜୀୟାନ ଭାବରେ ପ୍ରଜ୍ଜ୍ଵଳିତ ଆଉ ଏକ ପ୍ରଦୀପର ବାଟ ଟାକିରହିଲା । ପାର୍ଥିବ ମିଳନ ହୋଇପାରିଲା ନାହିଁ ସତ; କିନ୍ତୁ ତେଜୀୟାନ୍ ଦୀପର କାନରେ ଅକୁହା ଭାଷାରେ କହିଗଲା–‘‘ଆହୁରି ଜୋରରେ ଜଳିବାକୁ ହେବ । ଦେଶପାଇଁ, ଜାତି ପାଇଁ ନିଜକୁ ଜାଳିପୋଡ଼ି ନିଃଶେଷ କରିବାକୁ ହେବ ।”

 

କୃଷ୍ଣମୋହନଙ୍କ ଘରେ ବିଶାଦର ଘନଚ୍ଛାୟା । ଶ୍ରୀମତୀ ମଞ୍ଜରୀ ଧାଇଁଗଲେ ପୁରୀ ଜେଲକୁ ପ୍ରାଣନାଥଙ୍କ ପାଖରେ ପିତାଙ୍କ ମୃତ୍ୟୁଖବର ପହଞ୍ଚାଇବା ପାଇଁ । ମଞ୍ଜରୀଙ୍କ ଆଖିର ଧାର ଧାର ଲୁହ ଦେଖି ପ୍ରାଣନାଥ ସବୁ ବୁଝିପାରିଲେ । ତାଙ୍କର ପାଷାଣ ହୃଦୟ ବି ତରଳିଗଲା, ଅଜାଣତରେ ଦି’ଟୋପା ଲୁହ ଗଡ଼ିପଡ଼ିଲା । ମଞ୍ଜରୀ ଦେବୀଙ୍କ କାଖରେ ଦେଢ଼ବର୍ଷର ରୁଗ୍‍ଣ ଶିଶୁ ନିର୍ବାକ୍ ଭାବରେ ଅନେଇ ରହିଥିଲା । ଜେଲ୍‍ର ରେଲିଂ ଭିତରେ ହାତ ପୂରାଇ ପ୍ରାଣନାଥ ସହଧର୍ମିଣୀଙ୍କ ମୁଣ୍ଡରେ ହାତ ବୁଲାଇ ସାନ୍ତ୍ୱନା ଦେବାକୁ ଚେଷ୍ଟା କରୁଥିଲେ । ମଞ୍ଜରୀ ଦେବୀଙ୍କ କୋହ ଉଛୁଳି ପଡ଼ୁଥାଏ । ସେଆଡ଼େ ସ୍ୱର୍ଗଦ୍ୱାରରେ କୃଷ୍ଣମୋହନଙ୍କ ମରଶରୀର ହୁ–ହୁ ହୋଇ ଜଳିଉଠୁଥାଏ । ଚିତାର ଆଲୋକ ଊର୍ଦ୍ଧ୍ୱମୁଖୀ ହୋଇ ମିଶିବାକୁ ଚେଷ୍ଟା କରୁଥାଏ ସ୍ଵର୍ଗର ଆଲୋକ ସହିତ ।

 

ବ୍ୟକ୍ତି ସତ୍ୟାଗ୍ରହ :

 

ଦ୍ୱିତୀୟ ମହାଯୁଦ୍ଧ ଘନେଇ ଆସିଲା । କଂଗ୍ରସ ତରଫରୁ ବ୍ୟକ୍ତିଗତ ଆଇନଅମାନ୍ୟ କରାଯିବା ପାଇଁ ସ୍ଥିରହେଲା । ଓଡ଼ିଶାରୁ ବ୍ୟକ୍ତିଗତ ସତ୍ୟାଗ୍ରହ କରିବାପାଇଁ ପ୍ରଥମ ଦଳରେ ଗାନ୍ଧିଜୀ ଯେଉଁ ସତେଇଶ ଜଣଙ୍କୁ ବାଛିଥିଲେ ପ୍ରାଣନାଥ ଥିଲେ ସେମାନଙ୍କ ମଧ୍ୟରେ ଅନ୍ୟତମ ।

 

୧୯୪୦ ଡିସେମ୍ବର ପହିଲା ଦିନ ଶ୍ରୀ ବିଶ୍ଵନାଥ ଦାସ କଟକରେ ଆଇନଅମାନ୍ୟ କରି ଜେଲ୍ ବରଣ କଲେ । ବାଲେଶ୍ଵର ଜିଲ୍ଲାର ରେମୁଣାଠାରେ ଆଇନଅମାନ୍ୟ କରି ଗିରଫ ହେଲେ ଡାକ୍ତର ହରେକୃଷ୍ଣ ମହତାବ । ଏହି ଆଇନଅମାନ୍ୟ ଆନ୍ଦୋଳନ ଦେଖିବାପାଇଁ ଖୋର୍ଦ୍ଧା ପାଖ ଗାଁଗଣ୍ଡାରୁ ବହୁ ନରନାରୀ ଖୋର୍ଦ୍ଧାରେ ରୁଣ୍ଡ ହୋଇଥାନ୍ତି । ସତ୍ୟାଗ୍ରହର ନିୟମାନୁସାରେ ପ୍ରାଣନାଥ ସତ୍ୟାଗ୍ରହରେ ସ୍ଥାନ ଓ ସମୟ ଜଣାଇ ଦେଇଥାନ୍ତି । ସମୟ ଅପରାହ୍ନ ଘ ୪–୪୪ ମିନିଟ୍, ସ୍ଥାନ କଚେରି ନିକଟସ୍ଥ ଛକ । ବହୁ ପୂର୍ବରୁ ସେ ସ୍ଥାନ ଲୋକାରଣ୍ୟ ହୋଇଉଠିଥାଏ । ନିର୍ଦ୍ଦିଷ୍ଟ ସମୟ ପହଞ୍ଚିବାରୁ ଟେବୁଲ୍ ଉପରେ ଛିଡ଼ାହୋଇ ପ୍ରାଣନାଥ ତାଙ୍କ ଭାଷଣ ଆରମ୍ଭ କଲେ–‘‘ଧନ ଜନ ଦେଇ ଏ ଯୁଦ୍ଧକୁ କେହି ସାହାଯ୍ୟ କରନାହିଁ, ନାଏକ ଭାଇ, ନାଏକ ଭାଇ, ନାଏକ ପାଇଁ.....’’ କଥା ନସରୁଣୁ ପୋଲିସ୍ ତାଙ୍କୁ ଗିରଫ କରିନେଲା । ଲୋକମାନେ ପ୍ରାଣନାଥଙ୍କ ଜୟ ଜୟକାର କଲେ । ଏବେ ବି ଏହି ରୋମାଞ୍ଚକାରୀ ଘଟଣା ଖୋର୍ଦ୍ଧାର ଅନେକ ଲୋକଙ୍କର ମନେଅଛି ।

 

ଭଗବତୀଙ୍କ ମହାପ୍ରୟାଣ :

 

ଅଗଷ୍ଟ ୯, ୧୯୪୨ । ଭାରତର ସର୍ବତ୍ର ଭାରତଛାଡ଼ ସ୍ଲୋଗାନ୍ ପ୍ରତିଧ୍ଵନିତ ହେଉଥାଏ-। ଭାରତର ନେତୃସ୍ଥାନୀୟ ଅନେକ ବ୍ୟକ୍ତିଙ୍କୁ ଏହି ସମୟରେ ଗିରଫ କରାଗଲା । ଅଗଷ୍ଟ ୯ର କୃଷକ ସମାବେଶରୁ ଫେରୁ ଫେରୁ ସ୍ୱାଭାବିକ ଭାବରେ ପ୍ରାଣନାଥ ଗିରଫ ହେଲେ । ୧୯୩୯ ନଭେମ୍ବର, ୧୯୪୦ ଡିସେମ୍ବର ଏବଂ ୧୯୪୨ ଅଗଷ୍ଟରେ ବିଭିନ୍ନ ଅବଧିର ଜେଲ୍ ଦଣ୍ଡ ପାଇଁ ପ୍ରାଣନାଥ ତାଙ୍କର ପ୍ରିୟ ସାଥୀ ଭଗବତୀଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ରଖିପାରିଲେ ନାହିଁ । ୧୯୩୯ ନଭେମ୍ବରର ଗିରଫଦାରୀ ପରେ ପ୍ରାଣନାଥଙ୍କ ବିଚାରରେ ସାହାଯ୍ୟ କରିବାପାଇଁ ଆଇନଜ୍ଞ ଶ୍ରୀ ରାଜକିଶୋର ଦାସଙ୍କ ସଙ୍ଗେ ଭାଗବତୀ ମଧ୍ୟ ଖୋର୍ଦ୍ଧା ଆସୁଥିଲେ । ଏହି ରାଜଦ୍ରୋହ ଅପରାଧରେ ଦଣ୍ଡିତ ହୋଇ ପ୍ରାଣନାଥ ପୁରୀ ଜେଲରେ ଥିବା ସମୟରେ ଜୁଲାଇ ୧୧, ୧୯୪୦ରେ କମ୍ୟୁନିଷ୍ଟ ଷଡ଼ଯନ୍ତ୍ର ମାମଲାରେ ଭଗବତୀ ଏବଂ ତାଙ୍କର ସହକର୍ମୀମାନଙ୍କୁ ଗିରଫ କରାଯାଇ କଟକ ଜେଲ୍ ଭିତରେ ବିଚାର ଚାଲିଲା । ପୁରୀ ଜେଲରେ ଥାଇ ପ୍ରାଣନାଥ ଏପରି ଆବଦ୍ଧ ପ୍ରକୋଷ୍ଠ ବିଚାରର ପ୍ରତିବାଦ କରିଥିଲେ ଏବଂ ଭଗବତୀଙ୍କ ମକଦ୍ଦମାର ଖବର ବନ୍ଧୁମାନଙ୍କଠାରୁ ବୁଝିରଖୁଥିଲେ । ଏହି ଷଡ଼ଯନ୍ତ୍ର ମାମଲାରେ ଭଗବତୀଙ୍କୁ ଅଢ଼େଇ ବର୍ଷ ସଶ୍ରମ କାରାଦଣ୍ଡ ମିଳିଥିଲା ।

 

ଜେଲ୍ ଭିତରେ ଦିନକୁ ଦିନ ଭଗବତୀଙ୍କ ସ୍ୱାସ୍ଥ୍ୟଭଙ୍ଗ ହେବାକୁ ଲାଗିଲା । ୧୯୪୩ ଅକ୍ଟୋବର ବେଳକୁ ତାଙ୍କର ସ୍ୱାସ୍ଥ୍ୟର ଭୀଷଣ ଅବନତି ଘଟିଲା । ସେତେବେଳେ ପ୍ରାଣନାଥ ବ୍ରହ୍ମପୁର ଜେଲରେ ଅଟକବନ୍ଦୀ ଥା’ନ୍ତି । ପ୍ରାଣନାଥ ପ୍ରମୁଖ ବନ୍ଧୁମାନେ ଭଗବତୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଉଦ୍‍ବିଗ୍ନ ହୋଇ ବେଳକୁ ବେଳ ଖବର ଲୋଡ଼ୁଥାନ୍ତି । ଅକ୍ଟୋବର ୨୩ ତାରିଖ ଦିନ ମାତ୍ର ୩୪ ବର୍ଷ ବୟସରେ ଭଗବତୀଙ୍କ ମରଦେହକୁ ପରିତ୍ୟାଗ କରି ଚାଲିଗଲା ତାଙ୍କର ଅମର ଆତ୍ମା । ଯୁବନେତା ଭଗବତୀଙ୍କ ମୃତ୍ୟୁରେ ଓଡ଼ିଶା ତଥା ଭାରତର ନେତୃସ୍ଥାନୀୟ ବ୍ୟକ୍ତିମାନେ ଶୋକଜର୍ଜରିତ ଚିତ୍ତରେ ଅଶ୍ରୁପାତ କଲେ । ବ୍ରହ୍ମପୁର ଜେଲରେ ପ୍ରାଣନାଥ ଏହି ଦୁଃଖଦାୟକ ବିୟୋଗ ସମ୍ବାଦ ପାଇଁ ସ୍ତବ୍ଧ ହୋଇପଡ଼ିଲେ । ତାଙ୍କର ଆଖିରୁ ଦି’ଧାର ତତଲା ଲୁହ ଅଜାଣତରେ ଗଡ଼ିପଡ଼ିଲା । ଜଣେ ସଚ୍ଚା ସାମ୍ୟବାଦୀର ମୃତ୍ୟୁରେ ଆଉ ଏକ ସଚ୍ଚା ସାମ୍ୟବାଦୀର ହୃଦୟ କ୍ରନ୍ଦନ କରିବାକୁ ଲାଗିଲା । ଭଗବତୀଙ୍କର ମୃତ୍ୟୁଜନିତ କାରୁଣ୍ୟର ଝଲକ ପ୍ରାଣନାଥଙ୍କ ଜୀବନର ଶେଷ ପର୍ଯ୍ୟନ୍ତ ମନେଥିଲା ଏବଂ ସେ ବେଳେବେଳେ ସାଙ୍ଗସାଥୀ ମେଳରେ ବ୍ୟଥିତ କଣ୍ଠରେ ଏହି କରୁଣ ବିୟୋଗର ବର୍ଣ୍ଣନା କରୁଥିଲେ ।

 

ଦୀର୍ଘଦିନ ଅନଶନ :

 

ଭାରତ ସ୍ୱାଧୀନ ହେଲା । ମଳିମୁଣ୍ଡିଆଙ୍କ ପାଇଁ ଯେଉଁ କେତେଜଣଙ୍କର ଦରଦ ତଥାପି ରହିଯାଇଥିଲା, ପ୍ରାଣନାଥ ସେମାନଙ୍କ ମଧ୍ୟରେ ଥିଲେ ଅନ୍ୟତମ । ସେ କମ୍ୟୁନିଷ୍ଟ ଥିଲେ ସତ; କିନ୍ତୁ ଗାନ୍ଧିଜୀଙ୍କ ଅହିଂସା ଅସ୍ତ୍ର ଅନଶନକୁ ସେ ଶ୍ରେଷ୍ଠ ଉପାଦାନ ବୋଲି ଗ୍ରହଣ କରିନେଇଥିଲେ । ସ୍ୱାଧୀନତା ପରେ କମ୍ୟୁନିଷ୍ଟ ପାର୍ଟି ଉପରେ ଯେଉଁ କଟକଣା ଜାରିହେଲା ତଦନୁଯାୟୀ ପ୍ରାଣନାଥଙ୍କୁ ଅଟକବନ୍ଦୀ ରଖାଗଲା । ସେହି ଅବସରରେ କଟକ ଜେଲରେ ଆତ୍ମ–ଶୁଦ୍ଧି ପାଇଁ ସେ ଦୀର୍ଘଦିନ ଧରି ଅନଶନ କରିଥିଲେ । ଏହି ଅନଶନ ଚାରିଆଡ଼େ ଚହଳ ପକାଇ ଦେଇଥିଲା । ମାସାଧିକ କାଳ ଅନଶନ କରିବାରୁ ତାଙ୍କର ସ୍ୱାସ୍ଥ୍ୟର ପ୍ରଭୂତ ଅବନତି ଘଟିଥିଲା । ଚାରିଆଡ଼େ ଉଦ୍‍ବିଗ୍ନତା । ଶ୍ରୀମତୀ ପଟ୍ଟନାୟକଙ୍କ ମିନତିଭରା ଚାହାଣୀ ତାଙ୍କ ଅନଶନକୁ ରୋକିପାରିଲା ନାହିଁ । ପ୍ରାଣନାଥଙ୍କ ହସହସ ମୁହଁକୁ ଗୋଟିଏ ବିଷାଦର ବାଦଲ୍ ଘୋଡ଼ାଇରଖିଲା । ସେ ଥଣ୍ଡାମିଞ୍ଜାଜୀ ଲୋକ ହେଲେ ବି ମନ ତାଙ୍କର ଅଟଳ । ସେହି ମନର ଦମ୍ଭ ଥିଲା ତାଙ୍କ ସ୍ୱାସ୍ଥ୍ୟ ଶ୍ରେଷ୍ଠ ସମ୍ବଳ ।

 

ଶେଷ ଅବସ୍ଥାରେ ସେ ଶଯ୍ୟାଶାୟୀ ହୋଇପଡ଼ିଲେ । ରକ୍ତବାନ୍ତି କରି ଅଚେତ ହୋଇଗଲେ । ଅନେକ ନେତୃସ୍ଥାନୀୟ ବନ୍ଧୁଙ୍କ ଅନୁରୋଧ କ୍ରମେ ସେ ଅନଶନ ଭଙ୍ଗ କରିଥିଲେ ସତ; କିନ୍ତୁ ଦୀର୍ଘଦିନ ଅନଶନ କରି ସେ ତାଙ୍କର ଦୃଢ଼ ମନୋବଳ ଯେପରି ଭାବରେ ପ୍ରଦର୍ଶନ କରିଥିଲେ ଏବଂ ଗାନ୍ଧିଜୀଙ୍କ ଅହିଂସା ଦର୍ଶନକୁ ଯେପରି ଅକ୍ଷରେ ଅକ୍ଷରେ ପାଳନ କରିଥିଲେ ତାହା ସମସ୍ତଙ୍କୁ ସ୍ତମ୍ଭିତ କରିପକାଇଥିଲା । ଏପରି ଏକ ଅନଶନ ଓଡ଼ିଶାରେ ନୂତନ ଇତିହାସ ସୃଷ୍ଟି କରିଥିଲା ।

 

ଦରିଦ୍ର ପ୍ରତିନିଧି :

 

ସତ୍ୟାଗ୍ରହ ଥିଲା ପ୍ରାଣନାଥଙ୍କର ଅତି ପ୍ରିୟ ଅସ୍ତ୍ର । ଚୀନ୍–ଭାରତ ଯୁଦ୍ଧ ପରେ ଦେଶରେ ଯେତେବେଳେ ଦରଦାମ୍ ହୁ–ହୁ ବଢ଼ିବାକୁ ଲାଗିଲା, ଦରଦାମ୍ ବୃଦ୍ଧି ବିରୁଦ୍ଧରେ ପୁରୀରେ ସେ ସତ୍ୟାଗ୍ରହ କରିଥିଲେ ୧୯୬୪ରେ । ତାଙ୍କୁ ବନ୍ଦୀ କରାଯାଇ ବ୍ରହ୍ମପୁର ଜେଲରେ ରଖାଗଲା । ଜେଲରେ ଭିତରେ ହେଉ ବା ବାହାରେ ହେଉ ତାଙ୍କର ଗୋଟିଏ ଚିନ୍ତା–ଦରିଦ୍ର ଜନତାର ଉପକାର-। ଜେଲରୁ ଖଲାସ ହେବା ପରେ ୧୯୬୫ରେ ସେ ଏକ ଶୁଭେଚ୍ଛୁ ସାମ୍ବାଦିକ ଦଳରେ ରୁଷିଆ ପରିଭ୍ରମଣ କରିବାକୁ ଯାଇଥିଲେ । ରୁଷିଆରେ ଶ୍ରମିକ ଏବଂ କୃଷକମାନଙ୍କର ସ୍ଵଚ୍ଛଳ ଅବସ୍ଥା ଦେଖି ତାହା ଭାରତପାଇଁ ମଧ୍ୟ ସମ୍ଭବ ବୋଲି ତାଙ୍କର ଦୃଢ଼ଧାରଣା ହୋଇଥିଲା ।

 

ପୁରୀରେ ଅବସ୍ଥାନ କାଳରେ ୧୯୩୪ରେ ସେ ମ୍ୟୁନିସିପାଲିଟିର ମାହାର ଓ ମହାରାଣୀଙ୍କ ଅବସ୍ଥାରେ ସୁଧାର ଆଣିବାକୁ ମାହାରମାନଙ୍କୁ ଏକଜୁଟ୍ କରିଥିଲେ । ସେମାନେ ସମାଜରେ ସେତେବେଳେ ଅତ୍ୟନ୍ତ ଘୃଣ୍ୟ ବୋଲି ବିବେଚିତ ହେଉଥିଲେ । କିନ୍ତୁ ପ୍ରାଣନାଥ ସେମାନଙ୍କ ସହିତ ଖୋଲାଖୋଲି ମିଶୁଥିଲେ ଏବଂ ସେମାନଙ୍କ ଦୁଃଖ ଲାଘବ କରିବାପାଇଁ ପରିଶ୍ରମ କରୁଥିଲେ ।

 

୧୯୪୬ ମସିହା ଫଗୁ ଦଶମୀରେ କନିକା ଜମିଦାରୀସ୍ଥିତ ପଟିଆରେ ଗୋଟିଏ ବନ୍ଧ ବାନ୍ଧିବାର ଶୁଭ ଦିଆଗଲା । କନିକା ରାଜାଙ୍କ ଜୁଲୁମରୁ ଲୋକଙ୍କୁ ରକ୍ଷାକରିବା ସଙ୍ଗେ ସଙ୍ଗେ ପଟିଆ ବନ୍ଧ ବାନ୍ଧିବାର ନେତୃତ୍ୱ ନେଇଥିଲେ ପ୍ରାଣନାଥ । ସେ ଆରାମଦାୟକ ଜୀବନଯାପନ କରି ନେତୃତ୍ୱ ଦେଇନଥିଲେ । କୁଲି ମୂଲିଆଙ୍କ ସହିତ ମୁଣ୍ଡରେ ମାଟି ବୋହି ସେ ଦେଇଥିଲେ ପ୍ରକୃତ ନେତୃତ୍ୱ । ପ୍ରାଣନାଥଙ୍କ ଭଳି କ୍ଷୀଣକାୟ ନେତାଙ୍କ ଅକ୍ଲାନ୍ତ ପରିଶ୍ରମ ଦେଖି କୁଲି ମୂଲିଆମାନେ ଦ୍ୱିଗୁଣିତ ବେଗରେ କାର୍ଯ୍ୟ ସଂପାଦନା କଲେ । ରାଜା–ଜମିଦାର ନଚାହିଁଲେ ବି ଲୋକବଳରେ ପଟିଆ ବନ୍ଧପରି ଏକ ବନ୍ଧ ବନ୍ଧାଯାଇ ପାରିବାରୁ କନିକା ରାଜାଙ୍କ ଆଖି ଫିଟିଲା ।

 

ପୁରୀଜିଲାର କାକୁଡ଼ିଆ ନିକଟରେ କେତକୀ ଝର । ବର୍ଷାଦିନରେ ବନ୍ୟା ଦାଉରେ ସତୁରି ଅଶିଟି ଗ୍ରାମର ଲୋକେ ହଇରାଣ ହେଉଥିଲେ । ପ୍ରାଣନାଥ ତାଙ୍କ ସହକର୍ମୀମାନଙ୍କ ସହିତ ଏକ ପଥରବନ୍ଧ ନିର୍ମାଣ କରି ଲୋକଙ୍କୁ ବନ୍ୟା ଦାଉରୁ ରକ୍ଷାକରିବାର ସ୍ଥିର କଲେ । ସରକାରୀ ସାହାଯ୍ୟ ବିନା ଏମିତି ଏକ କାର୍ଯ୍ୟ କରିବା କଷ୍ଟସାପେକ୍ଷ ଥିଲା । ସେ କିନ୍ତୁ କାମରେ ଲାଗିପଡ଼ିଲେ-। ପ୍ରାଣନାଥଙ୍କ ନେତୃତ୍ୱରେ ଓ ଲୋକମାନଙ୍କ ଅଦମ୍ୟ ପରିଶ୍ରମ ଫଳରେ ଆନିକଟ ଧରଣର ଏକ ପଥରବନ୍ଧ ବନ୍ଧାଗଲା । ଏଥିପାଇଁ କେବଳ ଯେ ସତୁରି–ଅଶିଟି ଗ୍ରାମ ବନ୍ୟଦାଉରୁ ରକ୍ଷାପାଇଲା ତାହା ନୁହେଁ, ଶହ ଶହ ଏକର ବାଲିଚର ଜମି ଫସଲ ଉପଯୋଗୀ ହୋଇପାରିଲା ।

 

ଖୋର୍ଦ୍ଧା ଆଖପାଖ ଅଞ୍ଚଳର ବୁଣାଳୀମାନଙ୍କ ଶୋଚନୀୟ ଅବସ୍ଥା ଦେଖି ପ୍ରାଣନାଥ ବ୍ୟଥିତ ହେଲେ । ୧୯୪୮ରେ ସେ ତିରିମଲ, ତରାବୋଇ, ଜଟଣୀ, ଖୋର୍ଦ୍ଧା ପ୍ରଭୃତି ଅଞ୍ଚଳର ବୁଣାଳୀମାନଙ୍କୁ ସଂଗଠିତ କରିଥିଲେ । ବୁଣାଳୀ ସଂଘ ଜରିଆରେ ବୁଣାଳୀମାନଙ୍କର ଅନେକ ଦାବି ପୂରଣହେଲା ଏବଂ ସେମାନେ ମହାଜନଙ୍କ ଦାଉରୁ ରକ୍ଷାପାଇଲେ । ଖୋର୍ଦ୍ଧା ଅଞ୍ଚଳର ବୁଣାଳୀମାନେ ଏବେ ବି ପ୍ରାଣନାଥଙ୍କୁ କୃତଜ୍ଞତା ସହକାରେ ମନେପକାନ୍ତି ।

 

ମଣିଷ ପରି ମଣିଷ :

 

ଦେଖିବାକୁ ସାଧାରଣ ମଣିଷଟିଏ । ଆଡ଼ମ୍ବରହୀନ ଗୋରା ଚେହେରା । ପରିଧାନ ହେଉଛି ଆଣ୍ଠୁଲୁଚା ଖଣ୍ଡେ ଲୁଗା, ସାଧାରଣ କନାର ଏକ କାମିଜ ଏବଂ ତା’ ଉପରେ ଏକ ନେହେରୁ ଫତେଇ । ପାଦରେ ଅଳ୍ପ ଦାମିକା ହଳେ ଚଟି ଏବଂ ଖରା ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ କାଖରେ ଗୋଟିଏ ପୁରୁଣା ଛତା । ଏ ସବୁ ସାଧାରଣ ଆବରଣ କିନ୍ତୁ ପ୍ରାଣନାଥଙ୍କ ପ୍ରତିହବାକୁ ଲୁଚାଇ ପାରିନଥିଲା । ଫତେଇ ପକେଟରୁ ବିଡ଼ି ଖଣ୍ଡିଏ ବାହାର କରି ତାକୁ ଛିଣ୍ଡାଇ ତା’ ଦେହରୁ ଗୁଣ୍ଡ ବାହାରକରି ଚୁନା ଲଗାଇ ବାଁ ହାତର ପାପୁଲିରେ ଡାହାଣ ହାତର ବୁଢ଼ା ଆଙ୍ଗୁଳି ମକଚି ସେ ତାଙ୍କର ପ୍ରିୟତମ ସହଚର ଖଇନି ପ୍ରସ୍ତୁତ କରୁଥିଲେ । ତାଙ୍କ ଇଂଜିନ୍ ଚଳାଇବାପାଇଁ ସତେଯେମିତି ଖଇନିଟା ଏକ ନିହାତି ଦରକାରୀ ଜିନିଷ !

 

ତାଙ୍କ ମୁହଁରେ ଥାଏ ସଦାସର୍ବଦା ବିମଳା ହସ । ସେ ଭାବୁଥିଲେ, ମଣିଷର ଯାହା କିଛି ଶକ୍ତି ଅଛି ସେ ସବୁର ସଦ୍‍ବ୍ୟବହାର ହେବାକଥା–ସେ ସବୁକୁ କ୍ରୋଧ ମାଧ୍ୟମରେ ଅପଚୟ କରିବା ଅନୁଚିତ । ତେଣୁ ତାଙ୍କ ଶାନ୍ତ ଚେହେରା ଭିତରେ ସେ ସାଇତି ରଖିଥିଲେ ଅଗ୍ନିବାଣ, ଧନୀକ ଏବଂ ଶୋଷଣକାରୀ ବିରୁଦ୍ଧରେ ସଂଗ୍ରାମ କରିବାର ଅଦମ୍ୟ ବାସନା ।

 

ସେ ମଣିଷକୁ ଭଲପାଇଥିଲେ । ଶତ୍ରୁଠୁ ଗାଳିଖାଇ ବି ତା’ କାନ୍ଧରେ ହାତପକାଇ କଥା କହୁଥିଲେ । ରୋଗୀଦୁଃଖୀଙ୍କ ସାହାଯ୍ୟ କରିବା ଥିଲା ତାଙ୍କର ନିତିଦିନିଆ କାମ । ତାଙ୍କର ସମ୍ବଳ ନଥିଲା ସତ, କିନ୍ତୁ ମନ ତାଙ୍କର ଥିଲା କୁବେରଙ୍କ ଭଳିଆ ପ୍ରଶସ୍ତ । ଗରିବର ଦୁଃଖ ବୁଝିବା ପାଇଁ ନିଜେ ଗରିବର ଜୀବନଯାପନ କରୁଥିଲେ । ନେତା ହେଲେ, ଯଶସ୍ୱୀ ହେଲେ; କିନ୍ତୁ ତାଙ୍କ ଜୀବନର ଧାରା ବଦଳିଲା ନାହିଁ । ମନକୁ ତାଙ୍କର ଗର୍ବ ଛୁଇଁପାରିଲାନି । ସେ ପ୍ରତାରଣାକୁ ଘୃଣା କରୁଥିଲେ । ପାରଳା ମନ୍ତ୍ରୀମଣ୍ଡଳକୁ ସମର୍ଥନ କରିବାପାଇଁ ତାଙ୍କର ଜଣେ ନିକଟ ସମ୍ପର୍କୀୟ ବନ୍ଧୁଙ୍କ ଜରିଆରେ ତାଙ୍କୁ ମନ୍ତ୍ରିତ୍ୱର ପ୍ରଲୋଭନ ଯଚା ହୋଇଥିଲା ବୋଲି ଶୁଣିବାକୁ ମିଳେ । ‘‘ଅସମ୍ଭବ’’–ଏହି ଗୋଟିଏ ଶବ୍ଦରେ ସେ ଉକ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ । ରାଜନୈତିକ ପ୍ରତିପତ୍ତି ଅପେକ୍ଷା ସେ ଆଦର୍ଶକୁ ବେଶୀ ମୂଲ୍ୟବାନ୍ ମଣୁଥିଲେ । ସେ ଧନ ଓ ଅଭିମାନ ଉଭୟକୁ ଘୃଣା କରୁଥିଲେ । ସେଥିପାଇଁ ଆଜି ବି ଗରିବ ମଣିଷ ତାଙ୍କ ବିଷୟରେ ଦି’ପଦ ଭଲ କଥା କହୁଛି । ସେ ଥିଲେ ଗରିବର ସଖା, ଦରିଦ୍ର ଜନତାର ନେତା । ସେମାନଙ୍କ ପାଇଁ ନିଜର ଶକ୍ତି ଅପେକ୍ଷା ଅଧିକ ପରିଶ୍ରମ କରି ସେ ନିଜର ଆୟୁକୁ ତିଳ ତିଳ କରି କ୍ଷୟ କରୁଥିଲେ । ସେ ଥିଲେ ମଣିଷ ପରି ମଣିଷ ।

Image

 

ସାହିତ୍ୟସେବୀ ପ୍ରାଣନାଥ

 

ଜନସେବାରେ ନିଜକୁ ଉତ୍ସର୍ଗୀକୃତ କରିଥିଲେ ମଧ୍ୟ ପ୍ରାଣନାଥ ସାହିତ୍ୟ ଅଧ୍ୟୟନ କରି ଅବସର ବିନୋଦନ କରୁଥିଲେ । ଜଣେ ରାଜନୀତିଜ୍ଞ ଭାବରେ ସେ କେବଳ ବିଭିନ୍ନ ବାଦ ଉପରେ ଅଧ୍ୟୟନ କରୁନଥିଲେ, ସେ ପ୍ରାଚୀନ ଓଡ଼ିଆ ସାହିତ୍ୟରୁ ଆରମ୍ଭ କରି ଆଧୁନିକ ଓଡ଼ିଆ ସାହିତ୍ୟ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ ଏବଂ ସେ ବିଷୟରେ ଚର୍ଚ୍ଚା କରୁଥିଲେ । ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ, ରାଧାନାଥ, ଗଙ୍ଗାଧରଙ୍କଠାରୁ ଆରମ୍ଭ କରି ସଚ୍ଚି ରାଉତରାୟ, ରାଧାମୋହନ ଗଡ଼ନାୟକ, କାଳିନ୍ଦୀଚରଣ ପାଣିଗ୍ରାହୀ ପ୍ରମୁଖଙ୍କ ସାହିତ୍ୟ ଉପରେ ତାଙ୍କର ଯଥେଷ୍ଟ ଦଖଲ ଥିଲା । ତାଙ୍କ ଲିଖିତ ବିଭିନ୍ନ ପ୍ରବନ୍ଧରୁ ଏହା ସହଜରେ ଅନୁମେୟ । ସାହିତ୍ୟ ପ୍ରତି ତାଙ୍କର ଅକୃତ୍ରିମ ଶ୍ରଦ୍ଧା ତାଙ୍କୁ ଏକ ବଳିଷ୍ଠ ସାମ୍ବାଦିକ ତଥା ସଫଳ ସମ୍ପାଦକ କରିପାରିଛି ।

 

'ନୂଆଦୁନିଆ'ର ସମ୍ପାଦନା :

 

ଓଡ଼ିଶାରେ ସାମ୍ୟବାଦର ମୁଖପାତ୍ର ‘ନୂଆଦୁନିଆ’ର ସଂପାଦନା ଦାୟିତ୍ୱ ପ୍ରାଣନାଥ ନେବା ପରଠାରୁ ପତ୍ରିକାର ଗୁଣାତ୍ମକ ଅଭିବୃଦ୍ଧି ଘଟିଥିଲା । ଓଡ଼ିଶାରେ ସାମ୍ୟବାଦର ମୂଳମନ୍ତ୍ର ପ୍ରଚାର କରିବା ସଙ୍ଗେ ସଙ୍ଗେ ‘ନୂଆଦୁନିଆ’ ସୁସ୍ଥ ଏବଂ ସରସ ସାହିତ୍ୟ ମଧ୍ୟ ପରିବେଷଣ କରୁଥିଲା ।

 

ସୁପ୍ରସିଦ୍ଧ ସାହିତ୍ୟିକ ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଭାଷାରେ, ‘‘ନୂଆ ଦୁନିଆ’’ ପତ୍ରିକାର ସଂପାଦକ ରୂପେ ତାଙ୍କର ଭାଷା ସଂଯତ ଓ ବିଚାର–ବିଜ୍ଞାନ ଦୃଷ୍ଟିରୁ ଘଟଣାବଳୀର ଗ୍ରନ୍ଥନରେ ସେ ଯେଉଁ ଅଦ୍ଭୁତ ସ୍ଵାତନ୍ତ୍ର୍ୟ ଓ ସାଫଲ୍ୟର ପରିଚୟ ଦେଇଛନ୍ତି, ତାହା ଅନନ୍ୟ । ନିଜ ବ୍ୟକ୍ତିଗତ ମତାମତକୁ ଅଗ୍ରାଧିକାର ଦେଇ ସତ୍ୟଭ୍ରଷ୍ଟ ହେବାର ଅପରାଧ କେବେହେଲେ ସେ ପତ୍ରିକା ସଂପାଦନାରେ ବା ନିଜ ଲେଖାରେ ଅର୍ଜନ କଲାଭଳି ଜଣାପଡ଼ିନାହିଁ । ତାଙ୍କ ଲେଖାଗୁଡ଼ିକ ଯେପରି ନିରପେକ୍ଷ, ସେହିପରି ଯଥାସମ୍ଭବ ତଥ୍ୟମୂଳକ, ଘଟଣାବହୁଳ ଓ ସତ୍ୟାଶ୍ରିତ ।”

 

୧୯୬୭ ମସିହାରେ ‘ନୂଆଦୁନିଆ’ର ମହାନ୍ ଅକ୍ଟୋବର ବିପ୍ଳବ ବିଶେଷାଙ୍କ ଦେଖିଲେ ପ୍ରାଣନାଥଙ୍କ ସଂପାଦନା–ଚାତୁରୀ ସହଜରେ ଜଣାପଡ଼େ । ରୁଷର ଅକ୍ଟୋବର ବିପ୍ଲବର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ପ୍ରକାଶିତ ଏହି ବିଶେଷାଙ୍କରେ ପ୍ରଚାର–ପତ୍ରିକାର ନାମଗନ୍ଧ ନାହିଁ, ବରଂ ସମସାମୟିକ ଯେକୌଣସି ସାହିତ୍ୟ ପତ୍ରିକା ସହିତ ଏହା ତୁଳନୀୟ । କବିତା, ସାହିତ୍ୟିକ ପ୍ରବନ୍ଧ ତଥା ରୁଷ ବିପ୍ଲବ ଏବଂ ଲେନିନ୍‍ଙ୍କ ସମ୍ବନ୍ଧୀୟ ପ୍ରବନ୍ଧ ସବୁ ସୁନିର୍ବାଚିତ ଓ ସୁଖପାଠ୍ୟ ହୋଇଛି । ବିଶେଷତଃ ସମ୍ପାଦକୀୟରେ ‘ମହାନ୍ ଅକ୍ଟୋବର ବିପ୍ଳବ ସମ୍ୱନ୍ଧରେ ଉକ୍ତଳମଣି ଗୋପବନ୍ଧୁ’ ବିଷୟଟି ଗବେଷଣାପ୍ରସୂତ ଏବଂ ଶିକ୍ଷଣୀୟ ହୋଇଛି । ଏହି ସଂଖ୍ୟାରେ ପ୍ରାଣନାଥଙ୍କ ଲିଖିତ ‘ବିସ୍ମୃତିର ଗର୍ଭରୁ’ ପ୍ରବନ୍ଧଟି ତଥ୍ୟପୂର୍ଣ୍ଣ ଓ ସୁଖପାଠ୍ୟ ହୋଇଛି । ପତ୍ରିକାରେ ସନ୍ନିବେଶିତ ‘ଓଡ଼ିଆ ସାହିତ୍ୟରେ ପ୍ରଗତିବାଦ' ପ୍ରବନ୍ଧଟି ମଧ୍ୟ ଏକ ଉଚ୍ଚକୋଟୀର ସାହିତ୍ୟିକ ପ୍ରବନ୍ଧ ।

 

ପ୍ରାଣନାଥଙ୍କ ସାହିତ୍ୟ ଚିନ୍ତା :

 

ରାଜନୈତିକ କାର୍ଯ୍ୟାବଳୀର ଫାଙ୍କରେ ସାହିତ୍ୟଚର୍ଚ୍ଚା କରି ପ୍ରାଣନାଥ ଯଥେଷ୍ଟ ଆନନ୍ଦଲାଭ କରୁଥିଲେ । ତାଙ୍କର ସାହିତ୍ୟ ଚିନ୍ତାଧାରାରେ ଯଥେଷ୍ଟ ମୌଳିକତା ଥିଲା । ପୁରାତନ ଓ ନୂତନ ସାହିତ୍ୟ ମଧ୍ୟରେ ସେ ସମନ୍ୱୟ ରକ୍ଷା କରିପାରିଥିଲେ । ଅନେକ ସାମ୍ୟବାଦୀ ନେତାଙ୍କ ଭଳି ସେ ଧର୍ମ ପୁସ୍ତକମାନଙ୍କଠାରୁ ଦୂରରେ ରହୁନଥିଲେ, ବରଂ ସେ ସବୁର ଗଭୀର ଅନୁଶୀଳନ କରି ତଦାନୀନ୍ତନ ସମାଜରେ ତା’ର ପ୍ରୟୋଗ ସମ୍ବନ୍ଧରେ ସେ ଚର୍ଚ୍ଚା କରୁଥିଲେ । ଏତଦ୍‍ବ୍ୟତୀତ ‘ଭାଗବତ ଗୀତାର ସାମାଜିକ ଗୁରୁତ୍ୱ’ ଏବଂ ‘ଦୋଳଯାତ୍ରାର ଐତିହାସିକ ତଥା ସାମାଜିକ ଦିଗ’ ନାମକ ଦୁଇଟି ଉପାଦେୟ ପ୍ରବନ୍ଧ ସାହିତ୍ୟ ପତ୍ରିକାରେ ଲେଖିଥିଲେ । ତାଙ୍କ ଲିଖିତ ‘ଆସନ୍ତାକାଲିର ସାହିତ୍ୟ’ ପୁସ୍ତକରେ ତାଙ୍କର ସାହିତ୍ୟ ଚିନ୍ତାଧାରା ସୁସ୍ପଷ୍ଟ-। ‘ସାହିତ୍ୟ ସମାଜର ବାହନ’, ‘ସମାଜର ସ୍ତର ଭେଦରେ ସାହିତ୍ୟର ଗତି ଓ ସଂଘର୍ଷ,’ ‘ସାହିତ୍ୟରେ ଦ୍ୱନ୍ଦ୍ଵ’, ‘କଳା ଓ ସାହିତ୍ୟର ମୌଳିକ ଉତ୍ସ’, ‘ଶ୍ରମ ହିଁ ସଂସ୍କୃତିର ମୂଳଭିତ୍ତି’ ପ୍ରଭୃତି ନିବନ୍ଧ ୧୯୫୫ରେ କଲିକତାରୁ ପ୍ରକାଶିତ ମାସିକ ସାହିତ୍ୟ ପତ୍ରିକା ‘ଆସନ୍ତାକାଲି’ରେ ପ୍ରକାଶ ପାଇବା ପରେ ସେଗୁଡ଼ିକର ସାମାନ୍ୟ ପରିବର୍ତ୍ତନ ଓ ପରିବର୍ଦ୍ଧନ କରାଯାଇ ୧୯୭୦ରେ ତାଙ୍କର ମୃତ୍ୟୁର ଅବ୍ୟବହିତ ପୂର୍ବରୁ ‘ଆସନ୍ତା କାଲିର ସାହିତ୍ୟ’ ପ୍ରକାଶିତ ହୋଇଛି ।

 

ତାଙ୍କର ଦୃଢ଼ ଧାରଣା ଯେ, ପୁରୁଣା ଚିନ୍ତାଧାରା, ସାହିତ୍ୟ ଓ କାର୍ଯ୍ୟଧାରା ସଙ୍ଗେ ନୂତନ ଚିନ୍ତାଧାରା ଓ ନୂତନ ସାହିତ୍ୟର ସଂଘର୍ଷ ହୁଏ ଏବଂ ନୂତନ କଳା–ସାହିତ୍ୟର ବିଜୟ ହୁଏ । ପୁରାତନ କଳା–ସାହିତ୍ୟ ନୂତନ କଳା ସାହିତ୍ୟ ନିକଟରେ ଆତ୍ମସମର୍ପଣ କରନ୍ତି । ଆମ ଦେଶରେ ପୁରାତନ ସାମନ୍ତବାଦୀ ଓ ପୁଞ୍ଜିବାଦୀ ସାହିତ୍ୟ ପରିବର୍ତ୍ତେ ନୂତନ ଜାତୀୟତାବାଦୀ ଓ ଗଣଧର୍ମୀ ସାହିତ୍ୟର ହିଁ ନିଶ୍ଚୟ ପ୍ରଚଳନ ହେବ, ସେ ବିଷୟରେ ସେ ଆଶାବାଦୀ ଥିଲେ । ତାଙ୍କ ମତରେ କଳା ଓ ସାହିତ୍ୟର ସଂଗ୍ରାମ ହେଉଛି ଆଗୁଆ ବାହିନୀର ସଂଗ୍ରାମ ଏବଂ ସାମାଜିକ ବିପ୍ଳବ ସଂଘଟିତ ହେବା ପରେ ଏହାର କାର୍ଯ୍ୟ ହେଉଛି ଦ୍ୱିତୀୟ ସେନାବାହିନୀର କାର୍ଯ୍ୟ ।

 

ଓଡ଼ିଆ ସାହିତ୍ୟର ଚିନ୍ତାଧାରା ଉପରେ ଆଲୋଚନା କରି ପ୍ରାଣନାଥ ମତପ୍ରକାଶ କରିଛନ୍ତି ଯେ, ପୁରାତନ ଓଡ଼ିଆ ସାହିତ୍ୟ ମୁଖ୍ୟତଃ ସାମନ୍ତବାଦୀ ସାହିତ୍ୟ ଥିଲା । ୧୯୦୫ରୁ ଆମ ସାହିତ୍ୟ ଉପରେ ଜାତୀୟତାର ପ୍ରବଳ ପ୍ରଭାବ ତାଙ୍କ ଦ୍ୱାରା ପରିଲକ୍ଷିତ ହୋଇଛି ଏବଂ ଜାତୀୟତାବାଦୀ ସାହିତ୍ୟ ସୃଷ୍ଟି କରିବାରେ ଗୋପବନ୍ଧୁଙ୍କୁ ସେ ଅଗ୍ରଣୀ ବୋଲି ବିଚାରିଛନ୍ତି । ତାଙ୍କ ଭାଷାରେ- ‘‘ସ୍ୱର୍ଗୀୟ ଉତ୍କଳମଣି ଗୋପବନ୍ଧୁଙ୍କ ସାହିତ୍ୟ ସାମନ୍ତବାଦୀ ସାହିତ୍ୟରୁ ବହୁପରିମାଣରେ ମୁକ୍ତ, ଦାସ ସାହିତ୍ୟରୁ ସମ୍ପୂର୍ଣ୍ଣ ବିମୁକ୍ତ ଏବଂ ଜାତୀୟତାବାଦୀ ସାହିତ୍ୟ ପର୍ଯ୍ୟାୟରେ ପୂର୍ଣ୍ଣତଃ ଅନ୍ତର୍ଭୁକ୍ତ ହେବ ।” ଫକୀରମୋହନ ଗଦ୍ୟସାହିତ୍ୟ ମାଧ୍ୟମରେ ସାମନ୍ତବାଦ ବିରୁଦ୍ଧରେ ଖଡ଼୍‍ଗ ଉତ୍ତୋଳନ କରିଥିବା ଏବଂ ମେହେର ସାହିତ୍ୟରେ ସ୍ଥାନେ ସ୍ଥାନେ ଜାତୀୟଭାବ ଫୁଟିଉଠିଥିବା ବିଷୟ ସେ ଉଲ୍ଲେଖ କରିଛନ୍ତି । ବିପ୍ଲବୀ କବି କୃଷ୍ଣମୋହନଙ୍କ–

 

‘‘ଆଜି ସାଗରେ ଭୂଧରେ ପ୍ରାନ୍ତରେ ଅମ୍ବରେ

ଶୁଭୁ ଉତ୍କଳର ଜୟଗୀତି ।”

 

ଉତ୍କଳମଣି ଗୋପବନ୍ଧୁଙ୍କର–

 

‘‘ମିଶୁ ମୋର ଦେହ ଏ ଦେଶ ମାଟିରେ

ଦେଶବାସୀ ଚାଲିଯାଆନ୍ତୁ ପିଠିରେ ।”

 

ଏବଂ କାନ୍ତକବି ଲକ୍ଷ୍ମୀକାନ୍ତଙ୍କର–

 

‘‘ବନ୍ଦେ ଉତ୍କଳ ଜନନୀ !

ଚାରୁହାସମୟୀ ଚାରୁଭାଷମୟୀ

ଜନନୀ ! ଜନନୀ ! ଜନନୀ !

 

ପ୍ରଭୃତି କବିତାରେ ସେ ଜାତୀୟତାବାଦର ଉଦ୍‍ଘୋଷଣା ଶୁଣିପାରିଛନ୍ତି । ସ୍ୱାଧୀନତା ସଂଗ୍ରାମ ପାଇଁ ଆହ୍ୱାନ କ୍ରମେ ଲିଖିତ ସାହିତ୍ୟ ପର୍ଯ୍ୟାୟରେ ପ୍ରାଣନାଥ କୁନ୍ତଳାକୁମାରୀଙ୍କ ‘ଆହ୍ୱାନ’ ଓ ‘ସ୍ଫୁଲିଙ୍ଗ’, ଜଗବନ୍ଧୁ ସିଂହଙ୍କ–

 

‘‘ନଜାଗିଲେ ସବୁ ଭାରତ ରମଣୀ

ଜାଗିବ ନାହିଁଟି ଏ ଭାରତ ଭୂମି,

ଜାଗ ଜାଗ ମାତା କନ୍ୟା ବା ଭଗିନୀ

ହୁଅ ବୀର ଜାୟା ବୀର ପ୍ରସବିନୀ ।”

X X X

 

ଏବଂ ବୀରକିଶୋରଙ୍କ–

 

‘‘ଆମେ କେତେ କ’ଣ ଜୀବନକୁ ପାଣି

ଛଡ଼ାଇ ନଦେଲେ ଚଳିବ କି ?

ଚାଷୀ ମୂଲିଆର ଖପୁରିକୁ ଚିରି

ଦିଲ୍ଲୀ ଦରବାର ଗଢ଼ିବ କି ?

 

X X X

 

ଆଦି କବିତା ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।

 

ଗାନ୍ଧୀବାଦର ଆଦର୍ଶ ହେଉଛି ଶୋଷଣହୀନ, ଶ୍ରେଣୀହୀନ, ସର୍ବୋଦୟ ସମାଜ ଗଠନ-। ସତ୍ୟ ଓ ଅହିଂସା ସେଥିପାଇଁ ମୁଖ୍ୟ ରଣକୌଶଳ । ଗାନ୍ଧିବାଦର ବିକେନ୍ଦ୍ରିକରଣ ସାମାଜିକ ବ୍ୟବସ୍ଥା ଏବଂ କେବଳ କୁଟୀର ଶିଳ୍ପର ପ୍ରସାର ସମାଜକୁ ପଛକୁ ଫେରାଇ ନେବ ବୋଲି ପ୍ରାଣନାଥ ମତପ୍ରକାଶ କରିଛନ୍ତି । ଏ ପ୍ରସଙ୍ଗରେ ଲିଖିତ ଓ ‘ଝଙ୍କାର’ରେ ପ୍ରକାଶିତ ନିମ୍ନଲିଖିତ କବିତା ପ୍ରତି ସେ ଦୃଷ୍ଟି ଆକର୍ଷଣ କରିଛନ୍ତି ।

 

‘‘ଆଉ କେତେଦିନ ପ୍ରହସନ ହେବ

ସର୍ବହରାକୁ ଠକିବା ପାଇଁ

କହ କେତେ କାଳ ପୁଞ୍ଜିବାଦର

ମନ୍ତ୍ରୀ ସାଜିବ ତୁମେ ହେ ଭାଇ

ଲକ୍ଷ ନୁହଁଇ କୋଟି କୋଟି ପ୍ରାଣ

ଉପବାସୀ ନିତି ଯେ ଦେଶେ ରହେ,

ଭିକ୍ଷାର ଗାନେ କହ ହେ ବିନୋବା

କେତେ କୋଟି ଦିନେ ରାତ୍ରି ପାହେ ।

ଆସ ହେ ବିନୋବା ଆଶ୍ରମେ ଫେରି

ଭାଙ୍ଗିଦିଅ ହେ ଭିକ୍ଷା ଥାଳ

ଏ ଦେଶର ମହା ଇତିହାସ ଲେଖୁ

କୋଟି କଙ୍କାଳ–ଅସ୍ଥିମାଳ ।”

 

X X X

 

ଆସ ହେ ବିନୋବା ଆଶ୍ରମେ ଫେରି

ଭାଙ୍ଗିଦିଅ ହେ ଭିକ୍ଷା ଥାଳ

ଏ ଦେଶର ମହା ଇତିହାସ ଲେଖୁ

କୋଟି କଙ୍କାଳ–ଅସ୍ଥିମାଳ

 

ଗଡ଼ଜାତ ଆନ୍ଦୋଳନ ସମୟରେ ଢେଙ୍କାନାଳ ରାଜାଙ୍କ ନିର୍ମମ ଅତ୍ୟାଚାର ଓ ଗୁଳିର ଶିକାର ହୋଇ ବାଜି ରାଉତ, ଲକ୍ଷ୍ମଣ, ନଟ, ରଘୁ, ଗୁରି ପ୍ରମୁଖଙ୍କ ମୃତଦେହ କଟକ ଦାଣ୍ଡରେ ପଡ଼ି ରହିଥିବା ଉପଲକ୍ଷ୍ୟେ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ଲିଖିତ–

 

‘‘ଝାଳ ଦେଇ ଯେତେ ଗଢ଼ିଲୁ

ରାଇଜ ରାଜା

ଲହୁ ଦେଇ ତୋର ହତିଆର

ତହିଁ ପ୍ରଜା

ବେଳ ଏହି ବେଳ ଏହି

ତୋଳିଥିଲୁ ଯାକୁ ତାଡ଼ିବୁ ତାହାକୁ

ନ ଶୁଆରେ ଆଉ ଚେଇଁ ।”

 

କବିତାକୁ ଉଚ୍ଚଧରଣର ଜାତୀୟ ସାହିତ୍ୟ ବୋଲି ଉଲ୍ଲେଖ କରିବା ସଙ୍ଗେ ସଙ୍ଗେ ପ୍ରାଣନାଥ ମତପ୍ରକାଶ କରିଛନ୍ତି–

 

‘‘ସାମନ୍ତବାଦୀ ଢେଙ୍କାନାଳ ରାଜାର ଶୋଷଣ, ଅତ୍ୟାଚାର ଓ ଗୁଳିଚାଳନାରେ ଯେଉଁ ଲେଖକଙ୍କ ସାହିତ୍ୟ ଶୀର୍ଷସ୍ଥାନ ଲାଭ କରିଥିଲା, ରାଜା ଜମିଦାରଯୁକ୍ତ କଂଗ୍ରେସ ସରକାରର ହୀରାକୁଦ ଲାଠି ଚାଳନାରେ ଡବଲ୍ ସହୀଦ୍ ସୃଷ୍ଟି ଓ ଶହୀଦ୍ ତୟାରିରେ ସେହି କଲମ ନୀରବ ଓ ଅନ୍ତରା ପାଲଟିଲା କାହିଁକି ?” ରୁଷ ସାହିତ୍ୟର ପ୍ରଗତିଶୀଳ ଭୂମିକା ଓ ଭାରତୀୟ ସାହିତ୍ୟ ଉପରେ ତା’ର ପ୍ରଭାବ ସମ୍ପର୍କରେ ତାଙ୍କ ଲିଖିତ ପୁସ୍ତକରେ ବିଶଦ ଭାବରେ ବର୍ଣ୍ଣନା କରିଛନ୍ତି । ଆଗାମୀ ଯୁଗର ସାହିତ୍ୟ ଯେ ଜନସାଧାରଣଙ୍କ ସୁଖ-ଦୁଃଖ, ଘାତ-ପ୍ରତିଘାତର ସ୍ପନ୍ଦନକୁ ନେଇ ରୂପାୟିତ ହେବ, ଏ ଦିଗରେ ସେ ଦୃଢ଼ ବିଶ୍ୱାସ ପୋଷଣ କରିଛନ୍ତି ।

 

କୃଷ୍ଣମୋହନ ଗ୍ରନ୍ଥାବଳୀ ପ୍ରକାଶନ :

 

ପ୍ରାଣନାଥ ଏବଂ ତାଙ୍କ ସହଧର୍ମିଣୀଙ୍କ ଉଦ୍ୟମରେ ମୁଖ୍ୟତଃ କୃଷ୍ଣମୋହନ ଗ୍ରନ୍ଥାବଳୀର ପ୍ରକାଶନ ସମ୍ଭବପର ହୋଇଛି । ପ୍ରାଣନାଥ ଏବଂ ଶ୍ରୀ ଜାନକୀବଲ୍ଲଭ ମହାନ୍ତି (ଭରଦ୍ୱାଜ)ଙ୍କ ସମ୍ପାଦକତ୍ୱରେ ୧୯୬୬ ମସିହାରେ ଏହି ଗ୍ରନ୍ଥାବଳୀ ପ୍ରକାଶ ପାଇଛି । ଏଥିରେ ପ୍ରାଣନାଥଙ୍କ ଲିଖିତ ‘କୃଷ୍ଣମୋହନ ସାହିତ୍ୟର ମୂଲ୍ୟାୟନ’ ନାମକ ଏକ ଉପାଦେୟ ପ୍ରବନ୍ଧ ସନ୍ନିବେଶିତ ହୋଇଛି-। ବିଂଶ ଶତାବ୍ଦୀର ପ୍ରଥମ ଚାରୋଟି ଦଶକରେ ଲିଖିତ କୃଷ୍ଣମୋହନଙ୍କ ରଚନାବଳୀର ଏକ ସମୀକ୍ଷା କରି ସେ ଲେଖିଛନ୍ତି ଯେ, କୃଷ୍ଣମୋହନ ଯୁଗୋପଯୋଗୀ କବିତା ଓ ସଙ୍ଗୀତ ଲେଖୁଥିବାରୁ ସେଗୁଡ଼ିକ ଚିରସ୍ଥାୟୀ । ପରାଧୀନ ମାନବର ସ୍ୱାଧୀନତା ଆକାଂକ୍ଷାକୁ ପରିସ୍ଫୁଟ କରିବାକୁ କୃଷ୍ଣ ମୋହନଙ୍କ ଲେଖନୀ ସର୍ବଦା ତତ୍ପର ହୋଇଥିବାରୁ ସେ ସେହି ସାହିତ୍ୟକୁ ଉଚ୍ଚକୋଟୀର ସାହିତ୍ୟ ମଧ୍ୟରେ ଗଣନା କରିଛନ୍ତି । ପ୍ରାଣନାଥଙ୍କ ଭାଷାରେ–‘‘ଯୁଗେ ଯୁଗେ ସାହିତ୍ୟ ହିଁ ସମାଜର ବାହନରୂପେ କାର୍ଯ୍ୟ କରିଆସିଛି । ତେଣୁ ସାହିତ୍ୟ ଦର୍ପଣରେ ସମାଜର ଅସଲ ରୂପ ପ୍ରତିଫଳିତ ହୋଇ ଏହାର ଉତ୍‍ଥାନ ପତନ, ଅନ୍ୟାୟ ଅତ୍ୟାଚାର, ଦୁଃଖ–ସୁଖ, ଜୟ ପରାଜୟର ଚିତ୍ର ପରିବେଷିତ ହୋଇଛି । ଅନ୍ୟ ପକ୍ଷରେ କେତେକ ଅତୀତ ସାହିତ୍ୟ ରାଜାରାଜୁଡ଼ାଙ୍କର ବ୍ୟକ୍ତିଗତ ଉତ୍‍ଥାନ, ଦିଗ୍‍ବିଜୟର ପ୍ରଶସ୍ତିଗାନ, ତୋଷାମଦକାରୀ ବ୍ୟକ୍ତି ପୂଜାରେ ମୁଖରିତ; କିନ୍ତୁ ପ୍ରଜାବର୍ଗଙ୍କର ଦୁଃଖ-ନିର୍ଯାତନା, ଦୈନନ୍ଦିନ ଜୀବନ ପ୍ରବାହର ସ୍ପଷ୍ଟ ଚିତ୍ର ପ୍ରକାଶ କରେନାହିଁ । ଯେଉଁ କରଭାର, ଶରୀର ପୀଡ଼ା, ଅନ୍ୟାୟ-ଅତ୍ୟାଚାର ଓ ଶୋଷଣ ମାଧ୍ୟମରେ ରାଜତନ୍ତ୍ର ସମୃଦ୍ଧ, ସେ ବିଷୟରେ ସାହିତ୍ୟ ଉଦାସୀନ ବା ନୀରବ ହେଲେ ସେହି ସାହିତ୍ୟର ଆଦର ଚିରସ୍ଥାୟୀ ହୁଏନାହିଁ । ସେହି ସାହିତ୍ୟ କଦାପି କେଉଁ ଯୁଗରେ ଲୋକସାହିତ୍ୟ କିମ୍ବା ପ୍ରଗତିଶୀଳ ସାହିତ୍ୟରୂପେ ତିଷ୍ଠି ପାରେନାହିଁ ।”

 

ସାହିତ୍ୟ ପ୍ରତି ଅନୁରାଗ :

 

ରାଜନୈତିକ ବ୍ୟସ୍ତତା ସତ୍ତ୍ୱେ ପ୍ରାଣନାଥଙ୍କର ନିର୍ଦ୍ଦିଷ୍ଟ ସାହିତ୍ୟ–ଚିନ୍ତାଧାରା ଥିଲା ଏବଂ ସେ ଖୋର୍ଦ୍ଧା । କଲେଜର ସାହିତ୍ୟ ସଭାମାନଙ୍କରେ ଯୋଗଦାନ କରି ଅନେକ ସମୟରେ ତାଙ୍କର ସାହିତ୍ୟର ଗଭୀର ଅଧ୍ୟୟନର ପରିଚୟ ଦେଇ ଶ୍ରୋତାମାନଙ୍କୁ ଅଭିଭୂତ କରୁଥିଲେ । ତାଙ୍କର ଜୀବନଦର୍ଶନର ମହାନୁଭବତା ତାଙ୍କଦ୍ୱାରା ଲିଖିତ କେଇଧାଡ଼ି କବିତାରୁ ସୁସ୍ପଷ୍ଟ-। ତାହା ହେଲା–

 

ହେ ଅତିଥି, ହୁଅ ତୁମେ ଛାତ୍ର, ଶିକ୍ଷାବିତ୍ ଅବା

ବରଣ୍ୟ ନାୟକ

ସଧୀରେ ସଞ୍ଚାଳି ପାଦ ସୁରବାରେ ଶିକ୍ଷାପ୍ରେମୀ

ଦାତା ସୁସାଧକ

ଯାହାଙ୍କ ରକ୍ତେ ଗଢ଼ା ଏହି ଉତ୍ସ ଝରାଇବ

ସାମ୍ୟ ଯୁଗ ଧାରା

ଭାବୀ ଶିକ୍ଷାପଥେ, ଜୀବନ ସଂଗ୍ରାମେ ମେଳିଦେବ

ପ୍ରଗତି ପ୍ରସରା ।*

 

* କବିତାଟି ୨୮–୧–୭୦ ତାରିଖ ଦିନ କଲେଜର ଜନ୍ମତିଥିରେ ମାର୍ବଲ୍ ଫଳକରେ କଲେଜର ପ୍ରବେଶ ପଥରେ ରଖାଯାଇଛି ।

Image

 

ଶିକ୍ଷାବିତ୍‍ର ସ୍ଵପ୍ନ

 

ପ୍ରାଣନାଥ ଜଣେ ବାସ୍ତବବାଦୀ ରାଜନୈତିକ କର୍ମୀ ହେଲେ ମଧ୍ୟ ବେଳେବେଳେ କଳ୍ପନାପ୍ରିୟ ହେବାପାଇଁ ଭଲପାଉଥିଲେ । ତାଙ୍କର ଦୃଢ଼ ଧାରଣା ଥିଲା ଯେ ସାଧାରଣ ଲୋକେ ଉଚ୍ଚଶିକ୍ଷିତ ହେଲେ ଆପେ ଆପେ ସାମାଜିକ ବୈଷମ୍ୟ ଦୂରୀଭୂତ ହେବ, ନଚେତ୍ ବୈଷମ୍ୟ ଦୂରୀଭୂତ ହେବାପାଇଁ ଆନ୍ଦୋଳନର ସୂତ୍ରପାତ ହେବ ।

 

କାଶୀ ବିଦ୍ୟାପୀଠରେ ଅଧ୍ୟୟନ ସମୟର ସ୍ଵପ୍ନ :

 

କାଶୀ ବିଦ୍ୟାପୀଠରେ ଚଳିତ ଶତାବ୍ଦୀର ତୃତୀୟ ଦଶକର ପ୍ରାରମ୍ଭରେ ପ୍ରାଣନାଥ ମୁଖ୍ୟତଃ ସାମ୍ୟବାଦ ମନ୍ତ୍ରରେ ଦୀକ୍ଷିତ ହୋଇଥିଲେ ମଧ୍ୟ, ସେହି ସମୟରେ ସେ ସୁବିଧା ଓ ସୁଯୋଗ ପାଇଲେ ଓଡ଼ିଶାରେ ଗୋଟିଏ ବିଶ୍ଵବିଦ୍ୟାଳୟର ମୂଳଦୁଆ ସ୍ଥାପନ କରିବାପାଇଁ କଳ୍ପନା କରିଥିଲେ । ପଣ୍ଡିତ ମାଲବ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ଆବାସିକ ବିଶ୍ଵବିଦ୍ୟାଳୟ ଢାଞ୍ଚାରେ ଓଡ଼ିଶାରେ ଏକ ବିଶ୍ଵବିଦ୍ୟାଳୟ ସ୍ଥାପନ କରିବାପାଇଁ ତାଙ୍କ ମନରେ ଗଭୀର ଆଗ୍ରହ ଜାତ ହେଲା । ଆଚାର୍ଯ୍ୟ ନରେନ୍ଦ୍ରଦେବ ଓ ଶ୍ରୀ ପ୍ରକାଶଙ୍କ ସଂସ୍ପର୍ଶରେ ଆସି ସେ ଏକ ଗଣତନ୍ତ୍ରଭିତ୍ତିକ ବିଶ୍ଵବିଦ୍ୟାଳୟ ସ୍ଥାପନ ଦିଗରେ ତାଙ୍କର ଯୁବକସୁଲଭ କଳ୍ପନାରେ ବୁଡ଼ିରହିଲେ । କାଶୀର ଅବସ୍ଥାନ କାଳରେ କିଛିଦିନ ସନ୍ତ୍ରାସବାଦୀ (ଟେରୋରିଷ୍ଟ୍)ମାନଙ୍କ ସଂସ୍ପର୍ଶରେ ଆସି ସେ ବିଚାର କରିଥିଲେ ଯେ ଉପଯୁକ୍ତ ଶିକ୍ଷାର ଅଭାବରେ ମଣିଷ ବୋଧହୁଏ ସନ୍ତ୍ରାସବାଦୀ ହୋଇଉଠୁଛି । ତେଣୁ ଉପଯୁକ୍ତ ଉଚ୍ଚ ଶିକ୍ଷାର ପ୍ରସାର ପାଇଁ ସେ ଆଗ୍ରହୀ ହୋଇଉଠିଲେ ।

 

ଶିକ୍ଷାପ୍ରତି ଅନୁରାଗ :

 

ତାଙ୍କର କାଶୀ ଅବସ୍ଥାନ କାଳର ସ୍ଵପ୍ନକୁ ଚରିତାର୍ଥ କରିବାପାଇଁ ସେ ମୂଳରୁ ଯତ୍ନବାନ୍ ହେଲେ; କିନ୍ତୁ ୧୯୩୩ ରୁ ୧୯୪୫ ପର୍ଯ୍ୟନ୍ତ ବାରମ୍ବାର କାରାବରଣ କରୁଥିବାରୁ ସେ ଦିଗରେ ବିଶେଷ କିଛି ଅଗ୍ରଗତି କରିପାରିନଥିଲେ । ୧୯୪୫ ଫେବୃଆରୀ ମାସରେ ଜେଲ୍‍ରୁ ମୁକ୍ତିଲାଭ କରିବା ପରେ ଜଟଣୀରେ ଗୋଟିଏ ହାଇସ୍କୁଲ ପ୍ରତିଷ୍ଠା ପାଇଁ ସେ ଜନମତ ସୃଷ୍ଟି କଲେ । ଜେଲରେ ଥିବା ସମୟରେ ସାମ୍ୟବାଦୀ ଓ ସମାଜବାଦୀ ଆଦର୍ଶ ଉପରେ କ୍ଳାସ ନେବା ତାଙ୍କର ଅଭ୍ୟାସରେ ପଡ଼ିଯାଇଥିଲା । କିଛିଦିନ ଜଟଣୀ ହାଇସ୍କୁଲରେ ସେ ଶିକ୍ଷକତା କଲେ ଏବଂ ସେହି ହାଇସ୍କୁଲର ପ୍ରତିଷ୍ଠାତା–ସଂପାଦକ ଥିଲେ । ଗଞ୍ଜାମର ସାମ୍ୟବାଦୀ ନେତା ସ୍ୱର୍ଗତ ବିଜୟ ଚନ୍ଦ୍ର ଦାସଙ୍କୁ ପ୍ରାଣନାଥ ଜଟଣୀ ହାଇସ୍କୁଲର ପ୍ରଧାନଶିକ୍ଷକତାର ଦାୟିତ୍ୱ ଦେଇଥିଲେ ।

 

ପରେ ମହାନ୍ ସ୍ୱାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ନାମରେ ଖୋର୍ଦ୍ଧାରେ ଗୋଟିଏ ହାଇସ୍କୁଲ ପ୍ରତିଷ୍ଠା କରି ‘‘ସ୍କୁଲ କଲେଜ କମ୍ପ୍ଲେକ୍ସ’’ ସ୍ଥାପନ କରିବାରେ ସେ ଅଗ୍ରଣୀ ହୋଇଥିଲେ ।

 

ଖୋର୍ଦ୍ଧା କଲେଜ ସ୍ଥାପନ :

 

ସ୍ୱାଧୀନତା ସଂଗ୍ରାମର ପରଶପାଇଁ ଖୋର୍ଦ୍ଧା ଅଞ୍ଚଳରେ ଯେଉଁ କେତେକ ଶିକ୍ଷାପ୍ରେମୀ ବ୍ୟକ୍ତି ବ୍ରିଟିଶ ସରକାରର ଅନିଚ୍ଛା ସତ୍ତ୍ୱେ ପ୍ରାଥମିକ ସ୍କୁଲଠାରୁ ଆରମ୍ଭକରି ଉଚ୍ଚବିଦ୍ୟାଳୟ ସ୍ଥାପନ କରିଥିଲେ, ପ୍ରାଣନାଥ ସେମାନଙ୍କର ନେତୃତ୍ୱ ନେଇଥିଲେ । ପରାଧୀନ ଭାରତରେ କଲେଜ ସ୍ଥାପନର ଉପଯୁକ୍ତ ବାତାବରଣ ସୃଷ୍ଟି ହୋଇପାରିନଥିଲା; କିନ୍ତୁ ସ୍ୱାଧୀନତା ପ୍ରାପ୍ତି ପରଠାରୁ ଖୋର୍ଦ୍ଧାର ଯୁବକୁଳ ମଧ୍ୟରେ ଉଚ୍ଚଶିକ୍ଷା ଲାଭ ପାଇଁ ପ୍ରବଳ ଆଗ୍ରହ ସୃଷ୍ଟି ହୋଇଥିଲା । ଯୁଦ୍ଧଫେରନ୍ତା ଡାକ୍ତର ପ୍ରାଣକୃଷ୍ଣ ମହାପାତ୍ର, ଆଡ୍‍ଭୋକେଟ୍ ଶ୍ରୀ ଯଦୁମଣି ପଟ୍ଟନାୟକ, ବକ୍ସି ଜଗବନ୍ଧୁ ହାଇସ୍କୁଲର ପ୍ରଧାନ ଶିକ୍ଷକ ସ୍ୱର୍ଗତ ଦିବ୍ୟସିଂହ ପଟ୍ଟନାୟକ, ଖାଁ ବାହାଦୂର ମୁସାଏବ ଖାଁ ପ୍ରମୁଖଙ୍କ ନେତୃତ୍ୱରେ ଖୋର୍ଦ୍ଧାରେ ଏକ କଲେଜ ସ୍ଥାପନ କରିବାର ପ୍ରବଳ ଉଦ୍ୟମ ଚାଲିଥାଏ । ୧୯୪୮ ମସିହାର କଲେଜ ପ୍ରସ୍ତୁତି କମିଟିର ଉଦ୍ୟମ ସେତେବେଳକୁ ମଉଳି ଯାଇଥାଏ । ତା’ପରେ ବେସରକାରୀ ଉଦ୍ୟମରେ କଲେଜ କରିବାର ଉଦ୍ୟମ ତୁହାକୁତୁହା ମୁଣ୍ଡ ଟେକି ପୁଣି ନିଷ୍କ୍ରିୟ ହୋଇଯାଇଥାଏ ।

 

ଏହି ସମୟରେ ସ୍ୱାଧୀନ ଭାରତର ଦ୍ୱିତୀୟ ସାଧାରଣ ନିର୍ବାଚନ ପାଖେଇ ଆସିଲା । ପ୍ରାଣନାଥ ଥା’ନ୍ତି ଖୋର୍ଦ୍ଧାରୁ ବିଧାନସଭା ପାଇଁ ପ୍ରାର୍ଥୀ । ଖୋର୍ଦ୍ଧାର ଯୁବକ ତଥା ବୟସ୍କ ଲୋକଙ୍କ ନିଷ୍ପତ୍ତି ହେଲା ଯେ ଖୋର୍ଦ୍ଧାରେ କଲେଜ ସ୍ଥାପନ ପାଇଁ ଯେ ଉଦ୍ୟମ କରିବେ ତାଙ୍କୁ ଦଳ ନିର୍ବିଶେଷରେ ସମସ୍ତେ ସମର୍ଥନ କରିବେ । ପ୍ରାଣନାଥ ଏହି ଚାଲେଞ୍ଜକୁ ଗ୍ରହଣ କଲେ । ସମସ୍ତଙ୍କ ସହଯୋଗରେ ପ୍ରାଣନାଥ ନିର୍ବାଚନରେ ବିଜୟୀ ହେଲେ ଏବଂ ପ୍ରତିଶ୍ରୁତି ମୁତାବକ ୧୯୫୭ ମସିହା ମଇ ୧୫ ତାରିଖରେ ଖୋର୍ଦ୍ଧା କଲେଜ ପ୍ରତିଷ୍ଠା ପାଇଁ ସ୍ଥାନୀୟ ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲରେ ଏକ ସର୍ବଦଳୀୟ ସଭା ଡକାଇଲେ । ଖୋର୍ଦ୍ଧାର ଅବସରପ୍ରାପ୍ତ ଡି.ଏଫ୍.ଓ. ଶ୍ରୀ ଓ. ଏ. ଡଡ଼୍‍ ସଓୟାର୍ଥ ଏହି ସଭାରେ ସଭାପତିତ୍ୱ କରିଥିଲେ । ଖୋର୍ଦ୍ଧା ଟାଉନ୍ ଓ ସବ୍‍ଡ଼ିଭିଜନ୍‍ର ବହୁ ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ବ୍ୟକ୍ତି, ଶିକ୍ଷକ, ଓକିଲ, ବ୍ୟବସାୟୀଙ୍କ ସମେତ ସକାଳ ରାଜନୈତିକଦଳ, ଶ୍ରେଣୀ ଓ ସଂପ୍ରଦାୟର ବ୍ୟକ୍ତି ଏହି ସଭାରେ ଯୋଗଦାନ କରି ଖୋର୍ଦ୍ଧାରେ ଗୋଟିଏ କଲେଜ ପ୍ରତିଷ୍ଠା ଦିଗରେ ଉତ୍ସାହ ପ୍ରଦର୍ଶନ କରିଥିଲେ । ୧୯୫୮ ଜୁଲାଇରେ ଖୋର୍ଦ୍ଧାରେ ଏକ କଲେଜ ସ୍ଥାପନ କରିବାପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହେଲା । ଏକ ୨୩ ଜଣିଆ କଲେଜ ପ୍ରସ୍ତୁତି କମିଟି ଗଢ଼ାହେଲା ଏବଂ ପ୍ରାଣନାଥ ଏହାର ଆବାହକ ରହିଲେ । ଖୋର୍ଦ୍ଧା କଲେଜ ପ୍ରତିଷ୍ଠା ଦିଗରେ ପ୍ରାଣନାଥଙ୍କୁ ବହୁତ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥିଲା । ତାଙ୍କର ଏହି ସାଧୁ ଉଦ୍ୟମରେ ସାହାଯ୍ୟ କରୁଥାନ୍ତି ଖୋର୍ଦ୍ଧାର ଗଣ୍ୟମାନ୍ୟ ବ୍ୟକ୍ତିମାନେ । ବିଶେଷତଃ ଡାକ୍ତର ପ୍ରାଣକୃଷ୍ଣ ମହାପାତ୍ରଙ୍କ ଅକୁଣ୍ଠ ସାହାଯ୍ୟ ସେ କଲେଜ ସ୍ଥାପନ ପୂର୍ବରୁ ଏବଂ ପରେ ଅବିରତ ଭାବରେ ପାଇଆସିଥିଲେ । ସେଥିପାଇଁ ପ୍ରାଣନାଥ ‘କଲେଜର ପ୍ରାଣ’ ଏବଂ ଡାକ୍ତର ମହାପାତ୍ର ‘କଲେଜର ପ୍ରାଣର ଅର୍ଦ୍ଧାଂଶ’ ବୋଲି ସାଧାରଣରେ ବିଦିତ ।

 

ସ୍ଥାନୀୟ ବି.ଜେ.ବି. ହାଇସ୍କୁଲରେ ଅସ୍ଥାୟୀ ଭାବରେ ଜୁଲାଇ ୧୯୫୮ରୁ କଲେଜ ଆରମ୍ଭ ହେବାର ସମସ୍ତ ପ୍ରସ୍ତୁତି କରାଯାଇ ସାରିଥିଲା; ଏପରିକି କେତେଜଣ ଅଧ୍ୟାପକଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇ ସାରିଥିଲା । ସରକାର ଜୁନ୍ ୩୦ ତାରିଖ ଦିନ ପ୍ରୋକ୍ତ ସ୍କୁଲ୍‌କୁ ସରକାରୀ ସ୍କୁଲରେ ପରିଣତ କରିବାରୁ ଏବଂ ସରକାରୀ ସ୍କୁଲରେ ବେସରକାରୀ ଉଦ୍ୟମରେ କଲେଜ ପ୍ରତିଷ୍ଠା ସମ୍ଭବ ହେଉନଥିବାରୁ ହଠାତ୍ ୧୯୫୮ ଜୁଲାଇ ୧ ତାରିଖରେ ଖୋର୍ଦ୍ଧାରେ କଲେଜ ପ୍ରତିଷ୍ଠା ବାଧାପ୍ରାପ୍ତ ହେଲା । ଅନେକ ଲୋକ ଏହି ଅସୁବିଧା ବେଳ ଉଣ୍ଡି କଲେଜ ପ୍ରସ୍ତୁତି କମିଟିକୁ କେବଳ ସମାଲୋଚନା କଲେନାହିଁ, ସେମାନେ ଦେଇଥିବା ଚାନ୍ଦା ଫେରସ୍ତ ନେବାପାଇଁ ଜିଦ୍ ଧରିଲେ ।

 

ଏ ସବୁ ଅସୁବିଧା ସତ୍ତ୍ୱେ ପ୍ରାଣନାଥ ଏବଂ ତାଙ୍କ ସହକର୍ମୀମାନେ ଭାଙ୍ଗିପଡ଼ି ନଥିଲେ । ମୁକୁନ୍ଦପ୍ରସାଦ ଗ୍ରାମ ନିକଟରେ ବରୁଣେଇ ପାହାଡ଼ ତଳେ ପ୍ରାୟ ୭୫ ଏକର ସରକାରୀ ଜମି ପଟ୍ଟା ନେଇ ଜାନୁଆରି ୨୮, ୧୯୫୯ରେ ଖୋର୍ଦ୍ଧା କଲେଜର ଭିତ୍ତିପ୍ରସ୍ତର ସ୍ଥାପିତ ହେଲା । ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ତତ୍‍କାଳୀନ କେନ୍ଦ୍ର ସାଂସ୍କୃତିକ ବ୍ୟାପାର ବିଭାଗ ମନ୍ତ୍ରୀ ପ୍ରଫେସର ହୁମାୟୁନ କବୀର । ସରକାରୀ ସ୍ତରରେ ବିଭିନ୍ନ ଅସୁବିଧା ସତ୍ତ୍ୱେ ପ୍ରାଣନାଥ ନିଜର ପ୍ରଭାବ ପକାଇ ଏହି ଉତ୍ସବକୁ ସଫଳ କରିପାରିଥିଲେ । ତା’ପରେ ଚାଲିଲା ଡାକ୍ତର ମହାପାତ୍ରଙ୍କ ତତ୍ତ୍ଵାବଧାନରେ କଲେଜର ଗୃହନିର୍ମାଣ ଏବଂ ପ୍ରାଣନାଥଙ୍କ ଉଦ୍ୟମରେ ଚାଲିଲା ଓଡ଼ିଶା ତଥା ଓଡ଼ିଶା ବାହାରୁ କଲେଜ ପାଇଁ ଅର୍ଥ ସଂଗ୍ରହ ।

 

୧୯୫୯ ଜୁଲାଇ ୧୯ ତାରିଖରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ତତ୍‍କାଳୀନ ମୁଖ୍ୟମନ୍ତ୍ରୀ ଡାକ୍ତର ହରେକୃଷ୍ଣ ମହତାବ, ଅର୍ଥମନ୍ତ୍ରୀ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓ ଓ ବିକାଶମନ୍ତ୍ରୀ ଶ୍ରୀ ରାଧାନାଥ ରଥଙ୍କ ଦ୍ୱାରା ଖୋର୍ଦ୍ଧା କଲେଜ ଆନୁଷ୍ଠାନିକ ଭାବରେ ଉଦ୍‍ଘାଟିତ ହେଲା । ଖୋର୍ଦ୍ଧା କଲେଜର ପ୍ରତିଷ୍ଠା ଦିଗରେ ଯେପରି ଅଭାବ ଓ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା, କଲେଜ ଚଳାଇବା ପାଇଁ ଅର୍ଥାଭାବ ଯୋଗୁଁ ସେହିପରି ଅନେକ ଅସୁବିଧା ଦେଖାଦେଇଥିଲା । ପ୍ରାଣନାଥ କିନ୍ତୁ ତାଙ୍କର ହସ ହସ ମୁହଁରେ ସବୁ ଅଭାବ ଓ ଅସୁବିଧାକୁ ଏଡ଼ାଇ ଦେଇ କଲେଜର ସାମୁହିକ ଉନ୍ନତି ପାଇଁ ଜୀବନର ଅନ୍ତିମ ସମୟ ପର୍ଯ୍ୟନ୍ତ ଅବିରତ ଉଦ୍ୟମ ଚଳାଇଥିଲେ ।

 

ତାଙ୍କର ଜଣେ ବିଶ୍ଵସ୍ତ ସହକର୍ମୀଙ୍କ ଭାଷାରେ–‘‘ପ୍ରାଣନାଥ ଅତ୍ୟନ୍ତ କ୍ଷମାଶୀଳ ଥିଲେ ।” କର୍ମଚାରୀଙ୍କ ମଧ୍ୟରୁ କେତେଜଣ ଯୋଗ୍ୟତାର ମାପକାଠିରେ କମ୍ ଥିଲେ ମଧ୍ୟ ସେମାନଙ୍କ ପ୍ରତି ଦୟାପରବଶ ହୋଇ ପ୍ରାଣନାଥ ସେମାନଙ୍କୁ ଚାକିରି ଦେଇଥିଲେ ଏବଂ ପରବର୍ତ୍ତୀ ସମୟରେ ସେହି ଅଯୋଗ୍ୟ ବ୍ୟକ୍ତିମାନେ ତାଙ୍କୁ କେବଳ ବିରୋଧ କରିନଥିଲେ, ତାଙ୍କ ବିରୁଦ୍ଧରେ କୁତ୍ସାରଟନା ମଧ୍ୟ କରିଥିଲେ । କିନ୍ତୁ ସେ ତିଳେମାତ୍ର ବିଚଳିତ ହେଉନଥିଲେ, ବରଂ ତାଙ୍କ ସମାଲୋଚକମାନଙ୍କୁ କ୍ଷମା କରି ଉଚ୍ଚ ହୃଦୟବତ୍ତାର ପରିଚୟ ଦେଇଥିଲେ । ତାଙ୍କର ଅସୀମ ଧୈର୍ଯ୍ୟ ଏବଂ କ୍ଷମାଶୀଳତା ସମସ୍ତଙ୍କୁ ବିସ୍ମିତ କରୁଥିଲା ।

 

ତାଙ୍କର ଏବଂ ତାଙ୍କ ସହକର୍ମୀମାନଙ୍କର ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଅଭାବ ଅସୁବିଧା ସତ୍ତ୍ୱେ ଖୋର୍ଦ୍ଧା କଲେଜର କଳେବର ବୃଦ୍ଧି ହେବାରେ ଲାଗିଲା ଏବଂ ତା’ର ଗୁଣାତ୍ମକ ଅଭିବୃଦ୍ଧି ସାଧିତ ହେଲା । ତାଙ୍କର ପରିକଳ୍ପନା ଅନୁସାରେ ଭାରତ ତଥା ଓଡ଼ିଶାର କୃତୀ ସନ୍ତାନମାନଙ୍କ ନାମରେ ଖୋର୍ଦ୍ଧା କଲେଜର ବିଭିନ୍ନ ପ୍ରକୋଷ୍ଠ ନାମିତ ହେଲା । ଜାନୁଆରୀ ୨୮, ୧୯୭୦ରେ ପାଠାଗାର ନାମିତ ହେଲା ପାଇକ ବିଦ୍ରୋହର ସୂତ୍ରଧର ଅମର ଶହୀଦ ଜୟୀରାଜଗୁରୁଙ୍କ ନାମରେ-। ଅନ୍ୟାନ୍ୟ ପ୍ରକୋଷ୍ଠ ସବୁ ନାମିତ ହେଲା ବକ୍ସି ଜଗବନ୍ଧୁ, ସୁରେନ୍ଦ୍ର ସାଏ, ତାପଙ୍ଗ ଦଳବେହେରା, କୃତ୍ତିବାସ ପାଟଶାଣୀ, ମହାତ୍ମା ଗାନ୍ଧି, ଉତ୍କଳଗୌରବ ମଧୁସୂଦନ, ଉତ୍କଳମଣୀ ଗୋପବନ୍ଧୁ, ଚନ୍ଦନ ହଜୁରୀ ଏବଂ ଡକ୍ଟର ପ୍ରାଣକୃଷ୍ଣ ପରିଜାଙ୍କ ନାମରେ । ସେଦିନ ଜୟୀରାଜଗୁରୁଙ୍କର ଏକ ଆବକ୍ଷ ପ୍ରତିମୂର୍ତ୍ତି କଲେଜ ପ୍ରାଙ୍ଗଣରେ ସ୍ଥାପିତ ହେଲା ।

 

ଗୋଟିଏ ଶିକ୍ଷାନୁଷ୍ଠାନର ଉତ୍କର୍ଷତା କେବଳ ଅଟ୍ଟାଳିକାର ବିଭବଦ୍ୱାରା ମପାଯାଏ ନାହିଁ-। ପରନ୍ତୁ ଅଧ୍ୟାପକ ଏବଂ ଛାତ୍ରମାନଙ୍କ ଚରିତ୍ରବତ୍ତା, ଆଦର୍ଶରେ ମହନୀୟତା ଶିକ୍ଷାନୁଷ୍ଠାନର ଉଚ୍ଚ ପରମ୍ପରାର ଓ ଉତ୍କର୍ଷତାର ମାନଦଣ୍ଡ ବୋଲି ସେ ବିଚାର କରୁଥିଲେ । ଶିକ୍ଷକମାନଙ୍କ ଗୁଣାତ୍ମକ ମାନରକ୍ଷାପାଇଁ ସେ କହିଥିଲେ, ‘‘ଖୋର୍ଦ୍ଧା ମହାବିଦ୍ୟାଳୟର ଶିକ୍ଷକଗଣ ସେହି ଅଗାଧ ପାଣ୍ଡିତ୍ୟ, ଅନୁପମ କର୍ତ୍ତବ୍ୟନିଷ୍ଠା, ପ୍ରାଣଭରା ସମାଜସେବା, ଅତୁଳନୀୟ ତ୍ୟାଗଦ୍ଵାରା ଉଚ୍ଚ ଶିକ୍ଷାର ପ୍ରସାର ଦିଗରେ ଓଡ଼ିଶା ତଥା ଭାରତରେ ଏକ ଆଦର୍ଶ ସ୍ଥାନ ଦାଖଲ କରନ୍ତୁ ଏବଂ ଏହି ଅନୁଷ୍ଠାନକୁ ଆଦର୍ଶ ଅନୁଷ୍ଠାନରେ ପରିଣତ କରନ୍ତୁ ଏହାହିଁ କାମନା । ଏହି ଆଦର୍ଶ ବ୍ୟତିରେକ ଏକ ଅନୁଷ୍ଠାନ ଏକ ସୁରମ୍ୟ ଇଟାପଥରର ସମାବେଶ ବ୍ୟତୀତ ଅନ୍ୟ କିଛି ହେବ ନାହିଁ ।”

 

ଛାତ୍ରମାନଙ୍କ ସମ୍ପର୍କରେ ସେ କହିଛନ୍ତି, ‘‘ପରିବାର ମଧ୍ୟରେ ସୁ–ସନ୍ତାନ ମାନଙ୍କୁ ନେଇ ପିତାମାତା ଯେପରି ଆନନ୍ଦ ଓ ଗୌରବ ଅନୁଭବ କରନ୍ତି ଏଇ ମହାବିଦ୍ୟାଳୟ ତା’ର ଛାତ୍ର ଓ ଛାତ୍ରୀମାନଙ୍କୁ ନେଇ ସେଇପରି ଗୌରବ ଓ ଉତ୍‍ଫୁଲ୍ଲଣ ଅନୁଭବ କରିଥାଏ । ସୁ–ଶିକ୍ଷା, କର୍ତ୍ତବ୍ୟନିଷ୍ଠା, ଶ୍ରମପରାୟଣତା, ନିର୍ଭୀକତା, ସାହସିକତା, ଧୈର୍ଯ୍ୟ, ନ୍ୟାୟ ଓ ନିରପେକ୍ଷତା, ସମାଜସେବା, ଦେଶପ୍ରେମ, ଅର୍ଥାତ୍ ମୋଟଉପରେ ଜୀବନ ସଂଗ୍ରାମ ପାଇଁ ପ୍ରସ୍ତୁତ ଏହି ଛାତ୍ର ଜୀବନରୁ ଆରମ୍ଭ ଓ କ୍ରମବିକଶିତ ହୋଇ ଜୀବନ କ୍ଷେତ୍ରରେ ପ୍ରସ୍ଫୁଟିତ ହୋଇ ଜୀବନକୁ ମହକାଇଥାଏ । ସେହି ଦୃଷ୍ଟିରୁ ଛାତ୍ରଜୀବନ ହିଁ ମନୁଷ୍ୟ ଜୀବନରେ ଏକ ମହାନ ସାଧନା ପୀଠ ।”

 

ମୋତିଲାଲ ବିଶ୍ଵବିଦ୍ୟାଳୟ ସ୍ଥାପନର ପରିକଳ୍ପନା :

 

ଖୋର୍ଦ୍ଧା କଲେଜ ପ୍ରତିଷ୍ଠା ହୋଇସାରିବା ପରେ ପ୍ରାଣନାଥ ଏକ ଆବାସିକ ବିଶ୍ଵବିଦ୍ୟାଳୟ ସ୍ଥାପନ କରି ପଣ୍ଡିତ ମୋତିଲାଲ ନେହରୁଙ୍କ ନାମରେ ତାହା ନାମିତ କରିବାପାଇଁ ପରିକଳ୍ପନା କଲେ । ସେ ଛାତ୍ରାବସ୍ଥାରେ ଯେଉଁ କାଶୀ ବିଦ୍ୟାପୀଠରେ ଅଧ୍ୟୟନ କରୁଥିଲେ, ତା’ର ଅନ୍ୟତମ ପ୍ରତିଷ୍ଠାତା ପଣ୍ଡିତ ମୋତିଲାଲ ନେହେରୁଙ୍କ ନାମରେ କୌଣସି ବିଶ୍ଵବିଦ୍ୟାଳୟ ସ୍ଥାପିତ ହୋଇନଥିବାରୁ ଖେଦ ପ୍ରକାଶକରି ସେ ବରୁଣେଇ ପାହାଡ଼ ତଳେ ମୋତିଲାଲ ବିଶ୍ଵବିଦ୍ୟାଳୟ ସ୍ଥାପନର ଖସଡ଼ା ପ୍ରସ୍ତୁତ କଲେ । ତାଙ୍କ ଖସଡ଼ାରେ ସେ ମୋତିଲାଲଙ୍କୁ ରାଜର୍ଷିରୂପେ ଆଖ୍ୟା ଦେଇଛନ୍ତି ଏବଂ ବିଶ୍ଵକବି ରବୀନ୍ଦ୍ରନାଥଙ୍କଦ୍ଵାରା ପ୍ରତିଷ୍ଠିତ ଶାନ୍ତିନିକେତନ ଓ ପଣ୍ଡିତ ମାଲବ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ବନାରସ ବିଶ୍ଵବିଦ୍ୟାଳୟ ଢାଞ୍ଚାରେ ଏକ ବିଶ୍ଵବିଦ୍ୟାଳୟ ସ୍ଥାପନ କରିବାର ପରିକଳ୍ପନା କରିଛନ୍ତି ।

 

କଳା, ବିଜ୍ଞାନ, ବାଣିଜ୍ୟ ଏବଂ କାରିଗରି ବିଜ୍ଞାନରେ ଶିକ୍ଷାଦାନ ଓ ଗବେଷଣାର ସୁଯୋଗ ଓଡ଼ିଶା ଭଳି ଏକ ଅନୁନ୍ନତ ଅଞ୍ଚଳକୁ ଦେବାପାଇଁ ସେ ଏହି ବିଶ୍ଵବିଦ୍ୟାଳୟର ପରିକଳ୍ପନା କରିଥିଲେ ୧୯୬୨–୬୩ ମସିହା ବେଳକୁ । ଏହାକୁ ଏକ ସ୍ଵୟଂଚାଳିତ ଅନୁଷ୍ଠାନ କରିବାପାଇଁ ସେ ବାରବାଟୀ ରାଫଲ୍ ଏବଂ ଖଲିକୋଟ କଲେଜ ଲଟେରି ଭଳି ମୋତିଲାଲ ବିଶ୍ଵବିଦ୍ୟାଳୟ ରାଫଲ୍‍ର କଳ୍ପନା କରିଥିଲେ । ତାଙ୍କଦ୍ୱାରା ପ୍ରସ୍ତୁତ ଖସଡ଼ା ଅନୁଯାୟୀ ଭାରତର ପ୍ରଧାନମନ୍ତ୍ରୀ ଏହି ବିଶ୍ଵବିଦ୍ୟାଳୟ ଟ୍ରଷ୍ଟ୍ ବୋର୍ଡ଼ର ସଭାପତି ରହିବେ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଉପସଭାପତି ରହିବେ । ଏତଦ୍‍ବ୍ୟତୀତ ପ୍ରାଣନାଥ ରହିବେ ସଂପାଦକ ଏବଂ ଡାକ୍ତର ପ୍ରାଣକୃଷ୍ଣ ମହାପାତ୍ର ଯୁଗ୍ମସଂପାଦକ । ମୋତିଲାଲ ନେହେରୁଙ୍କ ପରିବାରର ପ୍ରତିନିଧି ହିସାବରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଏହି ଟ୍ରଷ୍ଟବୋର୍ଡ଼ର ସଦସ୍ୟ ରହିବେ ବୋଲି ତାଙ୍କ ଖସଡ଼ାରେ ଉଲ୍ଲେଖ ଥିଲା । ଏତଦ୍‍ବ୍ୟତୀତ ଅନ୍ୟ ପାଞ୍ଚଜଣ ସଦସ୍ୟଙ୍କୁ ନେଇ ସେ ଏକ ଦଶଜଣିଆ ଟ୍ରଷ୍ଟବୋର୍ଡ଼ର ପରିକଳ୍ପନା କରିଥିଲେ । କେବଳ ସାର୍ଟିଫିକେଟ ପ୍ରଦାନର ମେସିନ୍ ନ ହୋଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ଶିକ୍ଷାଦାନର ପ୍ରକୃତ ପୀଠ କରିବାପାଇଁ ସେ ଅବିରତ ପ୍ରଚେଷ୍ଟା ଚଳାଇଥିଲେ । ଏଥିପାଇଁ ସେ ତାଙ୍କର ଅନେକ ସମୟ ଖୋର୍ଦ୍ଧା କଲେଜରେ ଅତିବାହିତ କରୁଥିଲେ । ମରଣର ନିର୍ଦ୍ଦୟ ହସ୍ତ ତାଙ୍କୁ ଚଞ୍ଚଳ ଛଡ଼ାଇନେଲା, ନହେଲେ ସେ ଯେମିତି ଦୃଢ଼ମନା ଉଦ୍ୟୋଗୀ ବ୍ୟକ୍ତି ତାଙ୍କର ମୋତିଲାଲ ନେହରୁ ବିଶ୍ଵବିଦ୍ୟାଳୟ ପରିକଳ୍ପନା କିଛି ପରିମାଣରେ ନିଶ୍ଚୟ କାର୍ଯ୍ୟରେ ପରିଣତ ହୋଇଥାନ୍ତା ।

Image

 

କାଳଜୟୀ ପ୍ରାଣନାଥ

 

କେହି ରହିନାହିଁ ରହିବେ ନାହିଁଟି

ଭବରଙ୍ଗ ଭୂମି ତଳେ

ସର୍ବେ ନିଜ ନିଜ ଅଭିନୟ ସାରି

ବାହୁଡ଼ିବେ କାଳ ବଳେ ।

 

–ରାଧାନାଥ ରାୟ

 

ଜୀବନ ରଙ୍ଗମଞ୍ଚରୁ ସମସ୍ତେ ଅପସରି ଯା’ନ୍ତି; କିନ୍ତୁ ଭବିଷ୍ୟତ ବଂଶଧର ସମସ୍ତଙ୍କୁ ମନେରଖନ୍ତି ନାହିଁ । ଜୀବନ ରଙ୍ଗମଞ୍ଚରେ ଯେ ସ୍ମରଣଯୋଗ୍ୟ ଅଭିନୟ କରିଥାଏ ତାକୁ ହିଁ ସମସ୍ତେ ମନେରଖନ୍ତି । ଗୋପବନ୍ଧୁଙ୍କ ଭାଷାରେ–

 

‘‘ମାନବ ଜୀବନ ନୁହଁଇ କେବଳ

ବର୍ଷ ମାସ ଦିନ ଦଣ୍ଡ

କର୍ମେ ଜୀଏ ନର କର୍ମ ଏକା ତା’ର

ଜୀବନର ମାନଦଣ୍ଡ ।”

 

ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରାଣନାଥ ନିଜ ଜୀବନକୁ କର୍ମମୟ କରି ଗଢ଼ିଥିଲେ । ଦେଶ ଓ ଦଶର ଭଲପାଇଁ ନିଜର ସବୁକିଛି ଉତ୍ସର୍ଗ କରିବାକୁ ସେ ସବୁବେଳେ ଚେଷ୍ଟିତ ଥିଲେ । ଗୋପବନ୍ଧୁଙ୍କ ଅମର କବିତାଂଶର ସାରମର୍ମ–

 

‘‘ମିଶୁ ମୋର ଦେହ ଏ ଦେଶ ମାଟିରେ

ଦେଶବାସୀ ଚାଲି ଯାଆନ୍ତୁ ପିଠିରେ ।

ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଡ଼

ପୁରୁ ତହିଁ ପଡ଼ି ମୋର ମାଂସ ହାଡ଼ ।”

 

ସେ ନିଜର ଜୀବନରେ ପ୍ରକୃତ ଅର୍ଥରେ ପ୍ରୟୋଗ କରିଥିଲେ । ତାଙ୍କର ଦୁର୍ବଳ ସ୍ୱାସ୍ଥ୍ୟ ସତ୍ତ୍ୱେ ସେ କଠିନ ପରିଶ୍ରମ ଏବଂ ଗରିବଙ୍କ ଭଳି ଜୀବନଯାପନ କରୁଥିଲେ । ୧୯୭୦ ମସିହାର ଆଦ୍ୟଭାଗରେ ସେ ଏକାଦିକ୍ରମେ ପ୍ରାୟ ସତୁରିଦିନ ବେଗୁନିଆ–ବାଘମାରି ଅଞ୍ଚଳରେ ପଦଯାତ୍ରା କରି ଲୋକଙ୍କ ମନରେ ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ ଜାଗରଣ ସୃଷ୍ଟି କରିଥିଲେ । ଏହି ପଦଯାତ୍ରା ପରେ ତାଙ୍କର ଭୀଷଣ ସ୍ୱାସ୍ଥ୍ୟହାନି ଘଟିଲା । ଖୋର୍ଦ୍ଧା ଓ ଭୁବନେଶ୍ଵରରେ କିଛିଦିନ ଚିକିତ୍ସା କରି କିଛି ଫଳ ହେଲାନାହିଁ । କେତେକ ବନ୍ଧୁଙ୍କ ଉପଦେଶ ମାନି ସେ କଲିକତା ଯାଇ ଚିକିତ୍ସା କରାଇବାକୁ ମନସ୍ଥ କଲେ ।

 

ମହାପ୍ରୟାଣ :

 

ଅପ୍ରେଲ ପହିଲା । ଖୋର୍ଦ୍ଧା ଛାଡ଼ି ଭୁବନେଶ୍ଵର ଆସିଲେ । ଅପ୍ରେଲ ଦୁଇ ତାରିଖରେ ପୁରୀ-ହାଓଡ଼ା ଏକ୍ସପ୍ରେସ୍‍ରେ ଭୁବନେଶ୍ଵରରୁ କଲିକତା ବାହାରିଲେ । ଭୁବନେଶ୍ୱରରେ ସେଦିନ ଝଡ଼ ଓ ବର୍ଷା । ବିଜୁଳି ସରବରାହ ବ୍ୟାହତ ହୋଇଥାଏ । ବର୍ଷା ରାତି, ଚାରିଆଡ଼େ କିଟିକିଟି ଅନ୍ଧାର । ସେହି କିଟିକିଟି ଅନ୍ଧାରରେ ନିଜେ ନିଜେ ଗୋଟାଏ ରିକ୍ସା ଡାକି ବର୍ଷାରେ ତିନ୍ତି–ବୁଡ଼ି ବାହାରିଲେ ଘରୁ ଭୁବନେଶ୍ଵର ଷ୍ଟେସନକୁ । ରିକ୍ସାରେ ଯିବା ବୋଧହୁଏ ସେଇଟା ତାଙ୍କର ପ୍ରଥମ ଓ ଶେଷ ମଧ୍ୟ । ଅସରା ଅସରା ବର୍ଷା ଚାଲିଥାଏ । ଭୁବନେଶ୍ଵରର ଅନ୍ଧାର ରାସ୍ତାରେ ରିକ୍ସା ଛୁଟିଥାଏ ଏକୁଟିଆ । ସେତେବେଳେ ପ୍ରାଣନାଥଙ୍କ ମନେପଡ଼ିଗଲା ବିଶ୍ଵକବି ରବୀନ୍ଦ୍ରନାଥଙ୍କ ଅମର ପଙ୍‍କ୍ତି ‘‘ତୁ ଏକଲା ଚଲ୍‍ରେ ।”

 

ପ୍ରଥମେ କଲିକତାସ୍ଥିତ ତାଙ୍କ ବଡ଼ପୁଅଙ୍କ ପାଖରେ କିଛିଦିନ ରହି ଚିକିତ୍ସିତ ହେଲେ । ଡାକ୍ତରମାନେ ପରୀକ୍ଷା ନିରୀକ୍ଷା କରି ଦେଖିଲେ ଯକୃତ ରୋଗ । ସ୍ୱାସ୍ଥ୍ୟର ଅବନତି ଅବହେଳାର ଫଳ । ଦିନକୁ ଦିନ ରୋଗ ବଢ଼ିବାକୁ ଲାଗିଲା । ଜୁଲାଇ ମାସରେ ତାଙ୍କୁ କଲିକତାସ୍ଥିତ ପି.ଜି. ହସପିଟାଲକୁ ସ୍ଥାନାନ୍ତରିତ କରାଗଲା ।

 

ସେପ୍ଟେମ୍ବର ଶେଷବେଳକୁ ଥରେ କଲିକତା ହାଇକୋର୍ଟର ଆଡ଼୍‍ଭୋକେଟ ଶ୍ରୀ ଶ୍ରୀଚରଣ ବରାଳ ଏବଂ ଓଡ଼ିଶାର ସାମ୍ୟବାଦୀ ନେତା ଶ୍ରୀ ସଦାନନ୍ଦ ମହାନ୍ତି ତାଙ୍କୁ ଦେଖିବାପାଇଁ ହସ୍ପିଟାଲ୍‍କୁ ଯାଇଥିଲେ । ପ୍ରାଣନାଥ ସେତେବେଳକୁ ବହୁତ ଦୁର୍ବଳ ହୋଇଯାଇଥାନ୍ତି ସତ କିନ୍ତୁ ମନୋବଳ ତାଙ୍କର ଥାଏ ଅତୁଟ । ଦେହ ତାଙ୍କର ହଳଦିଆ ପଡ଼ିଯାଇଥାଏ । ଆଖି ଦି’ଟା ବଡ଼ିସକାଳର କାକରପରି ନିସ୍ତେଜ ଧବଳ । ଶେଯ ଉପରୁ ଦେହର ଉଚ୍ଚତା ବାରି ହେଉନଥାଏ । ଆଗନ୍ତୁକ ବନ୍ଧୁଦ୍ୱୟ ହତାଶାର ଦୀର୍ଘନିଃଶ୍ୱାସ ମାରିଲେ । ପ୍ରାଣନାଥ ହଠାତ୍ ମୌନତା ଭଙ୍ଗକରି କହିଲେ, ‘‘ଏଇଟା ଗୋଟାଏ ମାଇନର ଅପରେସନ୍ । ମତେ ପୁଣି ଛ’ମାସ ପରେ କଲିକତାକୁ ଆସିବାକୁ ପଡ଼ିବ । ସେତେବଳେ ଗୋଟାଏ ମେଜର ଅପରେସନ୍ କରିବାକୁ ହେବ ।” ପ୍ରାଣନାଥଙ୍କ ସରଳ ବିଶ୍ୱାସ ବନ୍ଧୁଦ୍ୱୟଙ୍କୁ ବିସ୍ମୟାଭିଭୂତ କରିଥିଲା । ସତକୁସତ ପ୍ରାଣନାଥ ଖୋର୍ଦ୍ଧାକୁ ଖବର ଦେଇଥିଲେ ଅକ୍ଟୋବର ୧୫ ତାରିଖରେ ପହଞ୍ଚିବେ ବୋଲି । ତାଙ୍କର ରହିବାପାଇଁ ଖୋର୍ଦ୍ଧା କଲେଜ ପ୍ରାଙ୍ଗଣ ଭିତରେ ଗୋଟିଏ କ୍ୱାର୍ଟର ଠିକଣା କରାଯାଇଥିଲା । ଅକ୍ଟୋବର ୧୫ ତାରିଖରେ ସେ ସିନା ଖୋର୍ଦ୍ଧା ଆସିଲେ ନାହିଁ–ଆସିଥିଲା ତାଙ୍କର ଚିତାଭସ୍ମ ।

 

ଅକ୍ଟୋବର ୫, ୧୯୭୦ରେ ଏକ ଅବସନ୍ନ ଅପରାହ୍ନ । ଦଶହରା ଶୁକ୍ଲପକ୍ଷ ଷଷ୍ଠୀ ସୋମବାର । ମହାସପ୍ତମୀର ପୂର୍ବଦିନ । ପୂଜାପାଇଁ କଲିକତା ନଗରୀ ସରଗରମ ହୋଇଆସୁଥାଏ-। ଅପରାହ୍ନରେ ଅସରାଏ ବର୍ଷା ହେତୁ ଚାରିଆଡ଼ କିନ୍ତୁ ମାନ୍ଦା ଜଣାପଡ଼ୁଥାଏ । ପି.ଜି. ହସ୍ପିଟାଲ୍‍ର ଦୁଇ ଶଯ୍ୟା ବିଶିଷ୍ଟ ଏକ ପ୍ରକୋଷ୍ଠରେ ନିଶ୍ଚଳକି ପଡ଼ିରହିଥାନ୍ତି ପ୍ରାଣନାଥ । ପ୍ରାଣର ପ୍ରାଚୁର୍ଯ୍ୟ ଯେଉଁ ଶୀର୍ଣ୍ଣ ଶରୀରରେ କର୍ମପ୍ରବଣତାର ଖରସ୍ରୋତ ବୁହାଇଦେଇ ଆସିଥିଲା, ସେଦିନ ସତେଯେମିତି ସ୍ଥାବର ପାଲଟିଯାଇଥିଲା । ଅବସନ୍ନ ଶରୀର, ଖଟଉପରେ ପିଠି ରହିଥାଏ; କିନ୍ତୁ ମୁହଁରେ ଉଙ୍କିମାରୁଥାଏ ତାଙ୍କର ନିଷ୍କପଟ ପିଲାଳିଆ ହସ । ପୁଅମାନଙ୍କଠାରୁ ନିଜର ପ୍ରିୟଭୂମି ଖୋର୍ଦ୍ଧା ଏବଂ ପ୍ରିୟ ଖୋର୍ଦ୍ଧା କଲେଜ ବିଷୟ ପଚାରି ସେକଥା ଭାବୁ ଭାବୁ ପ୍ରାଣନାଥଙ୍କ ପ୍ରାଣବାୟୁ ଚାଲିଗଲା ସନ୍ଧ୍ୟା ଛ’ଟା ଦଶମିନିଟ୍‍ରେ । ଆମ ଦେଶ ହରାଇଲା ଏକ ସଚ୍ଚୋଟ ସମାଜବାଦୀକୁ, ଦରିଦ୍ର ଜନତା ହରାଇଲା ଜଣେ ପ୍ରକୃତ ବନ୍ଧୁଙ୍କୁ ଏବଂ ଜ୍ଞାତି କୁଟୁମ୍ବ ବନ୍ଧୁବାନ୍ଧବ ହରାଇଲେ ମଣିଷପରି ଜଣେ ମଣିଷଙ୍କୁ । ଦେଶ ଓ ଦଶ ପାଇଁ ନିଜକୁ ତିଳ ତିଳ କରି ଜାଳିଦେଇ ସେ ଅମର ସହିଦ ପାଲଟିଲେ ।

 

ତାଙ୍କର ମୃତ୍ୟୁ ସମ୍ବାଦ ବିଜୁଳି ବେଗରେ ଚାରିଆଡ଼େ ପ୍ରଚାରିତ ହୋଇଗଲା । ପରିଚିତ ମହଲରେ ଖେଳିଗଲା ବିଷାଦର ଛାୟା । କଲିକତାର ଅନେକ ବନ୍ଧୁ ଓ ସହକର୍ମୀ ଶେଷଦର୍ଶନ ପାଇଁ ଆସି ପହଞ୍ଚିଗଲେ । ରାତିରେ ଶବ ଶୋଭାଯାତ୍ରା ଆରମ୍ଭ ହେଲା । ଗଙ୍ଗାକୁଳସ୍ଥ ବିଦ୍ୟୁତ୍ ଚାଳିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମାପନ କରାଗଲା । ସୁଦୂର ଭୁବନେଶ୍ଵରରେ ଏହି ଦାରୁଣ ଦୁଃସମ୍ବାଦ ସମସ୍ତଙ୍କୁ ସ୍ତମ୍ଭୀଭୂତ କଲା । ଆଲୁଳାୟିତ କେଶା ମଞ୍ଜରୀ ଦେବୀଙ୍କ ଚକ୍ଷୁରୁ ପତିଙ୍କ ବିରହରେ ଅବିରତ ଅଶ୍ରୁଧାରା ପ୍ରବାହିତ ହେବାକୁ ଲାଗିଲା । ମଧ୍ୟରାତ୍ରରେ ସେହି ଦୁଃସମ୍ବାଦ ପ୍ରାଣନାଥଙ୍କ ପରିବାରକୁ ଅଶ୍ରୁସିକ୍ତ କରିଦେଲା । କଲିକତାର ଶ୍ମଶାନ ଘାଟରେ କମ୍ରେଡ଼ ବନ୍ଧୁମାନେ ପ୍ରାଣନାଥଙ୍କ ମୃତ୍ୟୁରେ ଅଶ୍ରୁ ବିସର୍ଜନ କଲେ । ସେମାନଙ୍କ ମଧ୍ୟରେ ଗୋଟାଏ କଥା–‘‘ଏକ୍‍ଟା ଭାଲୋ ମାନୁଷ୍ ଚଲେଗେଲ ।”

 

ଜୀବନ ସଙ୍ଗିନୀଙ୍କ ମହାଯାତ୍ରା :

 

ପତିଙ୍କ ମହାପ୍ରୟାଣ ପରେ ଶ୍ରୀମତୀ ମଞ୍ଜରୀ ପଟ୍ଟନାୟକ କିଛିଦିନ ଏକାକୀ ଅନୁଭବ କଲେ । ତା’ପରେ ସ୍ୱାମୀଙ୍କ ଅସମ୍ପୂର୍ଣ୍ଣ କାର୍ଯ୍ୟରେ ସାମର୍ଥ୍ୟ ଅନୁଯାୟୀ ନିଜକୁ ସାମିଲ କଲେ । ଅନେକ ସାଂସ୍କୃତିକ ଓ ସମାଜସେବୀ ଅନୁଷ୍ଠାନ ସହିତ ସେ ଶେଷ ଜୀବନ ପର୍ଯ୍ୟନ୍ତ ସଂପୃକ୍ତ ଥିଲେ-। ଗୃହିଣୀ ସମାଜର ସଭାନେତ୍ରୀ ଭାବରେ ସେ ଥିଲେ ନାରୀ ସ୍ୱାଧୀନତାର ନିରଳସ ଚମ୍ପିଆନ୍ ।

 

ବେଶି ସଭାସମିତିରେ ଠିଆହୋଇ ବକ୍ତୃତା ଦେବାର ଅବକାଶ ତାଙ୍କର ନଥିଲା । ତାଙ୍କର କାମ ଥିଲା ରଙ୍ଗମଞ୍ଚର ଅନ୍ତରାଳରେ ରହି ସାହାଯ୍ୟ କରିବା । ଇଂରେଜ କବି ମିଲଟନ୍ ବାସ୍ତବରେ କହିଛନ୍ତି–‘‘They also serve who stand and wait.’’ କିନ୍ତୁ ମଞ୍ଜରୀ ଦେବୀଙ୍କ କର୍ତ୍ତବ୍ୟ ଖାଲି stand and wait ଭିତରେ ସୀମିତ ନଥିଲା । ସେ ସକ୍ରିୟ ଅଂଶଗ୍ରହଣ କରିଥିଲେ; କିନ୍ତୁ ଅନ୍ତରାଳରୁ । ଫଳରେ ତାଙ୍କର ପ୍ରତିଭା ଅନେକାଂଶରେ ଅଗୋଚରରେ ରହିଯାଇଥିଲା । ତାଙ୍କର ଅନ୍ତରାଳରେ ସଂଗ୍ରାମ ମଧ୍ୟ ଲୋକଚକ୍ଷୁରେ ବେଶି ପଡ଼ିପାରିନଥିଲା । ଏହି ସଂଗ୍ରାମ ଯେ ଥିଲା ପ୍ରବଳ, ଏହି ସଂଗ୍ରାମ ପଛରେ ଯେ ଥିଲା ଅଗାଧ କର୍ତ୍ତବ୍ୟନିଷ୍ଠା ଓ ଦେଶଭକ୍ତି–ତାହା ଅତି ଅଳ୍ପ ଲୋକ ଜାଣିଥିଲେ । ସେ ଖାଲି ପିଲା ବଢ଼େଇ ନଥିଲେ, ବ୍ରିଟିଶ ଶାସନ କାଳରେ ପୋଲିସର କଡ଼ା ପହରା ସତ୍ତ୍ୱେ ସ୍ୱାମୀଙ୍କର ସହକର୍ମୀମାନଙ୍କ ନିଜ ଘରେ ଆଶ୍ରୟ ଦେଇଥିଲେ, ନିଜ ପିଲା ଓ ତାଙ୍କ ବନ୍ଧୁମାନଙ୍କୁ ଧରି ନିଜହାତରେ ପ୍ରଚାର ପତ୍ର ଲେଖି, ନିଜ କବିତା ଶିଖେଇ ଜଟଣୀ ଦାଣ୍ଡରେ ‘ଗୋଆ ସ୍ୱାଧୀନତା’ ଦାବି କରି ଶୋଭାଯାତ୍ରା କରାଇଥିଲେ ।

 

ଖୋର୍ଦ୍ଧା କଲେଜ ପ୍ରତିଷ୍ଠା ଦିଗରେ ସେ ମଧ୍ୟ ସ୍ୱାମୀଙ୍କର ପୂର୍ଣ୍ଣ ସହାୟତା କରିଥିଲେ । ସ୍ୱାମୀ ଯେପରି ପଲ୍ଲୀପ୍ରତି ଆକୃଷ୍ଟ ହୋଇ ପଲ୍ଲୀକୁ ନିଜର କର୍ମକ୍ଷେତ୍ର କରିଥିଲେ, ମଞ୍ଜରୀ ଦେବୀ ମଧ୍ୟ ସେହିପରି ଗ୍ରାମ୍ୟ ଜୀବନକୁ ଭଲପାଉଥିଲେ । ମୃତ୍ୟୁର କିଛିଦିନ ପୂର୍ବରୁ ଗୋଟିଏ ଅପ୍ରକାଶିତ କବିତାରେ ସେ ଲେଖିଥିଲେ–

 

‘‘ହର୍ମ୍ମ୍ୟମାଳା ସୁଶୋଭିତ ସୁରମ୍ୟ ନଗର

ସୈକତ ଶଯ୍ୟାରେ ବ୍ୟାପ୍ତ ନୀଳ ରତ୍ନାକର ।

କେତେ ନଦୀ, ନିର୍ଝରିଣୀ, ନିବିଡ଼ ବନାନୀ

ବିପଣୀ ବୀଥିକା ପୂର୍ଣ୍ଣ କେତେ ରାଜଧାନୀ ।

ବହୁସ୍ଥାନ ବୁଲି ବୁଲି ଦେଖିଲି ଜୀବନେ

ମୋ ଗ୍ରାମ ଚିତ୍ରଟି କିନ୍ତୁ ଭାସୁଛି ନୟନେ ।

କି ବା ସୁପ୍ତେ କି ଜାଗ୍ରତେ ପଡ଼େ ସେ ମନରେ

ନିରନ୍ତରେ ଭାବେ ଯାଇ ଦେଖିଆସେ ଥରେ ।

ଅସ୍ତାଚଳେ ଉଭା ମୁହିଁ ଉଦ୍ଭ୍ରାନ୍ତ ପଥିକ

ଲିଭିଯିବି ଧରି ସେହି ମଧୁସ୍ମୃତି ଟିକ ।”

 

ସେପ୍ଟେମ୍ବର ୨ତାରିଖ, ୧୯୮୧ ମସିହା ଗଣେଶଚତୁର୍ଥୀ ରାତି ଘ.୧୦–୪୫ ମିନିଟ୍ ସମୟରେ ରାଜଧାନୀ ହସ୍ପିଟାଲ ନର୍ସିଂହୋମର ଏକ ପ୍ରକୋଷ୍ଠରେ ଏହି ମହିୟସୀ ନାରୀଙ୍କର ଜୀବନ ଲୀଳା ସାଙ୍ଗ ହେଲା । ଦୀର୍ଘ ଏଗାର ବର୍ଷ ବିଚ୍ଛେଦ ପରେ ବୋଧହୁଏ ଆତ୍ମା ମିଳିତ ହେଲା ପ୍ରିୟତମ ପତି ପ୍ରାଣନାଥଙ୍କ ଅମର ଆତ୍ମା ସାଙ୍ଗରେ ।

 

ମରଣୋତ୍ତର ପ୍ରତିଭା ପୂଜା :

 

ଜୀବନକାଳରେ ପ୍ରାଣନାଥଙ୍କୁ ଯେଉଁମାନେ ସାଧାରଣ ଦୃଷ୍ଟିରେ ଦେଖୁଥିଲେ ତାଙ୍କର ମୃତ୍ୟୁ ପରେ ତାଙ୍କ ମହନୀୟତା ଅନୁଭବ କରିବାକୁ ଲାଗିଲେ । ପ୍ରାଣନାଥଙ୍କ ମୃତ୍ୟୁ ପରେ ସେମାନେ ବୁଝିପାରିଥିଲେ ଯେ ଜଣେ ନିହାତି ସାଧାରଣ ମାନବର ଚେହେରାଧାରୀ ପ୍ରାଣନାଥଙ୍କର ସମାଜ ପ୍ରତି କି ପ୍ରଭୂତ ଅବଦାନ ରହିଛି ଏବଂ ସମାଜର ଅବହେଳିତ ଲୋକଙ୍କ ଉପରେ ତାଙ୍କର କି ପ୍ରଗାଢ଼ ପ୍ରଭାବ ରହିଛି । ତାଙ୍କ ମୃତ୍ୟୁର କିଛିଦିନ ପରେ ତାଙ୍କଦ୍ୱାରା ସ୍ଥାପିତ ଖୋର୍ଦ୍ଧା କଲେଜକୁ ‘ପ୍ରାଣନାଥ ମହାବିଦ୍ୟାଳୟ’ ନାମରେ ନାମିତ କରାଗଲା ।

 

ତାଙ୍କର ଏକାଦଶାହ ଦିନ ଏକ ବିରାଟ ଶୋଭାଯାତ୍ରାର ତାଙ୍କ ଚିତାଭସ୍ମ ଖୋର୍ଦ୍ଧା ସହର ପରିକ୍ରମା କରି କଲେଜ ପ୍ରାଙ୍ଗଣକୁ ଆସିଥିଲା ଏବଂ କଲେଜର ମୁଖ୍ୟ ଅଟ୍ଟାଳିକା ସମ୍ମୁଖରେ ସସମ୍ମାନେ ତାହାକୁ ସମାଧିସ୍ଥ କରାଯାଇଥିଲା । ଏହି ସ୍ଥାନରେ କିଛିଦିନ ପରେ ତାଙ୍କର ଏକ ଆବକ୍ଷ ପ୍ରତିମୂର୍ତ୍ତି ସ୍ଥାପନ କରାଗଲା ।

 

୧୯୭୧ ଠାରୁ ପ୍ରାଣନାଥଙ୍କ ଶ୍ରାଦ୍ଧୋତ୍ସବ ନିୟମିତ ଭାବରେ ରାଜଧାନୀରେ ରାଜ୍ୟସ୍ତରୀୟ ପ୍ରାଣନାଥ ସ୍ମୃତିସଂସଦ ପକ୍ଷରୁ ପାଳିତ ହୋଇଆସୁଛି ଏବଂ ବିଭିନ୍ନ ଅଞ୍ଚଳରେ ମଧ୍ୟ ଏତାଦୃଶ ଶ୍ରାଦ୍ଧସଭା ଅନୁଷ୍ଠିତ ହେଉଛି । ପ୍ରାଣନାଥ ମହାବିଦ୍ୟାଳୟ ଆନୁକୂଲ୍ୟରେ ୧୯୭୫ ନଭେମ୍ବର ୧୬ତାରିଖରୁ ‘ପ୍ରାଣନାଥ ଜୟନ୍ତୀ’ ପାଳନାର୍ଥେ ଆନ୍ତଃ କଲେଜ ସଙ୍ଗୀତ ପ୍ରତିଯୋଗିତାର ଆୟୋଜନ କରାଯାଉଛି ।

 

ତାଙ୍କର ନୀତିପୂର୍ଣ୍ଣ କର୍ମଠ ଜୀବନକୁ ପ୍ରଶଂସାମୁଖର କରି ଓଡ଼ିଶାର ପ୍ରାୟ ସବୁ ପତ୍ରପତ୍ରିକା ବିଶେଷ ସଂଖ୍ୟାମାନ ପ୍ରକାଶ କରିଥିଲେ । ତାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରି ବର୍ଷୀୟାନ୍ ଜନନାୟକ, ପୂର୍ବତନ ମନ୍ତ୍ରୀ, ‘ସମାଜ’ ସଂପାଦକ ଡକ୍ଟର ରାଧାନାଥ ରଥ କହିଥିଲେ, ‘‘ସେ ଜଣେ ଯଥାର୍ଥ ଦେଶପ୍ରେମୀ ଓ ବହୁ ପ୍ରଗତିଶୀଳ ଚିନ୍ତାଧାରାର ବାହକ ଜଣେ ଶିକ୍ଷାବିତ୍ ଥିଲେ ଏବଂ ଆଜୀବନ କୃଷକ ଶ୍ରମିକଙ୍କ ପାଇଁ ସଂଗ୍ରାମ କରି ଦୁଃଖ ନିର୍ଯାତନା ଭୋଗ କରିଥିଲେ । ସେ ଏକ ମହାନ୍ ବ୍ୟବସ୍ଥାପକ, ସାହିତ୍ୟିକ, ସାମ୍ବାଦିକ ଏବଂ ସ୍ୱାଧୀନତା ସଂଗ୍ରାମର ଜଣେ ଅଗ୍ରଣୀ ଯୋଦ୍ଧା ଥିଲେ ।” କେନ୍ଦ୍ରର ପୂର୍ବତନ ମନ୍ତ୍ରୀ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ବମ୍ବେର ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶାର ସୁପ୍ରତିଷ୍ଠିତ ସାହିତ୍ୟିକ ଏବଂ ଐତିହାସିକ ଡକ୍ଟର ହରେକୃଷ୍ଣ ମହତାବ ପ୍ରାଣନାଥଙ୍କ ଗୁଣାବଳୀ ବର୍ଣ୍ଣନା କରି କହିଛନ୍ତି, ‘‘ତାଙ୍କ ପାଇଁ କେବଳ ଖୋର୍ଦ୍ଧା ନୁହେଁ ବା କମ୍ୟୁନିଷ୍ଟ ପାର୍ଟି ନୁହେଁ, ସମଗ୍ର ଓଡ଼ିଶା ଝୁରୁଛି । * * * ଆଜି ଚାରିଆଡ଼େ ବିପ୍ଲବର ସ୍ଵର ଯେତେ ଶୁଣାଯାଉଛି ପ୍ରାଣନାଥବାବୁଙ୍କ ପରି ବିପ୍ଲବୀ ତା’ ସେତେ ସଂଖ୍ୟାରେ ଦିଶୁନାହାନ୍ତି ।”

 

ବିପ୍ଲବୀ କବି ଶ୍ରୀ ଅନନ୍ତ ପଟ୍ଟନାୟକ ପ୍ରାଣନାଥଙ୍କୁ ଏକ ନିଆଁ ହୁଳା ସହିତ ତୁଳନା କରି କବିତାମୁଖର ହୋଇଉଠିଛନ୍ତି । ସେ ଲେଖିଛନ୍ତି–

 

‘‘ଯାଅ ହୁଳାଟି ମୋ ଝରାଅ ନିଆଁ ତୋ

ମରମୁ ମରମେ ଯାଇ,

ତରଳାଇ ଯେତେ ହେମାଳ ବ୍ୟଥାରେ

ନୂଆ ବୀଜ ଉଷୁମାଇ ।”

 

ଅନ୍ୟତ୍ର ସେ ଲେଖିଛନ୍ତି–

 

‘‘ଛାତିରେ ଛାତିକୁ ଘୂରିବୁଲୁଥିଲୁ

ଚେତନାର ତାତି ଢାଳି

ଲୋଡ଼ିନୁ କେବେ ତ କର୍ପୁର ମାଳିରେ

ଫୁଲା ଫିସାଦିରେ ତାଳି ।”

 

ଦକ୍ଷ ପାର୍ଲାମେଣ୍ଟାରିଆନ୍, ଐତିହାସିକ ତଥା ସୁସାହିତ୍ୟିକ ଶ୍ରୀ ହୀରେନ୍ ମୁଖାର୍ଜୀଙ୍କ ଭାଷାରେ–

 

"He was one of those remarkable men to whom work for the people is the only worship. * * * His unassuming and benificient personality makes one think of the words of the poet–

 

In small proportions does one

beauty see,

And in small measures, life

may perfect be."

 

ପ୍ରାଣନାଥଙ୍କ କଠୋର ସାଧନା ଓ ତ୍ୟାଗର ଆଦର୍ଶ ମନେପକାଇ ସୁବିଖ୍ୟାତା ଔପନ୍ୟାସିକ ଶ୍ରୀ କାଳିନ୍ଦୀଚରଣ ପାଣିଗ୍ରାହୀ କହିଛନ୍ତି, ‘‘ଆଜି ଯେତେବେଳେ ଦେଶବ୍ୟାପୀ ଯୁବ ଆନ୍ଦୋଳନର ବହୁମୁଖୀ କର୍ମପନ୍ଥାରେ ସ୍ଵରୂପ ଫୁଟିଉଠେ, ସେତେବେଳେ ମନେପଡ଼େ ପ୍ରାଣନାଥଙ୍କ କଠୋର ସାଧନା ଓ ତ୍ୟାଗର ଆଦର୍ଶ ।”

 

ତାଙ୍କୁ ସଙ୍କୀର୍ଣ୍ଣତାର ଊର୍ଦ୍ଧ୍ଵରେ ବର୍ଣ୍ଣନା କରି ଶ୍ରୀ ମାଧବ ପ୍ରସାଦ ମିଶ୍ର କହିଛନ୍ତି, ‘‘ସେ ଗୋଟିଏ ନିର୍ଦ୍ଦିଷ୍ଟ କୌଣସି ଦଳର ଧରାବନ୍ଧା ଆଦର୍ଶ ଓ ସଙ୍କୀର୍ଣ୍ଣତାର ନିଜକୁ ବନ୍ଦୀ କରିନଥିଲେ । ସେ ଥିଲେ ମହାନ୍ ସେ ଥିଲେ ଆଦର୍ଶର ସ୍ତାବକ ।” ତାଙ୍କର ଦୂରଦୃଷ୍ଟି ବିଷୟ ବର୍ଣ୍ଣନା କରି ତାଙ୍କର ଅନ୍ୟତମ ଘନିଷ୍ଠ ସହକର୍ମୀ ଶ୍ରୀ ଗତିକୃଷ୍ଣ ସ୍ୱାଇଁ ଲେଖିଛନ୍ତି, ‘‘ପ୍ରାଣନାଥ ବାବୁ କେବଳ ଅନ୍ଧ ସୈନିକ ଭାବରେ କାମ କରୁନଥିଲେ, ବଡ଼ ଦୂରଦୃଷ୍ଟି ସମ୍ପନ୍ନ ମଧ୍ୟ ଥିଲେ ।”

 

ହିନ୍ଦ୍ ସେବକ ସଂଘ ସଭ୍ୟ ତଥା ପ୍ରାଣନାଥଙ୍କ ସହପାଠୀ ଶ୍ରୀ ଶ୍ୟାମସୁନ୍ଦର ମିଶ୍ର ତାଙ୍କ ଆତ୍ମୋତ୍ସର୍ଗ ବିଷୟ ଉଲ୍ଲେଖ କରି ଲେଖିଛନ୍ତି, ‘‘ଜୀବନର ଯେଉଁ ସମୟରେ ଲୋକେ ଭୋଗବିଳାସ ପଛରେ ଧାଇଁବା ପସନ୍ଦ କରନ୍ତି, ବନ୍ଧୁ ପ୍ରାଣନାଥ ଠିକ୍ ସେହି ସମୟରେ ଦେଶର ଦଳିତ, ନିଷ୍ପେଷିତ ଲୋକଙ୍କ କଲ୍ୟାଣ ପାଇଁ ଆତ୍ମୋତ୍ସର୍ଗ କରିଥିଲେ ।” ବିଶିଷ୍ଟ ସମାଜବାଦୀ ନେତା ଶ୍ରୀ ସୁରେନ୍ଦ୍ର ନାଥ ଦ୍ୱିବେଦୀଙ୍କ ଭାଷାରେ–‘‘ତାଙ୍କ ପରି ଜଣେ ତ୍ୟାଗୀ, କର୍ମନିଷ୍ଠ, ଅମାୟିକ ଓ ଚରିତ୍ରବାନ୍ ବ୍ୟକ୍ତିଙ୍କର ମୃତ୍ୟୁ ଦ୍ୱାରା ଓଡ଼ିଶା ଗୋଟିଏ ଉଜ୍ଜ୍ଵଳ ରତ୍ନ ହରାଇଲା ।”

 

ସାଥୀ ଶ୍ରୀ ଗୁରୁଚରଣ ପଟ୍ଟନାୟକ ଏହି ଐତିହାସିକ ବ୍ୟକ୍ତିତ୍ୱର ମୌଳିକତାକୁ ଲକ୍ଷ୍ୟ କରି କହିଛନ୍ତି, ‘‘ଇତିହାସ ସ୍ରୋତର ଧକ୍କାରେ ଧକେଇ ଧକେଇ ନ ଭାସି ସେଇ ସ୍ରୋତର ସୃଷ୍ଟିରେ ଆପଣାକୁ ନିୟୋଜିତ କରିଛନ୍ତି ।” ତାଙ୍କ ଚରିତ୍ରର ବ୍ୟାଖ୍ୟା କରି ତାଙ୍କ ବାଲ୍ୟବନ୍ଧୁ ସହପାଠୀ ତଥା ବିଖ୍ୟାତ ଅର୍ଥନୀତିଜ୍ଞ ଡାକ୍ତର ସଦାଶିବ ମିଶ୍ର ଲେଖିଛନ୍ତି,” ସବୁଦିନେ ତାଙ୍କଠାରେ ଥିଲା ଅମାୟିକ ସହୃଦୟତା । ସକାଳ କାମରେ ଥିଲା ତାଙ୍କର ଆନ୍ତରିକତା ।” ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱକୁ ନିମ୍ନଲିଖିତ ଭାଷାରେ ବର୍ଣ୍ଣନା କରିଛନ୍ତି ଶ୍ରୀ ସଦାନନ୍ଦ ମହାନ୍ତି–‘‘ପ୍ରାଣନାଥଙ୍କ ଦେଶପ୍ରେମ ଥିଲା ଅଗ୍ନିପରି ତେଜୀୟାନ୍, ସଲିଲ ପରି ସ୍ଵଚ୍ଛ ଏବଂ ବାୟୁ ପରି ବଳବାନ୍ ।”

 

ଓଡ଼ିଶାର ତତ୍‍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓ ଓଡ଼ିଶା ବିଧାନସଭାରେ ପ୍ରାଣନାଥଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରି କହିଥିଲେ, ‘‘ସେ ଅତି ଲୋକପ୍ରିୟ ଓ ଦେଶପ୍ରେମୀ ଥିଲେ । ଦାରିଦ୍ର୍ୟ ଭିତରେ ଜୀବନଯାପନ କରି ମଧ୍ୟ ସେ ସବୁବେଳେ ଜନସାଧାରଣଙ୍କ କାର୍ଯ୍ୟରେ ଲାଗିଥିଲେ ।” * * * ୧୯୮୦ ମସିହାର ପ୍ରାଣନାଥଙ୍କ ଶ୍ରାଦ୍ଧୋତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ପ୍ରାଣନାଥଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ‘‘ପ୍ରାଣନାଥ ବାବୁଙ୍କର ସମର୍ପିତ ଜୀବନ ଆଜିର ରାଜନୀତିକ ଓ ସାମାଜିକ କ୍ଷେତ୍ରରେ ଏକ ଆଦର୍ଶରୂପେ ଯୁବସମାଜକୁ ଉଦ୍‍ବୁଦ୍ଧ କରିବ, ଏଥିରେ ସନ୍ଦେହ ନାହିଁ ।”

 

ବିଖ୍ୟାତ ଗାଳ୍ପିକ ଶ୍ରୀ ଅଖିଳ ମୋହନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ ଯାଇ ଏକ ନିଚ୍ଛକ ସତ କଥା ଲେଖିଛନ୍ତି–‘‘ସେ ଯେ ନିଜର ଶକ୍ତି ଅପେକ୍ଷା ଅଧିକ ପରିଶ୍ରମ କରି ନିଜର ଆୟ ତିଳ ତିଳ କରି କ୍ଷୟ କରୁଥିଲେ ଏଥିରେ ସନ୍ଦେହରେ ଅବକାଶ ନାହିଁ ।”

 

ଏପରି ଏକ ବିରାଟ ବ୍ୟକ୍ତିଙ୍କର ମରଶରୀର ଗଙ୍ଗା କୂଳରେ ଲୀନ ହୋଇଗଲା ସତ; କିନ୍ତୁ ତାଙ୍କର ଅଗ୍ନିସମ ତେଜୀୟାନ୍ ଆତ୍ମା ଅଲିଭାଶିଖା ସମ୍ ଦେଦୀପ୍ୟମାନ ହୋଇ ରହିଲା ଭବିଷ୍ୟତ ବଂଶଧରମାନଙ୍କୁ ତ୍ୟାଗ, ଆଦର୍ଶ ଓ ଚରିତ୍ରବତ୍ତାରେ ଯୁଗ ଯୁଗ ପାଇଁ ପ୍ରଜ୍ଜ୍ଵଳିତ କରିବାକୁ । ତାଙ୍କ ମୃତ୍ୟୁରେ ଏକ କ୍ଷୁଦ୍ର ମାନବ ଶରୀର ପୃଥିବୀପୃଷ୍ଠରୁ ଅପସାରିତ ହେଲା ସତ; କିନ୍ତୁ ‘‘ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଡ଼, ପୂରୁ ତହିଁ ପଡ଼ି ମୋର ମାଂସ ହାଡ଼’’ର ଆଦର୍ଶକୁ ଅକ୍ଷରେ ଅକ୍ଷରେ ପ୍ରତିପାଳନ କରି ସେ ଅମର ସହିଦ ସମ ତ୍ୟାଗର ଯେଉଁ ଚରମ ନିଦର୍ଶନ ଦେଖାଇଦେଲେ ତାହା ଯୁଗ ଯୁଗ ଧରି ତାଙ୍କର ଜୀବନାଦର୍ଶକୁ ‘ଅଲିଭାଶିଖା’ ପରି ପ୍ରଜ୍ଜ୍ଵଳିତ କରି ରଖିବ, ଏଥିରେ ସନ୍ଦେହର ଅବକାଶ ନାହିଁ ।

Image